ବେପାର ଓ ମଉଜର ଧାର୍ମିକ ଯାତ୍ରା!

0

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ କିଛି ବର୍ଷ ଧରି ଶ୍ରାବଣ ମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି । ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ​‌େ​‌ବରଙ୍ଗରେ ସଜ୍ଜିତ ବାହୁଙ୍ଗି ଧରି ହଜାରହଜାର ଲୋକ, ଏପରିକି ମହିଳା ଓ ଶିଶୁ ମଧ୍ୟ ରାସ୍ତାରେ ମାଡ଼ି ଚାଲିଛନ୍ତି । ‘କାଉଡ଼ିଆ’, ‘କାଉଡିବାଲା’ ବା ‘ବୋଲବମ୍ ଯାତ୍ରୀ’ ଭାବେ ପରିଚିତ ଏହି ମଣିଷମାନେ ଶ୍ରାବଣ ମାସର ସୋମବାର ଦିନ କୌଣସି ଏକ ନଦୀର ପବିତ୍ର ପାଣିରୁ ଦୁଇ ଢ଼ାଳ ଆଣି ତାକୁ ଶିବଙ୍କ ମସ୍ତକରେ ଢ଼ାଳିଲେ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ କରିଥାନ୍ତି। ଗାଁର ଅଶିକ୍ଷିତ ଯୁବକଯୁବତୀଙ୍କଠାରୁ ଆରମ୍ଭ କରି ସହରର ଶିକ୍ଷିତ ଲୋକେ ମଧ୍ୟ ଏହି ଯାତ୍ରାରେ ଭାଗ ନେଉଥିବା ଏବଂ ଭବିଷ୍ୟତରେ କେତେ ବର୍ଷ ପାଇଁ ସାମିଲ ହେବାକୁ ମାନସିକ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।
ଶୈବପୀଠରେ ପାଣି ଢ଼ାଳିବା ନାଁରେ କାଉଡ଼ିଆ ଯାତ୍ରାର ଏହି ପରମ୍ପରାଟି ପୂର୍ବରୁ ଓଡ଼ିଶା​‌େ​‌ର ନଥିଲା । ରାଖି, ଧନ୍ ତେରାସ୍ ପରି ସମ୍ପୂର୍ଣ୍ଣ ରୂପେ ବାହାରୁ ଆମଦାନୀ ହୋଇଥିବା ଏହି ପରମ୍ପରାକୁ ପ୍ରଥମେ ଅଶୀ ଦଶକରେ କିଛି ମାରୱାଡ଼ି ସମ୍ପ୍ରଦାୟର ବ୍ୟବସାୟୀ ଓଡ଼ିଶାରେ ଆରମ୍ଭ କରିଥିଲେ । ପୂର୍ବରୁ ଏହାର ପ୍ରଚଳନ କେବଳ ଗଙ୍ଗାନଦୀ ଅବବାହିକାରେ, ଅର୍ଥାତ୍ ମୂଳତଃ ହିନ୍ଦୀ ଭାଷାଭାଷୀ ଅଂଚଳରେ ହିଁ ସୀମିତ ଥିଲା । ତେବେ ସେଠାରେ ବି ଏହି ପରମ୍ପରା ବେଶୀ ପୁରୁଣା ନୁହେଁ । ଯଦିଓ ସୋମବାର ଦିନ ଶିବଲିଙ୍ଗ ଉପରେ ପାଣି ଢ଼ାଳିବା ହିନ୍ଦୁମାନଙ୍କର ଏକ ପୁରୁଣା ପରମ୍ପରା, କିନ୍ତୁ ଏହା କେବେ ବି ଯାତ୍ରାର ରୂପ ନେଇ ନଥିଲା । ଏହାକୁ ପ୍ରଥମେ ଉତ୍ତର ଭାରତରେ ବ୍ୟବସାୟୀ ଗୋଷ୍ଠୀ ଭାବେ ପରିଚିତ ବୈଶ୍ୟ ବା ମାରୱାଡ଼ି ଲୋକେ ହିଁ ଆରମ୍ଭ କରିଥିଲେ । ମୂଳତଃ ରାଜସ୍ଥାନ ପରି ଏକ ଜଳକ୍ଳିଷ୍ଟ ରାଜ୍ୟର ଅଧିବାସୀ ରୂପେ ପରିଚିତ ଏହି ସମ୍ପ୍ରଦାୟ ଗ୍ରୀଷ୍ମଋତୁର ରୌଦ୍ରତାପ ପରେ ଶ୍ରାବଣ ସୋମବାର ଦିନ ଶିବଲିଙ୍ଗରେ ପାଣି ଢାଳିଲେ ପୁଣ୍ୟ ଅର୍ଜନ ହେବା ସହ ପାପନାଶ ହେବ ବୋଲି ବିଶ୍ୱାସ କରି ଏହାକୁ ଆରମ୍ଭ କରିଥିଲେ ବୋଲି କୁହାଯାଏ । ଶିବଲିଙ୍ଗରେ ପାଣି ଢ଼ାଳି ପୁଣ୍ୟ ଅର୍ଜନ ପାଇଁ ଇଚ୍ଛା ଥିଲେ ମଧ୍ୟ ନିଜର ବ୍ୟାବସାୟିକ ବ୍ୟସ୍ତତା ଯୋଗୁଁ ସେମାନେ ନିଜେ ସିଧାସଳଖ ଏହିଭଳି ଏକ କଷ୍ଟସାଧ୍ୟ ଯାତ୍ରାରେ ସାମିଲ ହେବା ତାଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଆଦୌ ଲାଭଜନକ ନଥିଲା । ଏଥିପାଇଁ ସେମାନେ କିଛି ଅର୍ଥ ବିନିମୟରେ ସ୍ଥାନୀୟ ବେକାର ଯୁବକମାନଙ୍କୁ ଏହି କାମରେ ନିୟୋଜିତ କରିବା ଆରମ୍ଭ କରିଥିଲେ । ଏହିଭଳି ଭାବେ କାଉଡ଼ିଆ ଯାତ୍ରାର ଆରମ୍ଭ ହୋଇଥିଲା ବୋଲି ଜନମାନସରେ ଧାରଣା ରହିଛି। ତେବେ ପରେ ପୁଣ୍ୟ ଅର୍ଜନର ବିଶ୍ୱାସ ନେଇ ଅଧିକରୁ ଅଧିକ ସାଧାରଣ ଲୋକ ଏଥିପ୍ରତି ଆକୃଷ୍ଟ ହୋଇ ଏହି ଯାତ୍ରାରେ ସାମିଲ ହେବା ଫଳରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା।
ତେବେ ଏଠାରେ ପ୍ରଶ୍ନ ଉଠେ କିଛି ଦଶକ ତଳେ ଉତ୍ତର ଭାରତର ମାତ୍ର କିଛି ଲୋକଙ୍କ ଭିତରେ ସୀମିତ ରହିଥିବା ଏହି କାଉଡ଼ିଆ ଯାତ୍ରା ଆଜି ବ୍ୟାପିବାରେ ଲାଗିଛି କିପରି ? ଦୁଇ ଦଶକ ତଳେ ଆମ ରାଜ୍ୟରେ ମାତ୍ର କିଛି ଲୋକ ଏହି କାଉଡ଼ିଆ ଯାତ୍ରାରେ ସାମିଲ ହେଉଥିବା ବେଳେ ଆଜି କାହିଁକି ଶିକ୍ଷିତ, ଅଶିକ୍ଷିତଠାରୁ ଆରମ୍ଭ କରି ଯୁବକଯୁବତୀ, ଏପରିକି ଛୋଟଛୋଟ ପିଲା ହଜାରହଜାର ସଂଖ୍ୟାରେ ଏଥିରେ ସାମିଲ ହେଉଛନ୍ତି ? କ’ଣ କାଉଡ଼ିଆ ଯାତ୍ରାରେ ସାମିଲ ହେଉଥିବା ସବୁ ଲୋକ ଶିବଙ୍କ ପ୍ରତି ଭକ୍ତିଭାବ ନେଇ ହିଁ ଏଥିରେ ସାମିଲ ହୋଇଥା’ନ୍ତି ? ରାସ୍ତାରେ ଯାଉଥିବା କାଉଡ଼ିଆଙ୍କୁ ଦେଖିଲେ ଯେକେହି କହିପାରିବେ ଯେ ଏଥିରେ ଭକ୍ତି ଅପେକ୍ଷା ମସ୍ତିର ଭୂମିକାଟି ଅଧିକ କାମ କରୁଛି । ଏଥିରେ ଭାଗ ନେଉଥିବା କାଉଡ଼ିଆଙ୍କ ବେଶଭୂଷା, ଚାଲି ଚଳଣି, ଆଗରେ ଆଗରେ ଯାଉଥିବା ତିନି ବା ଚାରିଚକିଆରେ ଲାଗିଥିବା ଡିଜେ ଜରିଆରେ ବଲିଉଡ଼ ଗୀତର ସ୍ୱରରେ କର୍କଶଭରା କାଉଡ଼ିଆ ଗୀତ, କାଉଡ଼ିଆଙ୍କ ମୁଖରେ ‘ଜଟିଆ ବାବା ପାର୍‌ କରେଗା’, ‘ଗଣେଶ ଫାଦର୍ ପାର କରେଗା’ ପରି ଶସ୍ତା ସ୍ଳୋଗାନ, ରାସ୍ତାରେ ବିଭିନ୍ନ ସ୍ଥାନରେ ଭାଙ୍ଗ, ଗଂଜେଇ, ଏପରିକି ମଦ ପରିବେଷଣ ଆଦିକୁ ଦେଖିଲେ ଏହି ଲୋକମାନେ ଯେ ଏକ ଧାର୍ମିକ ଅଭିଯାନରେ ନୁହେଁ, ବରଂ ଏକ ବଣଭୋଜିରେ ଯାଉଛନ୍ତି ଏହା ସ୍ପଷ୍ଟ ମନେହେଉଛି ।
ଆମ ସମାଜରେ ରହିଥିବା ଆର୍ଥିକ ବୈଷମ୍ୟ ଓ ବେକାର ସମସ୍ୟା ଉତ୍କଟ ହେବା କାରଣରୁ ଯୁବକଯୁବତୀଙ୍କ ମଧ୍ୟରେ ହତାଶା ବଢ଼ିବାରେ ଲାଗିଛି । ଅତଏବ ସଂଗଠିତ ହୋଇ ରୋଜଗାର ପାଇଁ ଲଢ଼େଇ କରିବା ବଦଳରେ କୌଣସି ଭଗବାନ କିମ୍ବା ବାବାମାତାଙ୍କ ପାଖକୁ ଯାଇ ରୋଜଗାର ପାଇଯିବାର ସହଜିଆ ବାଟ ଖୋଜିବା ଦେଖାଯାଉଛି । ସେଥିପାଇଁ ଗତ କିଛି ବର୍ଷ ଧରି ଦେଶରେ ବେକାରୀ ଓ ହତାଶା ଯେତେଯେତେ ବଢ଼ିଛି ସେତେ ବାବା, ମାତା ଓ ଭଗବାନଙ୍କ ଆବିର୍ଭାବ ଘଟିଛି । ଏହିି ପରିପ୍ରେକ୍ଷୀରେ ହିଁ ଏହିଭଳି ଯାତ୍ରାରେ ଯୁବକ /ଯୁବତୀମାନେ ନିଜକୁ ସାମିଲ କରି ତଥା ନିଜକୁ କଷ୍ଟ ଦେଇ ଶିବଲିଙ୍ଗରେ ପାଣି ଢ଼ାଳି ଦେଲେ ପୁଣ୍ୟ ଆକାରରେ କିଛି ଗୋଟେ ରାତାରାତି ପାଇଯିବାର ସ୍ୱପ୍ନ ଦେଖୁଛନ୍ତି । କାଉଡ଼ିଆ ହେବା ପଛରେ ସେମାନଙ୍କ ମନରେ ଏକ ଦୁଃସାହସିକ ଯାତ୍ରାରେ ଅଂଶଗ୍ରହଣ କରିବାର ଅଦମ୍ୟ ଇଚ୍ଛାଟି ବି କାମ କରୁଛି । ଘରେ ଖାଲି ବସିବା ଅପେକ୍ଷା ସାଙ୍ଗସାଥି ହୋଇ ମଉଜ ମଜଲିସ୍ କରି କିଛି ଦିନ ଏହି ଯାତ୍ରାରେ ଯାଇ ସମୟ ବିତାଇ ଦେବାର ମାନସିକତା ନେଇ ଅନେକେ ଏଥିରେ ସାମିଲ ହେଉଛନ୍ତି । ବୋଲବମ୍ ଯାତ୍ରାରେ ଯେତିକି କଷ୍ଟ ସ୍ୱୀକାର କରି ତଥା ଯେତିକି ସମୟ ଓ ଅର୍ଥ ଅପଚୟ କରି ଯେତେ ସଂଖ୍ୟକ ଯୁବକ/ଯୁବତୀ ଅନ୍ଧ ଭାବେ ସାମିଲ ହେବାରେ ଲାଗିଛନ୍ତି, ଯଦି ତାର ଅଧା ବି ରାଜଧାନୀକୁ ଆସି ସରକାରଙ୍କ ପାଖରେ ନିଯୁକ୍ତି ମାଗିଥାନ୍ତେ ତା’ହେଲେ ରାଜ୍ୟରେ ବେକାରୀ ପରି ଅନେକ ସମସ୍ୟା କେଉଁ କାଳୁ ସମାଧାନ ହୋଇସାରନ୍ତାଣି ।
ସମାଜକୁ ପଶ୍ଚାତ୍‌ମୁଖୀ କରୁଥିବା ଏଭଳି ଏକ ଧାର୍ମିକ ତାମସାକୁ ସରକାର ପ୍ରୋତ୍ସାହିତ କରିବା ପରିବର୍ତ୍ତେ ନିରୁତ୍ସାହିତ କରିବାକୁ ପଦକ୍ଷେପ ନେବା ସହିତ ଯୁବ ଗୋଷ୍ଠୀ ନିଜର ସମୟ ଓ ଅର୍ଥର ଅପଚୟ ନକରି ସରକାରଙ୍କ ପାଖରେ ରୋଜଗାରର ଦାବି କରିବା ଦରକାର ।
ଶକ୍ତି ନଗର – ୩ୟ ଗଳି, ବ୍ରହ୍ମପୁର
bhalachandra.odisha@gmail.com

Leave A Reply