ମହାନଗର ଜଳପ୍ରଳୟ

ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ନଦେଇ ବିଚାରଶୂନ୍ୟ ଭାବେ ଯଦି ନିର୍ମାଣ କାର୍ଯ୍ୟ କରାଯାଏ, ତେବେ ତା’ର ପରିଣତି ଭୟାବହ ହେବ

ଦିନକୁ ଦିନ ପରିବେଶ ବିଗିଡ଼ି ଯାଉଥିବାରୁ ଜଳବାୟୁ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡୁଛି। କେତେବେଳେ ଅସହ୍ୟ ଗରମ ତ କେତେବେଳେ ବାଦଲଫଟା ବର୍ଷାରେ ଜନଜୀବନ ବିପର୍ଯ୍ୟସ୍ତ। ଏବେ କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ହୋଇଥିବା ଅକଳ୍ପନୀୟ ବର୍ଷାରେ ଆମ ଦେଶର ‘ସିଲିକନ ଭେଲି’ର ଦୁର୍ଦଶା କହିଲେ ନ ସରେ। ଏଠାରେ ସ୍ଥାୟୀଭାବେ ଅବସ୍ଥାନ କରୁଥିବା ଅର୍ବୁଦପତିଙ୍କ ସୁରମ୍ୟ ପ୍ରାସାଦ ମଧ୍ୟ ସୁରକ୍ଷିତ ନୁହେଁ। ବର୍ଷାପାଣିରେ ଅଧିକାଂଶ କୋଠାର ପ୍ରଥମ ମହଲା ବୁଡ଼ିଯାଇଛି। ଏକଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା, ସହର ଓ ତାହାର ତଳି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୁର୍ଦଶା ଯେ ସୀମାତୀତ ଏଥିରେ କୌଣସି ସନ୍ଦେହ ନାହିଁ। ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଏହି ପରିସ୍ଥିତିରେ କ୍ଷୟକ୍ଷତି ଆକଳନ ଅପେକ୍ଷା ଜଳ ନିଷ୍କାସନକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ଆଇଟି ପେସାଦାରମାନେ ଡଙ୍ଗା ଓ ଟ୍ରାକ୍ଟରରେ ଏଭଳି ପରିସ୍ଥିତିରେ ନିଜ କାର୍ଯ୍ୟାଳୟକୁ ଯାଉଥିବାର ଦୃଶ୍ୟ ଅନେକଙ୍କୁ ବିିସ୍ମିତ କରୁଥାଇପାରେ; କିନ୍ତୁ ସେଥିରେ କିଛି ଅସ୍ବାଭାବିକତା ନାହିଁ। ମୁମ୍ବଇ ଓ ବେଙ୍ଗାଲୁରୁ ଭଳି ସମୃଦ୍ଧ ଓ ସମ୍ଭ୍ରାନ୍ତ ମେଟ୍ରୋରେ ଏ ପ୍ରକାର ବର୍ଷା ବିପର୍ଯ୍ୟୟ କିଛି ନୂଆ କଥା ନୁହେଁ। ଆମେ ଏଠାରେ ଦୁଇଟି ପ୍ରସଙ୍ଗ ଉପସ୍ଥାପନ କରିବୁ। ଏଭଳି ବଡ଼ବଡ଼ ସହରରେ ସ୍ବୀକୃତ ନକ୍ସାକୁ ଏଡ଼ାଇଯାଇ ବିଲ୍ଡରମାନଙ୍କୁ ସୁରମ୍ୟ ଫ୍ଲାଟ ନିର୍ମାଣ ପାଇଁ ଅନୁମତି ପ୍ରଦାନ ଏବଂ ଦ୍ବିତୀୟ ଦିଗଟି ହେଲା ଜଳ ନିଷ୍କାସନର ଗତି ଓ ପ୍ରକୃତିକୁ ନିଜନିଜର ସୁବିଧା ପାଇଁ ପରିବର୍ତ୍ତନ। ଏହା ପଛରେ ରହିଥିବା କଳା ଟଙ୍କା ଓ ବିପୁଳ ଦୁର୍ନୀତିକୁ କ୍ଷମତାସୀନ ସରକାରମାନେ ଦଳମତ ନିର୍ବିଶେଷରେ ଆଖିବୁଜି ଦେଇଛନ୍ତି। ଏବେ ଅବସ୍ଥା ବିଗିଡ଼ି ଯାଇଥିବାରୁ କ୍ଷମତାସୀନ ଓ ବିରୋଧୀଙ୍କ ମଧ୍ୟରେ ଅନାବଶ୍ୟକ କାଦୁଅ ଫୋପଡ଼ା ଚାଲିଛି। ଇଏ କେବଳ ଏହି ଦୁଇ ମହାନଗରୀର ବିଭ୍ରାଟ କଥା ନୁହେଁ, ଆମ ଦେଶରେ ଚାଲିଥିବା ଦ୍ରୁତ ସହରୀକରଣ ଓ ତାହାର ମୂଳ ନକ୍ସାକୁ ଏଡ଼ାଇଯାଇ ନିର୍ମାଣ ସକାଶେ ସୃଷ୍ଟି ହେଉଥିବା ସୁଯୋଗ ପ୍ରତି ଏବେହୁଁ କର୍ତ୍ତୃପକ୍ଷ ସଜାଗ ରହିବା ଆବଶ୍ୟକ; କିନ୍ତୁ ପ୍ରଚଳିତ ବ୍ୟବସ୍ଥାରେ ଏତେ ଖାଲଖମାଣ (ଦୁର୍ନୀତି) ସୃଷ୍ଟି ହୋଇଛି ଯେ ଏହି ସମ୍ଭାବ୍ୟ ପ୍ରତିକୂଳତା ପ୍ରତି କେହି ନିଘା ଦେଉନାହାନ୍ତି।

ଏସବୁ ଏଠାରେ ଉଲ୍ଲେଖ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ହଜାରେ ବର୍ଷର ପ୍ରାଚୀନ ସହର କଟକକୁ ମହାନଦୀ ଓ କାଠଯୋଡ଼ି ଘେରି ରହିଥିବାବେଳେ ନଦୀଶଯ୍ୟାକୁ ପୋତି ସମ୍ପ୍ରସାରଣ ସକାଶେ ଯେଉଁ ସୁଯୋଗ ସୃଷ୍ଟି କରାଯାଉଛି ତାହାର ଭୟାବହ ପରିଣତି ନେଇ କର୍ତ୍ତୃପକ୍ଷ ସଜାଗ ଥିଲା ଭଳି ମନେ ହେଉନାହିଁ। ଏକଥା ସତ ଯେ ସମ୍ଭାବ୍ୟ ବନ୍ୟା ଓ ସହରର ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରିଙ୍ଗ୍‌ରୋଡ୍‌ ନିର୍ମାଣ କରାଯାଇଥିଲା। ଏହା ଫଳରେ ବିସ୍ତୃତ ନଦୀପଠାକୁ ଆବାଦ କରି ଗଢ଼ିଉଠିଲା ସାଟେଲାଇଟ୍‌ ସହର ମର୍କତନଗର। ସେତେବେଳେ ମଧ୍ୟ ବନ୍ୟାଜଳ ପ୍ଳାବନର ଆତଙ୍କ ସୃଷ୍ଟି ହୋଇଥିଲା। ୮୦ ଦଶକରେ ଉପୁଜିଥିବା ବନ୍ୟା ବିଭୀଷିକାରୁ ବାଦ୍‌ ପଡ଼ିନଥିଲା ମର୍କତନଗର। ସେହି ଦୁଃସ୍ବପ୍ନକୁ କଟକବାସୀ ଭୁଲିନାହାନ୍ତି; କିନ୍ତୁ କର୍ତ୍ତୃପକ୍ଷ ନିର୍ବିଚାରରେ ରିଙ୍ଗ୍‌ରୋଡ୍‌ର ଅପରପାର୍ଶ୍ବ ଅର୍ଥାତ୍‌ ନଦୀଶଯ୍ୟାକୁ ପୋତି ପୁଣି କିଛି ନୂଆ ଇମାରତ୍‌ ଗଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ଏକଥା ସତ ଯେ ମହାନଦୀର ଜଳସ୍ରୋତ ଦିନକୁ ଦିନ ସଂକୀର୍ଣ୍ଣ ହେଉଥିବାରୁ ନୂଆ ସ୍ଥଳଭାଗ ବା ପଠା ସୃଷ୍ଟି ହୋଇଛି। ଅତ୍ୟାଧୁନିକ ଯାନ୍ତ୍ରିକ ବ୍ୟବସ୍ଥାରେ ତାହାକୁ ପୋତି ଯେଉଁ ନବନିର୍ମାଣ ଆରମ୍ଭ ହୋଇଛି ତାହା ଭବିଷ୍ୟତରେ କି ବିପଦ ସୃଷ୍ଟି କରିବ, ସେ ଦିଗପ୍ରତି କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ନିକଟରେ ‘ଜାତୀୟ ହରିତ୍‌ ନ୍ୟାୟାଧିକରଣ’ (ଏନ୍‌ଜିଟି) ଖଣ୍ଡପୀଠରେ ବିଶେଷଜ୍ଞ କମିଟି ଉପସ୍ଥାପନ କରିଥିବା ରିପୋର୍ଟ ବେଶ୍‌ ଭୀତିପ୍ରଦ। ୨୦୦୭ରୁ ୨୦୨୨ ମଧ୍ୟରେ ନଦୀଶଯ୍ୟା ପୋତି ୪୨୬ ଏକର ସ୍ଥଳଭାଗ ସୃଷ୍ଟି କରାଯାଇଛି। ଯଦି ବେଙ୍ଗାଲୁରୁ ଓ ମୁମ୍ବଇ ଭଳି ଏଠାରେ ପ୍ରବଳ ବୃଷ୍ଟିପାତ ହୁଏ ତେବେ ହୀରାକୁଦରୁ ମୁଣ୍ଡଳି ଦେଇ ଆସୁଥିବା ବନ୍ୟାଜଳ ସହ ସ୍ଥାନୀୟ ବର୍ଷାଜଳ ମିଶି କଟକ ସହରରେ ଜଳପ୍ରଳୟ ସୃଷ୍ଟି କରିବନି ତ? ଆମର ମନେ ରଖିବା ଉଚିତ ଯେ କଟକ ସହରର ତିନିପାର୍ଶ୍ବକୁ ଘେରିଥିବା ନଦୀଶଯ୍ୟାର ଉଚ୍ଚତା ଅଧିକ। ସେତେବେଳେ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ବିଫଳ ହେବ ଓ ସହରବାସୀ ଦିନଦିନ ଧରି ବୁଡ଼ି ରହିବେ। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ଯେଉଁସବୁ ଜଳନିରୋଧୀ ବ୍ୟବସ୍ଥା ରହିଛି ତାହାର ପ୍ରଭାବରେ କେବଳ ବର୍ଷାଋତୁକୁ ଛାଡ଼ିଦେଲେ ଅବଶିଷ୍ଟ ସମୟରେ କ୍ଷୀଣ ଜଳପ୍ରବାହ ଯୋଗଁୁ ନଦୀଶଯ୍ୟା ପୋତି ହୋଇପଡ଼ିଛି ଏବଂ ଅନିୟନ୍ତ୍ରିତ ବର୍ଷା ଜାରି ରହିଲେ ସେହି ଜଳନିରୋଧୀ ବ୍ୟବସ୍ଥା ବିଫଳ ହେବ ଓ ଜଳସମୁଦ୍ର ଉପର ମୁଣ୍ଡରୁ ତଳକୁ ବୋହି ଆସିବ। ତାହାକୁ ନିୟନ୍ତ୍ରଣ କରିବାକୁ ହୀରାକୁଦ ବ୍ୟବସ୍ଥା ମଧ୍ୟ ବିଫଳ ହେବ। ସେଭଳି ପରିସ୍ଥିତିରେ ଯୋବ୍ରା ଆନିକଟ ପ୍ରତି ବିପଦ ସୃଷ୍ଟି ହେବା କିଛି ବିଚିତ୍ର ନୁହେଁ; କାରଣ ତାହାର ସମ୍ମୁଖ ଓ ପୃଷ୍ଠଭାଗର ନଦୀଶଯ୍ୟାକୁ କ୍ରମାଗତ ଭାବେ ପୋତା ଚାଲିଛି। ଜଳବାୟୁ ପରିବର୍ତ୍ତନ ଯୋଗଁୁ ପରିଲକ୍ଷିତ ଅନିଶ୍ଚିତ ପାଣିପାଗ କେତେବେଳେ କିଭଳି ପରିସ୍ଥିତି ଉପୁଜାଇବ ସେ ସମ୍ପର୍କରେ ଆଗରୁ ସତର୍କ ହେବା ସମ୍ଭବ ନୁହେଁ। ଆମର ମନେଅଛି ପ୍ରାୟ ୧୫ ବର୍ଷ ତଳେ ଅନୁରୂପ ପରିସ୍ଥିତି ଉପୁଜିଥିଲା ଦିଲ୍ଲୀରେ। ଦୀର୍ଘଦିନ ଧରି ପୋତି ହୋଇପଡ଼ିଥିବା ଯମୁନା ନଦୀଶଯ୍ୟାକୁ ପୋତି ବାସୋପଯୋଗୀ କରି ଯେଉଁ ସମ୍ପ୍ରସାରିତ ସହର ଗଢ଼ିଉଠିଥିଲା, ତାହା ପ୍ରବଳ ବନ୍ୟାରେ ଏକପ୍ରକାର ନିଶ୍ଚିହ୍ନ ହୋଇଗଲା।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଊର୍ଦ୍ଧ୍ବରେ ପ୍ରକୃତି। ଏ ପରିପ୍ରେକ୍ଷୀରେ ବିଶେଷଜ୍ଞ କମିଟି ରିପୋର୍ଟ ଓ ଏନ୍‌ଜିଟି ରାୟ ବିବେଚନାଯୋଗ୍ୟ। ରାଜ୍ୟର ପ୍ରଥମ ରାଜଧାନୀ ଓ ସବୁଠାରୁ ପୁରୁଣା ସହର କଟକର ସୁରକ୍ଷା ପ୍ରତି ଧ୍ୟାନଦେବା ସର୍ବାଦୌ ଜରୁରୀ। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ଆଗପଛ ବିଚାରି ସରକାର ଯୋଜନା ପ୍ରସ୍ତୁତିକୁ ଗୁରୁତ୍ବ ଦେବା ଉଚିତ।

Comments are closed.