ଏସୀୟ କ୍ରୀଡ଼ାରେ ଭାରତର ଅବଦାନ

0

ବିଜନ କୁମାର ମହାପାତ୍ର

ଅଲିମ୍ପିକ୍ସ ପରେ ଯଦି ଅନ୍ୟ କୌଣସି ଭବ୍ୟ କ୍ରୀଡା ମହାକୁମ୍ଭକୁ କ୍ରୀଡାପ୍ରେମୀ ଅନେଇ ବସିଥାଆନ୍ତି, ତାହା ହେଲା ଏସୀୟ କ୍ରୀଡା (ଏସିଆନ ଗେମ୍ସ) । ବିଶ୍ବର ବୃହତ୍ତମ ବହୁକ୍ରୀଡା ବିଶିଷ୍ଟ ମହାଦେଶୀୟ ପ୍ରତିଯୋଗିତା ମଧ୍ୟରେ ଏସୀୟ କ୍ରୀଡାର ସ୍ଥାନ ସ୍ବତନ୍ତ୍ର । ଅଲିମ୍ପିକ୍ସ ଢାଞ୍ଚାରେ ହେଉଥିବା ଏହି ମହାଦେଶୀୟ କ୍ରୀଡା ମହାକୁମ୍ଭର ଏ ପର୍ଯ୍ୟନ୍ତ ୧୭ଟି ସଂସ୍କରଣ ଆୟୋଜିତ ହୋଇସାରିଛି । ଏସୀୟ କ୍ରୀଡାର ଅଷ୍ଟାଦଶ ସଂସ୍କରଣ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଓ ପାଲେମବଙ୍ଗ୍‌ରେ ଆୟୋଜିତ ହେବାକୁ ଯାଉଛି। ଚାରି ବର୍ଷ ପରେ ପୁଣି ଏସିଆ ମହାଦେଶର ଆଥଲେଟମାନେ ବିଭିନ୍ନ କ୍ରୀଡାରେ ଶ୍ରେଷ୍ଠତ୍ବ ପାଇଁ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହେବେ । କିଛି ରେକର୍ଡ ଭାଙ୍ଗିବ । କିଛି ନୂଆ ସୃଷ୍ଟି ହେବ । ଭାରତ ମଧ୍ୟ ଏଥର ଏସୀୟ କ୍ରୀଡାରେ ଭାଗ ନେଉଛି । ପଦକ ତାଲିକାର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ଭାରତ ରହିବ ବୋଲି ଆଶା କରାଯାଏ ।
କେଉଁ ଦେଶ ଓ ବ୍ୟକ୍ତି ଏଭଳି ଏକ ମହାଦେଶୀୟ କ୍ରୀଡାର ପରିକଳ୍ପନା କରିଥିଲେ ? ଏସୀୟ କ୍ରୀଡା କଥା ଉଠିଲେ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ । ଏସୀୟ କ୍ରୀଡା ବା ଏସିଆଡ୍ ପଛରେ ଯେ ଭାରତର ଅବଦାନ ରହିଛି, ଏହା ଖୁବ୍ କମ୍ ଲୋକ ହିଁ ଜାଣିଥିବେ । କହିବାକୁ ଗଲେ ଭାରତ ହିଁ ଏସୀୟ କ୍ରୀଡାର ଜନ୍ମଦାତା । ଆଉ ଭାରତ ହିଁ ଥିଲା ସର୍ବପ୍ରଥମ ଏସୀୟ କ୍ରୀଡାର ଆୟୋଜକ । ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଓ ବରିଷ୍ଠ କ୍ରୀଡା ପ୍ରଶାସକ ଗୁରୁଦତ୍ତ ସୋନ୍ଧି ଏସୀୟ କ୍ରୀଡା ପରି ଏହା ମହାଦେଶୀୟ ପ୍ରତିଯୋଗିତାର ପରିକଳ୍ପନା କରିଥିଲେ ।
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପରେ ଏସିଆ ମହାଦେଶରେ ଭାରତ ସମେତ ଅନେକ ଦେଶ ହାସଲ କରିଥିଲେ ସ୍ବାଧୀନତା। ଆଉ ଏହି ଦେଶଗୁଡିକ ମଧ୍ୟରେ ସୃଷ୍ଟି ହୋଇଥିଲା ନୂତନ ଆତ୍ମପ୍ରତ୍ୟୟ । ସବୁକ୍ଷେତ୍ରରେ ଆଗକୁ ବଢିବାର ଅଦମ୍ୟ ଉତ୍ସାହ । ବିଶ୍ବ ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଏସୀୟ ଦେଶଗୁଡିକ ମଧ୍ୟରେ ସଦ୍‌ଭାବ ଓ ସହଯୋଗର ଆବଶ୍ୟକତା ଦେଖାଗଲା । ଆଉ ଏଥିପାଇଁ କ୍ରୀଡା ଏକ ମାଧ୍ୟମ ହୋଇପାରିବ ବୋଲି ଜବାହରଲାଲ୍ ନେହେରୁ କହିଥିଲେ । ୧୯୪୭ ମସିହାରେ ଏସୀୟ ଦେଶଗୁଡିକ ମଧ୍ୟରେ ସଂପର୍କ ବୃଦ୍ଧି ସଂପର୍କିତ ଆୟୋଜିତ ଏକ ସମ୍ମିଳନୀରେ ଜବାହରଲାଲ ନେହେରୁ ଏସିଆନ୍ ସ୍ପୋର୍ଟସ ମିଟ୍ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ । ୧୯୪୮ ମସିହା ଲଣ୍ଡନ ଅଲିମ୍ପିକ୍ସ ଅବସରରେ ଭାରତର ଅଭିଜ୍ଞ କ୍ରୀଡା ପ୍ରଶାସକ ତଥା ଆନ୍ତର୍ଜାତିକ ଅଲିମ୍ପିକ କମିଟି- ଆଇଓସିର ସଦସ୍ୟ ଥିବା ପ୍ରଫେସର ଗୁରୁଦତ୍ତ ସୋନ୍ଧି ଏସୀୟ କ୍ରୀଡା ଆୟୋଜନ ସଂପର୍କରେ ପ୍ରସ୍ତାବ ରଖିଥିଲେ । ସୋନ୍ଧିଙ୍କ ପ୍ରସ୍ତାବ ଉପରେ ବ୍ୟାପକ ବିଚାରବିମର୍ଶ ହୋଇଥିଲା । ପ୍ରଥମ ଏସୀୟ କ୍ରୀଡା ୧୯୪୯ରେ ସାଂଘାଇରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହେଲା; କିନ୍ତୁ ଚୀନ୍ ଗୃହ ଯୁଦ୍ଧ ଯୋଗୁଁ ଏହା ସମ୍ଭବ ହୋଇ ପାରିନଥିଲା । ତେବେ, ଭାରତରେ ଏହି କ୍ରୀଡା ଆୟୋଜନ ପାଇଁ ରାଜି ହୋଇଥିଲେ ସୋନ୍ଧି । ୧୯୪୯ ମସିହାରେ ସୋନ୍ଧିଙ୍କ ନେତୃତ୍ବରେ ପାଟିଆଲା ହାଉସରେ ବସିଥିବା ଏସୀୟ ପ୍ରତିନିଧିଙ୍କ ବୈଠକରେ ଆନୁଷ୍ଠାନିକ ଭାବେ ଗଠନ ହେଲା ଏସିଆନ୍ ଗେମ୍ସ ଫେଡେରେସନ- ଏଜିଏଫ୍ । ଚୀନ୍ ଗୃହ ଯୁଦ୍ଧ ଯୋଗୁଁ ସାଂଘାଇରେ ପ୍ରସ୍ତାବିତ ପ୍ରଥମ ଏସୀୟ କ୍ରୀଡା ଆୟୋଜିତ ହୋଇ ନ ଥିବାରୁ ୧୯୫୦ରେ ଭାରତ ଏହାକୁ ଆୟୋଜନ କରିବା ପାଇଁ ରାଜି ହୋଇଥିଲା । ପ୍ରସ୍ତୁତିରେ ବିଳମ୍ବ ଯୋଗୁଁ ପ୍ରଥମ ଏସୀୟ କ୍ରୀଡା ୧୯୫୧ରେ ହିଁ ସମ୍ଭବ ହୋଇପାରିଥିଲା। ଆଉ ଏ କ୍ଷେତ୍ରରେ ପ୍ରଫେସର ଗୁରୁ ଦତ୍ତ ସୋନ୍ଧିଙ୍କ ଭୂମିକା ଥିଲା ଉଲ୍ଲେଖନୀୟ ।
ଏସୀୟ କ୍ରୀଡାର ପରିକଳ୍ପନା ପୂର୍ବରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ୧୯୧୩ରୁ ୧୯୩୪ ମଧ୍ୟରେ ଫାର୍ ଇଷ୍ଟ୍ ଚାମ୍ପିଅନସିପ୍ ନାମରେ ୧୦ଟି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇସାରିଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେଲା ପରେ ଏହି ପ୍ରତିଯୋଗିତା ବନ୍ଦ ହୋଇଯାଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପୁଣି ଥରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ବିଚାରବିମର୍ଶ ଚାଲିଥିଲା, କିନ୍ତୁ ଏସୀୟ କ୍ରୀଡା ପାଇଁ ଭାରତର ପ୍ରସ୍ତାବକୁ ସମର୍ଥନ ମିଳିଲା ପରେ ଫାର୍ ଇଷ୍ଟ୍ ଚାମ୍ପିଅନସିପ୍‌ର ପୁନଃ ଆୟୋଜନ ଉଦ୍ୟମରେ ଲାଗିଥିଲା ବିରାମ ।
ପ୍ରସ୍ତୁତିରେ ବିଳମ୍ବ ଯୋଗୁଁ ୧୯୫୦ ପରିବର୍ତ୍ତେ ୧୯୫୧ ମସିହାରେ ଆୟୋଜିତ ହୋଇଥିଲା ଏସୀୟ କ୍ରୀଡାର ଉଦ୍‌ଘାଟନୀ ସଂସ୍କରଣ । ନୂଆଦିଲ୍ଲୀ ଥିଲା ସର୍ବପ୍ରଥମ ଏସୀୟ କ୍ରୀଡାର ପ୍ରଥମ ଆୟୋଜକ ସହର । ୧୯୫୧ ମସିହା ମାର୍ଚ୍ଚ ୪ ତାରିଖରେ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଥିଲା ପ୍ରଥମ ଏସିଆନ୍ ଗେମ୍ସ । ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରଥମ ଏସିଆଡ୍‌ରେ ଭାଗ ନେଇଥଲେ ୧୧ଟି ଦେଶର ୪୮୯ ଆଥ୍‌ଲେଟ । ୫୭ଟି ଇଭେଣ୍ଟରେ ହୋଇଥିଲା ପ୍ରତିଯୋଗିତା । ଭାରତ ସମେତ ଆଫଗାନିସ୍ତାନ, ବର୍ମା, ଶ୍ରୀଲଙ୍କା, ନେପାଳ, ଥାଇଲାଣ୍ଡ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର ଓ ଇରାନ୍ ଉଦ୍‌ଘାଟନୀ ସଂସ୍କରଣରେ ଭାଗ ନେଇଥିଲେ । ଆଥଲେଟିକ୍ସ, ଆକ୍ବାଟିକ୍ସ, ବାସ୍କେଟବଲ୍, ସାଇକେଲ୍ ଚାଳନା, ଫୁଟବଲ୍ ଓ ୱେଟଲିଫଟିଂରେ ଇଭେଣ୍ଟମାନ ଖେଳାଯାଇଥିଲା । ଗୃହଯୁଦ୍ଧ ଯୋଗୁଁ ଭାଗ ନେଇପାରିନଥିଲା କୋରିଆ । କଟକଣା ଯୋଗୁଁ ଲଣ୍ଡନ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ନ ଥିବା ଜାପାନକୁ ପ୍ରଥମ ଏସିଆନ ଗେମ୍ସରେ ଭାଗ ନେବା ପାଇଁ ଅନୁମତି ଦେଇଥିଲା ଏସିଆନ୍ ଗେମ୍ସ ଫେଡେରେସନ । ଆଉ ଜାପାନ ହିଁ ପ୍ରଥମ ଏସିଆଡ୍‌ରେ ସର୍ବାଧିକ ୨୪ ସ୍ବର୍ଣ୍ଣ ଜିତି ଶୀର୍ଷ ସ୍ଥାନ ହାସଲ କରିଥିଲା । ଜାପାନ ପଛକୁ ପଦକ ତାଲିକାର ଦ୍ବିତୀୟ ସ୍ଥାନରେ ଥିଲା ଆୟୋଜକ ଭାରତ । ଭାରତ ୧୫ଟି ସ୍ବର୍ଣ୍ଣ ସହ ମୋଟ ୫୧ ପଦକ ପାଇଥିଲା । ତୃତୀୟ ସ୍ଥାନରେ ରହିଥିଲା ଇରାନ୍ । ସିଙ୍ଗାପୁରର ସନ୍ତରଣକାରୀ ଏନ.ସି କୋକ୍ ଥଲେ ପ୍ରଥମ ଏସିଆନ୍ ଗେମ୍ସର ପ୍ରଥମ ସ୍ବର୍ଣ୍ଣ ବିଜେତା। ବେଶ୍ ସଫଳ ହୋଇଥିଲା ଏସିଆଡ୍‌ର ପ୍ରଥମ ସଂସ୍କରଣ । ମାର୍ଚ୍ଚ ୧୧ରେ ଉଦଯାପିତ ହୋଇଥିଲା ପ୍ରଥମ ଏସୀୟ କ୍ରୀଡା । ଦିଲ୍ଲୀଠାରୁ ଆରମ୍ଭ ହୋଇଥିବା ଯାତ୍ରାର ପରବର୍ତ୍ତୀ ଷ୍ଟପଓଭର ହେଉଛି ଜାକର୍ତ୍ତା । ଆଗକୁ ବି ଏସୀୟ କ୍ରୀଡାର ଜୟଯାତ୍ରା ଜାରି ରହିବ । ଆଉ ଏଭଳି ଏକ ମହାଦେଶୀୟ କ୍ରୀଡା ପଛରେ ଭାରତର ଅବଦାନକୁ ଭୁଲି ହେବ ନାହିଁ ।
ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର-୮

Leave A Reply