ଆଦିବାସୀଙ୍କ ଗୁଣିଗାରେଡ଼ି ଓ ଆପରାଧିକ ଚେତନାବୋଧ

0

ଦେବ ରଞ୍ଜନ

ଫାଶୀଦଣ୍ଡ କାହାରିକୁ ମିଳିବା ଉଚିତ ନୁହେଁ । ଅନ୍ତତଃ ଏଭଳି ଅପରାଧରେ ତ ଆଦୌ ନୁହେଁ ଯେଉଁଠି ଅପରାଧୀ ଅପେକ୍ଷା ଉକ୍ତ ଅପରାଧ ଲାଗି ବୃହତ୍ତର ସମାଜ ଓ ରାଷ୍ଟ୍ର ବ୍ୟବସ୍ଥା ଅଧିକ ପରିମାଣରେ ଦାୟୀ । ଏହା ସତ୍ୟ ଯେ ଆଦିବାସୀଙ୍କ ଭିତରେ ଥିବା ଗୁଣିଗାରେଡି ଚିନ୍ତାଧାରା ଏକ ଅବୈଜ୍ଞାନିକ ଚିନ୍ତାଧାରା ଓ ଏହା ମଧ୍ୟ ସତ୍ୟ ଯେ ଗୁଣଗାରେଡି ସନ୍ଦେହରେ ଯେଉଁ ହତ୍ୟାକାଣ୍ଡମାନ ଘଟୁଛି ତାହା ଅପରାଧଭୁକ୍ତ । ମାତ୍ର ଏହା ବିରଳରୁ ବିରଳତମ ହତ୍ୟାକାଣ୍ଡ ନୁହେଁ ଯେଉଁଥିପାଇଁ ଅପରାଧୀକୁ ମୃତ୍ୟୁଦଣ୍ଡ ଦିଆଯାଇପାରିବ । ଯଦି ବି ମୃତ୍ୟୁଦଣ୍ଡ ଦିଆଯାଉଛି (ଅତୀତରେ ଜେଲଦଣ୍ଡ ଦିଆଯିବା ସତ୍ତ୍ବେ) ତେବେ ବି ଆଦିବାସୀ ସମାଜ ଏହାକୁ ଏକ ଅପରାଧ ବୋଲି ଧରୁନାହିଁ ଓ ଏଭଳି କାର୍ଯ୍ୟରୁ ନିବୃତ୍ତ ରହୁନାହିଁ କାରଣ ତା’ ଦୃଷ୍ଟିରେ ଏହା ଅପରାଧ ନୁହେଁ ବରଂ ଏକ ପ୍ରତିଶୋଧ ଯାହା ସ୍ବାଭାବିକ । ମୁଖ୍ୟଧାରାର ବିଚାର ବ୍ୟବସ୍ଥା ଓ ଆଦିବାସୀ ପରମ୍ପରା ଅନୁସାରେ ସେମାନଙ୍କ ମଧ୍ୟରେ ଥିବା ବିଚାର ବ୍ୟବସ୍ଥାରେ କିଛି ଫରକ ରହିଛି । ଯେଉଁଠି ନାରୀ ଅତ୍ୟାଚାର ନାହିଁ, ଧର୍ଷଣ ଭଳି ଶବ୍ଦ ମଧ୍ୟ ଆଦିବାସୀ ଶବ୍ଦକୋଷରେ ନାହିଁ , ଯେଉଁଠି ଜାତି ପ୍ରଥା, ବିଧବା ପ୍ରଥା ଭଳି ସାମାଜିକ ଅସମାନତା ନାହିଁ , ପୁଣି ଯେଉଁଠି ଡକାୟତି, ଗୃହଦାହ ଭଳି ଅପରାଧ ଦେଖାଯାଏ ନାହିଁ ସେଠାରେ ପୁଣି ଗୁଣିଗାରେଡି ଅପରାଧକୁ ପାରମ୍ପରିକ ଭାବରେ ଆଇପିସିର ସଂଜ୍ଞା ଅପେକ୍ଷା ଭିନ୍ନ ଭାବରେ ଦେଖାଯିବା ଆବଶ୍ୟକ। ଦେଶର ବିକାଶ ଲାଗି ଯଦି ବହୁ ବୃହତ ପ୍ରକଳ୍ପ ଏହି ଆଦିବାସୀ ଅଞ୍ଚଳରେ ହେଲା ପରେ ବି ଗୁଣିଗାରେଡି ଭଳି ବିଶ୍ବାସ ଆଦିବାସୀ ମଧ୍ୟରେ ରହୁଛି ତେବେ ସଭ୍ୟ ସମାଜ ନିଜକୁ ମଧ୍ୟ ପ୍ରଶ୍ନ କରିବା ଜରୁରୀ ।
ଆଦିବାସୀଙ୍କ ମଧ୍ୟରେ ଥିବା ଗୁଣିଗାରେଡି ସମସ୍ୟାକୁ ବୁଝିବା କଷ୍ଟକର । ଏଠାରେ ଆକ୍ରମଣକାରୀ ଓ କ୍ଷତିଗ୍ରସ୍ତ ପରିବାର, ଉଭୟ ଆଦିବାସୀ ସଂପ୍ରଦାୟର ଓ ନି​‌େ​‌ଜ ଜାଣିଥିବା ବ୍ୟକ୍ତି । ଅଳ୍ପ କେଉଁଠି ଏହାର ବ୍ୟତିକ୍ରମ ହୁଏତ ଥାଇପାରେ। ଗୋଟେ ପରିବାରର କୌଣସି ସଦସ୍ୟ କ୍ରମାଗତ ଭାବରେ କୌଣସି ଏକ ବେମାରିରେ ପଡିଲା ପରେ ଓ ଏହାର ଚିକିତ୍ସା ସତ୍ତ୍ବେ (ସରକାରୀ ହେଉ ଅଥବା ବେସରକାରୀ) ଭଲ ନହେଲେ ସନ୍ଦେହ ହୁଏ ଯେ ନିଜ ଲୋକଟିକୁ କେହି ଗୁଣି କରିଦେଇଛି । ବେମାରରେ ପଡିଥିବା ବ୍ୟକ୍ତିର ପରିବାର ନିକଟସ୍ଥ କୌଣସି ଗୁଣିଆ ବା ଦିଶାରୀକୁ ସମ୍ପର୍କ କରିଥାନ୍ତି ଓ ସେ ଯେଉଁ ବ୍ୟକ୍ତିର ବର୍ଣ୍ଣନା ଥାଏ ସେହି ଭଳି ବ୍ୟକ୍ତି ଆକ୍ରମଣର ଶିକାର ହୋଇଥାଏ । ଏହା ବ୍ୟତୀତ ଗାଁରେ ଯଦି କେହି ବ୍ୟକ୍ତି ପୂର୍ବରୁ ଅନ୍ୟ କାହାକୁ ଡରାଇବା ଲାଗି “ଗୁଣି କରିଦେବି”, “ଗୁଣି କରିଦେବି” ବୋଲି ଧମକାଇ ଥାଏ ତେବେ ଉପରୋକ୍ତ ପରିବାର ସଦସ୍ୟ ତା’କୁ ସନ୍ଦେହ କରିଥାନ୍ତି । ଏହା ପରେ ବେମାର ଭଲ ନହେଲେ ସେମାନେ ସେହି ପରିବାର ଉପରେ ସଂଗଠିତ ହୋଇ ଆକ୍ରମଣ କରିଥାନ୍ତି । ଯଦି ବେମାର ପଡିଥିବା ବ୍ୟକ୍ତି ମରିଯାଏ ତେବେ ଗୁଣି ସନ୍ଦେହରେ ଉକ୍ତ ଲୋକକୁ ହତ୍ୟା କରିବା ନିଶ୍ଚିତ । ଏହାକୁ ଆଦିବାସୀ ବୁଝେ ନାହିଁ ଯେ ଏହା ଅପରାଧ । ତାକୁ ଲାଗେ ଯେ ଯଦି ସେ ଗୁଣି କରି କାହାରିକୁ ହତ୍ୟା କଲା ତେବେ ତା’କୁ ହତ୍ୟା କରିବା ଅପରାଧ କେମିତି ?ଏହା ଠିକ କୌଣସି ମୂର୍ତ୍ତି ପୂଜକର ବିଶ୍ବାସ ପରି। ଯେତେ କୁହ ଯେ ତାହା ପଥର ଅଥବା କାଠ, କିନ୍ତୁ ରଙ୍ଗ ଦିଆ ପଥର ପାଖରେ ଯେମିତି ସେ ନିଶ୍ଚେ ମୁଣ୍ଡିଆ ମାରିବ ସେମିତି ଆଦିବାସୀ ଭାବିଥାଏ ଯେ ଗୁଣି ମାଧ୍ୟମରେ କେହି ବି କାହାରିକୁ ହତ୍ୟା କରିପାରିବ । ଏଭଳି ମାନସିକତାକୁ ଆପଣ ଅଣଆଦିବାସୀକୃତ ଡକାୟତି, ହତ୍ୟା, ଚୋରି ଓ ଧର୍ଷଣ ତୁଲ୍ୟ ଦେଖିବେ ନା ଏକ କୁସଂସ୍କାର ଭାବରେ ଦେଖି ଏହାର ସଂସ୍କାର ପାଇଁ ଉଦ୍ୟମ କରିବେ ?
ନିଜ ଅନୁଭୂତିରୁ ଏକ ଉଦାହରଣ। ରାୟଗଡା ଜେଲରେ ୨୦୧୬ରେ ଯେଉଁ ୨୦୦ ପାଖାପାଖି କଏଦୀ ଥିଲେ (ପ୍ରକୃତ ସାମର୍ଥ୍ୟ ୯୦) ସେଥିରୁ ୪୪ ଜଣ କେବଳ ଗୁଣି ସନ୍ଦେହରେ ନିଜ ଗାଁରେ କାହାରିକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ କଏଦୀ ଜୀବନ ବିତାଉଥିଲେ । ସେଥିରୁ ବେଶ କେତେକ ଯୁବକ ଥିଲେ ଓ ମାଟ୍ରିକ ପାସ୍‌ ମଧ୍ୟ କରିଥିଲେ । ଆଜି ସେମାନଙ୍କୁ କାହାରିକୁ ହୁଏତ ଆଜୀବନ କାରାଦଣ୍ଡ ଅଥବା ମୃତ୍ୟୁଦଣ୍ଡ ଦିଆଯାଇଥିବ । ଦୀର୍ଘ ଆଲୋଚନା ପରେ ଶେଷରେ ସେମାନେ କହିଥିଲେ ଯେ, ଯଦି ନିୟମିତ ଡାକ୍ତରୀ ଚିକିତ୍ସାର ସୁବିଧା ତାଙ୍କ ଗାଁ ପାଖରେ ପହଞ୍ଚି ପାରୁଥାନ୍ତା ତେବେ ସେମାନେ ଏଭଳି ପଦକ୍ଷେପ କଦାପି ନେଇନଥାନ୍ତେ । ଏବେ ଆପଣ କାହାକୁ ଦୋଷ ଦେବେ ସେହି ଯୁବକମାନଙ୍କୁ ନା ଆମର ସମ୍ବେଦନହୀନ ଶାସନ ବ୍ୟବସ୍ଥାକୁ ?
ପ୍ରଶ୍ନ ହେଲା ଯେ ଭାରତରେ ଯଦି ଆଦିବାସୀମାନେ ଆଦିବାସୀ ନହୋଇ ହିନ୍ଦୁ ଉଚ୍ଚ ଜାତିର ହୋଇଥାନ୍ତେ ଯେଉଁ ଜାତିରୁ ଅଧିକ ଡାକ୍ତର, ପ୍ରଶାସକ, ଅଧ୍ୟାପକ, ବିଚାରପତି, ସାମ୍ବାଦିକ ଓ ରାଜନେତା ଆସିଛନ୍ତି ତେବେ ସେମାନେ ଏହି ଅପରାଧ କରିଥାନ୍ତେ କି? ହୁଏତ ସେମାନେ ସରକାରୀ ଅନୁଷ୍ଠାନରେ ଉଚ୍ଚ ଶିକ୍ଷା ପାଇ ଓ ରାଷ୍ଟ୍ରର ବିଭିନ୍ନ ପ୍ରୋତ୍ସାହନ ଦ୍ବାରା କାହିଁ କେଉଁ ଉଚ୍ଚ ପଦରେ ଅଧିଷ୍ଠିତ ହୋଇଥାନ୍ତେ । ଦୁଃଖର କଥା ହେଉ ଅଥବା ସୁଖର କଥା ଯେ ଉଚ୍ଚ ଜାତି ଭଳି ଆଦିବାସୀ ବହୁତ କମ ସଂଖ୍ୟାରେ ରାଷ୍ଟ୍ର ବ୍ୟବସ୍ଥା ଓ ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥାର ଦାସତ୍ବ ସ୍ବୀକାର କରିଛନ୍ତି। ସେଥିପାଇଁ ୨୦୦୦ ବର୍ଷର କ୍ରମାଗତ ଆକ୍ରମଣ ସତ୍ତ୍ବେ ଏବେ ବି ନିଜ ସଂସ୍କୃତି ଓ ପରମ୍ପରାକୁ ନେଇ ସେମାନେ ବଞ୍ଚିପାରିଛନ୍ତି । ଅବଶ୍ୟ ସେବର ଆଦିବାସୀ ଓ ଆଜିର ଆଦିବାସୀ ମଧ୍ୟରେ ପରିବର୍ତ୍ତନ ହୋଇଛି । ସେବର ଆଦିବାସୀ ଗଛର ବିଭିନ୍ନ ଚେର ଓ ଫଳ ଖାଇ ବଞ୍ଚିବା ଅପେକ୍ଷା ଏକ କୃଷକ-ଆଦିବାସୀରେ ପରିଣତ ହୋଇଛି । ମାତ୍ର ଏବେ ବି ନିଜ ପରମ୍ପରାର ଅମାନବୀୟ ଗୁଣକୁ ପ୍ରଶ୍ନ କରିବାର ସାମର୍ଥ୍ୟ ଆଦିବାସୀ ସମାଜ ରଖିପାରି ନାହିଁ ।
ଭାରତୀୟ ଶାସନ ବ୍ୟବସ୍ଥା ଆଦିବାସୀ ପ୍ରତି ଏକ ରାଜାତୁଲ୍ୟ ବ୍ୟବହାର କରୁଛି , କେତେବେଳେ ପ୍ରଶଂସା କରିଚାଲୁଛି ତ ପୁଣି ସମାନ ସମୟରେ ହତ୍ୟା,ଏନକାଉଣ୍ଟର ଓ ଗୃହଦାହ କରିଚାଲିଛି । ଭାରତ ଶାସନ ବ୍ୟବସ୍ଥା ଆଦିବାସୀ ସମସ୍ୟାକୁ ଆଦିବାସୀର ଦୃଷ୍ଟିରେ ବହୁତ କମ ଦେଖିବାକୁ ଚେଷ୍ଟା କରିଛି । ଏ କଥାକୁ ସ୍ବୀକାର କରିବା ଜରୁରୀ ଯେ ଆଦିବାସୀ ଅଞ୍ଚଳରେ ସରକାରୀ ସ୍ୱାସ୍ଥ୍ୟ ସେବା ଆଦୌ ନିୟମିତ ଓ ଭରସାଯୋଗ୍ୟ ନୁହେଁ । ଏଥିପାଇଁ ଅର୍ଥ ଆକାରରେ ବେଶ କିଛି ଖର୍ଚ୍ଚ ମଧ୍ୟ କରିବାକୁ ପଡିଥାଏ। ଯେତେଶୀଘ୍ର ଜଣେ ଅଣ-ଆଦିବାସୀ ନିଜ ଘରୁ ବା ପକେଟରୁ ଟଙ୍କା ଖର୍ଚ୍ଚ କରି କୌଣସି କାର୍ଯ୍ୟ କରିଥାଏ ସେତେ ଶୀଘ୍ର ଜଣେ ଆଦିବାସୀ ପାଇଁ ତାହା ସମ୍ଭବ ହୁଏ ନାହିଁ । ଥରେଥରେ ଗାଁରେ ନକଲି ଡାକ୍ତର ପାଖରେ ଗୋଟେ ସାଲାଇନ ଦେବା ଲାଗି ଗୋଟେ ବସ୍ତା ମାଣ୍ଡିଆ ବା ଗୋଟେ ବସ୍ତା ମକା ଆଦିବାସୀକୁ ବିକିବାକୁ ପଡିଥାଏ । ସିଏ ସେହି ମାଣ୍ଡିଆ ଓ ମକାରେ ଅନ୍ୟ ସମସ୍ତଙ୍କୁ ଖାଦ୍ୟ ଦେବ ନା ତା’ର ଗୋଟେ ପିଲାକୁ ସାଲାଇନ ଦେବ ? ଦିନକୁ ଦିନ ଆଦିବାସୀ ଅର୍ଥ ସଙ୍କଟରେ ଅଧିକରୁ ଅଧିକ ରହୁଛି ଓ ତାହାର ପ୍ରାକୃତିକ ପରିବେଶ ମଧ୍ୟ ଆଉ ତା’ର ହୋଇ ରହିନାହିଁ। ଏପଟେ ଚିକିତ୍ସାର ଘରୋଇକରଣ ଏହାକୁ ଅର୍ଥବହୁଳ କରିଦେଇଛି ।
ଭାରତର ବିକାଶ ଦୀର୍ଘ ଡ୍ୟାମ ଓ ଜଳ ବିଦ୍ୟୁତ ପ୍ରକଳ୍ପ, ବୃହତ କାରଖାନା ସାଙ୍ଗକୁ ବୃହତ ଖଣିକୁ ବାଦ ଦେଇ କଳ୍ପନା କରିବା ଅସମ୍ଭବ । ଆମେ ସମସ୍ତେ ବହୁ ସମୟରେ ଆଲୋଚନା କରିଥାଉ ଯେ ଏହି ପ୍ରକଳ୍ପ ସବୁ ଆଦିବାସୀ ଅଞ୍ଚଳରେ ହୋଇ ମଧ୍ୟ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିଲା ନାହିଁ। ହେଲେ ଏହି ଉପଯୁକ୍ତ ନ୍ୟାୟ କ’ଣ ? କେବଳ ଥଇଥାନ ବ୍ୟବସ୍ଥା ତ ! ଯଦି ଆଦିବାସୀ ଯୁବକମାନେ ନିଜ ସ୍ବାର୍ଥ ବା ନିଜ ବ୍ୟକ୍ତିଗତ ଉତ୍ଥାନକୁ ଗୁରୁତ୍ବ ଦେଇ ଶିଳ୍ପ ଓ ଖଣିର ଆବଶ୍ୟକତା ଅନୁସାରେ ନିଜକୁ ପ୍ରସ୍ତୁତ କରିଥାନ୍ତେ ତେବେ ଆଜି ଏହି ସବୁ ପ୍ରକଳ୍ପରେ ନିଯୁକ୍ତ ଉଚ୍ଚ ମଧ୍ୟବିତ୍ତ ବର୍ଗ ସୁଯୋଗ ପାଇଥାନ୍ତା କି ତା’ ପର ପିଢି ଯେଉଁମାନଙ୍କ ମଧ୍ୟରେ ଅଧିକ ଡାକ୍ତର, ବିଚାରପତି, ସାମ୍ବାଦିକ ଓ ପ୍ରଶାସକ ରହିଛନ୍ତି ତେବେ ସେମାନେ ସୃଷ୍ଟି ହୋଇପାରିଥାନ୍ତେ କି ? ଯଦି ଆଦିବାସୀ ସମସ୍ତ ସୁଯୋଗ ନେଇଥାନ୍ତା ତେବେ ଆଜିର ମୁଖ୍ୟଧାରାରେ ଶିକ୍ଷିତ ବର୍ଗ ତାଙ୍କୁ ସ୍ବାର୍ଥୀ ଭାବରେ ଦେଖିଥାନ୍ତା, ଦୟାର ପାତ୍ର ଭାବରେ ନୁହେଁ, କିନ୍ତୁ ଆଦିବାସୀ ଅଞ୍ଚଳରେ ଏତେ ସବୁ ବୃହତ୍‌ ପ୍ରକଳ୍ପ ହେବା ସତ୍ତ୍ବେ ଆଦିବାସୀ ସୁଯୋଗ ନପାଇବା ତାହାର ନ୍ୟାଯ୍ୟ ଅଧିକାରରୁ ତା’କୁ ବଞ୍ଚିତ କରିବା ଓ ନିଜେ ସେହି ଅଧିକାରକୁ ଯେ ଛଡାଇ ନେଇଛି ସେକଥାକୁ କେବେ ଆଜି ଉଚ୍ଚଶ୍ରେଣୀର ଶିକ୍ଷିତ ବର୍ଗ ଚିନ୍ତା କରିଛି କି ? ହୋଇଥିଲେ ହୁଏତ ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟବ୍ୟବସ୍ଥା ଲାଗି ଉଦ୍ୟମ କରାଯାଇଥାନ୍ତା । ଏପରିକି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଘରୋଇକରଣ ସମୟରେ ଚିନ୍ତା କରାଯାଇଥାନ୍ତା ଯେ ସତରେ ଆଦିବାସୀକୁ ଏଥିରେ ସୁଯୋଗ ମିଳିବତ ?
ଏହି ଭଳି ଅନେକ କଥାକୁ ଉପଲବ୍ଧି କରିବା ହେତୁ ୨୦୦୮ ମସିହାରେ ଅଷ୍ଟ୍ରେଲିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ କେଭିନ ରୁଡ ନିଜ ଦେଶର ଆଦିବାସୀ ବର୍ଗ ନିକଟରେ ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ କ୍ଷମାପ୍ରାର୍ଥନା କରିଥିଲେ । ସେହି ସମାନ ବର୍ଷ କାନାଡାର ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର ନିଜ ସାଂସଦରେ ସମସ୍ତ ଆଦିବାସୀଙ୍କ ନିକଟରେ ଅତୀତର କାର୍ଯ୍ୟ ପାଇଁ “ଦୁଃଖ” ପ୍ରକାଶ କରିବା ପରେ କାନାଡା ସରକାର ନିଜର କେତେକ ଆଇନରେ ପରିବର୍ତ୍ତନ ଆଣିଲେ । ବିଳମ୍ବରେ ହେଲେ ମଧ୍ୟ ୨୦୧୪ ମସିହାରେ ଆମେରିକା ସରକାର ନିଜ ଦେଶରେ ୫୬୬ ପ୍ରକାରର ଆଦିବାସୀ ବା ଲୋହିତ ଭାରତୀୟଙ୍କ ଲାଗି ୨୪ଟି ଆଦିବାସୀ କୋର୍ଟ ସ୍ଥାପନ କରିଛନ୍ତି ଓ ଆଦିବାସୀଙ୍କ ପରମ୍ପରା ଓ ବିଶ୍ବାସକୁ ସାମ୍ନାରେ ରଖି ଅପରାଧକୁ ଦେଖିବା ଲାଗି ନୂତନ ଆଇନ ପ୍ରଣୟନ କରିଛନ୍ତି । ଏହି ଆଦିବାସୀ କୋର୍ଟରେ କେବଳ ଆଦିବାସୀ ବିଚାରପତି ହିଁ ନିଯୁକ୍ତି ପାଉଛନ୍ତି । ଏହା ଦୀର୍ଘ ଆନ୍ଦୋଳନ ହେତୁ ସଫଳ ହୋଇଛି । ଏବେ ସେଠାର ଆଦିବାସୀ ଯୁବ ପିଢି ମାଦକ ଦ୍ରବ୍ୟର ଶିକାର ହୋଇ କୌଣସି ଅପରାଧ କରିବା ଅବସ୍ଥାରେ ଗିରଫ ହେବାପରେ ଆଦିବାସୀ କୋର୍ଟ ଦଣ୍ଡାଦେଶ ଘୋଷଣା ବଦଳରେ ସେହି ଯୁବକମାନଙ୍କୁ ସୁଧାର ପାଇଁ ସୁଯୋଗ ଦେଉଛି ।
ତେଣୁ ଗୁଣିଗାରେଡି ଏକ ସାମାଜିକ କୁସଂସ୍କାର ଓ ଏହାର ନିରାକରଣ ଲାଗି ସଭ୍ୟ ସମାଜ ନିଜେ ଯିଏ କି ଆଦିବାସୀର ତ୍ୟାଗ ଉପରେ ଠିଆ ହୋଇଛି ସେମାନେ ବରଂ ଏକ ମହତ ଉଦ୍ଦେଶ୍ୟ ନେଇ ଆଗକୁ ଆସିବା ଜରୁରୀ । ସେମାନଙ୍କୁ ବିରଳତମ ଅପରାଧୀ କରିଦେବା ଦ୍ବାରା ସେହି ରାସ୍ତାଟିକକ ବନ୍ଦ ହୋଇଯାଉଛି ।

Leave A Reply