ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆହ୍ବାନ

0

ପ୍ରଦୀପ ମହାପାତ୍ର

ଆନ୍ତର୍ଜାତିକସ୍ତରରେ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଥାଏ। ମୁଖ୍ୟତଃ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ତଥ୍ୟାଶ୍ରିତ ମାର୍ଗଦର୍ଶିକା ପ୍ରସ୍ତୁତ କରି ସଂଗଠନର ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସାଙ୍ଗକୁ ଆବଶ୍ୟକ ସ୍ଥଳେ ଆଇନ ପ୍ରଣୟନ ମାଧ୍ୟମରେ ରୋଗ ପ୍ରତିଷେଧକ ପ୍ରଣାଳୀ ଉପଯୋଗ ଲାଗି ଯତ୍ନ ନିଆଯାଇଥାଏ। ସାଧାରଣ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ଅତୀତରେ ଚିନି, ଲୁଣ ଓ ପଟାସିଅମର ବ୍ୟବହାର ନେଇ ସତର୍କତା କାର୍ଯ୍ୟକ୍ରମ ରୂପାୟନ ପରେ ୨୦୧୮ ମେ ମାସରୁ ସାଚୁରେଟେଡ-ଫେଟି ଏସିଡ୍‌ ଓ ଟ୍ରାନ୍ସ-ଫେଟି ଏସିଡଯୁକ୍ତ ଖାଦ୍ୟ ଗ୍ରହଣରେ ସ୍ବାସ୍ଥ୍ୟହାନି ସମ୍ପର୍କରେ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ ହୋଇଛି।
ବିଶ୍ବବ୍ୟାପୀ ୨୦୧୬ ବର୍ଷକ ମଧ୍ୟରେ ହିସାବ କରାଯାଇଥିବା ୫ କୋଟି ୪୭ଲକ୍ଷ ମୃତ୍ୟୁ ମଧ୍ୟରେ ଶତକଡ଼ା ୭୨ଭାଗ ଅର୍ଥାତ୍‌ ୩ କୋଟି ୯୫ ଲକ୍ଷ ବ୍ୟକ୍ତି ଅଣ-ସଂକ୍ରାମକ ବ୍ୟାଧି ‘ନନ-କମ୍ୟୁନିକେବଲ ଡିଜିଜେସ’ ଯୋଗୁଁ ମୃତ୍ୟୁମୁଖରେ ପଡ଼ିଥିଲେ। ଅଣ-ସଂକ୍ରାମକ ବ୍ୟାଧି ହେତୁ ମୃତକ ମଧ୍ୟରେ ଅର୍ଦ୍ଧେକ ହୃଦ୍‌ରୋଗ ‘କାର୍ଡିଓ ଭାସ୍କୁଲାର ଡିଜିଜେସ’ର ଆକ୍ରାନ୍ତ ଥିଲେ। ଏହି ପରିସଂଖ୍ୟାନରୁ ହୃଦରୋଗ ପ୍ରାୟ ଏକ ତୃତୀୟାଂଶ ମୃତ୍ୟୁର କାରଣ ରୂପେ ଚିହ୍ନଟ କରାଯାଇପାରେ।
ଖାଦ୍ୟାଭ୍ୟାସ, ମୁଖ୍ୟତଃ ସେଚୁରେଟେଡ -ଫେଟି ଏସିଡ ଓ ଟ୍ରାନ୍ସ-ଫେଟି ଏସିଡ ଯୁକ୍ତ ଖାଦ୍ୟ ଗ୍ରହଣ ହୃଦ୍‌ରୋଗର ଅନ୍ୟତମ ମୁଖ୍ୟକାରଣ। ସେଚୁରେଟେଡ-ଫେଟି ଏସିଡ ପ୍ରାଣୀ ସୂତ୍ରରୁ ସଂଗୃହୀତ ଖାଦ୍ୟ ଯଥା: କ୍ଷୀର, ଅଣ୍ଡା, ମାଛ, ମାଂସ ସାଙ୍ଗକୁ ଉଦ୍ଭିଦ ସୂତ୍ରରୁ ପ୍ରାପ୍ତ ନଡ଼ିଆ, ତାଳ ତେଲରେ ପ୍ରଚୁର ପରିମାଣରେ ମହଜୁଦ ଥାଏ। ଅପରପକ୍ଷେ ଟ୍ରାନ୍ସ-ଫେଟି ଏସିଡ ହାଇଡ୍ରୋଜେନେରେସନ ପଦ୍ଧତିରେ ପ୍ରସ୍ତୁତ ବନସ୍ପତି ଘିଅ, ତେଲ ସାଙ୍ଗକୁ ଗାଈ, ଛେଳି, ମେଣ୍ଢା ଇତ୍ୟାଦି ପ୍ରାଣୀ ସୂତ୍ରରୁ ସଂଗୃହୀତ ଖାଦ୍ୟରେ ମହଜୁଦ୍‌ ଥାଏ। କାରଖାନାରେ ପ୍ରସ୍ତୁତ ବିସ୍କୁଟ ଜାତୀୟ ଖାଦ୍ୟ, ହୋଟେଲ ଓ ଉଠାଦୋକାନୀଙ୍କ ଛଣା ଖାଦ୍ୟ ମଧ୍ୟ ଟ୍ରାନ୍ସ-ଫେଟି ଏସିଡରେ ପରିପୂର୍ଣ୍ଣ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଶେଷଜ୍ଞମାନଙ୍କ ସହ ଦୀର୍ଘ ପରାମର୍ଶକ୍ରମେ କୁହାଯାଉଛି ଯେ ଆମ ଦୈନନ୍ଦିନ ଖାଦ୍ୟସୂଚୀରେ ଶତକଡ଼ା ୧୦ ଭାଗ କ୍ୟାଲୋରି ସେଚୁରେଟେଡ-ଫେଟି ତଥା ଶତକଡ଼ା ଏକଭାଗ ଟ୍ରାନ୍ସ-ଫେଟି ଏସିଡକୁ ସାମିଲ କରାଯାଇପାରେ। ତେବେ ତାହାଠାରୁ ଅଧିକମାତ୍ରାରେ ଉଭୟ ପ୍ରକାରର ଏସିଡ ପ୍ରଭାବିତ ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ ହାନିକାରକ। ପ୍ରକାରନ୍ତେ ଏହା ହୃଦ୍‌ରୋଗର କାରଣ ହୋଇପାରେ।
ପାରମ୍ପରିକଭାବେ ନିରାମିଷ ଖାଦ୍ୟ ମଧ୍ୟରେ ଦୁଗ୍ଧ ଓ ଦୁଗ୍ଧକେନ୍ଦ୍ରିକ ଛେନା, ଲହୁଣୀ ଓ ଗୁଆଘିଅ ତଥା ଆମିଷ ଖାଦ୍ୟ ମଧ୍ୟରେ ଅଣ୍ଡା, ମାଛ ଓ ମାଂସକୁ ପୃଷ୍ଟିସାର ‘ପ୍ରୋଟିନ୍‌’ ଶକ୍ତିବର୍ଦ୍ଧକ ଖାଦ୍ୟରୂପେ ଗ୍ରହଣ କରିଆସିଛୁ। ତେବେ ଦୈନନ୍ଦିନ ଖାଦ୍ୟରେ ଏଗୁଡ଼ିକର ପରିମାଣ ବଢ଼ିଗଲେ ସ୍ବାସ୍ଥ୍ୟହାନି ସମ୍ପର୍କରେ ଜାଣିନାହୁଁ। ଅପରପକ୍ଷେ ଆନ୍ତର୍ଜାତିକ ପରିସଂଖ୍ୟାନ ସହ ତାଳଦେଇ ଭାରତ ତଥା ଓଡ଼ିଶାରେ ହୃଦ୍‌ରୋଗ ଆକ୍ରାନ୍ତଙ୍କ ସଂଖା ବଢ଼ି ଚାଲିଛି। ହୃଦ୍‌ରୋଗ ରୋକିବା ନିମନ୍ତେ ଖାଦ୍ୟାଭ୍ୟାସରେ ସେଚୁରେଟେଡ-ଫେଟି ଏସିଡ ଓ ଟ୍ରାନସ-ଫେଟି ଏସିଡଯୁକ୍ତ ଖାଦ୍ୟର ଉପସ୍ଥିତି ସମ୍ପର୍କରେ ସାବଧାନତା ଜରୁରି ମନେହୁଏ।
ଆଧୁନିକ ଭେଷଜ ବିଜ୍ଞାନ ତଥ୍ୟାଶ୍ରିତ। ଅର୍ଥାତ୍‌ ବାସ୍ତବକ୍ଷେତ୍ରରେ ରୋଗୀ ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଜୀବନଶୈଳୀ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇ ତର୍ଜମା କରାଯାଇଥାଏ। ଦ୍ବିତୀୟ ବିଶ୍ବଯୁଦ୍ଧୋତ୍ତର ଅବସ୍ଥାରେ ଭେଷଜ ବିଜ୍ଞାନ ଗବେଷଣାର ଆୟତନ ବୃଦ୍ଧି ଘଟିଛି। ବିଶ୍ବବ୍ୟାପୀ ଅସଂଖ୍ୟ ଚିକିତ୍ସକ ଗବେଷଣାରେ ମନୋନିବେଶ କରୁଥିବା ହେତୁ ନିତି ନୂଆନୂଆ ତଥ୍ୟ ଉଦ୍ଭାବିତ ହେଉଛି। ଅଭିଜ୍ଞ ବିଶାରଦମାନଙ୍କଦ୍ବାରା ଅସଂଖ୍ୟ ଗବେଷଣାଲବ୍ଧ ଜ୍ଞାନକୁ ଅନୁଶୀଳନ କରାଯାଇ ଜନସାଧାରଣଙ୍କ ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି ଆନ୍ତର୍ଜାତିକ ସଂସ୍ଥାମାନ ଏଭଳି ତଥ୍ୟ ଆଧାରରେ ଜନସଚେତନତା ସୃଷ୍ଟି ଲାଗି ଦୀର୍ଘମିଆଦୀ କାର୍ଯ୍ୟକ୍ରମମାନ ପ୍ରଯୋଜନା କରିଥାନ୍ତି।
ବିଜ୍ଞାନର ପରିଧି ସ୍ବଚ୍ଛ। ଏଠାରେ ବିଶ୍ବାସ ବଦଳରେ ପ୍ରମାଣକୁ ଗୁରୁତ୍ବ ଦିଆଯାଇଥାଏ। ବୈଜ୍ଞାନିକ ତଥ୍ୟାବଳୀକୁ ପରଖିବା ପାଇଁ ବିଶ୍ବବ୍ୟାପୀ ସୁଯୋଗ ସୃଷ୍ଟି କରାଯାଇଥାଏ। ଏଗୁଡ଼ିକର ପୁନର୍ମୂଲ୍ୟାୟନ ସମ୍ଭବପର। ଉଦାହରଣରେ ଆଜି ଯାହା ବୈଜ୍ଞାନିକ ସତ୍ୟ ରୂପେ ମାନି ନିଆଯାଉଛି, ହୁଏତ ଆସନ୍ତାକାଲି ନୂତନ ଗବେଷଣା ତାହାକୁ ଭୁଲ୍ ପ୍ରମାଣିତ କରିଦେଇପାରେ। ବିଜ୍ଞାନ ଏକ କ୍ରମବର୍ଦ୍ଧମାନ ଧାରା। ବିଜ୍ଞାନସମ୍ମତ ସ୍ବାସ୍ଥ୍ୟରକ୍ଷା କାର୍ଯ୍ୟକ୍ରମମାନ ପ୍ରଣୟନ ଫଳରେ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳକୁ ଆମ ଦେଶରେ ଜୀବଦ୍ଦଶା ୩୨ ବର୍ଷ ଥିବାବେଳେ ବର୍ତ୍ତମାନ ତାହା ୬୮ ବର୍ଷକୁ ବୃଦ୍ଧି ପାଇଥିବା ଏଭଳି ଉଦ୍ୟମର ଉତ୍କର୍ଷ ପ୍ରମାଣିତ କରିଥାଏ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆୟୋଜିତ ପ୍ରଚଳିତ ଖାଦ୍ୟାଭ୍ୟାସରେ ସେଚୁରେଟେଡ-ଫେଟି ଏସିଡ ଓ ଟ୍ରାନ୍ସ-ଫେଟି ଏସିଡ ହ୍ରାସ ଅଭିଯାନ ଓଡ଼ିଆ ପରିବାରର ରକ୍ଷଣଶୀଳ ପାକଶାଳାରେ ବିସ୍ମୟର କାରଣ ପାଲଟିବା ସ୍ବାଭାବିକ। ପାରମ୍ପରିକଭାବେ ଯେଉଁ ଖାଦ୍ୟଗୁଡ଼ିକୁ ଆମେ ଗୁରୁତ୍ବ ଦେଇ ଆସିଛୁ ତାହାର ବିରୋଧାଚରଣ କରିବା କଠିନ ହୋଇପାରେ। ଦୁଗ୍ଧ, ଦୁଗ୍ଧଜାତ ଖାଦ୍ୟ ସମୂହ ଧାର୍ମିକ ରୀତିନୀତି ସହ ସଂପୃକ୍ତ ଥିବା ହେତୁ ସେଗୁଡ଼ିକର ବାରଣ ଯୁକ୍ତିତର୍କର ପରିବେଶ ସୃଷ୍ଟି କରିବ। ପାରମ୍ପରିକଭାବେ ଆମିଷ ଖାଦ୍ୟର ବିରୋଧାଚରଣର ଧାରା ପ୍ରଚଳିତ ଥିବାହେତୁ ହୁଏତ ଅଣ୍ଡା, ମାଛ, ମାଂସ ଖାଦ୍ୟାଭ୍ୟାସରେ ସୀମିତ ମାତ୍ରାରେ ଉପଯୋଗ କରିବା ସହଜସାଧ୍ୟ ମନେ ହୋଇପାରେ। ଅବଶ୍ୟ ଆମ ରାଜ୍ୟରେ ୭୦ ଭାଗ ପରିବାରର ଆର୍ଥିକ ଅନଗ୍ରସର ଜୀବନଧାରଣ କରୁଥିବା ଅବସରରେ ଦୁଗ୍ଧ, ଦୁଗ୍ଧଜାତ ସାମଗ୍ରୀ ଓ ଆମିଷ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ୧୦ ପ୍ରତିଶତ କ୍ୟାଲୋରି ସୀମା ମଧ୍ୟରେ ରହିବା ସ୍ବାଭାବିକ। କିନ୍ତୁ ଛଣା ଖାଦ୍ୟକୁ ଏକ ପ୍ରତିଶତ କ୍ୟାଲୋରିରେ ସୀମାବଦ୍ଧ କରିବାକୁ ହେଲେ ଗ୍ରାମରୁ ସହରାଞ୍ଚଳ ଧନୀ ଓ ଗରିବ ବହୁ ପରିବାରଙ୍କ ପ୍ରଚଳିତ ଖାଦ୍ୟାଭ୍ୟାସରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ।
ଟ୍ରାନ୍ସ-ଫେଟି ଏସିଡଯୁକ୍ତ ବର୍ତ୍ତମାନ ବହୁଳ ବ୍ୟବହାର କରାଯାଉଥିବା ପାମ ଅଏଲ ଓ ବନସ୍ପତି ଘିଅକୁ ପାରିବାରିକ ରୋଷାଇଶାଳାରୁ ବାଦ୍‌ ଦେଲେ ମଧ୍ୟ ହୋଟେଲ, ରେଷ୍ଟୁରାଣ୍ଟ ଓ ଉଠାଦୋକାନୀଙ୍କ ସହ ବିସ୍କୁଟ, ବେକରି ଓ ବାରମଜା କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିବ। ଖାଦ୍ୟାଭ୍ୟାସରେ ଟ୍ରାନ୍ସ-ଫେଟି ଏସିଡର ମାତ୍ରା ଏକ ପ୍ରତିଶତ ରଖିବା କଷ୍ଟକର ବୋଧ ହୋଇପାରେ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଟ୍ରାନ୍ସ-ଫେଟି ଏସିଡରୁ ମୁକ୍ତି ପାଇବା ନିମନ୍ତେ ସୋରିଷ, ଚିନାବାଦାମ, ସୂର୍ଯ୍ୟମୁଖୀ, ସୋୟାବିନ ଭଳି ତେଲ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି। ପାମ ଅଏଲଠାରୁ ଏଗୁଡ଼ିକର ଦର ଅଧିକ ଥିବା ହେତୁ ଏଭଳି ପରିବର୍ତ୍ତନ ତତ୍‌କ୍ଷଣାତ୍‌ ସଫଳ ହେବା ସନ୍ଦେହପୂର୍ଣ୍ଣ। ଓଡ଼ିଶାରେ ପାରମ୍ପରିକ ଭାବେ ସୋରିଷ ଓ ବାଦାମ ତେଲ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୋଇଆସୁଥିଲା, କିନ୍ତୁ ଶସ୍ତା ବିକଳ୍ପ ବଜାରରେ ମିଳିବାପରେ ପାମ ଅଏଲର ବ୍ୟବହାର ବଢ଼ିଲା। ତେବେ ଏଯାଏଁ ପାମ ଅଏଲ ବ୍ୟବହାର ଯୋଗୁଁ ସ୍ବାସ୍ଥ୍ୟହାନି ସମ୍ପର୍କିତ ସୂଚନା ସମ୍ପର୍କରେ ସାଧାରଣ ଲୋକେ ଅବଗତ ହୋଇପାରି ନାହାନ୍ତି।
ବିଶ୍ବର ୯୦ ପ୍ରତିଶତ ଜନସାଧାରଣଙ୍କ ଖାଦ୍ୟାଭ୍ୟାସ ଟ୍ରାନ୍ସ-ଫେଟି ପ୍ରଭାବିତ ଥିବା ସ୍ଥଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୨୦୨୩ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ଟ୍ରାନ୍ସ-ଫେଟି ଖାଦ୍ୟାଭ୍ୟାସର ପରିସମାପ୍ତି ଲାଗି ଯୋଜନା ପ୍ରସ୍ତୁତ କରିଛି। ୨୦୧୮ ମେ’ ମାସରେ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୨୦୨୫ ସୁଦ୍ଧା ଅଣ-ସଂକ୍ରାମକ ରୋଗ ଏକ ଚତୁର୍ଥାଂଶ ଏବଂ ୨୦୩୦ ସୁଦ୍ଧା ଏକ ତୃତୀୟାଂଶ ହ୍ରାସ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଦୈନନ୍ଦିନ ଖାଦ୍ୟାଭ୍ୟାସରେ ମୋଟାମୋଟି ଭାବେ ସେଚୁରେଟେଡ-ଫେଟି ଏସିଡଯୁକ୍ତ ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ ଓ ମାଛ, ମାଂସର ପରିମାଣ ୧୦ କ୍ୟାଲୋରି ଓ ଟ୍ରାନ୍ସ-ଫେଟି ଏସିଡଯୁକ୍ତ ପାମ ଅଏଲରେ ପ୍ରସ୍ତୁତ ଖାଦ୍ୟ ଏକ କ୍ୟାଲୋରିକୁ ହ୍ରାସ କରିବା ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବାସ୍ଥ୍ୟରକ୍ଷା ମାର୍ଗଦର୍ଶିକା ସାଧାରଣସ୍ତରରେ ଆଲୋଡ଼ନ ସୃଷ୍ଟିକରିବ। ତେବେ ଏଭଳି ଉପାଦାନଗୁଡ଼ିକ ମନୁଷ୍ୟ ଶରୀରର ଧମନୀ ଅବରୁଦ୍ଧ ‘କ୍ଲଗଂି’ କରିବାରେ ସହାୟକ ହେଉଥିବା ଏବଂ ଏହି କାରଣରୁ ହୃଦ୍‌ରୋଗ ଓ ହୃଦଘାତର ଆଶଙ୍କା ଥିବାହେତୁ ଏଭଳି ମାର୍ଗଦର୍ଶିକାକୁ ଅଣଦେଖା କରିବା ଅନୁଚିତ ମନେହୁଏ।
ବିଗତ ଶତାବ୍ଦୀର ଶେଷ ଦଶକରେ ଚିକିତ୍ସା ବିଜ୍ଞାନୀମାନେ ହୃଦରୋଗର ଅନ୍ୟତମ କାରଣ କଲୋଷ୍ଟ୍ରଲ ପରିମାଣ ବୃଦ୍ଧି ସହ ଟ୍ରାନ୍ସ-ଫେଟି ଏସିଡଯୁକ୍ତ ଖାଦ୍ୟର ସମୀକରଣ ଉଦ୍ଭାବନ କରିଥିଲେ। ପ୍ରାଥମିକଭାବେ କେତେକ ବିକଶିତ ରାଷ୍ଟ୍ରରେ ବଜାରରେ ପ୍ରସ୍ତୁତ ଖାଦ୍ୟରେ ଟ୍ରାନ୍ସ-ଫେଟି ଏସିଡର ପରିମାଣ ନିୟନ୍ତ୍ରଣ କରାଯାଇ ପରବର୍ତ୍ତୀ ଅବସ୍ଥାରେ ସଂପୂର୍ଣ୍ଣ ନିଷେଧ ନିମନ୍ତେ ଆଇନ ପ୍ରଣୟନ କରାଗଲା। ବ୍ରିଟେନ୍‌, କାନାଡ଼ା ଓ ଡେନ୍‌ମାର୍କ ସାଙ୍ଗକୁ ୨୦୧୮ ଜୁନ୍‌ ମାସରୁ ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରିଯୋଗ୍ୟ ପ୍ରସ୍ତୁତ ଖାଦ୍ୟସାମଗ୍ରୀରେ ଟ୍ରାନ୍ସ-ଫେଟି ଏସିଡର ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି।
ସେଚୁରେଟେଡ-ଫେଟି ଏସିଡ ଓ ଟ୍ରାନ୍ସ-ଫେଟି ଏସିଡ ରହିତ ଖାଦ୍ୟାଭ୍ୟାସ ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆହ୍ବାନ ଆବାଳବୃଦ୍ଧବନିତାଙ୍କ ନିମନ୍ତେ ପ୍ରଯୁଜ୍ୟ। ତେବେ ଆମ ରାଜ୍ୟରେ ହୃଦ୍‌ରୋଗୀଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ ଥିବା ହେତୁ ଆସନ୍ନ ବାର୍ଦ୍ଧକ୍ୟ ଓ ବାର୍ଦ୍ଧକ୍ୟ ଉପନୀତ ବ୍ୟକ୍ତିବିଶେଷ ତୁରନ୍ତ ଖାଦ୍ୟାଭ୍ୟାସ ପରିବର୍ତ୍ତନ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ବ୍ରହ୍ମପୁର
pradeep.mahapatra@gmail.com

Leave A Reply