ଭାତହାଣ୍ଡିରେ ମାଡ଼

ଜାତୀୟ ଦୃଶ୍ୟପଟକୁ ନେଇ ଆମେ ଆଶାବାଦୀ ହୋଇପଡ଼ିଥିବାବେଳେ ଲଘୁଚାପ ବର୍ଷା ଓ ବନ୍ୟା ରାଜ୍ୟର ଖରିଫ ଫସଲ ବ୍ୟବସ୍ଥାକୁ ଉଜାଡ଼ି ଦେଇଛି

ସମଗ୍ର ବିଶ୍ବ ସଂପ୍ରତି ଖାଦ୍ୟ ସଂକଟ ଦେଇ ଗତି କରୁଛି। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗାଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବାବେଳେ ସମ୍ଭାବ୍ୟ ସଂକଟକୁ ଦୃଷ୍ଟିରେ ରଖି ଧନଶାଳୀ ରାଷ୍ଟ୍ର ଖାଦ୍ୟଶସ୍ୟ ମହଜୁଦକୁ ଗୁରୁତ୍ବ ଦେଉଛନ୍ତି। ତେଣୁ ଖାଦ୍ୟାନ୍ନ ଅଭାବ ଥିବା ଦେଶଗୁଡ଼ିକରେ ଆଗାମୀ ଦିନରେ କ୍ଷୁଧାମୃତ୍ୟୁ ହାର ବୃଦ୍ଧି ପାଇବ। ଏ କଥା ସତ ଯେ ଭାରତ ଖାଦ୍ୟଶସ୍ୟ କ୍ଷେତ୍ରରେ ଅନ୍ୟତମ ବଳକା ରାଷ୍ଟ୍ର; କିନ୍ତୁ ଉତ୍ତର-କୋଭିଡ୍‌ ସ୍ଥିତିର ବାଧ୍ୟବାଧକତା ପାଇଁ ଭାରତ ଖାଦ୍ୟଶସ୍ୟ ରପ୍ତାନିରୁ ପଛଘୁଞ୍ଚା ଦେଇଛି। ଚଳିତ ବର୍ଷର ଅନୁକୂଳ ମୌସୁମୀକୁ ଲକ୍ଷ୍ୟକରି କେନ୍ଦ୍ର ସରକାରଙ୍କ କୃଷି ବିଭାଗ ଆଶାବାଦୀ ହୋଇପଡ଼ିଛି। ସରକାରୀ ଆକଳନରୁ ପ୍ରକାଶ ଯେ ୨୦୨୧-୨୨ରେ ଗହମ, ଚାଉଳ ଓ ଡାଲି ସହ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ୩୧୫.୭ ନିୟୁତ ଟନ ଛୁଇଁବ। ଏହା ପୂର୍ବବର୍ଷ ତୁଳନାରେ ୪.୯୮ ନିୟୁତ ଟନ୍‌ ଅଧିକ। ବିଶ୍ବର ନିଅଣ୍ଟିଆ ସ୍ଥିତିରେ ଆମର ଏହି ସମ୍ଭାବନା କୃଷି ଉତ୍ପାଦ ରପ୍ତାନି ପାଇଁ ସୁଯୋଗ ସୃଷ୍ଟି କରିବ। ଜାତୀୟ ଦୃଶ୍ୟପଟକୁ ନେଇ ଆମେ ଆଶାବାଦୀ ହୋଇପଡ଼ିଥିବାବେଳେ ତୁହାକୁତୁହା ଲଘୁଚାପ ବର୍ଷା ଓ ବନ୍ୟା ଓଡ଼ିଶାର ଖରିଫ ଫସଲ ବ୍ୟବସ୍ଥାକୁ ଉଜାଡ଼ି ଦେଇଛି କହିଲେ ଭୁଲ ହେବନି।

ଆମ ରାଜ୍ୟର ଚାଷୀ ଦୁଇଟି ପରସ୍ପର ବିରୋଧୀ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଗତ ଖରିଫ ଓ ରବି ଋତୁରେ ପର୍ଯ୍ୟାପ୍ତ ପରିମାଣର ଧାନ ଅମଳ ହୋଇଥିବାବେଳେ ସରକାରୀ କଳ ଠିକଣା ଢଙ୍ଗରେ ସଂଗ୍ରହ କରିନପାରିବାରୁ ଅଭାବୀ ବିକ୍ରି ପରିଲକ୍ଷିତ ହୋଇଥିଲା। ରାଜ୍ୟ ବାହାରକୁ ବିପୁଳ ପରିମାଣର ଧାନ ଚାଲାଣ ହୋଇଯାଇଥିବାରୁ ବଜାରରେ ଚାଉଳ ନିଅଣ୍ଟ ସ୍ଥିତି ସୃଷ୍ଟି ହୋଇଛି। ତେଣୁ ଅଗଷ୍ଟ ପହିଲାରୁ ଚାଉଳ ମୂଲ୍ୟ ୨୦ ପ୍ରତିଶତ ବଢ଼ିଗଲା। ଏବେ କ୍ରମାଗତ ବର୍ଷା ସାଙ୍ଗକୁ ବନ୍ୟା ଖରିଫ ଚାଷକୁ ବିବାକେ ଉଜାଡ଼ି ଦେଇଛି। ଉଜୁଡ଼ା ବ୍ୟବସ୍ଥାକୁ ସଜାଡ଼ିବା ଏତେ ସହଜ ନୁହେଁ। ସରକାର ରିଆତି ମୂଲ୍ୟରେ ବିହନ ଓ ସାର ଯୋଗାଇଦେବାର ପ୍ରତିଶ୍ରୁତି ଦେଲେ ମଧ୍ୟ ପୁଣି ଯେ ଖରିଫ ଧାନ ଉତୁରିବ ଏ ନେଇ ସନ୍ଦେହ ରହିଛି; କାରଣ ପ୍ରାୟ ଦଶ ଦିନରୁ ଅଧିକ କାଳ ତ୍ରିକୋଣଭୂମି ଅଞ୍ଚଳର ଧାନକ୍ଷେତ ମହାନଦୀ ବନ୍ୟାଜଳରେ ବୁଡ଼ି ରହିଛି। ପାଣି ଛାଡ଼ିବାକୁ ଆହୁରି ସପ୍ତାହେ ସମୟ ନେବ। ସେପ୍ଟେମ୍ବରରେ ବିହନ ଯୋଗାଡ଼ କରି ଧାନ ଉତାରିବା ଏତେ ସହଜ ନୁହେଁ। ପନିପରିବା ବିଲ ମଧ୍ୟ ଅନୁରୂପ ସ୍ଥିତିରେ ରହିଛି। ବନ୍ୟାଜଳ ଛାଡ଼ିଗଲେ ଫସଲ ହେବ; ହେଲେ ବଜାରକୁ ପରିବା ଆସିବା ସକାଶେ ନିଶ୍ଚୟ ସମୟ ଲାଗିବ। ସେ ପର୍ଯ୍ୟନ୍ତ ରାଜ୍ୟ ବାହାରୁ ଆସୁଥିବା ପରିବା ଉପରେ ଆମକୁ ନିର୍ଭର କରିବାକୁ ପଡ଼ିବ। ଏମିତିରେ ବଜାରଦର ଅନିୟନ୍ତ୍ରିତ ଭାବେ ବଢ଼ୁଥିବାବେଳେ ଚାଷ ଉଜୁଡ଼ି ଯାଇଥିବାରୁ ଏବେ ଯେଉଁ ପରିସ୍ଥିତି ଉପୁଜିଛି ସେଥିରେ ଦୁଇ ଓଳିର ଆହାର ଚିନ୍ତା ଉଭୟେ ଥିଲାବାଲା ଓ ନଥିଲାବାଲାଙ୍କୁ ବାଧିବ। ଉପାର୍ଜନର ସୁଯୋଗ ଦିନକୁ ଦିନ ସଂକୁଚିତ ହୋଇଯାଉଥିବାବେଳେ ସ୍ବଳ୍ପ ବେତନଭୋଗୀ ଠିକା କର୍ମଚାରୀଙ୍କ ଦୁର୍ଦଶା ଆହୁରି ବଢ଼ିଯିବ।

ଏ​ବେ ଆସିବା ମୌସୁମୀ ବର୍ଷାର ଗତି ଓ ପ୍ରକୃତି ପରିସଂଖ୍ୟାନକୁ। ଏମିତିରେ ଗତ କିଛିବର୍ଷ ଧରି ଜୁନରେ ସ୍ବାଭାବିକ ବର୍ଷା ହେଉନି। ତେଣୁ ଚାଷ ଏକ ପ୍ରକାର ମାସେ ପଛୁଆ ହୋଇଯାଉଛି। ସରକାରୀ ତଥ୍ୟ ଅନୁସାରେ ଚଳିତବର୍ଷ ଜୁନ୍‌ରେ ମାତ୍ର ୧୩୧.୩ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୩୭%ନିଅଣ୍ଟ। ଜୁଲାଇ ୯ରୁ ୧୮ ତାରିଖ ମଧ୍ୟରେ ୨୦୧.୫ ମିଲିମିଟର ବର୍ଷା ହୋଇଥିଲେ ମଧ୍ୟ ତାହା ସବୁ ଜିଲାରେ ସମାନ ଭାବେ ଉପଲବ୍ଧ ହୋଇନଥିବାରୁ ତଳି ପକାଇବା ଓ ରୁଆ କାର୍ଯ୍ୟ ଅପେକ୍ଷାକୃତ ବିଳମ୍ବ ହୋଇଥିଲା। ଚଳିତ ବନ୍ୟାରେ ରାଜ୍ୟର ଉପକୂଳ, ପଶ୍ଚିମ ଓ ଉତ୍ତର ଭାଗର ମୋଟ ୧୪ ଜିଲାର ୧.୫ ଲକ୍ଷ ହେକ୍ଟର ଜମିର ଧାନ ଫସଲ ଉଜୁଡ଼ି ଯାଇଛି। କ୍ରମାଗତ ଲଘୁଚାପ ଜନିତ ବର୍ଷା ଓ ବନ୍ୟାଜଳ ହ୍ରାସ ପାଉଥିଲେ ମଧ୍ୟ କ୍ଷେତରେ ୧୦ ଦିନ ଧରି ପାଣି ଭରି ରହିଥିବାରୁ ରୁଆଧାନ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଛି। ଜୁଲାଇରେ ୨୬୮.୪ ମିଲିମିଟର ରେକର୍ଡ ବର୍ଷାର ସୁଯୋଗ ନେବାରୁ ଚାଷୀ ବଞ୍ଚିତ ହୋଇଛନ୍ତି। ଜମିରୁ ପାଣି ଖସି ନଥିବା​‌େ​‌​ବ‌ଳେ ଆଗକୁ ଆହୁରି ଦୁଇଟି ଲଘୁଚାପ ଆସୁଥିବାର ସୂଚନା ଚାଷୀଙ୍କୁ ଛାନିଆ କରିଛି। ଆମ ରାଜ୍ୟର ଗ୍ରାମୀଣ ଜୀବନର ମୁଖ୍ୟ ବେଉସା ଚାଷ ହୋଇଥିବାବେଳେ ତାହା ଉଜୁଡ଼ିଗଲେ ଆଗକୁ ସ୍ଥିତି କ’ଣ ହେବ ସହଜେ ଅନୁମେୟ। ସରକାରଙ୍କ ସହାୟତା ଯୋଗାଣରେ ଯେ ପେଟ ପୂରିବ ଏ କଥା ନୁହେଁ। ସଂପୂର୍ଣ୍ଣ ରୂପେ ପାଣି ଛାଡ଼ିଗଲେ ପରିବା ସହ ଅନ୍ୟ ବିକଳ୍ପ ଚାଷ ସକାଶେ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଦେବା ସହ କ୍ଷେତ୍ର କର୍ମଚାରୀଙ୍କ ସକ୍ରିୟତାକୁ ସରକାର ଗୁରୁତ୍ବ ଦେବା ଉଚିତ; କାରଣ ଏହା ହିଁ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିପାରିବ।

Comments are closed.