ମନର ସ୍ଥିତି

0

ବିମ୍ବିସାର ଭଗବାନ ମହାବୀରଙ୍କ ଦର୍ଶନ ଉଦ୍ଦେଶ୍ୟରେ ଯାଉଥାନ୍ତି। ଯିବା ସମୟରେ ଅକସ୍ମାତ ଦେଖିବାକୁ ପାଇଲେ ଧ୍ୟାନରେ ବସିଥିବା ଜନୈକ ଜଟାଜୁଟଧାରୀ ସନ୍ନ୍ୟାସୀଙ୍କୁ। ସନ୍ନ୍ୟାସୀଙ୍କୁ ଦେଖିଲାମାତ୍ରେ ବିମ୍ବିସାରଙ୍କ ଆଗ୍ରହ ହେଲା ତାଙ୍କୁ ସାକ୍ଷାତ କରି କଥା ହେବା ପାଇଁ। ସାଧକଙ୍କ ନିକଟକୁ ଯାଇ ପ୍ରତୀକ୍ଷା କଲେ। ଧ୍ୟାନଭଗ୍ନ ହେବାରୁ ପ୍ରଣାମ କରି ନିଜର ପରିଚୟ ଦେଲେ। ସାଧକଙ୍କ ସହ ବାର୍ତ୍ତାଳାପରୁ ଜାଣିଲେ ଯେ ସେ ଏକ କ୍ଷୁଦ୍ର ରାଜ୍ୟର ଅଧିଶ୍ବର ଥିଲେ। ବିଷୟବାସନା ପ୍ରତି ବୈରାଗ୍ୟ ଆସିବାରୁ ଜୀବନର ଉତ୍ତରାର୍ଦ୍ଧରେ ପୁତ୍ର ହାତରେ ରାଜ୍ୟଭାର ସମର୍ପଣ କରି ବାନପ୍ରସ୍ଥ ବ୍ରତ ଅବଲମ୍ବନ କରୁଛନ୍ତି। ବିମ୍ବିସାର ତାଙ୍କଠାରୁ ବିଦାୟ ନେଇ ମହାବୀରଙ୍କୁ ଭେଟିଲେ। ମହାବୀରଙ୍କସହ ସାକ୍ଷାତ୍‌ବେଳେ ବିଶେଷ କୌତୂହଳବଶତଃ ତାଙ୍କୁ ସାଧକଙ୍କ କଥା କହି ପ୍ରଶ୍ନ କରିଥିଲେ- ଯଦି ସାଧକ ଏବେ ଶରୀର ତ୍ୟାଗ କରନ୍ତି ତା’ହେଲେ କେଉଁ ଗତି ଲାଭ କରିବେ?
‘ଘୋର ନରକରେ ପଡ଼ିବେ’- ମହାବୀର ଉତ୍ତର ଦେଲେ। ବିମ୍ବିସାରଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ମନେମନେ ଭାବିଲେ ବୋଧହୁଏ ମହାବୀର ଅନ୍ୟକିଛି ପ୍ରସଙ୍ଗ ଉପରେ ଏହିମତ ଦେଇଛନ୍ତି। ପୁନଃ ପ୍ରଶ୍ନ କଲେ ମୁଁ ସେହି ତପସ୍ବୀ, ସାଧକଙ୍କ କଥା କହୁଥିଲି। ତାଙ୍କର କ’ଣ ଗତି ହେବ?
ମହାବୀର କହିଲେ ହଁ ହଁ ମୁଁ ତାଙ୍କରି କଥା ତ କହୁଛି। ‘ଏବେ ମୃତ୍ୟୁଲାଭ କଲେ ସ୍ବର୍ଗଲୋକ ଯିବେ।’ ବିମ୍ବିସାରଙ୍କୁ ଏହା ଆହୁରି ଆଶ୍ଚର୍ଯ୍ୟ ଲାଗିଲା। ଏବେ କହୁଥିଲେ ଘୋର ନରକରେ ପଡ଼ିବେ, କିଛିକ୍ଷଣ ପରେ କହୁଛନ୍ତି ସ୍ବର୍ଗଲୋକ। ବଡ଼ ବିଚିତ୍ର ମତ। ଦ୍ବିଧା ଦୂର କରିବାକୁ ଯାଇ କହିଲେ- ପୁଣିଥରେ ଦେଖି କୁହନ୍ତୁ ସେ ତପସ୍ବୀ କ’ଣ ସତରେ ସ୍ବର୍ଗଲୋକର ଅଧିକାରୀ ହେବେ। ‘ସେ ସିଦ୍ଧ ପୁରୁଷମାନଙ୍କ ଲୋକଙ୍କୁ ହିଁ ଯିବେ’- ମହାବୀରଙ୍କ ଉତ୍ତର ଥିଲା। କିଛିକ୍ଷଣ ଭିତରେ ପ୍ରଶ୍ନର ତିନିଟି ଭିନ୍ନଭିନ୍ନ ଉତ୍ତରରେ ବିମ୍ବିସାର ବିସ୍ମୟାଭିଭୂତ ହୋଇଯାଇଥିଲେ। ସେ ବିସ୍ମୟ ବିସ୍ଫାରିତ ନେତ୍ରରେ ମହାବୀରଙ୍କୁ ଅନାଇ ରହିଲେ।
ତାଙ୍କର ଶଙ୍କା ଦୂର କରିବାକୁ ଯାଇ ମହାବୀର କହିଥିଲେ- ମୋର ଉତ୍ତର ନେଇ ବହୁତ ସନ୍ଦିହାନ ଅଛନା। ହେଲେ ଶୁଣ, ଯେତେବେଳେ ପ୍ରଥମେ ତୁମେ ମୋତେ ପ୍ରଶ୍ନ କଲ, ସେ ସମୟରେ ରାଜଦରବାରରୁ ଜଣେ ମନ୍ତ୍ରୀ ଆସି ସାଧକଙ୍କୁ କହିଥିଲା- ରାଜ୍ୟ ଉପରେ ଶତ୍ରୁ ଆକ୍ରମଣ କରିଛନ୍ତି। ଅନେକ ପ୍ରଜାଙ୍କୁ ହତ୍ୟା କରିସାରିଲେଣି। ଆପଣ ପୁତ୍ର, ପୁତ୍ରବଧୂ ନିହତ ହୋଇଛନ୍ତି। ତପସ୍ବୀଙ୍କଠାରେ ପୂର୍ବର କ୍ଷତ୍ରିୟୋଚିତ ଗୁଣ ହଠାତ୍‌ ବିକଶିତ ହେଲା। ‘ଆଣ ତରବାରୀ’ କହି ସେ ସାଧନା ସ୍ଥଳରୁ ତଡ଼ିତ୍‌ ବେଗରେ ଉଠିପଡ଼ିଲେ। ଏଥିପାଇଁ ମୁଁ କହିଥିଲି ନରକଗାମୀ ହେବେ ବୋଲି। ପର ମୁହୂର୍ତ୍ତରେ ତାଙ୍କର ଚୈତ​‌େ​‌ନ୍ୟାଦୟ ହେଲା। ସେ ନିଜକୁ ସୁଧାରିନେଇ କହିଥିଲେ- ‘ଶିରରେ ଜଟା- କୃଚ୍ଛ୍ରସାଧନା, କାହାର ପୁଅ, କାହାର ବୋହୂ, କାହାର ରାଜ୍ୟ, କିଏ ରାଜା- ଏ ସବୁରୁ କ’ଣ ବା ମିଳିବ ମୋତେ? ମୁଁ ନିଜ ମାର୍ଗରେ ହିଁ ଯିବି।’ ଏହା ମନରେ ଚିନ୍ତା କରି ପ୍ରକୃତିସ୍ଥ ହେଲେ। ସେଇ କାରଣରୁ ମୁଁ କହିଥିଲି ସ୍ବର୍ଗଲୋକ ଯିବେ ବୋଲି। ଶେଷରେ ସେ ଭାବିଲେ ‘ମୁଁ ମୋର କର୍ମଫଳ ଭୋଗ କରିସାରିଲିଣି। ଅନ୍ତିମ ଅବସ୍ଥାରେ ବାନପ୍ରସ୍ଥ ବ୍ରତ ଆଚରଣ କରୁଛି। ଅନ୍ତିମ ପୀଡ଼ା ଭୋଗ କରିସାରିଲିଣି। ଏବେ ତ ମୁଁ ଜୀବନ୍ମୁକ୍ତ।’ ଏହି କାରଣରୁ ମୁଁ କହିଥିଲି ସେ ମୁକ୍ତ ହୋଇଗଲେ ବୋଲି। ବିମ୍ବିସାର ମହାପୁରୁଷଙ୍କ କଥାରୁ ଏହି ସତ୍ୟତା ଉପଲବ୍ଧି କରିଥିଲେ ଯେଭଳି ମନସ୍ଥିତିରେ ଜଣେ ଜିଇଥାଏ ସେହିଭଳି ତା’ର ଗତି ହୋଇଥାଏ।

Leave A Reply