MEllora 950×100

ମେଦ-ଔଷଧ

ମେଦବହୁଳତା କ୍ରମେ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ପାଲଟିଥିବାବେଳେ ଏଥିପାଇଁ ଏକ ନୂଆ ବିଜ୍ଞାନ-ସିଦ୍ଧ ଔଷଧର ପ୍ରୟୋଗ ଚର୍ଚ୍ଚାର ବିଷୟ ହୋଇଛି

ମଣିଷର ଖାଦ୍ୟାଭ୍ୟାସ ବଦଳିବା ସହ ବିଭିନ୍ନ ରୋଗ ତାକୁ ମାଡ଼ି ବସୁଛି। ଘରେ ତିଆରି କରାଯାଉଥିବା ଖାଦ୍ୟ ନ ଖାଇ ଏବେ ଅନେକ ବାହାରେ ତ୍ବରିତ୍‌ ପ୍ରସ୍ତୁତ ଖାଦ୍ୟ ଖାଉଛନ୍ତି। ଖାଉଥିବାବେ​‌େ​‌ଳ ହୁଏତ ଏହା ଖୁବ୍‌ ସ୍ବାଦିଷ୍ଟ ଲାଗୁଛି, ମାତ୍ର ପରେ ଶରୀରକୁ ଏହା ଯେଉଁ ହାନି ପହଞ୍ଚାଉଛି ତାହା ଅକଳନୀୟ। ଏପରି କି ସେସବୁ ରୋଗର ଚିକିତ୍ସା ମଧ୍ୟ ସହଜ ନୁହେଁ। ମେଦବହୁଳତା ଏପରି ରୋଗ ଭିତରୁ ଗୋଟିଏ। ପୂର୍ବେ ଭାରତରେ ଏହି ରୋଗ ନଥିଲା। ଖାଦ୍ୟପାନୀୟରେ ସଂଯମ ଓ ଦୈନିକ ପରିଶ୍ରମ ଲୋକଙ୍କୁ ସେଥିରୁ ରକ୍ଷା କରୁଥିଲା। ବର୍ତ୍ତମାନ ଅଧିକାଂଶ ଲୋକ ଶ୍ରମକାତର ଏବଂ ମନଇଚ୍ଛା ଖାଦ୍ୟ ଖାଉଥିବାରୁ ଏହି ରୋଗ ଦେଖାଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ରୋଗର ସେପରି କିଛି ନିର୍ଦିଷ୍ଟ ଏଲୋପାଥିକ ଔଷଧ ନାହିଁ। ନିକଟରେ ଜଣେ ଆମେରିକୀୟ ବୈଜ୍ଞାନିକ ସୁଜାନ ୟାନୋଭସ୍କି କାଲିଫର୍ଣ୍ଣିଆରେ ଆୟୋଜିତ ‘ଓବେସିଟି ୱିକ’ ସମ୍ମିଳନୀରେ ବହୁପ୍ରତୀକ୍ଷିତ ତାଙ୍କର ମେଦବହୁଳତା ଔଷଧ ପରୀକ୍ଷଣର ପରିଣାମ ଘୋଷଣା କରିଥିଲେ। ଏହାର ସଫଳତା ନେଇ ସେ ଅନେକ ପ୍ରମାଣ ଉପସ୍ଥାପନ କରିବା ପରେ ସେଠାରେ ବେଶ୍ ଆଶ୍ବସ୍ତି ପ୍ରକାଶ ପାଇଥିଲା। ସେ ଯେତେ ଲୋକଙ୍କ ଉପରେ ଏହି ଔଷଧର ପ୍ରୟୋଗ କରିଥିଲେ, ପ୍ରାୟ ୧୬ ମାସ ପାଇଁ ସାପ୍ତାହିକ ଗୋଟିଏ ଇଞ୍ଜେକ୍‌ସନ ନେବା ସହ ଜୀବନଶୈଳୀରେ କେତେକ ପରିବର୍ତ୍ତନ କରିବା ପରେ ଏକ ତୃତୀୟାଂଶଙ୍କର ୨୦ ଶତାଂଶ ଓଜନ ହ୍ରାସ ପାଇଥିଲା। ୟାନୋଭସ୍କିଙ୍କ ପ୍ରସ୍ତୁତ ‘ସେମାଗ୍ଲାଟାଇଡ’କୁ ମେଦବହୁଳତାର ପ୍ରଭାବଶାଳୀ ଔଷଧ ବୋଲି କୁହାଯାଉଛି।

ମେଦବହୁଳତା ସ୍ବତଃ ହ୍ରାସ ପାଇବ ବୋଲି ଅନେକଙ୍କର ଧାରଣା ରହିଛି; କିନ୍ତୁ ଏହା ସହଜ ନୁହେଁ। ତେଣୁ ବୈଜ୍ଞାନିକମାନେ ଏଥିପାଇଁ ବହୁ ଦିନରୁ ଗବେଷଣା ଜାରି ରଖିଛନ୍ତି। ବିଶେଷକରି ବର୍ତ୍ତମାନ ମେଦବହୁଳତାର ଯେତିକି ଔଷଧ ରହିଛି, ସେସବୁ ପାର୍ଶ୍ବପ୍ରତିକ୍ରିୟାଯୁକ୍ତ। ତେଣୁ କୌଣସି ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି କରୁନଥିବା ଔଷଧ ସନ୍ଧାନରେ ବୈଜ୍ଞାନିକ ଅଛନ୍ତି। ମେଦବହୁଳତା ହ୍ରାସ କରିବା ପ୍ରକ୍ରିୟାରେ ବହୁ ଲୋକ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ହୋଇଥାନ୍ତି। ନୂଆ ଔଷଧ ସେହି ଦୃଷ୍ଟିରୁ ବେଶ୍‌ ପ୍ରଭାବଶାଳୀ ବୋଲି କୁହାଯାଉଛି। ଏହାକୁ ସେବନ କରିଥିବା ଲୋକଙ୍କ ମେଦ ହ୍ରାସ ପାଇଥିବାବେଳେ ଔଷଧର କୌଣସି ଦୁଷ୍ପ୍ରଭାବ ଦେଖିବାକୁ ମିଳିନାହିଁ।

ସୂଚନାଯୋଗ୍ୟ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ତଥ୍ୟ ଅନୁଯାୟୀ, ୧୯୭୫ ମସିହା ପରେ ପୃଥିବୀରେ ମେଦବହୁଳ ଲୋକଙ୍କ ସଂଖ୍ୟା ତିନିଗୁଣ ବୃଦ୍ଧି ପାଇଛି। ୨୦୧୬ରେ ପ୍ରାୟ ୪୦ ଶତାଂଶ ବୟସ୍କଙ୍କୁ ଅଧିକ ଓଜନ ବିଶିଷ୍ଟ ଓ ୧୩ ଶତାଂଶଙ୍କୁ ମୋଟା ବୋଲି ଆକଳନ କରାଯାଇଥିଲା। ଅତିରିକ୍ତ ଓଜନିଆ ଲୋକଙ୍କର ଟାଇପ୍‌-୨ ମଧୁମେହ, ହୃଦ୍‌ରୋଗ ଓ କେତେକ ସ୍ଥଳରେ କର୍କଟ ରୋଗର ବିପଦ ମଧ୍ୟ ବଢ଼ିଯାଏ। ତେଣୁ ଡବ୍ଲ୍ୟୁଏଚ୍‌ଓ ମୋଟାପଣକୁ କମ୍‌ କରିବା ପାଇଁ ସୁଷମ ଆହାର ଓ ଶାରୀରିକ ଗତିବିଧିକୁ ବଢ଼ାଇବା ପାଇଁ ସର୍ବଦା ପରାମର୍ଶ ଦେଇଆସିଛି। ବର୍ତ୍ତମାନ ସ୍ଥିତି ଏପରି ହୋଇଛି ଯେ ହଠାତ୍‌ ଜୀବନଶୈଳୀରେ ପରିବର୍ତ୍ତନ କଲେ ମଧ୍ୟ ମୋଟାପଣ ଦୂର ହୋଇପାରୁ ନାହିଁ। ତେଣୁ ବହୁ ଲୋକ ଔଷଧ ଆବଶ୍ୟକ କରୁଛନ୍ତି।

ୟାନୋଭସ୍କିଙ୍କ କହିବା ଅନୁଯାୟୀ, ନୂଆ ଔଷଧ ହର୍ମୋନ୍‌ର ନକଲ କରିଥାଏ, ଯାହାଦ୍ବାରା ରକ୍ତରେ ଶର୍କରା ହ୍ରାସ ପାଏ ଓ କମ୍‌ ଭୋକ ଲାଗେ। ଏବେ ଟାଇପ୍‌-୨ ମଧୁମେହର ଚିକିତ୍ସା ପାଇଁ ଏଥିରୁ କେତେକ ଔଷଧ ବ୍ୟବହାର କରାଯାଉଥିବା କୁହାଯାଇଛି। ତେବେ ଗବେଷକମାନେ ଚିକିତ୍ସକଙ୍କ ପରାମର୍ଶରେ ହିଁ ଏହି ଔଷଧର ସେବନ କରିବାକୁ ପରାମର୍ଶ ଦେଇଛନ୍ତି। ଅଧିକାଂଶ ଲୋକଙ୍କ ଶାରୀରିକ ଗଢ଼ଣ ପ୍ରାକୃତିକ ହୋଇଥାଏ, ଯାହାକୁ ବଦଳାଇବା କଷ୍ଟକର; କିନ୍ତୁ ସମାଜର ଏକ ବଡ଼ ଭାଗ ଲୋକ ସବୁବେଳେ ଚାହାନ୍ତି କେମିତି ପତଳା ହେବେ। ତେଣୁ ଏପରି ଔଷଧର ଯେପରି ଦୁରୁପଯୋଗ ନହୁଏ, ସେଥିପ୍ରତି ସତର୍କ ରହିବା ବାଞ୍ଛନୀୟ। ଏହି ଔଷଧ ଅବଶ୍ୟ ବହୁତ ମହଙ୍ଗା; ତେଣୁ ବର୍ତ୍ତମାନ ସାଧାରଣ ଲୋକଙ୍କ ପହଞ୍ଚ ବାହାରେ। ତେବେ ଗବେଷକମାନେ ଏହି ଔଷଧକୁ ନେଇ ବେଶ୍‌ ଉତ୍ସାହିତ। ପ୍ରଥମ ଥର ବିଜ୍ଞାନ-ସିଦ୍ଧ ଔଷଧ ଦ୍ବାରା ସୁରକ୍ଷିତ ଭାବେ ଓଜନ ହ୍ରାସ କରାଯାଇପାରିବାକୁ କେତେକ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି ବିଚାର କରୁଛନ୍ତି। ୟାନୋଭସ୍କିଙ୍କ ମତରେ ମେଦବହୁଳତା ଓ ଭୋକ ଉପରେ ନିୟନ୍ତ୍ରଣ ସମ୍ପର୍କରେ ଆମ ବିଚାରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ତେଣୁ ଏ କ୍ଷେତ୍ରରେ ଆଗାମୀ ସମୟରେ ଆହୁରି ଉତ୍ତମ ଚିକିତ୍ସା ପଦ୍ଧତି ବିକଶିତ କରିବାର ଆଶା ରହିଛି। ସେ ଯାହାହେଉ, ମୂଳରୁ ହିଁ ଯଦି ସମସ୍ତେ ସଚେତନ ହେବା ଓ ଛୋଟବେଳୁ ଫାଷ୍ଟଫୁଡ଼ ଆଦି ନଖୁଆଇ ପିଲାଙ୍କୁ ଘରଖାଦ୍ୟ ଦେବା ତଥା ସେମାନଙ୍କୁ ଶ୍ରମକାତର ନ କରି ଶ୍ରମର ମହତ୍ତ୍ବ ବୁଝାଇବା, ତେବେ ମେଦବହୁଳତା ସହିତ ଅନ୍ୟାନ୍ୟ ବହୁ ରୋଗରୁ ରକ୍ଷା ପାଇବା ପାଇଁ ଔଷଧର ଆବଶ୍ୟକତା ପଡ଼ିବ ନାହିଁ, ତାହା ନିଃସନ୍ଦେହ।

Comments are closed.