ଭୁଲିଯିବାର ଅଧିକାର

ଯେଉଁଠି ନିଉଜ୍‌ ଚ୍ୟାନେଲ୍‌ଗୁଡ଼ିକ ପ୍ରତ୍ୟହ ବ୍ୟକ୍ତିଗତ ଗୋପନୀୟତା ଅଧିକାର ଉଲ୍ଲଙ୍ଘନ କରିଚାଲିଛନ୍ତି, ସେଇଠି ଲୋକଙ୍କୁ ‘ଭୁଲିଯିବାର ଅଧିକାର’ ମିଳିବ ତ?

ଆଜିକାଲି ବିଭିନ୍ନ କାରଣରୁ ପାରିବାରିକ ସମ୍ବନ୍ଧ ପୂର୍ବଭଳି ଦୃଢ଼ ହୋଇ ରହିପାରୁନଥିବା ବେଳେ ଦାମ୍ପତ୍ୟ କଳହ ବେଶି ପରିମାଣରେ ଦେଖିବାକୁ ମିଳୁଛି। ବିବାହର ଅଳ୍ପ କିଛି ଦିନ ନ ଯାଉଣୁ ନବବିବାହିତଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ଘଟି ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଉଛି; କିନ୍ତୁ ତା’ରି ଭିତରେ ସେମାନେ ଓ ଉଭୟଙ୍କ ପରିବାର ଯେଉଁ ମାନସିକ ଯନ୍ତ୍ରଣା ମଧ୍ୟରେ ଗତି କରନ୍ତି, ତାହା ବର୍ଣ୍ଣନାତୀତ। ଆଧୁନିକ ଯୁଗରେ ସମସ୍ତେ ଇଣ୍ଟରନେଟ୍‌ ସହିତ ସମ୍ପୃକ୍ତ ସାଧନଗୁଡ଼ିକ ବ୍ୟବହାର କରୁଥିବାବେଳେ ପତିପତ୍ନୀଙ୍କର ବିଭିନ୍ନ ସ୍ମୃତି, ଦଲିଲ୍‌ ଓ ଦସ୍ତାବିଜ୍‌ ସେମାନଙ୍କ ଜାଣତ ବା ଅଜାଣତରେ ସେଥିରେ ସାଇତା ହୋଇ ରହିଥାଏ। ବିବାହ ବିଚ୍ଛେଦ ପରେ ଜଣେ ହୁଏ ତ ଆର ଜଣକର ସ୍ମୃତିକୁ ଭୁଲିଯାଇ ଅନ୍ୟ କାହା ସହ ସୁଖୀ ଜୀବନ ବିତାଇପାରେ; କିନ୍ତୁ ଇଣ୍ଟରନେଟ୍‌ କେବେ ଏସବୁକୁ ଭୁଲିଯାଏନି ବା ଭୁଲିପାରେନି; ଅର୍ଥାତ୍‌ ଇଣ୍ଟରନେଟ୍‌ରେ ଉଭୟଙ୍କର ସ୍ମୃତି ଚିର ଜୀବିତ ହୋଇ ରହିଥାଏ, ଯେ ପର୍ଯ୍ୟନ୍ତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ‘ଇରେଜ୍‌’ କରା ନଯାଇଛି ବା ଲିଭାଇ ଦିଆ ନଯାଇଛି। ଏହା ପରବର୍ତ୍ତୀ ସମୟରେ ଏପରି ବିବାହ ବିଚ୍ଛେଦ ନେଉଥିବା ପତିପତ୍ନୀଙ୍କ ପାଇଁ ମାନସିକ ଯନ୍ତ୍ରଣାର କାରଣ ହୋଇପାରେ। ଏହି ପରିପ୍ରେକ୍ଷୀରେ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଅଧିକାରୀଙ୍କୁ ଏପରି ଏକ ବ୍ୟବସ୍ଥା ତିଆରି କରିବାକୁ ନିର୍ଦେଶ ଦେଇଛନ୍ତି, ଯାହାଦ୍ବାରା କୌଣସି ତିକ୍ତ ବୈବାହିକ ବିବାଦରେ ପଡ଼ିଥିବା ଦମ୍ପତିଙ୍କ ସମସ୍ତ ବିଷୟ ସର୍ଚ ଇଞ୍ଜିନ୍‌ରୁ ହଟାଯାଇପାରିବ। ଏପରି କରିବା ଦ୍ବାରା ସର୍ବୋଚ୍ଚ ନ୍ୟାୟାଳୟ ଲୋକଙ୍କୁ ‘ଭୁଲିଯିବାର ଅଧିକାର’ ପ୍ରଦାନ କରିବାପାଇଁ ଚେଷ୍ଟା କରିଛନ୍ତି, ଯାହା ବିଷୟରେ ଅତୀତରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ୟ ମାମଲାରେ ନିଜର ମତ ସ୍ପଷ୍ଟ କରିଛନ୍ତି। ଏହା ଏଇଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ ଏଥିସହ ବ୍ୟକ୍ତିଗତ ଗୋପନୀୟତାର ଅଧିକାର ସମ୍ପୃକ୍ତ।

୨୦୧୭ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ନଅଜଣିଆ ସାମ୍ବିଧାନିକ ପୀଠ ଗୋପନୀୟତାର ଅଧିକାରକୁ ମୌଳିକ ଅଧିକାରର ମାନ୍ୟତା ଦେବା ଏକ ଐତିହାସିକ ରାୟ ଥିଲା। ସେଥିରେ ମଧ୍ୟ ନ୍ୟାୟାଳୟ ଏହି ଭୁଲିଯିବାର ଅଧିକାରର ବ୍ୟାଖ୍ୟା କରିଥିଲେ, ଯାହା ଏ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପାଞ୍ଚ ବର୍ଷ ତଳର ଉକ୍ତ ରାୟରେ ନ୍ୟାୟମୂର୍ତ୍ତି ରୋହିନଟନ ଫଲି ନରିମାନ ‘ସୂଚନାତ୍ମକ ଗୋପନୀୟତା’କୁ ସମ୍ଭବତଃ ପ୍ରଥମ କରି ଚିହ୍ନିତ କରିଥିଲେ ଏବଂ ନ୍ୟାୟମୂର୍ତ୍ତି ସଂଜୟ କିଷନ କାଉଲ ଡିଜିଟାଲ୍‌ ସନ୍ତକଗୁଡ଼ିକର ବିପଦ ସମ୍ପର୍କରେ ସଚେତନ କରିଦେଇଥିଲେ। ସେ ଇଣ୍ଟରନେଟ୍‌ରେ ବର୍ଷବର୍ଷଧରି ଜମାହୋଇ ରହିଥିବା ବ୍ୟକ୍ତିଗତ ଜୀବନର ଅନେକ ତଥ୍ୟ ସର୍ବସାଧାରଣଙ୍କ ଗୋଚରକୁ ଆସୁଥିବାରୁ ଏହାକୁ ଗୋପନୀୟତାର ମୌଳିକ ଅଧିକାରର ଉଲ୍ଲଙ୍ଘନ ବୋଲି ଦର୍ଶାଇଥିଲେ। ସେ ବର୍ତ୍ତମାନର ଡିଜିଟାଲ୍‌ ଯୁଗରେ ଗୋପନୀୟତାର ଅଧିକାର ଭିତରେ ଭୁଲିଯିବାର ଅଧିକାରକୁ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲେ। ତାଙ୍କ ମତରେ ଜଣେ ବ୍ୟକ୍ତିକୁ ଅନଲାଇନରେ ଥିବା ତା’ର ସମସ୍ତ ବ୍ୟକ୍ତିଗତ ତଥ୍ୟ ଉପରେ ନିୟନ୍ତ୍ରଣ ରଖିବାର ସୁଯୋଗ ମିଳିବା ଆବଶ୍ୟକ ଏବଂ ଯେଉଁଗୁଡ଼ିକ ତା’ର ସମ୍ମାନ ବା ପ୍ରତିଷ୍ଠା କ୍ଷୁଣ୍ଣ କଲାଭଳି ତାକୁ ଲାଗୁଛି, ସେଗୁଡ଼ିକୁ ଲିଭାଇ ଦେବାର ଅଧିକାର ତା’ର ରହିବା ଉଚିତ।

ଏହାର ଗୁରୁତ୍ବ ଯେ କେତେ ଅଧିକ, ତାହା ବ୍ୟକ୍ତିଗତ ସ୍ତରରେ ଯେଉଁମାନେ ଗାଳିମନ୍ଦ, ଶୋଷଣ, ନିର୍ଯାତନାର ଶିକାର ହେଉଛନ୍ତି ସେମାନେ ବେଶି ବୁଝିପାରିବେ। ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ବ୍ୟକ୍ତିଗତ ଗୋପନୀୟତାର ସବୁଠୁ ବଡ଼ ଉଲ୍ଲଙ୍ଘନକାରୀ ଭାବେ ଉଭା ହୋଇଛି, ଯେଉଁଠି ବ୍ୟକ୍ତିଗତ ସ୍ବାଧୀନତା ଓ ସମ୍ମାନ ରକ୍ଷା ଅସମ୍ଭବ ବ୍ୟାପାର। ବିଶେଷକରି ସମାଜର ଜଣାଶୁଣା ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଯେତେବେଳେ ଝଡ଼ ଉଠେ, ତାହା ସର୍ବସାଧାରଣରେ ବେଶି ଚର୍ଚ୍ଚା ସୃଷ୍ଟି କରେ। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଯେଉଁ ଅନିୟନ୍ତ୍ରିତ ଆଲୋଚନା-ସମାଲୋଚନା ହୁଏ, ତାହା ବିବାଦରେ ସଂପୃକ୍ତ ପତିପତ୍ନୀଙ୍କର ମାନହାନି କଲାଭଳି ସ୍ଥିତି ସୃଷ୍ଟି କରେ। ନିକଟ ଅତୀତରେ ଏପରି ଏକ ଦାମ୍ପତ୍ୟ ବିବାଦର ବିଚାର କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟର ଦୁଇ ତାରକା ଅଭିନେତା-ଅଭିନେତ୍ରୀଙ୍କୁ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ନେଇ କୌଣସି ମନ୍ତବ୍ୟ ବା ଭିଡିଓ ପ୍ରସାରଣ ନ କରିବାକୁ ନିର୍ଦେଶ ଦେଇଥିଲେ। ଏଥିରୁ ବ୍ୟକ୍ତିଗତ ଜୀବନରେ ଏହାର ପ୍ରଭାବ କେତେ, ତାହା ସହଜେ ଅନୁମେୟ।

ସୂଚନାଯୋଗ୍ୟ ଯେ ୨୦୧୪ରୁ ହିଁ ଇଉରୋପୀୟ ସଙ୍ଘ ‘ଭୁଲିଯିବାର ଅଧିକାର’ ନେଇ ଆଇନ ପ୍ରଣୟନ କରିଛି, ଯାହାକୁ ‘ଲିଭାଇବାର ଅଧିକାର’ ମଧ୍ୟ କୁହାଯାଏ। ଅନ୍‌ଲାଇନରେ ବ୍ୟକ୍ତିଗତ ଗୋପନୀୟ ତଥ୍ୟଗୁଡ଼ିକ ଉପରେ ପ୍ରତ୍ୟେକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏହା ବେଶ୍‌ ମହତ୍ତ୍ବପୂର୍ଣ୍ଣ। ଆମ ଦେଶରେ ପ୍ରସ୍ତାବିତ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌ରେ ଏ ପ୍ରସଙ୍ଗ ସ୍ଥାନ ପାଇଥିଲେ ହେଁ ଏ ଆଇନ ପ୍ରଣୟନ ହେବାପରେ ମଧ୍ୟ ଭୁଲିଯିବାର ଅଧିକାର ବା ଲିଭାଇବାର ଅଧିକାର ଜନସାଧାରଣଙ୍କୁ କିପରି ମିଳିବ, ତାହା ଏବେ ମଧ୍ୟ ସଂଶୟାଚ୍ଛନ୍ନ। ଯେଉଁଠି ନିଉଜ୍‌ ଚ୍ୟାନେଲ୍‌ଗୁଡ଼ିକ ପ୍ରତ୍ୟହ ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଙ୍ଘନ କରିଚାଲିଛନ୍ତି, ସେଇଠି ସାମାଜିକ ଗଣମାଧ୍ୟମ ବା ଇଣ୍ଟରନେଟ୍‌ରେ ଏହାକୁ ନିୟନ୍ତ୍ରଣ କରିବା କେତେଦୂର ସମ୍ଭବ ହେବ, ତାହା ଏକ ବଡ଼ ପ୍ରଶ୍ନବାଚୀ।

Comments are closed.