ଦୁର୍ବଳ ସଂସ୍କାରର ଅଭିଶାପ

ଆତ୍ମହତ୍ୟା ଏକ ରୁଗ୍ଣ ମାନସିକ ପ୍ରବଣତା। ଦୁର୍ବଳ ବିଶ୍ବାସ ଓ ପିତାମାତାଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାର ଅଭାବ ହିଁ ଜୀବନ ହାରିବାର ଏଭଳି ଅପଖ୍ୟାତି ଆଣେ।

ଗାଁ ଗହଳିର ମାଇପି ମହଲରେ ପ୍ରଚଳିତ ଢ଼ଗ, ‘ବଡ଼ ବଡ଼ଙ୍କ କଥା ନ ମାନି ସୀତା, ସୀତା ପାଇଲେ ବହୁ ଅନକବସ୍ଥା’। ‘ଯେ ଯାଏ ଓଟରା ସେ ଖାଏ କୋଟରା’ ‘ମହାଜନଃ ଯେନ ଗତଃ ସ ପନ୍ଥାଃ’। ଏକୁ, ଏ ସବୁ ଉପଦେଶାତ୍ମ କଥା ଯେ ନ ମାନିଲା ସେ ଦଶା ଭୋଗିବା ଦଣ୍ଡ ପାଇବା ସାରା। ବେପାର ପତ୍ର ବନ୍ଧୁମାନେ ତାଙ୍କ ପ୍ରଥମ ପୃଷ୍ଠାରେ ଓ ପ୍ରାୟ ଦିନ ‘ଆତ୍ମହତ୍ୟା’ ଜନିତ ଦୁଃସମ୍ବାଦ ପ୍ରକାଶ ଓ ପ୍ରଚାର କରୁଛନ୍ତି। ସେ ସଂଖ୍ୟା ଓ ପ୍ରବଣତା ଯେ ବଢ଼ିଚାଲିଛି ତା’ର ହିସାବ ମଧ୍ୟ ଦେଇ ଜନତାଙ୍କୁ ଆତଙ୍କିତ କରୁଛନ୍ତି, ସେଥିକୁ ପ୍ରତିକାର ପ୍ରାୟ ଶିଖଉଛନ୍ତି କେତେ, ତା’ ସେମାନଙ୍କୁ ଜଣା। ପାଠପଢ଼ା ତରୁଣୀ, ଯୁବକଙ୍କ ମଧ୍ୟରେ ଏ ରୋଗ ବା ପ୍ରବଣତା ବଢ଼ି ଚାଲିବା ଉଦ୍‌ବେଗର କଥା ନିଶ୍ଚୟ। ତଥ୍ୟାନୁଯାୟୀ ୨୦୧୬ରେ ରାଜ୍ୟରେ ମୋଟ ୩୮୮୪ ଜଣ ଆତ୍ମହତ୍ୟା କରିଥିବାବେଳେ ସମଗ୍ର ଜିଲାରେ କେତେ ଆତ୍ମହତ୍ୟା ହୋଇଛି ତା’ର ଜିଲାୱାରି ପରିସଂଖ୍ୟାନ ଦିଆଯାଇଛି। ଏଥିରେ କଟକ ପୁଲିସ ଜିଲାରେ ୩୪୯ ଆତ୍ମହତ୍ୟା କରିଥିବାବେଳେ ଭୁବନେଶ୍ବର ପୁଲିସ ଜିଲାରେ ଏହି ସଂଖ୍ୟା ୧୬୫ ଥିଲା। ପୂର୍ବ ବର୍ଷମାନଙ୍କର ଦୀର୍ଘ ତାଲିକାରୁ ଏହି ସଂଖ୍ୟା ବଢ଼ୁଥିବା ଜଣାପଡ଼େ।

ଜଣେ ଆତ୍ମହତ୍ୟା କାହିଁକି କରେ? ଆତ୍ମହତ୍ୟା ଏକ ରୁଗ୍ଣ ମାନସିକ ପ୍ରବଣତା ବୋଲି ବହୁ ମନସ୍ତତ୍ତ୍ବବିତ୍‌ ମତ ପ୍ରକାଶ କରିଥିବାବେଳେ, ଦୃଢ଼ ଈଶ୍ବରାନୁରାଗ ବା ବିଶ୍ବାସର ଅଭାବ, ପିତାମାତାଙ୍କ ଉପରେ ଭକ୍ତି ଓ ଶ୍ରଦ୍ଧାର ଅଭାବ। ଅତ୍ୟନ୍ତ ଅହଂକାର ଓ ଅଭିମାନ ଏହାର ମୁଖ୍ୟ କାରଣ ଦର୍ଶାଯାଏ। କାର୍ଯ୍ୟରେ ବ୍ୟର୍ଥତା, ପରୀକ୍ଷାରେ ଅସଫଳତା ଓ ପ୍ରେମରେ ଅସଫଳତା ବୋଲି ଯାହା କାରଣ ଦର୍ଶାଯାଏ, ତା’ ଅହଂକାର ଓ ଈଶ୍ବରସମର୍ପଣ ଭାବ ଅଭାବର ଏକ ରୂପାନ୍ତରିତ ପରିଣତି ମାତ୍ର।

୨ୟ ବିଶ୍ବ ଯୁଦ୍ଧର ଖଳନାୟକ ହିଟ୍‌ଲରଙ୍କ ବାହୁସ୍ଫୋଟ ଓ ଅହଂକାର ତାଙ୍କୁ ଦିନେ ଅସହାୟ ଭାବେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିଲା। ବିଶ୍ବ ବିଖ୍ୟାତ ଦାର୍ଶନିକ ପ୍ଲାଟୋଙ୍କ ଶିଷ୍ୟ ଓ ଆଲେକ୍‌ଜାଣ୍ଡାରଙ୍କ ଗୁରୁ ଆରିଷ୍ଟୋଟଲ ମଧ୍ୟ ଆତ୍ମହତ୍ୟା କରି ତାଙ୍କ ଦାର୍ଶନିକ ମତବାଦରେ ଘୂଣ ଲଗାଇଦେଲେ। ତାଙ୍କ ମାନସିକତାର ସ୍ତର ପ୍ରକୃତ ତା ନୁହଁ- ଏ କଥା ସେ ତାଙ୍କ ପ୍ରଶଂସକଙ୍କଠେଇ ବହୁ ଆଘାତ ସହ ଭରିଦେଲେ। ଜଣେ ସ୍ବଳ୍ପାହାରୀ, ନିରାମିଷାଶୀ ଏଇ ଉତ୍ତୁଙ୍ଗ ବ୍ୟକ୍ତିତ୍ବର ଏପରି ପରିଣତି ହେଲା। ‘ଅତି ଦର୍ପେ ହତା ଲଙ୍କା , ଅତି ମାନେ ଚ କୌରବାଃ-’। ଜଣେ କଲେଜ ତରୁଣୀ ପ୍ରଥମ ଶ୍ରେଣୀରେ ଏ ଯାବତ୍‌ ଉତ୍ତୀର୍ଣ୍ଣ ଥାଇ ତାଙ୍କର ଇଞ୍ଜିନିୟରିଂ ବା ମେଡ଼ିକାଲ କଲେଜ ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ, ମା’ଙ୍କ ତାଡ଼ନା ସହି ନପାରି ସେ କୁଆଡ଼େ ଆତ୍ମହତ୍ୟା କରିଦେଲେ। ଏ ପ୍ରବେଶିକା ପରୀକ୍ଷାଫଳ ପ୍ରକାଶନର ଦୁଇଦିନ ପରେ ତାଙ୍କ ବିଶ୍ବବିଦ୍ୟାଳୟ ପରୀକ୍ଷା ଫଳରେ ସେ ଶତକଡ଼ା ୭୮ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଖବର ଶୁଣିବାକୁ ସେ ଅପେକ୍ଷା କରି ନଥିଲେ। ବିଷୟଭୋଗୀ ବାପା ମା’ଙ୍କ ପିଲାଙ୍କୁ ଆଇଏଏସ, ଡାକ୍ତର, ଇଞ୍ଜିନିୟର କରିବା ଝୁଙ୍କ୍‌, ବାପ ଜୀବନରେ ଯାହା ହୋଇପାରିଲାନି, ସେ ସ୍ବପ୍ନ ଓ ଝୁଙ୍କ୍‌ ପିଲାମାନଙ୍କଠାରେ ଫଳାଇବାକୁ ତାଙ୍କ ଉପରେ ଚାପ ଓ ତାଡ଼ନାରେ ଅତିଷ୍ଠ ଯୁବକ ଯୁବତୀ ମଧ୍ୟ ଆତ୍ମହତ୍ୟା କରିବାର ବହୁ କ୍ରମବର୍ଦ୍ଧିଷ୍ଣୁ ନଜିର ଏବେ ଆସୁଛି। ସତେ ଯେମିତି ଡାକ୍ତର, ଆଇ.ଏ.ଏସ , ଓଏଏସ ଆଦି ଅଫିସର, ଇଞ୍ଜିନିୟର ବ୍ୟତୀତ ଜୀବନରେ ସଫଳତା ଅର୍ଥ କିଛି ନାହିଁ ବୋଲି ନିଜେ ବୁଝିଥିବା ଏ ନିର୍ବୋଧ ପିତାମାତାମାନେ ତାଙ୍କ ସରଳ ମେଧା ପିଲାଙ୍କ ମୁଣ୍ଡରେ ପୂରାଇପୂରାଇ ତାଙ୍କୁ ଫ୍ରଷ୍ଟେସନ ବା ବ୍ୟର୍ଥତା ବିଷରେ ଘାରୁଅଛନ୍ତି ଯେମିତି ନିଜେ ବି ସେ ବ୍ୟର୍ଥତାଦଗ୍ଧ ତାତିରେ ପୋଡ଼ି ଯାଉଛନ୍ତି।

ଭାରତୀୟ ସଂସ୍କାରରେ ‘ଆତ୍ମହତ୍ୟା ମହାପାପ’ ବୋଲି କୁହାଯାଇଛି। ଆତ୍ମହତ୍ୟା କରୁଥିବା ଲୋକ ପ୍ରତି ଓ ସମାଜ କେବେ ବି ସହାନୁଭୂତିଶୀଳ ନଥିଲା। ନିଜ ଜୀବନର ଜନ୍ମ ବିଷୟରେ ଅଜ୍ଞ ଓ ନିୟନ୍ତ୍ରଣ ନଥିବା କାଲିର ଏ ଡିମ୍ବ ନିଜ ‘ମରଣ’ ସ୍ଥିର କରିବାର ଦାମ୍ଭିକତା, ମୂର୍ଖତା ପ୍ରାପ୍ତି ହେଲେ ସିନା ଆତ୍ମହତ୍ୟା କରିବ? ଏକୁ ଆମ ପୁରାଣରେ କାପୁରୁଷତା କୁହାଯାଏ। ତୁଳସୀ ଦାସଜୀ କହିଲେ, ‘ହାନିଲାଭ ଜନମ ମରଣ ଯଶ ଅପଯଶ ବିଧି ହାତ।’

ଶୃଙ୍ଖଳିତ ଯୌବନାଚାର ଓ ଚରିତ୍ର ଗଠନରେ ଏ ସମାଜ ବା ପରିବାର ଅସଫଳ ହେବାରୁ ଆତ୍ମହତ୍ୟା ଘଟୁଛି। ମଝି ସମୁଦ୍ରରେ ଜାହାଜ ବୁଡ଼ିଯାଉଛି। ପ୍ରାୟ ୭୦/୮୦ ବର୍ଷ ତଳେ ଜଣେ ଉଦ୍‌ଭ୍ରାନ୍ତ ଛାତ୍ର ତା’ ଆତ୍ମହତ୍ୟାର କାରଣରେ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରିଥିଲା, ବ୍ରିଟିଶ ସରକାର କଡ଼ା ଆଇନରେ ଜିଲା ମାଜିଷ୍ଟ୍ରେଟଙ୍କ କୈଫିୟତରେ ଉତ୍ତରର ଶେଷ ପରିଚ୍ଛେଦରେ ଯଶସ୍ବୀ ପ୍ରଧାନଶିକ୍ଷକ ଲେଖିଥିଲେ, ‘ I beg to refrain from further criticising the departed soul, the poor unhappy boy, who disgusted with everyone and even with himself couldnot believe in th affection of his father and the justice of his Creator and with all his throwing of asperssions on me, may his soul rest in peace.

ଜଣେ ଦାର୍ଶନିକ ଆବୁରୀ କହିଛନ୍ତି, Universal peace and prosperity is only possible in the slackening of mad rush after gross materialism. ତୀବ୍ର ପାଗଳ ବସ୍ତୁବାଦର ଶିଥିଳତାରେ ହିଁ କେବଳ ସାମଗ୍ରିକ ଶାନ୍ତି ଓ ବିକାଶ ସମ୍ଭବ। ଏଥିରୁ ଆକଳିତ ହୁଏ ଆମର ଏ ଶିକ୍ଷା, ଏ ସାମାଜିକ ବ୍ୟବସ୍ଥା ମଣିଷକୁ ବିଶେଷ କରି ଯୁବ ସମାଜକୁ ଉଦ୍‌ଭ୍ରାନ୍ତ ଓ ବିଶୃଙ୍ଖଳିତ କରୁଛି କି ନାହିଁ? ସମାଜର ଅମୂଲ୍ୟ ସମ୍ପତ୍ତି ଓ ଯୁବକ ଯୁବତୀଙ୍କ ଆତ୍ମହତ୍ୟା ଗଭୀର ଉଦ୍‌ବେଗର କାରଣ ହେଉଥିବାବେଳେ, ଜୀବନର ସନ୍ଧ୍ୟାରେ ଉପଗତ ଅସହାୟ ବୃଦ୍ଧବୃଦ୍ଧାଙ୍କ ଆତ୍ମହତ୍ୟାର ଲୁହ ଓ ଅଭିଶାପ ଏ ସମାଜକୁ ଏମିତି ପୋଡ଼ୁଥିବ ହିଁ ପୋଡ଼ୁଥିବ।

Comments are closed.