‘ଅକ୍ଷୟ’ ଅବହେଳା

ସୌର ଉଦ୍ୟାନ ନିର୍ମାଣ କ୍ଷେତ୍ରରେ ସରକାରଙ୍କ ଅବହେଳା ଓ ତଜ୍ଜନିତ ବିଫଳତା ଦର୍ଶାଉଛି ଯେ ଅକ୍ଷୟ ଶକ୍ତିରୁ ବିଦ୍ୟୁତ୍‌ ଉତ୍ପାଦନ ଲକ୍ଷ୍ୟ କେବଳ ଲୋକ ଦେଖାଣିଆ

ଭାରତରେ ବିଦ୍ୟୁତ୍‌ ଶକ୍ତିର ଚାହିଦା ଓ ଯୋଗାଣ ଭିତରେ ବ୍ୟବଧାନ ଦ୍ରୁତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ପ୍ରକୃତରେ ବର୍ତ୍ତମାନ କେବଳ ଔଦ୍ୟୋଗିକ କ୍ଷେତ୍ର ନୁହେଁ, ବରଂ କୃଷି ଓ ଘରୋଇ କାର୍ଯ୍ୟରେ ମଧ୍ୟ ବିଦ୍ୟୁତ୍‌ ବ୍ୟବହାର ବଢ଼ିଛି। ଏକ ରିପୋର୍ଟ ଅନୁସାରେ, ଦେଶରେ ବ୍ୟକ୍ତି ପିଛା ବିଦ୍ୟୁତ୍‌ ଖର୍ଚ୍ଚ ଚାରି ଶତାଂଶ ହାରରେ ବୃଦ୍ଧି ପାଉଛି। ଜାତୀୟ ବିଦ୍ୟୁତ୍‌ ପୋର୍ଟାଲ୍‌ ଅନୁସାରେ ଦେଶରେ ସାଢ଼େ ତିନି ଲକ୍ଷ ମେଗାୱାଟରୁ ଅଧିକ ବିଦ୍ୟୁତ୍‌ ଉତ୍ପାଦନ ହେଉଛି; କିନ୍ତୁ ଏହା ମୋଟ ଚାହିଦାଠାରୁ ପ୍ରାୟ ଅଢ଼େଇ ଶତାଂଶ କମ୍‌। ଏହି ତଥ୍ୟ ଦେବାର ତାତ୍ପର୍ଯ୍ୟ, ଯେଉଁସବୁ ଜିନିଷକୁ ନେଇ ଆମେ ଏତେ ପରିମାଣର ବିଦ୍ୟୁତ୍‌ ଉତ୍ପାଦନ କରୁଛୁ, ସେହି କୋଇଲା, ଗ୍ୟାସ୍‌, ପେଟ୍ରୋଲିୟମ୍‌ ଆଦି ପାରମ୍ପରିକ ସମ୍ବଳର ପରିମାଣ ଧୀରେଧୀରେ କମିବାରେ ଲାଗିଛି। କେବଳ ସେତିକି ନୁହେଁ; ଏହି ବିଦ୍ୟୁତ୍‌ ଉତ୍ପାଦନ ପ୍ରକ୍ରିୟା ପରିବେଶ ପାଇଁ ହାନିକାରକ ପାଲଟିଛି। ତେଣୁ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଏପରି ଅଣପାରମ୍ପରିକ ଉତ୍ସର ଉପଯୋଗ ଜରୁରୀ, ଯାହାର କ୍ଷୟ ନାହିଁ ଓ ତାହା ପ୍ରଦୂଷଣ ମଧ୍ୟ ସୃଷ୍ଟି କରିବ ନାହିଁ। ପ୍ରକୃତରେ ବିଶ୍ବର ଅନ୍ୟ ବିକଶିତ ଦେଶ ଭଳି ଭାରତ ମଧ୍ୟ ଏହି ଅକ୍ଷୟ ଶକ୍ତି କ୍ଷେତ୍ରରେ ଗତ କିଛି ବର୍ଷ ହେଲା କାର୍ଯ୍ୟ କରିଆସୁଛି; କିନ୍ତୁ ଆଶାନୁରୂପ ସଫଳତା ସମ୍ଭବ ହୋଇନାହିଁ। ପ୍ୟାରିସ୍‌ରେ ସଂଯୁକ୍ତ ରାଷ୍ଟ୍ରର ଆନ୍ତର୍ଜାତିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌-୨୧)ରେ ଭାରତ ସ୍ଥିର କରିଥିଲା ଯେ ୨୦୩୦ ମସିହା ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତାର ୪୦ ଶତାଂଶ ଅକ୍ଷୟ ଶକ୍ତି ଏବଂ ଅଣ-ଜୀବାଶ୍ମ ଇନ୍ଧନ ଭଳି ସ୍ବଚ୍ଛ ଶକ୍ତି ଉତ୍ସରୁ ଆହରଣ କରିବ। ଏପରି କି ବିଦ୍ୟୁତ୍‌ ଚାଳିତ ଯାନବାହନର ଚାର୍ଜିଂ ମଧ୍ୟ ଅକ୍ଷୟ ଶକ୍ତି ଦ୍ବାରା କରିବାକୁ ଚିନ୍ତା କରିଛି; କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର କାର୍ଯ୍ୟକାରିତା ନୈରାଶ୍ୟଜନକ ବୋଲି କୁହାଯାଇପାରେ। ଅକ୍ଷୟ ଶକ୍ତିରୁ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଆମେ ବହୁତ ପଛରେ ପଡ଼ିଛୁ। ଶକ୍ତି ସମ୍ବନ୍ଧୀୟ ମାମଲାର ସ୍ଥାୟୀ ସମିତି ସଂସଦରେ ଯେଉଁ ରିପୋର୍ଟ ଉପସ୍ଥାପନ କରିଛି, ତାହା ମୋଟାମୋଟି ଭାବେ ଆମର ବିଫଳତାକୁ ହିଁ ଦର୍ଶାଉଛି।

ଏହି ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଦେଶରେ ଅକ୍ଷୟ ଶକ୍ତିର ସତୁରି ଶତାଂଶ ଯୋଜନାକୁ କାର୍ଯ୍ୟକାରୀ କରିବାର ଲକ୍ଷ୍ୟକୁ ପୂରଣ କରିପାରି ନାହାନ୍ତି। ୨୦୨୨ ମସିହା ଅର୍ଥାତ୍‌ ଚଳିତବର୍ଷ ସୁଦ୍ଧା ୫୦ରୁ ଅଧିକ ସୌର ଉଦ୍ୟାନ ଓ ଅଲ୍‌ଟ୍ରା ମେଗା ସୌରଶକ୍ତି ପ୍ରକଳ୍ପ ଜରିଆରେ ୪୦ ଗିଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ; କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨୦ ଶତାଂଶ ସୌର ଉଦ୍ୟାନର ବିକାଶ କରାଯାଇପାରିଛି। ଆହୁରି ଦୁର୍ଭାଗ୍ୟଜନକ କଥା ହେଲା ତିନି ବର୍ଷ ପରେ ମଧ୍ୟ ୧୧ଟି ସୌରଉଦ୍ୟାନକୁ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିପାରିନାହିଁ। ସ୍ଥାୟୀ ସମିତି ଅନୁସାରେ ଏହି ସୌର ଉଦ୍ୟାନଗୁଡ଼ିକର ମଞ୍ଜୁରୀ ବିଳମ୍ବ ହେବା ଯୋଗୁଁ ୪୦ ଗିଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନର ଯେଉଁ ଲକ୍ଷ୍ୟ ରଖାଯାଇଛି, ସେଥିରେ ୬.୨ ଗିଗାୱାଟ୍‌ କମିଯିବାର ସମ୍ଭାବନା ରହିଛି। ରିପୋର୍ଟରୁ ଜଣାପଡ଼ିଛି ଯେ ଏ ପର୍ଯ୍ୟନ୍ତ ୧୭ଟି ରାଜ୍ୟରେ ୫୦ଟି ସୌର ଉଦ୍ୟାନ ମଧ୍ୟରୁ ୨୨,୮୭୯ ମେଗାୱାଟ୍‌ ସୌରବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ରହିଥିବା ୩୯ଟି ଉଦ୍ୟାନକୁ ମଞ୍ଜୁରୀ ମିଳିଛି। ଏଥିରୁ ମାତ୍ର ୮ଟି ସୌରଉଦ୍ୟାନର ହିଁ ଭିତ୍ତିଭୂମି ପ୍ରତିଷ୍ଠା ସଂପୂର୍ଣ୍ଣ ହୋଇପାରିଛି, ଯେଉଁଥିରୁ କେବଳ ୬,୫୮୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ କରାଯାଇପାରିବ। ଏଥିରେ ଚିନ୍ତା ପ୍ରକଟ କରି ସଂସଦୀୟ ସ୍ଥାୟୀ ସମିତି କହିଛି ଯେ ୨୦୧୫ରୁ ୨୦୨୦ ମସିହା ପାଞ୍ଚବର୍ଷର ଅବଧିରେ ସରକାର କେବଳ ୮ଟି ସୌର ଉଦ୍ୟାନର ଭିତ୍ତିଭୂମି ନିର୍ମାଣ କରିପାରିଛନ୍ତି ଏବଂ ୨୦୨୦ ପରେ ଏ କାର୍ଯ୍ୟରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର। ଅନ୍ୟ ପକ୍ଷରେ ୧୧ଟି ସୌର ଉଦ୍ୟାନକୁ ମଞ୍ଜୁରୀ ମିଳିବାରେ ବିଳମ୍ବ ହୋଇଥିବାରୁ ବିଦ୍ୟୁତ୍‌, ନବୀନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟଠାରୁ ସଂସଦୀୟ ସ୍ଥାୟୀ ସମିତି ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।

ସେ ଯାହାହେଉ, ଏଥିରେ ସନ୍ଦେହ ନାହିଁ ଯେ ଅକ୍ଷୟ ଶକ୍ତିର ଉପଯୋଗ ଯେତେ ବଢ଼ିବ, ଆମର ବିଦ୍ୟୁତ୍‌ ଚାହିଦା ଓ ଯୋଗାଣ ଭିତରେ ବ୍ୟବଧାନ ସେତିକି ହ୍ରାସ ପାଇବ। ଏହାଦ୍ବାରା ପ୍ରତ୍ୟକ୍ଷ-ଅପ୍ରତ୍ୟକ୍ଷ ଭାବେ ସାମାଜିକ ଜୀବନସ୍ତରରେ ମଧ୍ୟ ଉନ୍ନତି ଆସିବ; କିନ୍ତୁ ଏଥିପାଇଁ ସୌର ଉଦ୍ୟାନଗୁଡ଼ିକର ପ୍ରତିଷ୍ଠା ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ନିହାତି ଜରୁରୀ। ଏଥିରେ ଯେଉଁ ପ୍ରକାର ଅବହେଳା ସାମ୍ନାକୁ ଆସୁଛି, ତାହା ଚିନ୍ତାଜନକ। ଆଜି କେବଳ ଭାରତ ନୁହେଁ; ସମଗ୍ର ପୃଥିବୀରେ ବିଦ୍ୟୁତ୍‌ର ଆବଶ୍ୟକତା ପୂରଣ ପାଇଁ ସୀମିତ ପ୍ରାକୃତିକ ସମ୍ବଳ ରହିଥିବା ଅନୁଭବ କରାଯାଉଛି। ଏଥିସହ ପରିବେଶ ପ୍ରଦୂଷଣ ଏବଂ ବିସ୍ଥାପନ ଭଳି ଗୁରୁତର ଆହ୍ବାନ ଜଡ଼ିତ। ଏଥିରୁ ରକ୍ଷା ପାଇବା ପାଇଁ ଅକ୍ଷୟ ଶକ୍ତିର ଉପଯୋଗ ଏକମାତ୍ର ବିକଳ୍ପ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୦୦୪ ମସିହାରେ ଅକ୍ଷୟ ଶକ୍ତି ଦିବସ ପାଳନ ଆରମ୍ଭ କରାଯାଇଥିଲା; କିନ୍ତୁ ଉପରୋକ୍ତ ତଥ୍ୟରୁ ଜଣାଯାଉଛି ଯେ ସରକାର ନିଜେ ହିଁ ଏ ସମ୍ବନ୍ଧରେ ନିଷ୍ପୃହ। ପରିବେଶଜନିତ ବିନାଶଲୀଳାରୁ ରକ୍ଷା ପାଇବାକୁ ଏବଂ ବିଦ୍ୟୁତ୍‌ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଅକ୍ଷୟ ଶକ୍ତିର ସଦୁପଯୋଗ ଜରୁରୀ। ସରକାର ଏହାକୁ ଗୁରୁତ୍ବର ସହ ନିଅନ୍ତୁ ଏବଂ ଦେଶରେ ସୌର ଉଦ୍ୟାନ ପ୍ରତିଷ୍ଠା କାର୍ଯ୍ୟକୁ ତ୍ବରାନ୍ବିତ କରନ୍ତୁ।

Comments are closed.