ବିଶ୍ବସନୀୟ ହେଉ ନିଯୁକ୍ତି ତଥ୍ୟ

0

ରାଜୀବ କୁମାର

ଭାରତର ଯୁବ ଓ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ରୋଜଗାର ପାଇଁ ବିପୁଳ ସଂଖ୍ୟାରେ କର୍ମନିଯୁକ୍ତି ସୃଷ୍ଟିର ଆବଶ୍ୟକତା ରହିଛି। କେବଳ ନିଯୁକ୍ତି ସୁଯୋଗ ପାଇଁ ନୁହେଁ, ଆମ ଯୁବ ସମାଜର ଆଶା ଆକାଂକ୍ଷା ପୂରଣ ପାଇଁ ଉନ୍ନତମାନର ଚାକିରି, ନିଯୁକ୍ତି ସୃଷ୍ଟି କରିବାକୁ ହେବ। ତେଣୁ ନିଯୁକ୍ତି ଓ ଭଲ ନିଯୁକ୍ତି ଏବଂ କର୍ମ ସଂସ୍ଥାନ ପାଉଥିବା ଲୋକ ଓ ବେକାରଙ୍କୁ ନେଇ ଦେଶରେ ବିତର୍କ ହେବା ସ୍ୱାଭାବିକ। ତେବେ ଏହି ବିତର୍କ ବେଳେ ତିନିଟି ବାସ୍ତବତା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ। ପ୍ରଥମତଃ – ଦେଶର ପ୍ରାୟ ୮୦ ଶତାଂଶ ନିଯୁକ୍ତି ସୁଯୋଗ ଓ ପରିସର ଅସଂଗଠିତ କ୍ଷେତ୍ରରେ ରହିଛି। ଏହାର ସଂଜ୍ଞା ନିର୍ଦ୍ଧାରଣ କରିବା ସଂପୃକ୍ତ କ୍ଷେତ୍ରର ସ୍ୱଭାବ ଅନୁସାରେ ଅତ୍ୟନ୍ତ ଦୁରୂହ। ଦ୍ୱିତୀୟତଃ, ନୂଆ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ବର୍ତ୍ତମାନର ସରକାର ଯେଉଁସବୁ ପ୍ରୟାସ କରୁଛନ୍ତି ତଦ୍ଦ୍ବାରା ଅସଂଗଠିତ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତିର ଅନେକ ସୁଯୋଗ ସୃଷ୍ଟି ହୋଇଛି। ଏସବୁ ନିଯୁକ୍ତିର ସଂଖ୍ୟା ନିର୍ଣ୍ଣୟ କରିବାର ସରକାରୀ ବ୍ୟବସ୍ଥା ନାହିଁ। ତୃତୀୟତଃ ଏକଥା ସ୍ୱୀକାର୍ଯ୍ୟ ଯେ ବଜାରରେ ଏବେ ଯେଉଁ ସବୁ ନୂଆ ନିଯୁକ୍ତି ଓ ସେବାବଦ ବେତନ ମିଳୁଛି ଉଭୟ ମାନ ଓ ପରିମାଣ ଦୃଷ୍ଟିରୁ ତାହା ଯୁବ ନିଯୁକ୍ତି ପ୍ରତ୍ୟାଶୀଙ୍କ ଆଶାଆକାଂକ୍ଷାର ଅନୁରୂପ ହେଉନାହିଁ। ତେଣୁ ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବାହାରୁଥିବା ବିଭିନ୍ନ ଚାକିରି ନିଯୁକ୍ତି ପାଇଁ ବିପୁଳ ଆବେଦନପତ୍ର ମିଳୁଛି। ସରକାରୀ ଚାକିରି ଉଭୟ ମାନ ଓ ବେତନ ଦୃଷ୍ଟିରୁ ଉତ୍ତମ ହୋଇଥିବାରୁ ଏଥିପାଇଁ ବହୁ ସଂଖ୍ୟାରେ ଆବେଦନପତ୍ର ମିଳିବା ସ୍ୱାଭାବିକ। ତେବେ ଏହାର ଅର୍ଥ ନୁହେଁ ଯେ ସମସ୍ତ ଆବେଦନକାରୀ ବେକାର ଓ ଏହି ସଂଖ୍ୟା ଦେଶର ବେକାର ସଂଖ୍ୟାର ପ୍ରତିନିଧିତ୍ୱ କରୁଛି।
ଭାରତର ଅର୍ଥନୀତି ଏକ ସମତୁଲ ଅଭିବୃଦ୍ଧି ପଥରେ ଗତି କରୁଛି। ଦେଶର ବିପୁଳ ତଥା କ୍ରମବର୍ଦ୍ଧିଷ୍ଣୁ ଯୁବ ନିଯୁକ୍ତି ପ୍ରତ୍ୟାଶୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଆବଶ୍ୟକ କର୍ମନିଯୁକ୍ତି ବ୍ୟବସ୍ଥା ସୃଷ୍ଟି ପୂର୍ବକ ଏହି ଅଭିବୃଦ୍ଧିକୁ ଜାରି ରଖିବାକୁ ପଡ଼ିବ। ଭାରତର ସାଂପ୍ରତିକ ଜନସଂଖ୍ୟା ବୃଦ୍ଧି ହାର ଅନୁସାରେ ପ୍ରତିବର୍ଷ ୧୦ ରୁ ୧୨ ନିୟୁତ ଯୁବକଯୁବତୀ ନୂଆ କରି ନିଯୁକ୍ତି ବଜାରରେ ପ୍ରବେଶ କରୁଛନ୍ତି। ସେହିଭଳି ଶ୍ରମ ବଜାରରେ ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ସ୍ୱଳ୍ପ (୨୭-୩୦%) ରହୁଛି ଯାହା ଉଦ୍‌ବେଗର ବିଷୟ। ମୋଟାମୋଟି ଭାବେ ପ୍ରତିବର୍ଷ ଭାରତରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ପାଖାପାଖି ୮୦ ଲକ୍ଷ। ନୂଆ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏହି ସଂଖ୍ୟା ଏକ ବିରାଟ ପ୍ରତିବନ୍ଧକ; କାରଣ ସମସ୍ତଙ୍କୁ ନିଯୁକ୍ତି ଦେବା ପାଇଁ ଏତେ ସଂଖ୍ୟକ କର୍ମନିଯୁକ୍ତି ସୃଷ୍ଟି ସମ୍ଭବ ନୁହେଁ। ଆମ ଯୁକ୍ତି ହେଲା ନିଯୁକ୍ତି ସଂକ୍ରାନ୍ତ ଯେଉଁସବୁ ଡେଟା ବା ତଥ୍ୟାବଳୀ ଉପଲବ୍ଧ ତାହା ନିର୍ଭୁଲ ଭାବେ ଦର୍ଶାଉଛି ଯେ ଦେଶର ଅର୍ଥନୀତି କର୍ମନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁବିଧାସୁଯୋଗ ସୃଷ୍ଟି କରିଛି ଯାହା ଏହି ନୂଆ ଅତିରିକ୍ତ ନିଯୁକ୍ତି ଆଶାୟୀଙ୍କୁ କର୍ମସଂସ୍ଥାନ ଦେଇପାରିବ। ତେବେ ପୂର୍ବରୁ ଯେଉଁ ବିପୁଳ ସଂଖ୍ୟକ ଲୋକ କର୍ମସଂସ୍ଥାନ ନ’ପାଇ ବେକାର ଅଛନ୍ତି ସେମାନଙ୍କୁ ଥଇଥାନ କରିବା ସହଜ ନୁହେଁ।
ନିଯୁକ୍ତିରେ ହ୍ରାସ ବୃଦ୍ଧି ଘେନି ଏବେ ଭାରତରେ ଯେଉଁ ଆଲୋଚନା ଚାଲିଛି ତା’ ପଛରେ ବିଶ୍ୱସନୀୟ ଡେଟା ବା ତଥ୍ୟାବଳୀ ନାହିଁ। ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତି ସମ୍ପର୍କରେ କରାଯାଉଥିବା ସର୍ଭେର ତଥ୍ୟ (ଡେଟା)କୁ ବସ୍ତୁନିଷ୍ଠ ଏବଂ ପ୍ରମାଣସିଦ୍ଧ ଭାବେ ଗ୍ରହଣ କରାଯାଇଥାଏ।
ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଏବଂ ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ ଦ୍ୱାରା ନିଯୁକ୍ତି ଓ ବେକାରୀ ସମ୍ପର୍କରେ କରାଯାଉଥିବା ସର୍ଭେର ତଥ୍ୟାବଳୀ ପୂର୍ଣ୍ଣାଙ୍ଗ ଏବଂ ବିଶ୍ୱାସଯୋଗ୍ୟ ବିବେଚିତ। ଏଥିରୁ ଦେଶରେ ନିଯୁକ୍ତି ଓ ବେକାରୀ ସମ୍ପର୍କରେ ବାସ୍ତବ ତଥ୍ୟ ମିଳେ। ଦେଶରେ ଶ୍ରମଶକ୍ତିରେ କେତେ ଲୋକ ଅଛନ୍ତି, କୃଷି, ଶିଳ୍ପ, ସେବା କ୍ଷେତ୍ରରେ କେତେ ଶ୍ରମିକ କାମ କରୁଛନ୍ତି; ସହର ଓ ଗ୍ରାମାଞ୍ଚଳରେ ସେମାନଙ୍କ ସଂଖ୍ୟା କେତେ, ସେସବୁ ସମ୍ପର୍କରେ ଏଥିରୁ ବିଶ୍ୱସନୀୟ ତଥ୍ୟ ମିଳିଥାଏ। ଶେଷଥର ପାଇଁ ୨୦୧୧-୧୨ରେ ଏହି ସର୍ଭେ କରାଯାଇଥିଲା। ତେଣୁ ଆମ ପାଖରେ ବେକାରୀ ଓ ନିଯୁକ୍ତି ତଥା ଶ୍ରମଜୀବୀଙ୍କ ସମ୍ପର୍କରେ ଯେଉଁସବୁ ତଥ୍ୟ ରହିଛି ତାହା ଛ’ବର୍ଷର ପୁରୁଣା।
ଶ୍ରମ ବ୍ୟୁରୋ ପକ୍ଷରୁ ଶେଷ ଶ୍ରମିକ ସର୍ଭେ ୨୦୧୫-୧୬ ବର୍ଷରେ କରାଯାଇଥିଲା। ଏହା ପୁରୁଣା ହେଲେ ମଧ୍ୟ ଏହାର କେତେକ ତଥ୍ୟ ଏବେ ମଧ୍ୟ ପ୍ରାସଙ୍ଗିକ ଓ ତାହାକୁ ଗ୍ରହଣ କରାଯାଇପାରିବ। ମୋଟାମୋଟି ଭାବେ ଦେଖିଲେ ଗତ ୩-୪ବର୍ଷ ଧରି ନିଯୁକ୍ତି ସମ୍ପର୍କରେ କୌଣସି ବିଶ୍ୱାସଯୋଗ୍ୟ ତଥ୍ୟାବଳୀ ନାହିଁ। ଶ୍ରମ ବ୍ୟୁରୋ ପକ୍ଷରୁ ଯେଉଁ ତିନିମାସିଆ ସର୍ଭେ କରାଯାଏ, ତାହା ଶେଷ ଥର ପାଇଁ ୨୦୧୭ ତୃତୀୟ ​ ‌େ‌ତ୍ରୖମାସିକରେ କରାଯାଇଥିଲା। ଏହି ସର୍ଭେରେ ମାତ୍ର ଆଠଟି କ୍ଷେତ୍ର ଅନ୍ତର୍ଭୁକ୍ତ ହୋଇଥିଲା। ଏହି ଆଠଟି କ୍ଷେତ୍ରର ଦେଶର ଅର୍ଥନୀତିକୁ ଅବଦାନ ୧୫ ଶତାଂଶରୁ କମ୍। ଅତଏବ ଏହି ସର୍ଭେର ଡେଟା ଦେଶର ନିଯୁକ୍ତିର ସ୍ଥିତି ସମ୍ପର୍କରେ ବାସ୍ତବ ତଥ୍ୟ ପ୍ରଦାନ କରିବ ନାହିଁ।
ନିଯୁକ୍ତି ସଂକ୍ରାନ୍ତ ତଥ୍ୟାବଳୀର ଯେଉଁ ଅଭାବ ରହିଥିଲା ତାହାକୁ ପୂରଣ କରିବାକୁ ସିଏମ୍ଆଇଇ-ବିଏସ୍ଇ ଗତ ଦୁଇବର୍ଷ ଧରି ବାର୍ଷିକ ତିନିଥର ସର୍ଭେ କରୁଛି। ତେବେ ଏହି ସର୍ଭେର ପଦ୍ଧତି ଓ ତଥ୍ୟାବଳୀକୁ ସୁରଜିତ୍ ଭଲ୍ଲା ଓ ତୀର୍ଥ ଦାସଙ୍କ ଭଳି ଅର୍ଥନୀତିଜ୍ଞ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଏହି ତଥ୍ୟ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ସେମାନେ ଦର୍ଶାଇଛନ୍ତି। ଏକ ଉଦାହରଣ ଦେଇ ଭଲ୍ଲା କହିଛନ୍ତି ଯେ ସିଏମ୍ଆଇଇର ଏକ ତଥ୍ୟ ଅନୁସାରେ ଭାରତରେ ଶ୍ରମଶକ୍ତିରେ ମହିଳା ଶ୍ରମିକଙ୍କ ଅଂଶଗ୍ରହଣ ୨୦୧୪ରେ ୨୪.୪% ଥିବାବେଳେ ୨୦୧୭ରେ ଏହା ୧୧.୭କୁ ହ୍ରାସ ପାଇଛି। ଏହି ତଥ୍ୟ ଅବୋଧ୍ୟ ଓ ଗ୍ରହଣୀୟ ନୁହେଁ।
ତଥ୍ୟାବଳୀର ଅଭାବ ଜନିତ ସମସ୍ୟାର ମୁକାବିଲା ପାଇଁ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର ଅରବିନ୍ଦ ପାନାଗଡ଼ିୟାଙ୍କ ନେତୃତ୍ୱରେ ଏକ ଟାସ୍କ ଫୋର୍ସ ୨୦୧୭ରେ ଗଠିତ ହୋଇଥିଲା। ୨୦୧୭ ଜୁଲାଇରେ ଏହି ଟାସ୍କ ଫୋର୍ସ ଏଥିପାଇଁ ଶୀଘ୍ର ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ସୁପାରିସ କରିଥିଲା। ପ୍ରତ୍ୟେକ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବାକୁ ଏଥିରେ ଯେଉଁ ସୁପାରିସ କରାଯାଇଥିଲା ତଦନୁସାରେ ଏବେ ସର୍ଭେ ଚାଲିଛି। ଜାତୀୟ ନମୁନା ସର୍ଭେ ସଂସ୍ଥା ଦ୍ୱାରା କରାଯାଉଥିବା ଏହି ସର୍ଭେର ପ୍ରଥମ ରିପୋର୍ଟ ୨୦୧୯ରେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଏହି ରିପୋର୍ଟ ମିଳିଲେ ଏହାର ତଥ୍ୟାବଳୀ ନିଯୁକ୍ତି ଓ ବେକାରୀ ନେଇ ଚାଲିଥିବା ସମସ୍ତ ଅନାବଶ୍ୟକ ତର୍କ ଓ କଳ୍ପନାଜଳ୍ପନାର ଅବସାନ ଘଟାଇବ।
ନିଯୁକ୍ତିର ବାସ୍ତବ ସ୍ଥିତି ଆକଳନ କରିବା ପାଇଁ ଭାରତରେ ପ୍ରଥମ କରି ବେତନଖାତାକୁ ହିସାବକୁ ନିଆଯାଇଛି। ଯେଉଁମାନେ ସଂଗଠିତ କ୍ଷେତ୍ରର ନିଯୁକ୍ତି ସଂସ୍ଥାରୁ ଉପସ୍ଥାନ ଭିତ୍ତିରେ ବେତନ ନେଉଛନ୍ତି ସେମାନଙ୍କର ଖାତାପତ୍ରଜନିତ ପ୍ରମାଣ ରହିଛି। ଯେଉଁ କର୍ମଚାରୀଙ୍କ ନାମ ବେତନଖାତାରେ ରହିଛି ସେମାନଙ୍କ ନିଯୁକ୍ତି ଘେନି କୌଣସି ସନ୍ଦେହ ନାହିଁ। କାରଣ ସମ୍ପୃକ୍ତ କର୍ମଚାରୀଙ୍କୁ ମିଳୁଥିବା ବିଭିନ୍ନ ସାମାଜିକ ସୁରକ୍ଷା ବାବଦ ଲାଭ ଓ ଅନ୍ୟାନ୍ୟ ତଥ୍ୟ ଇପିଏଫ୍ଓ ସଂସ୍ଥା ମାଧ୍ୟମରେ କରାଯାଉଛି। ଏହି ତଥ୍ୟ ଅନୁସାରେ ସେପ୍ଟେମ୍ବର ୨୦୧୭ରୁ ୨୦୧୮ ଏପ୍ରିଲ ମଧ୍ୟରେ ୪୧ଲକ୍ଷ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି ହୋଇଛି। ଏହା ପୂର୍ବରୁ ଘୋଷ ଆଣ୍ଡ ଘୋଷ ଇପିଏଫ୍ଓ, ଏସିକ୍ ଓ ଏନ୍‌ପିଏସ୍ ଡେଟାକୁ ହିସାବକୁ ନେଇ କହିଛନ୍ତି ଯେ ୨୦୧୬ରୁ ୨୦୧୭ ମଧ୍ୟରେ ପ୍ରାୟ ୭୦ଲକ୍ଷ ଚାକିରି ଭାରତରେ ସୃଷ୍ଟି ହୋଇଛି। ଏହି ଦୁଇ ଲେଖକ ନୀତି ଆୟୋଗ ସହ ସଂପୃକ୍ତ ଏବଂ ସେମାନେ ସର୍ଭେରେ ଏହି ସମୟ ମଧ୍ୟରେ କେତେ ନୂତନ ନିଯୁକ୍ତି ବା ଚାକିରି ସୃଷ୍ଟି ହୋଇଛି ସେ ସଂକ୍ରାନ୍ତ ତଥ୍ୟାବଳୀ ଅତି ଯତ୍ନର ସହ ସଂଗ୍ରହ କରିଛନ୍ତି।
ଇପିଏଫ୍ଓ ତଥ୍ୟ ଅନୁସାରେ ୨୦୧୭-୧୮ରେ ମୋଟ୍ ୫.୫ନିୟୁତ ନିଯୁକ୍ତି ସୃଷ୍ଟି ହୋଇଥିବାବେଳେ କେବଳ ୨୦୧୬-୧୭ରେ ଏଥିରୁ ୪.୫ ନିୟୁତ ଚାକିରି ସୃଷ୍ଟି ହୋଇଥିଲା। ନିଯୁକ୍ତି ସମ୍ପର୍କରେ ଇପିଏଫ୍ଓ ପକ୍ଷରୁ ପ୍ରଥମ କରି ତଥ୍ୟାବଳୀ ପ୍ରକାଶ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଘୋଷ ଆଣ୍ଡ ଘୋଷଙ୍କ ତଥ୍ୟ ଓ ଇପିଏଫ୍ଓ ତଥ୍ୟ ମଧ୍ୟରେ ବିଶେଷ କିଛି ପାର୍ଥକ୍ୟ ନାହିଁ। ବେତନ ଖାତା ତଥ୍ୟାବଳୀ ବା ପେ-ରୋଲ୍ ରିପୋର୍ଟିଂ ମାଧ୍ୟମରେ କେବଳ ଆନୁଷ୍ଠାନିକ କ୍ଷେତ୍ରର ନିଯୁକ୍ତି ସମ୍ପର୍କରେ ତଥ୍ୟ ମିଳୁଛି। ତେବେ ଅଣ ଆନୁଷ୍ଠାନିକ କ୍ଷେତ୍ରରେ ନୂଆ ପ୍ରକାର ନିଯୁକ୍ତିର ବହୁ ସଫଳ କାହାଣୀ ଦେଖିବାକୁ ମିଳୁଛି। ସେ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଛି।
ଭାରତର ଅସଂଗଠିତ କ୍ଷେତ୍ରରେ ମୋଟ୍ ଶ୍ରମଶକ୍ତିର ୮୦ଭାଗରୁ ଅଧିକ ଲୋକ ନିଯୁକ୍ତ। ବର୍ତ୍ତମାନର ସରକାରଙ୍କ ଉଦ୍ୟମରେ ଦେଶର ନୂଆ ଅର୍ଥନୀତି ଅଧିକରୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ନୂଆ ଅର୍ଥନୀତି ସଦସ୍ୟଭିତ୍ତିକ ନିଯୁକ୍ତି ସୁଯୋଗ ଦେଇଛି। ଓଲା ଓ ଉବରରେ ଡ୍ରାଇଭର ପାର୍ଟନର ନିଯୁକ୍ତି ସୁଯୋଗ ଅନ୍ୟତମ। ସେହିଭଳି ଫ୍ଲିପ୍‌କାର୍ଟ ଓ ଆମାଜନ/ ସ୍ନାପଡିଲ କିମ୍ବା ଅର୍ବାନ କ୍ଲାପ୍ / କୁଇକର ସର୍ଭିସ ଭଳି ପେସାଦାର ଅର୍ବାନ ସର୍ଭିସ ଆଗ୍ରିଗେଟରମାନେ ଅନେକ ଲୋକଙ୍କୁ ବିତରକ ଭାବେ ନିଯୁକ୍ତି ଦେଉଛନ୍ତି। ଏସବୁ ସଂସ୍ଥା ଆନୁଷ୍ଠାନିକ ନିଯୁକ୍ତିଦାତାଙ୍କଠାରୁ ଭିନ୍ନ। ତେଣୁ ସେମାନଙ୍କ ସହିତ ସଂପୃକ୍ତ କର୍ମଚାରୀ ଆନୁଷ୍ଠାନିକ ବା ବିଧିବଦ୍ଧ ନିଯୁକ୍ତିର ପରିସର କିମ୍ବା ହିସାବକୁ ଆସିପାରୁ ନାହାନ୍ତି।
ଆମେ ଅନେକ ଉଦାହରଣ ଉପସ୍ଥାପନ କରିପାରିବା। ଭାରତରେ ଟ୍ୟାକ୍ସି ସେବା ବ୍ୟବସାୟ କରୁଥିବା ସଂସ୍ଥା ଓଲାର ନଭେମ୍ବର ୨୦୧୪ସୁଦ୍ଧା ୩୭ ହଜାର ପଞ୍ଜିକୃତ ଡ୍ରାଇଭର ପାର୍ଟନର (ଅଂଶୀଦାର) ଦେଶର ୨୦ଟି ସହରରେ ଥିଲେ। ମାର୍ଚ୍ଚ ୨୦୧୮ ସୁଦ୍ଧା ଏହି ସଂଖ୍ୟା ଦେଶର ୧୧୦ଟି ସହରରେ ୧୦ଲକ୍ଷରେ ପହଞ୍ଚିଛି। ସେହି ସମୟରେ ଆନ୍ତର୍ଜାତିକ ସ୍ତରର ଟ୍ୟାକ୍ସି ପରିବହନକାରୀ କମ୍ପାନୀ ଉବରର ଭାରତରେ ପଞ୍ଜିକୃତ ଡ୍ରାଇଭର ପାର୍ଟନରଙ୍କ ସଂଖ୍ୟା ୧୨ଲକ୍ଷ ହୋଇଛି। କେବଳ ଟ୍ୟାକ୍ସି ଭଡ଼ା ବ୍ୟବସାୟରେ ଭାରତରେ ୨୨ଲକ୍ଷ କର୍ମନିଯୁକ୍ତି ଗତ ଚାରିବର୍ଷ ମଧ୍ୟରେ ସୃଷ୍ଟି ହୋଇଛି। ଅର୍ବାନ କ୍ଲାପ୍ ଓ କୁଇକର ସର୍ଭିସ ସଂସ୍ଥା ବ୍ୟକ୍ତିଗତ ଭାବେ ନିଜ ପୋର୍ଟାଲରେ ୨୫ଲକ୍ଷ ପେସାଦାରଙ୍କୁ ପଞ୍ଜିକୃତ କରି ଦେଶର ମହାନଗରୀଗୁଡ଼ିକରେ ସେବା ଯୋଗାଉଛନ୍ତି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ, ଆଇନଜୀବୀ ଓ ଅନ୍ୟାନ୍ୟ ପେସାଦାର ଯେଉଁମାନେ ପ୍ରତିବର୍ଷ ବୃତ୍ତିରେ ହଜାରହଜାର ସଂଖ୍ୟାରେ ସାମିଲ ହେଉଛନ୍ତି ସେମାନେ ନିଜର କାର୍ଯ୍ୟ ସମ୍ପାଦନ ଓ ସେବା ପ୍ରଦାନ ପାଇଁ ବହୁ ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି। ଏମାନଙ୍କ ସଂଖ୍ୟା କେତେ ତାହାର ହିସାବ ନାହିଁ। ଏମାନେ କିନ୍ତୁ ନିଯୁକ୍ତି ସୁଯୋଗ ପାଇବା ସହ ଦେଶର ଅର୍ଥନୀତିକୁ ଅବଦାନ ଯୋଗାଉଛନ୍ତି।
ମାଲପତ୍ର ପରିବହନ, ବିଶେଷ କରି ସଡ଼କ ପରିବହନ କ୍ଷେତ୍ରରେ ଅନେକ ନୂଆ ନିଯୁକ୍ତି ସୃଷ୍ଟି ହେଉଛି। ୨୦୧୩ରେ ଦେଶରେ ପଞ୍ଜିକୃତ ପରିବହନକାରୀ ଟ୍ରକ ସଂଖ୍ୟା ଥିଲା ୮୧ଲକ୍ଷ। ଏହି ସମୟ ପରଠାରୁ ପ୍ରତିବର୍ଷ ଦେଶରେ ୭ଲକ୍ଷ ନୂଆ ଟ୍ରକ୍ ପରିବହନ ପାଇଁ ପଞ୍ଜିକୃତ ହେଉଛି। ଏବେ ଭାରତରେ ଏକ କୋଟି ୨୦ଲକ୍ଷ ଟ୍ରକ ଚଳାଚଳ କରୁଛି। ଏହି ସବୁ ଟ୍ରକ ଚାଳନା ଓ ସହାୟତାରେ ସଂପୃକ୍ତ କର୍ମଚାରୀଙ୍କ ସଂଖ୍ୟା କୌଣସି ନିଯୁକ୍ତି ହିସାବ ବା ପରିସଂଖ୍ୟାନରେ ନାହିଁ। ସେହିଭଳି ଅଟୋ ରିକ୍ସା ଚାଳନା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମାଲ ପରିବହନ ପାଇଁ ବ୍ୟବହୃତ ଯାନର ଚାଳକ ଏବଂ ସହାୟକ କର୍ମ ନିଯୁକ୍ତି ପାଇ ଜୀବିକାର୍ଜନ କରୁଥିଲେ ମଧ୍ୟ ସେମାନଙ୍କର ପ୍ରକୃତ ସଂଖ୍ୟା ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଏସବୁ ଅସଂଗଠିତ ଓ ଅଣ-ଆନୁଷ୍ଠାନିକ କ୍ଷେତ୍ରରେ ଯେଉଁମାନେ ନିଯୁକ୍ତ ଓ ରୋଜଗାରକ୍ଷମ ସେମାନଙ୍କ ସଂଖ୍ୟା ୧୨ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ହେବ। ରାସ୍ତା କଡ଼ ଢାବା, ହୋଟେଲ, ପର୍ଯ୍ୟଟନ ସହ ସଂଯୁକ୍ତ କ୍ଷେତ୍ର, ଗ୍ରାମାଞ୍ଚଳ ମଣ୍ଡି ଓ ହାଟଘାଟରେ କାମ କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ହିସାବ ନାହିଁ। ଏମାନେ କେହି ବେକାର ନୁହନ୍ତି; ନିଜନିଜର ପାଇଟି ବାଛି ଉପାର୍ଜନ କରୁଛନ୍ତି। ଗତ ଚାରି ବର୍ଷ ମଧ୍ୟରେ ଏସବୁ ଅଣ-ଆନୁଷ୍ଠାନିକ କ୍ଷେତ୍ରରେ ନୂଆ ନିଯୁକ୍ତିର ସୁଯୋଗ ଯେ ସୃଷ୍ଟି ହୋଇଛି ତାହାକୁ ଅସ୍ୱୀକାର କରାଯାଇ ନ’ପାରେ।
ଉପର ବର୍ଣ୍ଣିତ ତଥ୍ୟ ପ୍ରମାଣ ଅନୁସାରେ ଅତି ରକ୍ଷଣଶୀଳ ଆକଳନ କଲେ ଦେଖାଯିବ ଯେ ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ୭ ରୁ ୮.୫ ନିୟୁତ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ପ୍ରତିବର୍ଷ ଶ୍ରମ ବଜାରକୁ ନୂଆ ପ୍ରବେଶ କରୁଥିବା ନିଯୁକ୍ତି ପ୍ରତ୍ୟାଶୀଙ୍କ ଆବଶ୍ୟକତା ପୂରଣ କରିବାକୁ ଏହି କର୍ମନିଯୁକ୍ତି ସୁଯୋଗ ଯଥେଷ୍ଟ।
ଯେଉଁମାନେ ପାଇଟିହୀନ ଅଭିବୃଦ୍ଧିର କଥା କିମ୍ବା ସନ୍ତୋଷହୀନ ନିଯୁକ୍ତି ସୁଯୋଗ ସୃଷ୍ଟି କଥା କହୁଛନ୍ତି, ସେମାନେ ନିଜନିଜର ପଦ୍ଧତି ଓ ନିର୍ଦ୍ଧାରଣ ମାର୍ଗର ସମୀକ୍ଷା କରିବା ଉଚିତ। ତା’ ନକଲେ ସେମାନେ ଅନ୍ତତଃ ପକ୍ଷେ ଜାତୀୟ ନମୁନା ସର୍ଭେ ସଂସ୍ଥାର ନିଯୁକ୍ତି ସଂକ୍ରାନ୍ତ ସର୍ବେକ୍ଷଣର ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରନ୍ତୁ। ସେହି ରିପୋର୍ଟର ତଥ୍ୟାବଳୀ ସେମାନଙ୍କ ଧାରଣା ବଦଳାଇବାରେ ସଫଳ ହେବ ବୋଲି ମୋର ଆଶା ଓ ବିଶ୍ୱାସ।

Leave A Reply