ଚକ୍ଷୁ ଥାଇ ବି ଚକ୍ଷୁହୀନ

0

ମୋଗଲ ସମ୍ରାଟ ଆକବରଙ୍କ ଦରବାରରେ ପ୍ରଧାନ ବିଦୂଷକ ଥିଲେ ବୀରବଲ। ବୀରବଲଙ୍କୁ ସମ୍ରାଟ ଖୁବ୍‌ ସମ୍ମାନ କରୁଥିଲେ। ଦରବାରରେ ତାଙ୍କର ବିଶେଷ ଖ୍ୟାତି ଥିଲା। ସେଦିନ କୌତୂହଳୀ ହୋଇ ଆକବର ବୀରବଲଙ୍କୁ ପ୍ରଶ୍ନ କଲେ- ଆଚ୍ଛା କୁହତ ଏହି ଦୁନିଆରେ ଯେଉଁମାନେ ଦେଖିପାରୁଛନ୍ତି ଓ ଯେଉଁମାନେ ଦେଖିପାରୁନାହାନ୍ତି (ଅନ୍ଧ) ସେମାନଙ୍କ ମଧ୍ୟରୁ କାହାର ସଂଖ୍ୟା ଅଧିକ।
ବୀରବଲ ଉତ୍ତର ଦେଲେ- ପୃଥିବୀରେ ଦେଖିପାରୁଥିବା ଲୋକଙ୍କ ତୁଳନାରେ ନଦେଖି ପାରୁଥିବା (ଅନ୍ଧ)ଙ୍କ ସଂଖ୍ୟା ଅଧିକ। ବାଦ୍‌ଶାହ ମତ ଦେଇଥିଲେ ଯଦି ଅନ୍ଧଙ୍କ ସଂଖ୍ୟା ଅଧିକ କହୁଛନ୍ତି, ତେବେ ଏହାକୁ ସାବ୍ୟସ୍ତ କରିବାକୁ ହେବ। ବୀରବଲ ବାଦଶାହଙ୍କ ଆହ୍ବାନକୁ ସ୍ବୀକାର କରି କିଛିଦିନ ମଧ୍ୟରେ ଏହା ପ୍ରମାଣିତ କରିବାକୁ ସମୟ ନେଇଥିଲେ। ସେଦିନ ବୀରବଲ ଜନଗହଳିପୂର୍ଣ୍ଣ ସ୍ଥାନରେ ବୁଣା ହୋଇ ନଥିବା ଏକ ଖଟିଆ ଧରି ଏହାକୁ ବୁଣିବା ଆରମ୍ଭ କରି ଦେଇଥିଲେ। ତାଙ୍କର ଦୁଇ ପାର୍ଶ୍ବରେ ଦୁଇଜଣଙ୍କୁ କାଗଜ କଲମ ଧରି ବସାଇ ଦେଲେ।
ମାତ୍ର କିଛି କ୍ଷଣ ମଧ୍ୟରେ ସେଠାରେ ଭିଡ଼ ଜମିଗଲା ବୀରବଲ ଏଭଳି କ’ଣ କରୁଛନ୍ତି ଦେଖିବାପାଇଁ। ବୀରବଲଙ୍କ କାର୍ଯ୍ୟ ସେମାନଙ୍କ ପାଇଁ କୌତୂହଳୋଦ୍ଦୀପକ ଥିଲା। ଜଣକପରେ ଜଣେ ବୀରବଲଙ୍କୁ ପଚାରୁଥାନ୍ତି ସେ କ’ଣ କରୁଛନ୍ତି ବୋଲି।
ବୀରବଲ ଦୁଇ ପାର୍ଶ୍ବରେ ବସି ଲେଖିଥିବା ଲୋକଙ୍କୁ ପ୍ରଶ୍ନକର୍ତ୍ତାଙ୍କ ନାମ ପଚାରି ଲେଖିବା ପାଇଁ ନିର୍ଦେଶ ଦେଇଥିଲେ। କିଛିଘଣ୍ଟା ମଧ୍ୟରେ ବାଦ୍‌ଶାହଙ୍କ କାନରେ ଏ ଖବର ପଡ଼ିଲା। ତୁରନ୍ତ ସେ ବୀରବଲ ରାସ୍ତାରେ ବସି କ’ଣ କରୁଛନ୍ତି ଦେଖିବା ନିମନ୍ତେ ଆସିଲେ। ଦେଖିଲେ ବୀରବଲ ବେଶ୍‌ ଆସ୍ଥାନ ଜମାଇ ଦଉଡ଼ିଆ ଖଟ ବୁଣିବାରେ ଲାଗିଛନ୍ତି। ସମ୍ରାଟ ମଧ୍ୟ ଏହା ଦେଖିବାପରେ ବିସ୍ମୟାଭିଭୂତ ହୋଇଗଲେ। ବୀରବଲଙ୍କ ଭଳି ଜଣେ ବିଦୂଷକ ରାସ୍ତାରେ ବସି ଏଭଳି କରିବାଟା ତାଙ୍କୁ କିମ୍ଭୂତକିମାକାର ବୋଧ ହେଲା, କାରଣ ଏହା ତାଙ୍କର ପେସା ନଥିଲା। ସେହି ଏକା ପ୍ରଶ୍ନ ପଚାରିଲେ- ବୀରବଲ! ତୁମେ ଏ କ’ଣ କରୁଛ?
ତାଙ୍କ ପ୍ରଶ୍ନର କୌଣସି ଉତ୍ତର ନଦେଇ ବୀରବଲ ପାର୍ଶ୍ବରେ ବସି ଅନ୍ଧଲୋକଙ୍କ ନାମ ଲେଖିଥିବା ବ୍ୟକ୍ତିଙ୍କୁ ଆକବରଙ୍କ ନାମ ଲେଖିବାକୁ ନିର୍ଦେଶ ଦେଇଥିଲେ। ନାମ ଲେଖାସରିବାପରେ ବୀରବଲ ଦୁହିଁଙ୍କଠାରୁ ଲେଖା ଥିବା କାଗଜ ସଂଗ୍ରହ କରି ଆକବରଙ୍କୁ ଧରାଇ ଦେଇଥିଲେ- ଗୋଟିକରେ ଥିଲା ଦେଖିପାରୁଥିବା ଲୋକଙ୍କ ସୂଚୀ, ଅନ୍ୟଟିରେ ଲେଖାଯାଇଥିଲା ଅନ୍ଧ ଲୋକଙ୍କ ସୂଚୀ। ଏହି ସୂଚୀରେ ବାଦଶାହ ନିଜନାମ ପଢ଼ିବାପରେ ପଚାରିଥଲେ ଏଥରେ ମୋର ନାମ କାହିଁକି ଲେଖାଯାଇଛି? ମୁଁ କ’ଣ ଅନ୍ଧଭଳି ଜଣା ଯାଉଛି?
ବୀରବଲ ନମ୍ର ଭାବରେ କହିଲେ ଜହାଁପନା! ଆପଣ ସ୍ବଚକ୍ଷୁରେ ଦେଖିଲେ ମୁଁ ଖଟିଆ ବୁଣୁଛି। ହେଲେ ମଧ୍ୟ ମୋତେ ପଚାରିଥିଲେ- ତୁମେ କ’ଣ କରୁଛ?
ବାଦ୍‌ଶାହ ଭଲ ଭାବରେ ନିରୀକ୍ଷଣ କରି ଦେଖିଲେ ସୂଚୀରେ ଏଭଳି ଜଣେ ହେଲେ ଲୋକଙ୍କ ନାମ ନାହିଁ ଯିଏ ଦେଖିପାରୁଛନ୍ତି। ସବୁ ଅନ୍ଧ ଲୋକଙ୍କ ନାମ। ବାଦଶାହଙ୍କୁ ନମ୍ର ଭାବରେ ବୀରବଲ କହିଲେ ହଜୁର! ଆପଣ ଏବେ ମୋ କଥାର ସତ୍ୟତା ଅନୁଭବ କରି ପାରୁଥିବେ। ଦୁନିଆରେ ଅନ୍ଧ ଲୋକଙ୍କ ସଂଖ୍ୟା ଢ଼େର ଅଧିକ ବୋଲି ମୁଁ କହିଥିଲିନା! ଏବେ ନିଶ୍ଚୟ ଆପଣ ମୋର ମତ ସହ ସହମତ ହେବେ ଯେ ଦୁନିଆରେ ଚକ୍ଷୁଥାଇ ମଧ୍ୟ ଚକ୍ଷୁ ନଥିଲାପରି (ଜାଣି ନ ଜାଣିଲା ଭଳି ଅଭିନୟ କରୁଥିବା)ଙ୍କ ସଂଖ୍ୟା ଅଧିକ।

Leave A Reply