ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ ଉତ୍କଳମଣି ଗୋପବନ୍ଧୁ

0

ପ୍ରହଲାଦ କୁମାର ସିଂହ

ପ୍ରକୃତିର କ୍ରୋଧ ହେତୁ ଓଡ଼ିଶାର ଲୋକେ ଦୁଃଖ ପାଉଛନ୍ତି। କେତେବେଳେ ବର୍ଷା ଅଭାବରୁ ଫସଲ ହୁଏ ନାହିଁ ତ ଆଉ କେତେବେଳେ ଅତ୍ୟଧିକ ବୃଷ୍ଟିଜନିତ ବନ୍ୟା ଯୋଗୁ ଫସଲ ଓ ଘରଦ୍ୱାର ଧୋଇଯାଏ। ଏଠାରେ ଦୁର୍ଭିକ୍ଷ ଭଳି ଅବସ୍ଥା ତେଣୁ ଲାଗି ରହିଥାଏ। ଏପରି ଏକ ଭଗବାନଙ୍କ ପରିତ୍ୟକ୍ତ ଅଞ୍ଚଳରେ ଜଣେ ପ୍ରକୃତ ନେତା ଅଛନ୍ତି। ସେ ହେଉଛନ୍ତି ଗୋପବନ୍ଧୁ ଦାସ….. ପୂର୍ବେ ଏମାନେ ଖାଦ୍ୟରେ କେତେଟୋପା ଘିଅ ପକାଇ ଖାଉଥିଲେ, ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବା ପରଠାରୁ ତାହା ଛାଡ଼ି ଦେଇଛନ୍ତି। ଏ ଦେଶରେ ଆଜି ଏପରି କ୍ୱଚିତ ଲୋକ ଥିବେ ଯିଏ ସ୍ୱେଚ୍ଛାକୃତ ଭାବେ ଏତେ ଦୁଃଖ ଭୋଗି ବଞ୍ଚିଥିବେ। ମୁଁ ପଚାରିଥିଲି ଏଭଳି ଖାଦ୍ୟ ଖାଇ ରହିଲେ ସ୍ୱାସ୍ଥ୍ୟହାନି ଘଟିବ ନାହିଁ କି? ଗୋପବନ୍ଧୁ ବାବୁ ଉତ୍ତର ଦେଲେ- ଏ ପ୍ରକାର ଦୈନ୍ୟ ଓ ଅଭାବ ସ୍ୱରାଜ ପାଇଁ ମାନିନେବା କ’ଣ ଉଚିତ ନୁହେଁ? ମୁଁ ଚୁପ୍ ହୋଇଗଲି। ଯେତେବେଳେ ଜଣେ କୌଣସି ଦୁଃଖ ଯନ୍ତ୍ରଣାର ସମ୍ମୁଖୀନ ହୁଏ, ସେ ଜାଣିପାରେ ନାହିଁ ଭଗବାନ ତାଙ୍କୁ କିପରି ତାହା ସହିବାର ଶକ୍ତି ଦେଇଛନ୍ତି….. ଏପରି ସାଧୁ କର୍ମୀମାନଙ୍କର ଚେଷ୍ଟାରେ ବର୍ଷକ ଭିତରେ ସ୍ୱରାଜ ମିଳିଯିବ ବୋଲି ମୁଁ ବିଶ୍ୱାସ କରୁଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
୧୯୨୧ ମସିହାରେ ପ୍ରଥମ ଓଡ଼ିଶା ଗସ୍ତରୁ ଫେରିବା ପରେ ଜାତିର ଜନକ ମହାତ୍ମା ଗାନ୍ଧୀ ତାଙ୍କ ସମ୍ପାଦିତ ‘ୟଙ୍ଗ ଇଣ୍ଡିଆ’ ଓ ‘ନବଜୀବନ’ ପତ୍ରିକାର ବିଭିନ୍ନ ସଂସ୍କରଣରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ଉଲ୍ଲେଖ କରିଥିବା ମନ୍ତବ୍ୟର ଏହା ହେଉଛି କିୟଦଂଶ। ଗୋପବନ୍ଧୁଙ୍କ ସହ ଗାନ୍ଧିଜୀଙ୍କର ଆତ୍ମିକ ସମ୍ପର୍କ ଥିଲା। ତାଙ୍କ ନେତୃତ୍ୱ, ବ୍ୟକ୍ତିତ୍ୱ, ତ୍ୟାଗ, ସାଧନା, ଯୋଜନା ଆଦି ଗାନ୍ଧିିଜୀଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଚାଲୁଥିଲା ସେତେବେଳେ ଜାତୀୟ ସ୍ତରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜନୈତିକ ପରିଚିତି ଦେଇ ଗାନ୍ଧିଜୀ ଗୋପବନ୍ଧୁଙ୍କ ନେତୃତ୍ୱରେ ଓଡ଼ିଶା ପାଇଁ ପ୍ରଥମ କରି ଗଠନ କରିଥିଲେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି। କେବଳ ସେତିକି ନୁହେଁ, ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନ ଲାଗି ଗାନ୍ଧିଜୀ ମଧ୍ୟ ଖୋଲା ସମର୍ଥନ ଦେବା ସହିତ ଏହି ଦାବିକୁ ଜାତୀୟ ସ୍ତରରେ ଜୋରଦାର୍ କରିଥିଲେ।
ଜାତୀୟ ଆନ୍ଦୋଳନ ସହ ତ୍ୟାଗ ଓ ସେବା ମନ୍ତ୍ରର ପ୍ରସାରଣ ଲାଗି ଉଭୟ ଗାନ୍ଧିଜୀ ଓ ଗୋପବନ୍ଧୁ ସୃଷ୍ଟି କରିଥିଲେ ସ୍ୱତନ୍ତ୍ର ସମ୍ବାଦପତ୍ର। ଗୋପବନ୍ଧୁ “ସତ୍ୟବାଦୀ’ ଓ “ସମାଜ’ ଭଳି ଓଡ଼ିଆ ଜାତିର ମୁଖପତ୍ର ସୃଷ୍ଟି କରିଥିବା ବେଳେ ଗାନ୍ଧିଜୀ ଆରମ୍ଭ କରିଥିଲେ “ୟଙ୍ଗ ଇଣ୍ଡିଆ’, “ନବଜୀବନ’ ଓ “ହରିଜନ’ ଭଳି ପତ୍ରପତ୍ରିକା। ଦେଶସେବା ପାଇଁ ସାମ୍ବାଦିକତାକୁ ମାଧ୍ୟମ କରି ଉଭୟ ନେତା ବି କାରାବରଣ କରିଛନ୍ତି। ସାପ୍ତାହିକ ‘ସମାଜ’ରେ ପ୍ରକାଶିତ ଏକ ସମ୍ବାଦ ଆଧାରରେ ଗୋପବନ୍ଧୁଙ୍କ ବିରୋଧରେ ସରକାର ମୋକଦ୍ଦମା ରୁଜୁ ସହ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିବା ବେଳେ ଗୋପବନ୍ଧୁ ଗାନ୍ଧିଜୀଙ୍କ ପରାମର୍ଶ ଲୋଡ଼ିଥିଲେ। ଏହାର ଉତ୍ତରରେ ଗାନ୍ଧିଜୀ ତାରବାର୍ତ୍ତାରେ ଉଲ୍ଲେଖ କରିଥିଲେ, “କେବଳ ନିର୍ଭୀକ ଓ ସତ୍ୟ ବିବୃତି ଦିଅନ୍ତୁ। ପରିଣାମକୁ ଖାତିର୍ କରନ୍ତୁ ନାହିଁ। ‘ ୧୯୨୧ ଅକ୍ଟୋବର ମାସରେ ଗାନ୍ଧିଜୀ ପଠାଇଥିବା ଏହି ତାରବାର୍ତ୍ତା ହୋଇଗଲା ସମାଜ ପାଇଁ ଦିଗବାରେଣୀ। ଆଜିର ଦିନରେ ଏହା ସମଗ୍ର ଗଣମାଧ୍ୟମ ଓ କ୍ରାନ୍ତିକାମୀମାନଙ୍କ ଲାଗି ମଧ୍ୟ ପ୍ରେରଣାଦାୟୀ।
୧୯୧୯-୨୦ରେ ପୁରୀ ଜିଲାରେ ଉପୁଜିଥିବା ଦୁର୍ଭିକ୍ଷ ପ୍ରସଙ୍ଗରେ ଉତ୍କଳମଣି ବିହାର-ଓଡ଼ିଶା ବିଧାନ ପରିଷଦ ଭିତରେ ଓ ବାହାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିପନ୍ନ ଲୋକଙ୍କୁ ବଞ୍ଚାଇବାକୁ ମର୍ମସ୍ପର୍ଶୀ ନିବେଦନ କରିଥିଲେ। ଗାନ୍ଧିଜୀଙ୍କୁ ଏହା ପ୍ରଭାବିତ କଲା। ଠକ୍କର୍ ବାପାଙ୍କୁ ଗୋପବନ୍ଧୁଙ୍କ ନିକଟକୁ ପଠାଇବା ସହ ବିଭିନ୍ନ ଅଞ୍ଚଳରୁ ଅର୍ଥ ସଂଗ୍ରହ କରି ଗାନ୍ଧିଜୀ ଓଡ଼ିଶାରେ ଚଳାଇଥିଲେ ବ୍ୟାପକ ତ୍ରାଣ କାର୍ଯ୍ୟ। ଗୋପବନ୍ଧୁଙ୍କ ଆହ୍ୱାନରେ ଗାନ୍ଧିଜୀ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିଲେ ୧୯୨୧ ମାର୍ଚ୍ଚ ୨୩ ତାରିଖରେ। ୧୯୨୭ ପର୍ଯ୍ୟନ୍ତ ତାଙ୍କର ବିଭିନ୍ନ ଓଡ଼ିଶା ଗସ୍ତ ହୋଇଥିଲା ଗୋପବନ୍ଧୁଙ୍କ ସଂଯୋଜନାରେ। ଏମିତିକି କନିକା ପ୍ରଜା ଆନ୍ଦୋଳନକାରୀଙ୍କୁ ସମର୍ଥନ ଦେବା ଲାଗି ଗାନ୍ଧିଜୀ ବି କିଛି ଅଞ୍ଚଳ ଗସ୍ତ କରିଥିଲେ।
ଗୋପବନ୍ଧୁ ଓ ଗାନ୍ଧିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଛି ଅନେକ ପତ୍ର ବିନିମୟ। ଏ ସବୁ ଏବେ ଇତିହାସର ଦସ୍ତାବିଜ୍। କଲେକ୍ଟେଡ୍ ୱାର୍କ୍ସ୍‌ ଅଫ୍ ମହାତ୍ମା ଗାନ୍ଧିର ବିଭିନ୍ନ ଖଣ୍ଡରେ ଏଥିରୁ କେତେକ ପତ୍ର ରହିଛି। ଗୋପବନ୍ଧୁଙ୍କ ମୃତ୍ୟୁର କିଛି ମାସ ପୂର୍ବରୁ ତାଙ୍କ ପାଖକୁ ଲେଖିଥିବା ଏକ ପତ୍ରରେ ଗାନ୍ଧିଜୀ ଗୋପବନ୍ଧୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପତ୍ରର ଉପସଂହାରରେ ଗାନ୍ଧିଜୀ ଲେଖିଛନ୍ତି, “ଭୂତର ଆବେଶ ପରି ଓଡ଼ିଶା ମୋ ମନକୁ ଆଚ୍ଛନ୍ନ କରି ରଖିଛି। ଏପରି ଏକ ଗୌରବୋଜ୍ଜ୍ୱଳ ତଥା ବୀରତ୍ୱପୂର୍ଣ୍ଣ ଦେଶ ଦାରିଦ୍ର୍ୟ ପ୍ରପୀଡ଼ିତ। ଏହାର କର୍ମୀମାନେ ସତ୍ ଅଥଚ ଅସହାୟ। ଆପଣ ଏଣେତେଣେ ବୁଲି ନିଜ ଶରୀରର ସ୍ୱାଭାବିକ ଅବସ୍ଥାକୁ ନଷ୍ଟ କରନ୍ତୁ ନାହିଁ। ସରଳ ସ୍ୱାସ୍ଥ୍ୟ ବିଧିଗୁଡ଼ିକ ପାଳନ କରି ନିଜ ସ୍ୱାସ୍ଥ୍ୟର ରକ୍ଷା କରନ୍ତୁ। କ’ଣ ହେଉଛି ଦୟାକରି ମୋତେ ଜଣାଉଥିବେ।’ ଏଥିରୁ ଦୁଇଜଣଙ୍କ ଆନ୍ତରିକ ସମ୍ପର୍କ କେତେ ଗଭୀର ତାହା ସହଜରେ ଅନୁମେୟ।
ଉତ୍କଳମଣିଙ୍କ ତିରୋଧାନ ପରେ ମହାତ୍ମା ଗାନ୍ଧି ଯେଉଁ ଶୋକବାର୍ତ୍ତା ଲେଖିଥିଲେ ତାହା ବେଶ୍ ମର୍ମସ୍ପର୍ଶୀ। ୟଙ୍ଗ ଇଣ୍ଡିଆର ୨୧.୦୬.୧୯୨୮ ସଂସ୍କରଣରେ ଗାନ୍ଧିଜୀ ଲେଖିଥିଲେ ଓଡ଼ିଶାର ଶ୍ରେଷ୍ଠ ସୁପୁତ୍ରମାନଙ୍କ ମଧ୍ୟରେ ଗୋପବନ୍ଧୁ ଦାସ ଅନ୍ୟତମ। ସେ ଓଡ଼ିଶା ପାଇଁ ନିଜର ସର୍ବସ୍ୱ ସମର୍ପଣ କରିଦେଇଥିଲେ। ଅସହଯୋଗ ଆନ୍ଦୋଳନରେ ଝାସ ଦେଇ ସତ୍ୟାଗ୍ରହୀ ଗୋପବନ୍ଧୁ ବିହାର-ଓଡ଼ିଶା ବିଧାନ ପରିଷଦ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ଓକିଲାତି ମଧ୍ୟ ଛାଡ଼ି ଦେଇଥିଲେ। ଏଥିସହ ତାଙ୍କ ହାତଗଢ଼ା ସତ୍ୟବାଦୀ ବନ ବିଦ୍ୟାଳୟକୁ ବି ବିପଦ ମୁହଁକୁ ଠେଲି ଦେଇଥିଲେ। ଗୋପବନ୍ଧୁଙ୍କ ନିଷ୍କଳଙ୍କ ଚରିତ୍ର ଓ ଦୃଢ଼ ନେତୃତ୍ୱ ସମ୍ପର୍କରେ ଗାନ୍ଧିଜୀ ଉଲ୍ଲେଖ କରିବା ସହିତ ତାଙ୍କ ଅବିଚଳିତ କୀର୍ତ୍ତି ଯୋଗୁ ସେ ଅମର ହୋଇ ରହିବେ ବୋଲି ଦର୍ଶାଇଥିଲେ। ଖଣ୍ଡବିଖଣ୍ଡିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଦେଶର ସ୍ୱାଧୀନତା ପ୍ରାପ୍ତି ଏବଂ ସର୍ବୋପରି ଦରିଦ୍ର ଓ ବିପନ୍ନ ଲୋକଙ୍କ ଆର୍ଥିକ ପ୍ରଗତି ଏବଂ ଓଡ଼ିଶା ତଥା ଭାରତର ସାମଗ୍ରିକ ବିକାଶ ଲାଗି ଗୋପବନ୍ଧୁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ପୂରଣ କରିବା ଲାଗି ସଙ୍କଳ୍ପବଦ୍ଧ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗାନ୍ଧିଜୀ ଗୁରୁତ୍ୱାରୋପ କରିଥିଲେ। ଏଥିରେ ସେ ଲେଖିଥିଲେ, “ତାଙ୍କର ମୃତ୍ୟୁରେ ଦେଶ ଆହୁରି ଗରିବ ହୋଇଗଲା। ସେ ସଶରୀରରେ ଆମ ପାଖରେ ନ ଥିଲେ ବି ତାଙ୍କ ଆତ୍ମା ରହିଛି। ସେହି ପୁଣ୍ୟାତ୍ମା ଓଡ଼ିଶାର କର୍ମୀମାନଙ୍କୁ ପଥ ପ୍ରଦର୍ଶନ କରନ୍ତୁ….. ଏହି କର୍ମୀମାନେ ନିଜ ନିଜର ସେବା କାର୍ଯ୍ୟରେ ମିଳିତ ଭାବରେ ପୂର୍ବାପେକ୍ଷା ଅଧିକ ଆତ୍ମତ୍ୟାଗ କରନ୍ତୁ ଏବଂ ତାଙ୍କ ମୃତ୍ୟୁ ଏମାନଙ୍କ ମଧ୍ୟରେ ବେଶୀ ଏକତା ଆଣୁ।’
ନବଜୀବନ ପତ୍ରିକାର ୦୧.୦୭.୧୯୨୮ ସଂସ୍କରଣରେ “ଜଣେ ସଚ୍ଚା ଦେଶସେବକ’’ ଶିରୋନାମାରେ ଗାନ୍ଧିଜୀ ଲେଖିଥିଲେ, “ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମୃତ୍ୟୁରେ ଭାରତ, ବିଶେଷ କରି ଉତ୍କଳ ଜଣେ ସଚ୍ଚା ଓ ଶୁଦ୍ଧମନା ସେବକଙ୍କୁ ହରେଇଲା। ସେ ଓଡ଼ିଶାର ରତ୍ନ ଥିଲେ….. ଗୋପବନ୍ଧୁ ବାବୁଙ୍କର ଲାଲାଜୀଙ୍କ ଲୋକସେବକ ମଣ୍ଡଳ ସହିତ ସମ୍ପର୍କ ଥିଲା। ସେ ସେହି ମଣ୍ଡଳର ଉପସଭାପତି ଥିଲେ। ଆମେ ଏହା ହିଁ ଆଶା କରୁଛୁ ଯେ ଓଡ଼ିଶାର ସ୍ୱେଚ୍ଛାସେବକମାନେ ତାଙ୍କର କାର୍ଯ୍ୟକୁ ମୁଣ୍ଡେଇବେ। ସାଧୁ ପୁରୁଷମାନେ ମରିକରି ସୁଦ୍ଧା ବଞ୍ଚିଥାନ୍ତି ଓ ଅସାଧୁ ଲୋକେ ବଞ୍ଚିଥିଲେ ବି ମରିବା ସଙ୍ଗେ ସମାନ। ଗୋପବନ୍ଧୁ ବାବୁଙ୍କ ଭଳି ସାଧୁ ପୁରୁଷଙ୍କ ଦୈହିକ ମୃତ୍ୟୁରେ ଆମେ ସ୍ୱାର୍ଥପରବଶ ହୋଇ ଦୁଃଖ କରୁଥାଇଁ, ମାତ୍ର ଶୁଦ୍ଧ ଦୃଷ୍ଟିରେ ଦେଖିଲେ ଜାଣିବା ଯେ ଈଶ୍ୱର ନିର୍ଦୟ ନୁହନ୍ତି, ନ୍ୟାୟବନ୍ତ। ଏହା ବିଶ୍ୱାସ କରୁଥିବା ଲୋକ ପାଇଁ ଏ ବିୟୋଗ ଦୁଃଖଦାୟକ ହେବା ଉଚିତ୍ ନୁହେଁ। ସେ ଜୀବିତ ଥିବା ବେଳେ ଆମେ ତାଙ୍କ ପବିତ୍ର ଜୀବନକୁ ଅନୁକରଣ କରିପାରିନାହୁଁ, ଏବେ ତାଙ୍କର ଗୁଣଗୁଡ଼ିକ ସ୍ମରଣ କରି ଆମେ ନିଜ ଭିତରେ ସେହିପରି କରିବାର ଶକ୍ତି ଜନ୍ମାଇବା ଉଚିତ୍। ଏଭଳି ଘଟିଥିବା ଅନେକ ଦୃଷ୍ଟାନ୍ତ ରହିଛି। ତେଣୁ ମୋହ ରହିତ ହୋଇ ଆମେ ମୃତ୍ୟୁଜନିତ ଶୋକ ଓ ଭୟ ଛାଡ଼ିଦେଇ ଆତ୍ମାର ଅମରତାକୁ ହିଁ ସିଦ୍ଧ କରିବା।’
୧୯୩୪ ମଇ ମାସ ୯ ତାରିଖ ସକାଳେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ବେଳେ ଗାନ୍ଧିଜୀ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହି ପ୍ରତିମୂର୍ତ୍ତି ନିକଟରୁ ୬୫ ବର୍ଷ ବୟସ୍କ ମହାତ୍ମାଗାନ୍ଧୀ ଆରମ୍ଭ କରିଥିଲେ ତାଙ୍କର ପ୍ରାୟ ମାସେବ୍ୟାପୀ ଓଡ଼ିଶାରେ ପଦଯାତ୍ରା। ଏହି ସଭାରେ ଗାନ୍ଧିଜୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସେତେବେଳର ‘ସମାଜ’ ସମ୍ବାଦଦାତା ବିନୋଦ କାନୁନଗୋ ଲେଖିଛନ୍ତି, “ଗୋପବନ୍ଧୁ ଆମ୍ଭମାନଙ୍କୁ ଅପୂର୍ବ ଆଦର୍ଶ ଦେଖାଇ ଯାଇଛନ୍ତି। ସେ ଜଣେ ତ୍ୟାଗୀ ଦେଶସେବକ ଥିଲେ। ଆପଣମାନେ ତାଙ୍କ ଆଦର୍ଶ ଯେତେ ଦେଖିଛନ୍ତି ଓ ଜାଣିଛନ୍ତି ମୁଁ ହୁଏତ ସେତେ ଜାଣିନାହିଁ। ତେବେ ତାଙ୍କର ଧର୍ମନିଷ୍ଠା, ସତ୍ୟନିଷ୍ଠା, ସାଧୁତା, ସରଳତା ଓ ବୀରତ୍ୱର ପ୍ରଭାବ ମୋ ଜୀବନ ଉପରେ ମଧ୍ୟ ପଡ଼ିଛି। ଆଜି ଏ ପୁଣ୍ୟଭୂମିରେ ମୁଁ ତାଙ୍କର ଅଭାବ ବେଶୀ ଅନୁଭବ କରୁଛି। ଯେଉଁ ମହତ୍ ମାର୍ଗରେ ସେ ଚାଲି ଯାଇଛନ୍ତି, ପ୍ରତ୍ୟେକ ପ୍ରାଣୀଙ୍କୁ ସେହି ମାର୍ଗରେ ଯିବାକୁ ହିଁ ପଡ଼ିବ। ଏହି ଶରୀର ମରଣଶୀଳ ଓ ଆତ୍ମା ଅମର ବୋଲି ଆମେ ସମସ୍ତେ ଜାଣୁଥାଇଁ। ମୁଁ ବିଶ୍ୱାସ କରୁଛି ଓ ଆପଣମାନେ ବିଶ୍ୱାସ କରନ୍ତୁ ଯେ ତାଙ୍କ ମହତ୍ ଆତ୍ମା ଅମର ହୋଇ ରହିଛି ଓ ଚିରକାଳ ରହିବ। ମୋର ବରାବର ଆଶା ଯେ କେବଳ ଉତ୍କଳ କାହିଁକି ସମଗ୍ର ଭାରତ ସେହି ସ୍ୱର୍ଗୀୟ ପଣ୍ଡିତ ଗୋପବନ୍ଧୁଙ୍କର ତ୍ୟାଗ ମାର୍ଗ ଅନୁସରଣ କରିବ ଏବଂ ତାଙ୍କ ସ୍ମୃତିର ପ୍ରଭାବରେ ନିଜକୁ ଧନ୍ୟ କରିବ।’
ବୈଶାଖ-ଜ୍ୟେଷ୍ଠର ପ୍ରବଳ ଝାଞ୍ଜିରେ ଏହି ପଦଯାତ୍ରା ବେଳେ ଦିନେ ଗାନ୍ଧିଜୀ ଅବସ୍ଥାନ କରିଥିଲେ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସାକ୍ଷିଗୋପାଳର କାଦୁଆ ଆଶ୍ରମରେ। ସେ ସମୟରେ ଏକ ସଭାରେ ଗାନ୍ଧିଜୀ କହିଥିଲେ, “ପ୍ରଥମେ ମୁଁ ଉତ୍କଳକୁ ଆସିଲା ବେଳେ ଆଉ କାହାକୁ ଜାଣିନଥିଲି। ଗୋପବନ୍ଧୁଙ୍କ ଦେଶଭକ୍ତି ଓ ସ୍ୱର୍ଗୀୟ ପ୍ରୀତି ମୋତେ ଏଠିକି ଟାଣି ଆଣିଥିଲା। ମୋର ବଡ଼ ଦୁଃଖ ଯେ ଆଜି ଆଉ ତାଙ୍କୁ ଏଠି ଦେଖୁନାହିଁ….. ଆମେ ଯଦି ତାଙ୍କ ସ୍ମୃତି ରଖିବାକୁ ଚାହୁଁ ତେବେ ତାଙ୍କ ପ୍ରିୟ କାମଗୁଡ଼ିକ ଆମକୁ କରିବାକୁ ହିଁ ହେବ।’
ଗୋପବନ୍ଧୁଙ୍କ ଅବର୍ତ୍ତମାନରେ ସେ ଗଢ଼ିଥିବା ସଂସ୍ଥାରେ କାମ ଧିମେଇ ଯାଇଥିଲା। ଗାନ୍ଧୀ ତ କଥାର ନୁହଁ, କାମର ମଣିଷ। ଏହାର ପ୍ରତିକାର ଲାଗି ସେ ଗୋପବନ୍ଧୁ ଚୌଧୁରୀଙ୍କୁ ପଦଯାତ୍ରା ବେଳେ ଦାୟିତ୍ୱ ଦେଲେ ଏବଂ ଉତ୍କଳମଣିଙ୍କ ହାତଗଢ଼ା ଖଦି ସଂସ୍ଥାକୁ କ୍ରିୟାଶୀଳ କରିବା ଲାଗି ଆର୍ଥିକ ସହାୟତାର ବି ବ୍ୟବସ୍ଥା କଲେ। ଏଥିରେ ଗଢ଼ି ଉଠିଲା ଗୋପବନ୍ଧୁ ଦରିଦ୍ର ନାରାୟଣ ଖଦି ସଂସ୍ଥା।
ବୟସରେ ଉତ୍କଳମଣି ଥିଲେ ମହାତ୍ମା ଗାନ୍ଧୀଙ୍କ ଠାରୁ ୮ ବର୍ଷ ସାନ, କିନ୍ତୁ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗାନ୍ଧିଜୀ ନୂଆ ନେତୃତ୍ୱ ଦେବା ପୂର୍ବରୁ ଗୋପବନ୍ଧୁ ଏହି ଜାତୀୟ ଅଭିଯାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଖଦି, କୁଟୀର ଶିଳ୍ପ ଠାରୁ ଆରମ୍ଭ କରି ଲବଣ ଶିଳ୍ପ ପର୍ଯ୍ୟନ୍ତ ଯେଉଁସବୁ କଥା ପରେ ଗାନ୍ଧିଜୀ ଉଠାଇଲେ ତାହା ଗୋପବନ୍ଧୁ ଢେର୍ ପୂର୍ବରୁ ବିଧାନ ପରିଷଦରେ ଓ ବାହାରେ ଏବଂ ‘ସମାଜ’ ଓ ‘ସତ୍ୟବାଦୀ’ ପୃଷ୍ଠାରେ ଉଠାଇବା ସହିତ ଏ କ୍ଷେତ୍ରରେ କାମ ବି କରିଥିଲେ। ସେ ଏମିତି ଏକ ବିରଳ ଦରଦୀ ବ୍ୟକ୍ତିତ୍ୱ ଯାହାଙ୍କ ହୃଦୟ ତୁଳାଠାରୁ ନରମ, ଆଉ ଏମିତି ଜଣେ ନିର୍ଭୀକ ସଂଗ୍ରାମୀ ଯାହାଙ୍କ ମନ ଇସ୍ପାତ ଠାରୁ ବି କଠିନ। ଦେଶ ବିଦେଶରେ ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳିତ ହେବାକୁ ଯାଉଥିବା ବେଳେ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ଓଡ଼ିଶା ଲୋକଙ୍କୁ ମୁଖପତ୍ର “ସମାଜ’ ବି ତkହାର ପ୍ରତିଷ୍ଠାର ଶହେ ବର୍ଷ ପୂରଣ କରିବାକୁ ପ୍ରସ୍ତୁତ ହେଉଛି। ତେବେ ଯେଉଁ ଉଦାତ୍ତ ଲକ୍ଷ୍ୟ ହାସଲ ପାଇଁ ଗାନ୍ଧୀ, ଗୋପବନ୍ଧୁଙ୍କ ଭଳି ମହାମନୀଷୀମାନେ ସଂଗ୍ରାମ କରି ଯାଇଛନ୍ତି ତାହା କେତେଦୂର ପୂରଣ ହୋଇଛି ସେ ସଂକ୍ରାନ୍ତରେ ଆମେ ପର୍ଯ୍ୟାଲୋଚନା କରିବା ଆବଶ୍ୟକ।

Leave A Reply