ଆତ୍ମପ୍ରଚାର ନୁହେଁ; ସତ୍‌କର୍ମ

0

ଦିଗବିଜୟୀ ସମ୍ରାଟ ସିକନ୍ଦରଙ୍କର କୁଶଳୀ କଳାକାରମାନଙ୍କ ପ୍ରତି ବିଶେଷ ଶ୍ରଦ୍ଧା, ସମ୍ମାନ ଥିଲା। ତାଙ୍କର ଦରବାରକୁ ଆସୁଥିବା ପ୍ରତ୍ୟେକ କଳାକାରଙ୍କୁ ସେ ଯଥୋଚିତ ସମ୍ମାନ ଦେଖାଉଥିଲେ। ଏକଦା ତାଙ୍କର ମନକୁ ଆସିଲା ନିଜ ଦେଶରେ ଥିବା ଶ୍ରେଷ୍ଠ କଳାକାରମାନଙ୍କ ପ୍ରତିକୃତି ରାଜଧାନୀର ଏକ ଉଦ୍ୟାନରେ ସ୍ଥାପିତ କରିବା ନିମନ୍ତେ। ଦିବଙ୍ଗତ ଏବଂ ବର୍ତ୍ତମାନର ନାମୀ କଳାକାରମାନଙ୍କ ପ୍ରତିକୃତିସହ ସେମାନଙ୍କ କୃତି, ସଂକ୍ଷିପ୍ତ ଜୀବନୀ ସମ୍ପର୍କରେ ଲିପିବଦ୍ଧ କରାଗଲେ ବର୍ତ୍ତମାନର ପିଢ଼ି ତଥା ଭବିଷ୍ୟତ ପିଢ଼ି ସେମାନଙ୍କ ସମ୍ପର୍କରେ ଅବଗତ ହେବେ। ଏହା ସେମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ହେବ, ଯେହେତୁ ସେମାନେ ନିଜ ସ୍ବ ପ୍ରତିଭା ବଳରେ ରାଷ୍ଟ୍ରର ଗୌରବ ବୃଦ୍ଧିରେ ସକ୍ଷମ ହୋଇଛନ୍ତି। ଏହି ଉଦ୍ଦେଶ୍ୟରେ ରାଷ୍ଟ୍ରର ପ୍ରତିଷ୍ଠିତ ସ୍ଥପତିଙ୍କୁ ଆମନ୍ତ୍ରଣ କରାଗଲା। ସମ୍ରାଟଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ସ୍ଥପତିମାନେ କଠୋର ଶ୍ରମ ସ୍ବୀକାର କରି ନଷ୍ଠାର ସହ ପ୍ରତିକୃତି ନିର୍ମାଣ କରିଥିଲେ। ପ୍ରତିମୂର୍ତ୍ତି ଅବିକଳ ଭାବରେ ନିର୍ମାଣ କରିଥିଲେ। ଏହି ସୁଦୃଶ୍ୟ ପ୍ରତିମୂର୍ତ୍ତିଗୁଡ଼ିକ ଉଦ୍ୟାନର ବିଭନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା।
ଉଦ୍ୟାନରେ ଏସବୁ ପ୍ରତିଷ୍ଠା ହେବାର ବେଶ୍‌ କିଛିବର୍ଷ ଅତିବାହିତ ହୋଇଯାଇଥିଲା। ସିକନ୍ଦରଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ। ଦିନେ ପଡ଼ୋଶୀ ରାଜ୍ୟର ଜନୈକ ମନ୍ତ୍ରୀ ସିକନ୍ଦରଙ୍କ ଆତିଥ୍ୟଗ୍ରହଣ କରିଥିଲେ। ସିକନ୍ଦର ଅତିଥିଙ୍କୁ ଉଦ୍ୟାନକୁ ନେଇ ଯାଇଥିଲେ ଯେଉଁଠି ନିଜ ଦେଶର ବିଶିଷ୍ଟ ସ୍ଥପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା ତାହା ବୁଲାଇ ଦେଖାଇବାକୁ।
ସିକନ୍ଦର ନିଜେ ଅତିଥିଙ୍କୁ ଗୋଟିଗୋଟି କରି ପ୍ରତିମୂର୍ତ୍ତି ଚିହ୍ନାଇ ଦେଉଥାନ୍ତି। ଅତିଥିଙ୍କୁ ସବୁ ପ୍ରତିମୂର୍ତ୍ତି ଦେଖାଇବା କାର୍ଯ୍ୟ ଶେଷ ହୋଇଗଲା। ମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଦେଖିଲେ ପ୍ରତିମୂର୍ତ୍ତି ମଧ୍ୟରେ ଖୋଦ ସିକନ୍ଦର ନାହାନ୍ତି। ପଚାରିଲେ- ସମ୍ରାଟ! ଏଠାରେ ସ୍ଥପତି ନହେଲେ ବି କଳା ଓ ସଂସ୍କୃତିପ୍ରେମୀ ତଥା ଏହାର ପୁରୋଧା, ସର୍ବୋପରି ସମ୍ରାଟ ଭାବରେ ଆପଣଙ୍କ ପ୍ରତିମୂର୍ତ୍ତି ରହିବା ନିହାତି ଜରୁରୀ ଥିଲା। ହେଲେ ତାହା ଏଠାରେ ନାହିଁ ଯେ?
ସିକନ୍ଦର ହସିହସି କହିଥିଲେ- ମୋର ପ୍ରତିମୂର୍ତ୍ତି ଏଠାରେ ଯଦି ଥାଆନ୍ତା ତା’ହେଲେ ଆଗାମୀ ପିଢ଼ି ନିଶ୍ଚୟ ଏହା ଦେଖି ପଚାରିଥାନ୍ତେ ଏହି ପ୍ରତିମୂର୍ତ୍ତି ତଳେ କାହିଁକି ଅନ୍ୟମାନଙ୍କ ଭଳି ତାଙ୍କର କୃତି ଖୋଦିତ ହୋଇନି। ଯେ‌େହତୁ ମୁଁ କେବଳ ଶାସକ ମାତ୍ର ତେଣୁ ଏହାର ପ୍ରୟୋଜନୀୟତା ନଥିଲା।
ଯଶ, ଖ୍ୟାତି ସତ୍‌କର୍ମ ମାଧ୍ୟମରେ ହିଁ ମିଳିଥାଏ, ଆତ୍ମପ୍ରଚାର ମାଧ୍ୟମରେ ନୁହେଁ। ତେଣୁ ପ୍ରତ୍ୟେ‌େ‌କ ସତ୍‌କର୍ମ କରିବା ଉଚିତ। ଏହାଦ୍ବାରା ଖ୍ୟାତି ଆପେଆପେ ଆସିଯିବ।

Leave A Reply