ଚିଲିକା ସୁରକ୍ଷା ଆଗ

0

ଚିଲିକା ଆମପାଇଁ ପ୍ରକୃତିର ଏକ ଅମୂଲ୍ୟ ଦାନ। ପାରିବେଶିକ ଭାରସାମ୍ୟ ରକ୍ଷା ଏବଂ ଜୈବମଣ୍ଡଳର ସୁରକ୍ଷାରେ ଏହାର ଅବଦାନ ଅନସ୍ବୀକାର୍ଯ୍ୟ। ମାନବୀୟ କାର୍ଯ୍ୟକଳାପ ଓ ହସ୍ତକ୍ଷେପ ଫଳରେ ଏହା ବିପନ୍ନ ହେଉଛି। ପ୍ରାକୃତିକ ପ୍ରକ୍ରିୟା ଯୋଗୁଁ ମଧ୍ୟ ଏହାର ସ୍ବାସ୍ଥ୍ୟହାନି ଘଟୁଛି। ରାମସର ଅାନ୍ତର୍ଜାତିକ ଚୁକ୍ତି ଅନୁସାରେ ଏସିଆର ଅନ୍ୟତମ ଶ୍ରେଷ୍ଠ ଆର୍ଦ୍ରଭୂମି ଅଞ୍ଚଳର ମାନ୍ୟତା ଓ ସୁରକ୍ଷା ଏହା କେବଳ ପାଇନାହିଁ, ଜାତୀୟ ସ୍ତରରେ ପ୍ରଣୀତ ବିଭିନ୍ନ ଆଇନ ଅନୁସାରେ ମଧ୍ୟ ଏହା ଏକ ସୁରକ୍ଷିତ ଓ ହସ୍ତକ୍ଷେପମୁକ୍ତ ଅଞ୍ଚଳ। ଏସବୁ ସ​‌େ​‌ତ୍ତ୍ବ ଆମେ ଆମର ଏହି ଅନୁପମ ପ୍ରାକୃତିକ ନିଧିକୁ ରୋଜଗାରର ମାଧ୍ୟମକରି ନାନାବିଧ ଉପାୟରେ ଏହାର ଦୁରୁପଯୋଗ କରିଆସୁଛୁ। ବେଆଇନ ଚିଙ୍ଗୁଡ଼ିଚାଷ, ମାତ୍ରାଧିକ ମାଛଧରା, ଯାନ୍ତ୍ରିକ ଡଙ୍ଗାର ନିୟନ୍ତ୍ରଣହୀନ ପ୍ରଚଳନ ସାଙ୍ଗକୁ ଏହାର ତଟ ଦେଶରେ ହୋଟେଲ ନିର୍ମାଣ, ନୌଚାଳକ ତାଲିମକେନ୍ଦ୍ର ଆଦି ଗଢ଼ି ଉଠିଛି। ଏବେ ପର୍ଯ୍ୟଟନର ବିକାଶ ନିମନ୍ତେ ଚିଲିକାକୁ ବ୍ୟବହାର କରିବା ପାଇଁ ଆମେ ବିବେକହୀନ ଭାବେ ମାତ୍ରାଧିକ ତତ୍ପର। ହୀରାକୁଦ ନଦୀବନ୍ଧ ନିର୍ମାଣ ପରେ ମହାନଦୀ ଶାଖା କୁଆଖାଇ ଓ ତାହାର ଶାଖା ପ୍ରଶାଖା ସମୂହ ମୃତ ନଦୀରେ ପରିଣତ ହେବାପରେ ଚିଲିକାକୁ ମଧୁରଜଳ ପ୍ରବାହ ଏକ ପ୍ରକାର ବନ୍ଦ ହୋଇଯାଇଛି। ଏଥିସହିତ ଶାଳିଆ, ମଲାଗୁଣି ଆଦି ଛୋଟଛୋଟ ନଦୀର ପ୍ରବାହ ଡ୍ୟାମଯୋଗୁ ବ୍ୟାହତ ହୋଇ ଚିଲିକା ଏକପ୍ରକାର ତା’ର ମଧୁରଜଳ ଉତ୍ସ ହରାଇଛି। ପ୍ରାକୃତିକ ପ୍ରକ୍ରିୟାରେ ମୁହାଁଣ ପୋତିହେବା ଫଳରେ ସମୁଦ୍ରପାଣି ମଧ୍ୟ ଆବଶ୍ୟକ ମତେ ଏହା ମଧ୍ୟକୁ ଆସିପାରୁନାହିଁ। ଏସବୁ କ୍ରିୟାପ୍ରକ୍ରିୟାର ପ୍ରଭାବ ଚିଲିକା, ଏହାର ଜଳଚର ଜୀବ, ଏଠାକାର ସ୍ଥାୟୀ ଓ ବିଦେଶାଗତ ପକ୍ଷୀ, କୂଳ ଓ ତଟବର୍ତ୍ତୀ ପ୍ରାଣୀସମୂହଙ୍କ ଉପରେ ସ୍ପଷ୍ଟଭାବେ ଅନୁଭୂତ ହେଉଛି। ଏହାର ସୁରକ୍ଷା ପାଇଁ ଆମେ ​‌େ‌ନଉଥିବା ପଦକ୍ଷେପମାନ ଯଥେଷ୍ଟ ହେଉନାହିଁ।
ଆମ ଅପରିଣାମଦର୍ଶୀ କାର୍ଯ୍ୟଯୋଗୁଁ ବିପନ୍ନ, ସଂକୁଚିତ ଏବଂ ବିପର୍ଯ୍ୟସ୍ତ ଚିଲିକା ପାଇଁ ଏବେ ଆଉ ଦୁଇଟି ବଡ଼ ଆସନ୍ନ ବିପଦ ​‌େ​‌ହଲା ପ୍ରସ୍ତାବିତ ଉପକୂଳ ରାଜପଥ ଓ ଜଳବିମାନ ବନ୍ଦର (ୱାଟର ଏରୋଡ୍ରମ୍‌) ପ୍ରକଳ୍ପ। ଚିଲିକାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଗମନାଗମନର ସୁବିଧା ପାଇଁ ରାଜପଥ ପ୍ରକଳ୍ପ ନିର୍ମାଣକୁ ଅନେକ ସମର୍ଥନ କରିବେ। ସେଥିରେ ସେମାନଙ୍କର ମୌଳିକ ସ୍ବାର୍ଥ ନିହିତ ; ତେବେ ପର୍ଯ୍ୟଟନ ଦୃଷ୍ଟିରୁ ଚିଲିକା ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ୱାଟର ଏରୋଡ୍ରମ ତିଆରି କରି ସି-ପ୍ଲେନ ଚଳାଚଳ କରାଇବା ଯୁକ୍ତି କେତେ ଗ୍ରହଣୀୟ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ରେଳପଥ, ସଡ଼କପଥ ଓ ବିମାନପଥ ଦୃଷ୍ଟିରୁ ଚିଲିକା ଉତ୍ତମଭାବେ ସଂଯୁକ୍ତ। ଭୁବନେଶ୍ବର ବିମାନ ବନ୍ଦରରୁ ଏହା ବହୁତ ଦୂର ନୁହେଁ। ତେଣୁ ସେଠାରେ ୱାଟର ଏରୋଡ୍ରମ ନିର୍ମାଣ କରିବାର ଝୁଙ୍କ୍‌ ଓ ଯୁକ୍ତି ପରିବେଶଗତ କାରଣରୁ ଗ୍ରହଣୀୟ ନୁହେଁ। ପର୍ଯ୍ୟଟକଙ୍କୁ ଆବଶ୍ୟକସ୍ଥଳେ ହେଲିକପ୍ଟର ସେବା ଦେବାକୁ ଚିଲିକାଠାରୁ ନିରାପଦ ଦୂରତ୍ବରେ ହେଲିପ୍ୟାଡ୍‌ ନିର୍ମାଣ କରାଗଲେ ସମସ୍ୟାର ସମାଧାନ ହୋଇପାରିବ।
ପ୍ରାକୃତିକ ସ୍ଥଳଗୁଡ଼ିକର ଶୋଭାରାଜି ଉପଭୋଗ କରିବାରେ କିଛି ଅସୁବିଧା ନାହିଁ। ତେବେ ଆମେ ଏଥିପାଇଁ ଯେଉଁ ବ୍ୟବସ୍ଥା ଓ ଭିତ୍ତିଭୂମି କରୁଛୁ ତାହା ଯେପରି ସେହି ସ୍ଥଳର କ୍ଷତିସାଧନ ନ’କରେ ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ଚିଲିକାରେ ୱାଟର ଏରୋଡ୍ରମ ନିର୍ମାଣ ନିଷ୍ପତ୍ତି ପର୍ଯ୍ୟଟନ ଦୃଷ୍ଟିରୁ ଲାଭବାନ ହୋଇପାରେ; କିନ୍ତୁ ଏହା ସେହି ନୈସର୍ଗିକ ସ୍ଥଳର ସୁରକ୍ଷା ଓ ଜୈବ ବିବିଧତା ପାଇଁ ଅନୁକୂଳ ନୁହେଁ। ଚିଲିକା ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆମେ ବୁଝିବିଚାରି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ବାଞ୍ଛନୀୟ। ଆମ ସ୍ବାର୍ଥ ଓ ରୋଜଗାର ପ୍ରୟାସ ପ୍ରକୃତିର ପରିପନ୍ଥୀ ଯେପରି ନ’ହୁଏ ସେଥିପାଇଁ ଆମକୁ ସଜାଗ ରହିବାକୁ ପଡ଼ିବ।

Comments
Loading...