ଦୁର୍ବଳ ଟଙ୍କା

0

ଗୁରୁବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ଐତିହାସିକ ନିମ୍ନସ୍ତରକୁ ଛୁଇଁ ୭୦ ଟଙ୍କା ୩୮ ପଇସାରେ ପହଞ୍ଚିଥିଲା। ଗତ ମଙ୍ଗଳବାର ସ୍ବାଧୀନ ଭାରତର ଇତିହାସରେ ପ୍ରଥମଥର ପାଇଁ ଏହା ୭୦ ଟଙ୍କାରୁ ନିମ୍ନସ୍ତର ହାସଲ କରିଥିଲା। ଅବଶ୍ୟ କେବଳ ଭାରତର ଟଙ୍କା ନୁହେଁ, ଅନ୍ୟ ଦେଶର ମୁଦ୍ରାର ମଧ୍ୟ ମୂଲ୍ୟହ୍ରାସ ଚିନ୍ତାର ବିଷୟ ହୋଇଛି। ଆମେରିକା ଓ ତୁର୍କୀ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତ ସମ୍ବନ୍ଧ ଏହାର ଏକ ବଡ଼ କାରଣ। ମାମଲାଟି ସଂପୂର୍ଣ୍ଣ ରାଜନୈତିକ ହେଲେ ହେଁ ତା’ର ପ୍ରଭାବ ଆର୍ଥିକ ସ୍ତରରେ ଅନୁଭୂତ ହେଉଛି। ଗତ ଦୁଇବର୍ଷ ଧରି ଜେଲରେ ଥିବା ଜଣେ ଆମେରିକୀୟ ନାଗରିକ ଓ ଚର୍ଚର ପାଷ୍ଟର ଆଣ୍ଡ୍ର୍ୟୁ ବ୍ରୁନସନଙ୍କୁ ମୁକ୍ତ କରିବାକୁ ଆମେରିକା କହିଥିବାବେଳେ ତୁର୍କୀ ତାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଏହାପରେ ଆମେରିକା ପ୍ରତିଶୋଧମୂଳକ ପଦକ୍ଷେପ ନେବା ଆରମ୍ଭ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୀମା ଶୁଳ୍କ ବଢ଼ାଇଦେବା ସହ ତୁର୍କୀରୁ ଆମେରିକାକୁ ଆମଦାନୀ କରାଯାଉଥିବା ଇସ୍ପାତ ଓ ଆଲୁମିନିୟମ ଉପରେ ଆମଦାନୀ ଶୁଳ୍କକୁ ଦୁଇଗୁଣ କରିଦେଇଛନ୍ତି। ଏହି ଦୁଇଟି ଧାତୁର ରପ୍ତାନୀ ହିଁ ତୁର୍କୀର ବିଦେଶୀ ମୁଦ୍ରା ଆୟର ମୁଖ୍ୟ ସାଧନ। ଏହାର ପରିଣାମସ୍ବରୂପ ତୁର୍କୀର ମୁଦ୍ରା ଲୀରାର ଘୋର ମୂଲ୍ୟହ୍ରାସ ଘଟିଛି। ତା’ର ମୂଲ୍ୟ ପ୍ରାୟ ୨୦ ଶତାଂଶ ହ୍ରାସ ପାଇସାରିଥିବାବେଳେ ସେପଟେ ମୁଦ୍ରାସ୍ଫୀତି ୧୫ ଶତାଂଶ ବୃଦ୍ଧି ପାଇଛି। ସମସ୍ୟା ହେଉଛି, ଏହାର କୁପ୍ରଭାବ କେବଳ ତୁର୍କୀ ନୁହେଁ, ସମଗ୍ର ବିଶ୍ବର ଅର୍ଥବ୍ୟବସ୍ଥା ଉପରେ ଅଳ୍ପବହୁତେ ପଡ଼ିଛି। ଆମେରିକାର ଗୋଟିଏ ପଦକ୍ଷେପ ଏବେ ସମଗ୍ର ବିଶ୍ବର ଆର୍ଥିକ ସ୍ଥିତିକୁ ଅସ୍ଥିର କରିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏହି ନୀତି ଯେ ଆଗକୁ ଖୋଦ୍ ଆମେରିକା ପାଇଁ କ୍ଷତିକାରକ ସାବ୍ୟସ୍ତ ନହେବ, ତାହା କହିହେଉ ନାହିଁ; କାରଣ ତା’ର ସମଗ୍ର ବ୍ୟବସ୍ଥା ମୁକ୍ତ ଅର୍ଥବ୍ୟବସ୍ଥାର ମୂଲ୍ୟ ଉପରେ ଦଣ୍ଡାୟମାନ। ଭାରତ ଏହି ସଙ୍କଟରୁ କିପରି ମୁକୁଳିବ, ସେଥିପାଇଁ ଚିନ୍ତା କରିବା ଦରକାର।

Leave A Reply