ଏକ ଦେଶ, ଅନେକ ନିର୍ବାଚନ

0

ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଓକିଲାତି କରିଆସୁଛନ୍ତି। ଏବେ ଖବର ମିଳିଛି ଯେ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ପ୍ରାୟ ୧୧ଟି ରାଜ୍ୟର ବିଧାନସଭା ନିର୍ବାଚନ ଏକାସଂଗେ କରାଇବାକୁ ବିଜେପି ପକ୍ଷରୁ ଯୋଜନା କରାଯାଉଛି। ବିଜେପି ଅଧ୍ୟକ୍ଷ ଅମିତ ଶାହା ଗତ ସପ୍ତାହରେ ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କରେ ଆଇନ ଆୟୋଗକୁ ଲେଖିଥିବା ଏକ ଚିଠି ଏହାକୁ ଅଧିକ ସ୍ପଷ୍ଟ କରିଛି। ବିଜେପି ଆଗାମୀ ସାଧାରଣ ନିର୍ବାଚନରୁ ହିଁ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପର ଜଣାପଡ଼ୁଛି। ତେବେ ଏହା ଯେ ବର୍ତ୍ତମାନ ସ୍ଥିତିରେ ଅସମ୍ଭବ ବ୍ୟାପାର, ତାହା ମଙ୍ଗଳବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ.ପି. ରାୱତଙ୍କ ଟିପ୍ପଣୀରୁ ହିଁ ବିଜେପି ବୁଝିଯିବା କଥା। ଶ୍ରୀ ରାୱତ ସ୍ପଷ୍ଟ କରିଦେଇଛନ୍ତି ଯେ ଯଦି ପର୍ଯ୍ୟାୟକ୍ରମେ କରାଯାଏ, ତେବେ କେତେକ ରାଜ୍ୟର ନିର୍ବାଚନ ଲୋକସଭା ନିର୍ବାଚନ ସହ କରାଯାଇପାରେ; କିନ୍ତୁ ଏଥିପାଇଁ ସର୍ବପ୍ରଥମେ ଆଇନ ସଂଶୋଧନ ଆବଶ୍ୟକ। ତା’ଛଡ଼ା ଅଧିକ ଇଭିଏମ୍‌ ଓ ସୁରକ୍ଷା କର୍ମୀ ମୁତୟନ କରିବା ଜରୁରୀ। ସେ କହିଛନ୍ତି, ଏ ସମ୍ପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ ୨୦୧୫ ମସିହାରୁ ହିଁ ସରକାରଙ୍କୁ ଅବଗତ କରାଯାଇଛି ଯେ ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ସମ୍ବିଧାନ ଓ ଜନପ୍ରତିନିଧିତ୍ବ ଆଇନରେ କେଉଁକେଉଁ ସଂଶୋଧନ କରାଯିବା ଦରକାର। ଏଥିପାଇଁ କେତେ ସୁରକ୍ଷାକର୍ମୀ ଓ ଭିଭିପାଟ୍ ଆବଶ୍ୟକ ହେବ, ତାହା ମଧ୍ୟ ସେତେବେଳେ ଜଣାଇ ଦିଆଯାଇଥିଲା। ଗତବର୍ଷ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇବା ପରେ ସଂସଦର ସ୍ଥାୟୀ କମିଟି ଓ ନୀତି ଆୟୋଗ ମଧ୍ୟ ସେ ସମ୍ବନ୍ଧରେ ବିଚାରବିମର୍ଶ ଜାରି ରଖିଛନ୍ତି। ଗତବର୍ଷ ହିଁ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଥିଲା ଯେ ଯଦି ରାଜ୍ୟଗୁଡ଼ିକ ରାଜି ହୁଅନ୍ତି ଏବଂ ସବୁ ବ୍ୟବସ୍ଥା ୨୦୧୮ ସେପ୍ଟେମ୍ବର ପୂର୍ବରୁ ହୋଇଯାଏ, ତେବେ ଏହା ହୁଏତ ସମ୍ଭବ ହୋଇପାରେ। ସେତେବେଳେ ବିରୋଧୀ ଦଳଗୁଡ଼ିକ ନିର୍ବାଚନ ଆୟୋଗର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଥିଲେ, ଯାହା ଏବେ ମଧ୍ୟ ସଙ୍ଗତ ମନେହୁଏ। ବିଶେଷତଃ ‘ଏକ ଦେଶ ଏକ ନିର୍ବାଚନ’ ଭଳି ବ୍ୟବସ୍ଥା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବିଚାରର ପରିପନ୍ଥୀ ବୋଲି ଅନେକ ବିଶେଷଜ୍ଞଙ୍କ ମତ।
ଏହା ସତ୍ୟ ଯେ ଦେଶରେ ବର୍ଷସାରା କେଉଁଠି ନା କେଉଁଠି ନିର୍ବାଚନ କରାଇବାକୁ ପଡ଼ିଥାଏ। ଏଥିପାଇଁ ପ୍ରାର୍ଥୀ, ରାଜନୈତିକ ଦଳ ଓ ସରକାରଙ୍କ ପକ୍ଷରୁ ପ୍ରଚାର ଓ ବ୍ୟବସ୍ଥାଗତ ଖର୍ଚ ମଧ୍ୟ ଅଧିକ ହେଇଥାଏ; କିନ୍ତୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ନିର୍ବାଚନ ଏକ ମୌଳିକ ଓ ଅପରିହାର୍ଯ୍ୟ ବ୍ୟବସ୍ଥା ହୋଇଥିବାରୁ ଏହାକୁ କୌଣସି କୃତ୍ରିମତା ଭିତରେ ବାନ୍ଧି ରଖିଲେ ପ୍ରକୃତ ଗଣତନ୍ତ୍ର ନଷ୍ଟ ହେବାର ଯଥେଷ୍ଟ ଆଶଙ୍କା ରହିଛି। କୌଣସି କାରଣରୁ ରାଜ୍ୟର ସରକାର ଭାଙ୍ଗିଗଲେ, ରାଷ୍ଟ୍ରପତିଙ୍କ ତରଫରୁ ରାଜ୍ୟପାଳ, ପରବର୍ତ୍ତୀ ସରକାର ଗଢ଼ିବାକୁ ରାଜନୈତିକ ଦଳଙ୍କୁ ଆହ୍ବାନ କରନ୍ତି ଓ ନୂଆକରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୁଏ; କିନ୍ତୁ ଅସହଜ ସ୍ଥିତିରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାରୀ ହୋଇଥାଏ। ଯଦି ଏହା ଦୀର୍ଘଦିନ ଲାଗିରହେ, ତେବେ ତାହା ଗଣତାନ୍ତ୍ରିକ ମୂଲ୍ୟବୋଧର ବିରୋଧାଚରଣ କରିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏ କ୍ଷେତ୍ରରେ ସେହି ସମସ୍ୟାଟି ଉପୁଜିବାର ସର୍ବାଧିକ ଆଶଙ୍କା ରହିଛି। କେନ୍ଦ୍ର ସରକାରର ଅସମୟ ପତନ କ୍ଷେତ୍ରରେ ଆହୁରି ବେଶୀ ସମସ୍ୟା ଉପୁଜିବା ନିଶ୍ଚିତ। ଅପରପକ୍ଷେ, ଏକକାଳୀନ ନିର୍ବାଚନ ଦ୍ବାରା ଭାରତର ଶକ୍ତିଶାଳୀ ସଂଘୀୟ ବ୍ୟବସ୍ଥା ନଷ୍ଟ ହେବାର ବିପଦ ସର୍ବାଧିକ।
ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନ କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ ଏକକାଳୀନ ହିଁ ହୋଇଥିଲା; କିନ୍ତୁ ପରବର୍ତ୍ତୀ ସମୟରେ ଆପେଆପେ ଏଥିରେ ବ୍ୟତିକ୍ରମ ସୃଷ୍ଟି ହେଲା, କାରଣ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ, ବହୁଦଳୀୟ ବ୍ୟବସ୍ଥା, ମେଣ୍ଟ ରାଜନୀତି, ସଂଘୀୟ ସ୍ବାର୍ଥ ଆଦି ସ୍ବାଭାବିକ ଭାବେ ଜନ୍ମ ନେଲା। କହିବା ବାହୁଲ୍ୟ ଯେ ଏହା ହିଁ ଭାରତୀୟ ଗଣତନ୍ତ୍ରକୁ ଅଧିକ ମଜଭୁତ କରିପାରିଛି। ରାଜ୍ୟଗୁଡ଼ିକ ନିଜ ଅନୁସାରେ ସବୁକିଛି କରିବାର ସ୍ବାଧୀନତା ଏଥିଯୋଗୁଁ ହାସଲ କରିପାରିଛନ୍ତି। ଯଦି ବାଧ୍ୟବାଧକତାରେ ଏକକାଳୀନ ନିର୍ବାଚନ ବ୍ୟବସ୍ଥା ଗ୍ରହଣ କରାଯାଏ, ତେବେ ଏହା ଆଉ ସମ୍ଭବ ହେବନାହିଁ ଓ ବହୁଳବାଦୀ-ବହୁପ୍ରସାରିତ ସଂଘୀୟ ବ୍ୟବସ୍ଥାର ବିଲୟ ଘଟିବ। କେବଳ ସେତିକି ନୁହେଁ, ଏହି ବ୍ୟବସ୍ଥାରେ ଜାତୀୟ ପ୍ରସଙ୍ଗଗୁଡ଼ିକ ଯେତିକି ଗୁରୁତ୍ବ ପାଇବ, ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ସେତିକି ଉପେକ୍ଷିତ ହେବ। ସେହିପରି ଆଞ୍ଚଳିକ ଦଳଗୁଡ଼ିକ ନିଷ୍ପ୍ରଭ ହେବା ସହ ଜାତୀୟ ଦଳଗୁଡ଼ିକ ଅଧିକ ଶକ୍ତିଶାଳୀ ହେବାର ସୁଯୋଗ ସୃଷ୍ଟି ହେବ। ବର୍ତ୍ତମାନର କେନ୍ଦ୍ର ସରକାର ସବୁକିଛିକୁ ‘କେନ୍ଦ୍ରୀୟ’ କରିଦେବାକୁ ଚାହୁଥିବାବେଳେ ଏହା ବି ସେହିଭଳି କେନ୍ଦ୍ରୀକରଣକୁ ହିଁ ପ୍ରୋତ୍ସାହିତ କରିବ। ତେଣୁ ଏ ନେଇ ବାରମ୍ବାର ବିଚାରବିମର୍ଶ କରାଯିବା ସହ ଗଭୀର ଚିନ୍ତନର ଆବଶ୍ୟକତା ରହିଛି। ଆମ ଦୂରଦର୍ଶୀ ରାଷ୍ଟ୍ରନାୟକମାନେ ବହୁ କଷ୍ଟସହି ଯେଉଁ ଗଣତାନ୍ତ୍ରିକ ମୂଲ୍ୟବୋଧର ଭିତ୍ତି ସ୍ଥାପନ କରିଛନ୍ତି, ତାହା ଯେପରି ଦୋହଲି ନଯାଏ, ସେଥିପ୍ରତି ଯତ୍ନବାନ ହେବା ଆମର ଗୁରୁଦାୟିତ୍ବ। ବିଜେପି ସମେତ ପ୍ରତ୍ୟେକ ରାଜନୈତିକ ଦଳ ଏଥିପ୍ରତି ସତର୍କ ହୁଅନ୍ତୁ।

Leave A Reply