ପ୍ରଭାବଶାଳୀ ସଂସ୍କାରକ

0

ପରାଧୀନ ଭାରତରେ ନାନାଦି ଅନ୍ଧ ବିଶ୍ବାସ, କୁସଂସ୍କାର ସମାଜରେ ଭରି ରହିଥିଲା। ଅଶିକ୍ଷା, କୁଶିକ୍ଷା ଯୋଗୁ ସାଧାରଣ ଜନତାଙ୍କ ମନରେ ନାନାଦି ଅନ୍ଧବିଶ୍ବାସ ଦୃଢ଼ ହୋଇଯାଇଥିଲା। ସେ ସମୟରେ ସମାଜ ସଂସ୍କାରକ ଭାବରେ ସ୍ବାମୀ ଦୟାନନ୍ଦ ସମାଜରେ ଭରି ରହିଥିବା କୁସଂସ୍ାର, ବିଶେଷକରି ଜାତିପ୍ରଥା, ଅସ୍ପୃଶ୍ୟତା ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଦୟାନନ୍ଦଙ୍କ ଆଦର୍ଶ​‌େ​‌ର ପ୍ରଭାବିତ ଅନୁଗାମୀଙ୍କ ମଧ୍ୟରେ ସ୍ପଶ୍ୟ, ଅସ୍ପୃଶ୍ୟ ସବୁ ବର୍ଗର ଲୋକଥିଲେ। ନିମ୍ନବର୍ଗ, ଅବହେଳିତ ତଥା ଅସ୍ପୃଶ୍ୟମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଥିବା ତାଙ୍କର କିଛି ଅନୁଗାମୀଙ୍କୁ ଏହା ସୁଖ ଲାଗୁ ନଥିଲା। ସମୟେସମୟେ ଦୟାନନ୍ଦଙ୍କୁ ସତର୍କ କରାଇ ଦେଉଥିଲେ ଏଥିରୁ ନିବୃତ୍ତ ରହିବା ପାଇଁ, ହେଲେ ଦୟାନନ୍ଦ ସେମାନଙ୍କ କଥାକୁ ଗୁରୁତ୍ବ ନ ଦେଇ ନିଜ ମତରେ ଦୃଢ଼ଥିଲେ।
ଥରେ ଜୋତା ସିଲେଇ କରୁଥିବା ଜନୈକ ମୋଚି ଦୟାନନ୍ଦଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ବରେ ମୁଗ୍ଧ ହୋଇ ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ ଭୋଜନ ନିମନ୍ତେ। ଦୟାନନ୍ଦ ଅତି ଆଗ୍ରହରେ ତାଙ୍କର ଆମନ୍ତ୍ରଣକୁ ସ୍ବୀକୃତି ଦେଇଥିଲେ ଏକ ଶୁଦ୍ଧ, ନିଷ୍ପାପ, ସ୍ବଚ୍ଛ ହୃଦୟର ନିମନ୍ତ୍ରଣ ଭାବି।
ସ୍ବୀକୃତି ଦେଇଥିଲେ ମଧ୍ୟ ଦୟାନନ୍ଦ ଯେ ତାଙ୍କ ନିମନ୍ତ୍ରଣ ରକ୍ଷା କରି ଆସିବେ, ଏ ନେଇ ଦ୍ବନ୍ଦ୍ବରେ ଥିଲେ ନିମନ୍ତ୍ରଣକାରୀ। ହେଲେ ତାଙ୍କର ସବୁ ସଂଶୟ, ଦ୍ବିଧା, ଆଶଙ୍କାର ପରିସମାପ୍ତି ଘଟାଇ ଧାର୍ଯ୍ୟ ଦିନରେ ଦୟାନନ୍ଦ ତାଙ୍କ ଘରେ ହାଜର ହୋଇଥିଲେ ନିମନ୍ତ୍ରଣ ରକ୍ଷାକରି। ନିମନ୍ତ୍ରଣ ରକ୍ଷା କରିଥିବାରୁ ଆନନ୍ଦରେ ଆତ୍ମହରା ହୋଇଯାଇଥିଲେ ନିମନ୍ତ୍ରଣକାରୀ ଓ ସାଧ୍ୟମତେ ତାଙ୍କର ସତ୍କାର କରିଥିଲେ ଅତି ପ୍ରସନ୍ନ ଚିତ୍ତରେ।
ଦୟାନନ୍ଦ ଜୋତା ସିଲେଇ କରୁଥିବା ଜଣେ ନିମ୍ନବର୍ଗର ବ୍ୟକ୍ତି ଘରେ ଭୋଜନ କରୁଥିବା ଖବର ତଡ଼ିତ୍‌ ବେଗରେ ଗାଁ ସାରା ଖେଳି ଯାଇଥିଲା। ବିରୋଧ କରୁଥିବା ତଥାକଥିତ ଉଚ୍ଚବର୍ଗର ଅନୁଗାମୀମାନେ ଏହି ଖବରପାଇ ତତ୍‌କ୍ଷଣାତ୍‌ ସେଠାରେ ପହଞ୍ଚି ଯାଇଥିଲେ।
ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ- ସ୍ବାମିଜୀ ! ଆପଣ ଏ କ’ଣ କରୁଛନ୍ତି? ଜୋତା ସିଲେଇ କରୁଥିବା ଜଣେ ଅସ୍ପୃଶ୍ୟ ଘରେ ଆପଣ ରୁଟି…..
ତାଙ୍କ କଥା ଶେଷ ହେବାକୁ ନଦେଇ ଦୟାନନ୍ଦ ସେମାନଙ୍କ ଉଦ୍ଦେଶ୍ୟରେ ହସିହସି କହିଥିଲେ- ‘ଭାଇମାନେ! ଧ୍ୟାନରଖ, ଏହା ଜୋତା ସିଲେଇ କରୁଥିବା ମୋଚିର ରୁଟି ନୁହେଁ, ଏହା ତ ଗହମରେ ତିଆରି ରୁଟି। ତାହା ହିଁ ମୁଁ ଖାଉଛି। ଏହା ତୁମେମାନେ ଭୁଲିଯାଉଛ କିପରି?
ଏହା ଶୁଣିଲାପରେ ଅନୁଗାମୀମାନେ ନିଜ ଆଚରଣଯୋଗୁଁ ଲଜ୍ଜିତ ହୋଇ ମୁଣ୍ଡ ତଳକୁ କରିଥିଲେ। ସ୍ବାମିଜୀଙ୍କ ବାଣୀରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେମାନେ ମଧ୍ୟ ତା’ ଘରେ ଭୋଜନ କରିଥିଲେ।

Leave A Reply