କେରଳ ବିପର୍ଯ୍ୟୟ

0

କେରଳରେ ବନ୍ୟା ବିପର୍ଯ୍ୟୟ ଯେପରି ଭୟଙ୍କର ରୂପ ଧାରଣ କରିଛି, ତାହା ଅଭୂତପୂର୍ବ। ସେଠାକାର ପ୍ରତ୍ୟେକ ନଦୀ ବିପଦସଙ୍କେତ ଉପରେ ବହୁଥିବାବେଳେ ଡ୍ୟାମ୍‌ଗୁଡ଼ିକ ଜଳପୂର୍ଣ୍ଣ ହୋଇ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଅତ୍ୟଧିକ ବର୍ଷା ଯୋଗୁଁ ବହୁ ସ୍ଥାନରୁ ମାଟି ଧସିଥିବାବେଳେ ରାସ୍ତାସବୁ ଧୋଇ ହୋଇଯାଇଛି। ଘରଦ୍ବାର ସବୁ ଜଳମୟ ହୋଇଯାଇଛି। ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ଜୀବନହାନି ଘଟିଥିବାବେଳେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ରିଲିଫ୍ କ୍ୟାମ୍ପ୍‌ରେ ରଖାଯାଇଛି। ଧୀରେଧୀରେ ବନ୍ୟାଗ୍ରସ୍ତ ଅଞ୍ଚଳର ଆକାର ବୃଦ୍ଧି ପାଉଥିବାବେଳେ ସମସ୍ତ ପୀଡ଼ିତଙ୍କ ପାଖରେ ପହଞ୍ଚିବା ପ୍ରଶାସନ ପାଇଁ କାଠିକର ପାଠ ହୋଇଛି। ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ଦଳ ସମେତ ସେନା, ନୌସେନା ଓ ବାୟୁସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବନ୍ୟାପୀଡ଼ିତଙ୍କ ପାଖରେ ଖାଦ୍ୟପେୟ ଓ ଔଷଧ ଆଦି ନଥିବାରୁ ସେମାନେ ଘୋର ଦୁର୍ଦଶାରେ କାଳାତିପାତ କରୁଛନ୍ତି। ତଥାପି ଯୁଦ୍ଧକାଳୀନ ଭିତ୍ତିରେ ସବୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତେ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି।
ବିପର୍ଯ୍ୟୟ ଯେ ମଣିଷମାନଙ୍କୁ ଏକାଠି ଲଢ଼ିବାକୁ ବି ସାହସ ଦିଏ, କେରଳ ବନ୍ୟା ତାହା ପ୍ରମାଣିତ କରିଦେଇଛି। ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୋଟିକୋଟି ଟଙ୍କାର ଆର୍ଥିକ ସହାୟତା ପଠାଇଥିବାବେଳେ ପଡ଼ୋଶୀ ତାମିଲନାଡ଼ୁ, କର୍ଣ୍ଣାଟକ ଆଦି ରାଜ୍ୟ ରିଲିଫ୍ ଜିନିଷପତ୍ର ମଧ୍ୟ ପଠାଇବା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ୫ କୋଟି ଟଙ୍କାର ଆର୍ଥିକ ସହାୟତା ପଠାଇବା ସହ ବନ୍ୟାବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ଦଳ ପ୍ରେରଣ କରିଛନ୍ତି। ଏହା ସ୍ବାଗତଯୋଗ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବାପରେ ତତ୍କାଳ ୫୦୦ କୋଟି ଟଙ୍କା ରିଲିଫ୍ ସହାୟତା ଘୋଷଣା କରିଛନ୍ତି। ତେବେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ୮ ହଜାର କୋଟି ଟଙ୍କାର ସହାୟତା ଦାବି କରିଛନ୍ତି। କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ର ସରକାର ଆବଶ୍ୟକ ସହାୟତା ପ୍ରଦାନ କରିବା ଉଚିତ ହେବ।
ବନ୍ୟା ପରବର୍ତ୍ତୀ ସମୟରେ ପରିବେଶ ଅତ୍ୟନ୍ତ ଦୂଷିତ ଓ ଅସ୍ବାସ୍ଥ୍ୟକର ହୋଇପଡ଼େ। ତାକୁ କିପରି ଯଥାଶୀଘ୍ର ଶୋଧିତ କରିହେବ, ତାହା ଏକ ବଡ଼ ଆହ୍ବାନ ହେବ; କାରଣ ସେତେବେଳେ ରୋଗବଇରାଗ ବ୍ୟାପିବାର ବେଶି ଆଶଙ୍କା ରହିଥାଏ। ବର୍ତ୍ତମାନ ଆମେ ଆଶା କରିବା ଯେ ସେଠାରେ ଆଉ ବର୍ଷା ନହେଉ। ଲୋକଙ୍କ ନିକଟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ଶୀଘ୍ର ପହଞ୍ଚିପାରିବ, ତା’ର ବ୍ୟବସ୍ଥା କରାଯାଉ। ସାମାଜିକ ଗଣମାଧ୍ୟମ ସୂଚନା ଦେବା କ୍ଷେତ୍ରରେ ବେଶ୍ ସହାୟକ ହୋଇଛି। ଏହା ଏକ ଭଲକଥା। ସରକାର ନିର୍ଦିଷ୍ଟ ଅଞ୍ଚଳ ପାଇଁ ନିୟନ୍ତ୍ରଣ କକ୍ଷ ଖୋଲି ଅଧିକ ହେଲ୍ପଲାଇନ ଫୋନନମ୍ବର ରଖନ୍ତୁ, ଯେପରିକି ଲୋକେ ସହଜରେ ଯୋଗାଯୋଗ କରିପାରିବେ। ବର୍ତ୍ତମାନ ଏହି ‘ଦେବଭୂମି’କୁ ସବୁପ୍ରକାରର ସାହାଯ୍ୟ ସହାୟତା ଆବଶ୍ୟକ; ତେଣୁ ସମସ୍ତେ ହାତ ବଢ଼ାନ୍ତୁ।

Leave A Reply