ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ସୁଧାରିବ କିଏ?

0

ପ୍ରହଲ୍ଲାଦ କୁମାର ସିଂହ

ବର୍ଷବର୍ଷ ଧରି ବହୁସଂଖ୍ୟକ ଶିକ୍ଷକ ପଦ ଖାଲି ରଖି ମିତବ୍ୟୟିତା ଆଳରେ ସରକାର ଯେପରି ଅର୍ଥ ସଞ୍ଚୟ କରୁଛନ୍ତି ସେଥିଯୋଗୁ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ସ୍ଥିତିକୁ ଆସିଗଲାଣି। ଗୋଟିଏ ପଟେ ଗୁଣାତ୍ମକ ଶିକ୍ଷା ଲାଭରୁ ବଞ୍ଚିତ ପିଲାମାନେ ଭବିଷ୍ୟତ ଜୀବନରେ ନିଜ ପାଇଁ ତଥା ପରିବାର, ରାଜ୍ୟ ଓ ସମାଜ ଲାଗି ବୋଝ ହେବାକୁ ଯାଉଥିବାବେଳେ ଏହି ସାଙ୍ଘାତିକ ପରିସ୍ଥିତିର ସକାରାତ୍ମକ ପ୍ରତିକାର ଲାଗି ସତେ ଯେମିତି ଶାସନ ବ୍ୟବସ୍ଥା ଆଦୌ ଚିନ୍ତିତ ନୁହେଁ। ଅନ୍ୟପଟେ ନିଜର ଏଭଳି ସାଙ୍ଘାତିକ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀ ଓ ଛାତ୍ର ସଙ୍ଗଠନମାନେ ସ୍ୱର ଉଠାଉ ନଥିବାରୁ ଅବସ୍ଥା ଦିନକୁ ଦିନ ବିଗୁଡ଼ୁଛି।
ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଲଗି ରହିଛି ଉତ୍କଟ ଶିକ୍ଷକ ମରୁଡ଼ି ଅବସ୍ଥା। ଏଥିସହିତ ଦୁର୍ବଳ ଭିତ୍ତିଭୂମି। ଏହାର ପ୍ରତିକାର କରିବା ପରିବର୍ତ୍ତେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳର ଅଣ୍ଡାଯୁକ୍ତ ମାଗଣା ଆହାର କେନ୍ଦ୍ରରେ ପରିଣତ କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୩୩,୩୯୮ଟି ପ୍ରାଥମିକ ଓ ୧୭,୯୯୬ଟି ଉଚ୍ଚ ପ୍ରାଥମିକଙ୍କୁ ମିଶାଇ ଅଛି ମୋଟ୍ ୫୧,୦୯୪ଟି ବିଦ୍ୟାଳୟ। ଚଳିତ ଶିକ୍ଷାବର୍ଷ ଆରମ୍ଭ ସୁଦ୍ଧା ସରକାରୀ ହିସାବ ଅନୁଯାୟୀ ଏଥିରୁ ମାତ୍ର ୬୮୨୨ଟି ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଜଣେ କରି ଶିକ୍ଷକ ଅଛନ୍ତି। ଅର୍ଥାତ୍ ୪୪ ହଜାରରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ଲାଗି ଅତି କମରେ ଜଣେ ଲେଖାଏଁ ଶିକ୍ଷକ ବ୍ୟବସ୍ଥା ହୋଇପାରି ନାହିଁ। ସେହିଭଳି ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ମାତ୍ର ୯୯୧୮ଟିରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ରହିଥିବା ବେଳେ ୪୧ ହଜାରରୁ ଅଧିକ ସ୍କୁଲରେ ବଖରାଏ ଘରେ ଏକାଧିକ ଶ୍ରେଣୀର ପିଲା ପାଠ ପଢ଼ିବାକୁ ବସୁଛନ୍ତି। ଏହାଛଡ଼ା କେଉଁଠି ମନ୍ଦିରରେ ତ ଆଉ କେଉଁଠି କାହା ବାରଣ୍ଡା କିମ୍ବା ରାସ୍ତା ଉପରେ କି ଗଛମୂଳେ ବି ପ୍ରାଥମିକ ସ୍ତରର ପିଲାଙ୍କ ସ୍କୁଲ ଚାଲୁଛି। ଯେତିକି ବି ଶିକ୍ଷକ ଅଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକଙ୍କୁ ଶିକ୍ଷା ସହାୟକ ବାହାନାରେ ଢେର୍ କମ୍ ପାରିଶ୍ରମିକରେ ଖଟାଯାଉଛି। ଓଡ଼ିଶାରେ ପିଲାଙ୍କ ଭବିଷ୍ୟତର ମୂଳଦୁଆ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରୁ ରୁଗ୍ଣ କରାଯିବାର ଏ ହେଉଛି ସରକାରୀ ସ୍ୱୀକୃତ କରୁଣ ଚିତ୍ର।
ରାଜ୍ୟର ପ୍ରାୟ ୮ ହଜାର ଓଡ଼ିଆ ମାଧ୍ୟମ ହାଇସ୍କୁଲଗୁଡ଼ିକରେ ବି ଅବସ୍ଥା ସାଙ୍ଘାତିକ। କେଉଁଠି ଗଣିତ ଓ ବିଜ୍ଞାନ ଶିକ୍ଷକ ନ ଥିବାରୁ କ୍ରୀଡ଼ା ଓ ସଂସ୍କୃତ ଶିକ୍ଷକଙ୍କୁ ଏହି ବିଷୟ ପଢ଼ାଇବାକୁ ବାଧ୍ୟ କରାଯାଉଛି ତ ଆଉ କେଉଁଠି ନିଜେ ଶୁଦ୍ଧ ଓଡ଼ିଆ ଓ ଇଂରାଜୀ ଲେଖି ପାରୁନଥିବା ବ୍ୟକ୍ତିଙ୍କୁ ଏହି ବିଷୟ ପଢ଼ାଇବାର ଦାୟିତ୍ୱ ଦିଆଯାଇଛି। ଅନ୍ତତଃପକ୍ଷେ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ଅନର୍ସ ସହ ବିଏଡ୍ କରିଥିବା ବ୍ୟକ୍ତିଙ୍କୁ ଉକ୍ତ ବିଷୟର ଶିକ୍ଷକ ଭାବେ ନିଯୁକ୍ତ କରିବାକୁ ସରକାର ବୋଧହୁଏ ଉଚିତ ମନେ କରୁନାହାନ୍ତି। ଏହାଛଡ଼ା ପ୍ରାୟ ୨୦ ହଜାର ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦ ଖାଲି। ସଂଖ୍ୟାଧିକ ହାଇସ୍କୁଲର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଥିବା ବେଳେ କିଛି ସମର୍ପିତ ଶିକ୍ଷକଙ୍କ ସେବା ଯୋଗୁ ଯାହା ବି ପାଠପଢ଼ା ହେଉଛି। ଏଭଳି ବିପଦସଙ୍କୁଳ ଅବସ୍ଥାରେ ହାଇସ୍କୁଲ ସ୍ତରରେ ପ୍ରାୟ ୧୨ଲକ୍ଷ ଓ ପ୍ରାଥମିକ ସ୍ତରରେ ୫୦ ଲକ୍ଷରୁ ଅଧିକ ପିଲାଙ୍କ ପାଠପଢ଼ା ଚାଲୁଛି। ସରକାରୀ ରିପୋର୍ଟ ଅନୁଯାୟୀ ଅଷ୍ଟମ ନବମ ଶ୍ରେଣୀକୁ ଆସିଲା ବେଳକୁ ଅନେକ ପିଲା ତୃତୀୟ ଚତୁର୍ଥ ଶ୍ରେଣୀର ବହି ପଢ଼ି ପାରୁନାହାନ୍ତି କି ସାଧାରଣ ମିଶାଣ ଫେଡାଣ ମଧ୍ୟ କରିପାରୁ ନାହାନ୍ତି। ଏହା ଜାଣିବା ପରେ ସରକାର ଉଜ୍ଜ୍ୱଳ, ଉତ୍ଥାନ, ଉତ୍କର୍ଷ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରି ଏହା ମାଧ୍ୟମରେ ମାସେ ଦେଢ଼ ମାସରେ କୁଆଡ଼େ ଦୁର୍ବଳ ପିଲାଙ୍କୁ ସବଳ କରି ସେମାନଙ୍କର ଅନ୍ଧକାର ଭବିଷ୍ୟତକୁ ଉଜ୍ଜ୍ୱଳ ସହିତ ଉପରକୁ ଉଠାଇବାରେ ଲାଗିଛନ୍ତି। ମୂଳ କାଟିଦେଇ ପତ୍ରରେ ପାଣି ଦେଲେ ଗଛର ଅବସ୍ଥା ଯେପରି ହୁଏ ତାହା ହେଉଛି ଆମ ବିଦ୍ୟାଳୟ ଶିକ୍ଷାର। ଏଥିଯୋଗୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପିଲା ସଂଖ୍ୟା କମୁଥିବା ବେଳେ କେତେକ ଜାଗାରେ ସରକାର ପ୍ରାଥମିକ ବିଦ୍ୟାଳୟମାନ ବନ୍ଦ କରିବାରେ ଲାଗିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଅବସ୍ଥା ଆଦୌ ଭଲ ନୁହେଁ। ବହୁ ସରକାରୀ ବିଏଡ୍, ସିଟି, ସଂସ୍କୃତ ଟୋଲ୍ ଓ କଲେଜ ଶିକ୍ଷକ ଅଭାବରୁ ସାଙ୍ଘାତିକ ସ୍ଥିତିରେ।
ରାଜ୍ୟରେ ଥିବା ଯୁକ୍ତ ୨ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଜଣେ ହେଲେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏଠାରେ ବି ଶିକ୍ଷକ ମରୁଡ଼ି ଅବସ୍ଥା ଅତି ଭୟଙ୍କର। ବିଶେଷ କରି ବିଜ୍ଞାନର ବିଭିନ୍ନ ବିଷୟ ଓ ଓଡ଼ିଆ ପଢ଼ାଇବା ଲଗି ଶିକ୍ଷକ ସଙ୍କଟ ବଡ଼ ସମସ୍ୟା ସୃଷ୍ଟି କରୁଥିବାରୁ ବେକାର ଯୁବକଯୁବତୀ ଓ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଠିକାରେ ଆଣି ସରକାର କାମଚଳା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ଯୁକ୍ତ ୩ ଡିଗ୍ରୀ କଲେଜଗୁଡ଼ିକରେ ମଧ୍ୟ ଶିକ୍ଷକ ମରୁଡ଼ି ଲାଗି ରହିଛି। ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟର ୫୨ଟି ସରକାରୀ ଡିଗ୍ରୀ କଲେଜ ମଧ୍ୟରୁ ୪୭ଟିରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ଲାଗି ନିୟମିତ ଅଧ୍ୟକ୍ଷ ରହିବାର ଆବଶ୍ୟକତା ସରକାର ଉପଲବ୍ଧି କରୁନାହାନ୍ତି। ଉଚ୍ଚଶିକ୍ଷା ବିଭାଗର ଗର୍ବ ଓ ଗୌରବ କୁହାଯାଉଥିବା ସ୍ୱୟଂଶାସିତ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷଙ୍କ ସମେତ ୪୦୦ରୁ ଅଧିକ ଶିକ୍ଷକ ପଦ ଖାଲି। ପ୍ରାୟ ସବୁ ସରକାରୀ ଓ ବେସରକାରୀ କଲେଜରେ ବହୁସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦ ବହୁ ବର୍ଷ ଧରି ପୂରଣ ହେଉନାହିଁ। ଏଥିଯୋଗୁ ପ୍ରାୟ ଦେଢ଼ହଜାର ଡିଗ୍ରୀ କଲେଜ ମଧ୍ୟରୁ ୨୦୦ଟିର ବି ‘ନାକ୍‌’ ମାନ୍ୟତା ନାହିଁ।
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଏବେ ୧୧ଟି ବିଶ୍ୱବିଦ୍ୟାଳୟ ଅଛି। ଏଥିରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୭୦ଟି ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ଉତ୍କଳରେ ୯୯, ବ୍ରହ୍ମପୁରରେ ୬୭, ସମ୍ବଲପୁରରେ ୪୬, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୨ଟି ଶିକ୍ଷକ ପଦ ଖାଲି। ଅନ୍ୟ ସବୁ ବିଶ୍ୱବିଦ୍ୟାଳୟରେ ଅନୁରୂପ ଅବସ୍ଥା। ସରକାର ଓଡ଼ିଆ ଭାଷା ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଉତ୍କଳ, ଫକିର ମୋହନ, ଗଙ୍ଗାଧର ମେହେର, ରେଭେନ୍ସା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜଣେ ହେଲେ ଓଡ଼ିଆ ପ୍ରଫେସର ନାହାନ୍ତି। ଏହି ସ୍ଥିତି ସୁଧାରିବା ପରିବର୍ତ୍ତେ ସରକାର ନୂଆ ଓଡ଼ିଆ ବିଶ୍ୱବିଦ୍ୟାଳୟ ଗଢ଼ିବାକୁ ଯାଉଛନ୍ତି। ୭୫ ବର୍ଷର ପ୍ଲାଟିନମ୍ ଜୁବୁଲି ପାଳନ କରିବାକୁ ଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ୮ଟି ଯାକ ଗବେଷଣା ଚେୟାର୍ ବନ୍ଦ ହୋଇଯାଇଛି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୫୦୦ ଶିକ୍ଷକ ଓ ୧୨୦୦ରୁ ଅଧିକ ଅଣ ଶିକ୍ଷକ ପଦ ଖାଲି ପଡ଼ିଛି।
କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ୯୦ରୁ ଅଧିକ ଶିକ୍ଷକ ଓ ୩୦୦ରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପାଇଁ ୩୪ଟି ଶିକ୍ଷକ ପଦ ଆବଶ୍ୟକ ହେଉଥିବା ବେଳେ ଏଠାରେ ଅଛନ୍ତି ମାତ୍ର ୧୦ ଜଣ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ସମେତ ୨୦ଟି ଶିକ୍ଷକ ପଦ ଖାଲିପଡ଼ିଛି। ସରକାରୀ ଚାରୁ ଓ କାରୁକଳା କଲେଜଗୁଡ଼ିକର ବି ଅନୁରୂପ ଅବସ୍ଥା। ରାଜ୍ୟରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମ ଶିକ୍ଷକ ଅଭାବରୁ ଏକପ୍ରକାର କୋମାକୁ ଯିବାରେ ଲାଗିଛି। ଚଳିତ ଶିକ୍ଷାବର୍ଷ ଆରମ୍ଭ ସୁଦ୍ଧା ଏସ୍‌ସିବିରେ ୧୦୮, ବୁର୍ଲାର ଭୀମ୍‌ସାରରେ ୧୦୪, ବ୍ରହ୍ମପୁର ଏମ୍‌କେସିଜିରେ ୭୫, ବାରିପଦାରେ ୧୫ ଓ କୋରାପୁଟ ସରକାରୀ ମେଡ଼ିକାଲ କଲେଜରେ ୧୨ଟି ଡାକ୍ତରୀ ଶିକ୍ଷକ ପଦ ଖାଲି ପଡ଼ିଛି। ଏ ବର୍ଷ ଖୋଲିଥିବା ବଲାଙ୍ଗୀର ଓ ବାଲେଶ୍ୱରର ସରକାରୀ ମେଡ଼ିକାଲ କଲେଜ କଥା ନ କହିଲେ ଭଲ। ଏଗୁଡ଼ିକରେ ୭୦୦ରୁ ଅଧିକ ଅଣ-ଶିକ୍ଷକ ପଦ ମଧ୍ୟ ଖାଲି। ପୁରୀ, ବଲାଙ୍ଗୀର ଓ ଗଞ୍ଜାମର ଅଙ୍କୁଶପୁରରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ କଲେଜରେ ୭୮ଟି ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୪ଟି ସରକାରୀ ହୋମିଓପାଥିକ ମେଡ଼ିକାଲ କଲେଜରେ ପ୍ରାୟ ୧୨୦ଟି ଶିକ୍ଷକ ପଦବୀ ଖାଲି। ଏଗୁଡ଼ିକରେ ବି ପ୍ରାୟ ୩୦୦ ଅଣଶିକ୍ଷକ ପଦ ଖାଲିପଡ଼ିଛି। ଶିକ୍ଷକ ଓ ଭିତ୍ତିଭୂମି ଅଭାବରୁ ଓଡ଼ିଶାରେ ହୋମିଓପାଥିକର ସ୍ନାତକୋତ୍ତର ପାଠ୍ୟକ୍ରମ ଦୀର୍ଘ ବର୍ଷ ଧରି ବନ୍ଦ ରହିଛି।
ଏବେ କିଛିଦିନ ଧରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ନାରା ଦିଆଚାଲିଛି। ଏହି ବିଭାଗ ଅଧୀନରେ ପ୍ରାୟ ୨୦୦୦ ପଦ ଖାଲି। ରାଜ୍ୟରେ ଥିବା ୩୧ଟି ଯାକ ସରକାରୀ ପଲିଟେକ୍‌ନିକ୍‌ ଓ ଇଞ୍ଜିନିୟରିଂ ସ୍କୁଲରେ ଜଣେ ହେଲେ ନିୟମିତ ଅଧ୍ୟକ୍ଷ ନ ଥିବା ବେଳେ ଏଗୁଡ଼ିକରେ ୬୦୦ରୁ ଅଧିକ ପଦବୀ ଖାଲି। ସେହିପରି ରାଜ୍ୟରେ ଥିବା ୪୪ଟି ସରକାରୀ ଆଇଟିଆଇରୁ ୨୪ଟିରେ ନିୟମିତ ଅଧ୍ୟକ୍ଷ ନ ଥିବା ବେଳେ ପ୍ରାୟ ୫୦୦ ପଦ ଖାଲି। ବିଶ୍ୱ ବିସ୍ମୟ ବିଶ୍ୱବିଦ୍ୟାଳୟ ଭାବେ ଚର୍ଚ୍ଚିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଲାଗି ୨୫ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦ ଥିବାବେଳେ ଏଠାରେ ଜଣେ ହେଲେ ପ୍ରଫେସର ନାହାନ୍ତି। ମାତ୍ର ୪ ଜଣ ଶିକ୍ଷକଙ୍କୁ ନେଇ ଏହି ବିଶ୍ୱବିଦ୍ୟାଳୟ ଚାଲିଛି। ଏହା ଅଧୀନରେ ଥିବା ୫ଟି ସରକାରୀ ଇଞ୍ଜିନିୟରିଂ କଲେଜରେ ୨୦୦ରୁ ଅଧିକ ଶିକ୍ଷକ ପଦ ଖାଲି। ବୁର୍ଲାର ଭିସୁଟ୍‌ରେ ୮୬ଟି, ସରାଙ୍ଗର ଆଇଜିଆଇଟିରେ ୫୭ଟି ଶିକ୍ଷକ ପଦ ମଧ୍ୟ ଖାଲି। ଏ ସବୁରେ ବହୁ ସଂଖ୍ୟକ ଅଣ ଶିକ୍ଷକ ପଦ ବି ଫାଙ୍କା। ଏ ସମସ୍ତ ପରିସଂଖ୍ୟାନ ବିଧାନସଭାରେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।
ଗତ ଜନଗଣନାର ହିସାବ ଅନୁଯାୟୀ କୋଟିଏରୁ ଅଧିକ ନିରକ୍ଷରଙ୍କ ବୋଝ ବୋହୁଛି ଓଡ଼ିଶା। ବିପନ୍ନ ସ୍ଥିତିରେ ଥିବା ଶିକ୍ଷା ବ୍ୟବସ୍ଥାରୁ ବାହାରୁଥିବା ଅପାଠୁଆ ଓ ଅଧାପାଠୁଆମାନଙ୍କ ସଂଖ୍ୟା ମିଶାଇ ଦେଲେ ଏହା କେତେ ହେବ ତାହା ସରକାର ହିଁ କହିପାରିବେ। ରାଜ୍ୟରେ ଲକ୍ଷାଧିକ ସରକାରୀ ଚାକିରି ଖାଲି ପଡ଼ିଥିବା ବେଳେ ନିଯୁକ୍ତି ନ ପାଇ ଲକ୍ଷଲକ୍ଷ ବେକାର ଯୁବକଯୁବତୀଙ୍କ ବୟସ ଅତିକ୍ରମ କରିଯାଉଛି। ଅଥଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ,, ସଙ୍ଗୀତ ମହାବିଦ୍ୟାଳୟରୁ ଆରମ୍ଭ କରି ଅନ୍ୟ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ। ସତେ ଯେମିତି ସରକାରୀ ବ୍ୟବସ୍ଥା ଏଠି ମା’ ପେଟରୁ ମେଧାକୁ ମାରି ଟଙ୍କିକିଆ ଚାଉଳ ପଥି ଦେଉଛି। ଅଥଚ ନିଜ ପିଲାଙ୍କ ଭବିଷ୍ୟତ ମରି ଯାଉଥିବା ବେଳେ ଲୋକେ ସମ୍ମିଳିତ ସ୍ୱର ଉଠାଉ ନାହାନ୍ତି। ଛାତ୍ର ସଂସଦଗୁଡ଼ିକଠାରୁ ଆରମ୍ଭ କରି ଛାତ୍ର ସଙ୍ଗଠନ, ରାଜନୈତିକ ଦଳ ଏବଂ ସାମାଜିକ ସଙ୍ଗଠନମାନେ ବି ଏ ପ୍ରସଙ୍ଗରେ ନିରବ। ଫଳରେ ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ଉଠୁଛି। ସକାରାତ୍ମକ ମନୋଭାବ ନେଇ ମୂଳରୁ ଚୂଳ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାନଗଲେ ସରକାରୀ ହିସାବ ଖାତାରେ ଦେଶର ସବୁଠାରୁ ପଛୁଆ ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶା ଆହୁରି ପଛୁଆ ହୋଇଯିବ। ଏହି ଗୁରୁତର ସମସ୍ୟା ସମାଧାନ ପାଇଁ ସଂକୀର୍ଣ୍ଣ ରାଜନୀତିରୁ ଊର୍ଦ୍ଧ୍ବରେ ରହି ସବୁ ବର୍ଗର ଲୋକେ, ବିଶେଷ କରି ଛାତ୍ର ଓ ଯୁବକମାନେ ସ୍ୱର ଉତ୍ତୋଳନ ନ କଲେ ଏହି ଗୁରୁତର ବ୍ୟାଧି ବଢ଼ି ଚାଲିବ ସିନା କମିବ ନାହିଁ।

Leave A Reply