ରୂପାନ୍ତର ଅପେକ୍ଷାରେ ରାଜ୍ୟ

ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ପରିଲକ୍ଷିତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାଜ୍ୟର ସାମଗ୍ରିକ ରୂପାନ୍ତରଣ ସମ୍ଭବ ନୁହେଁ

ଖାଦ୍ୟ ଓ ପୋଷଣ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଯୋଜନା ପ୍ରସ୍ତୁତିବେଳେ ସରକାରଙ୍କ ଆଖି ଆଗରେ କ୍ଷୁଧାମୁକ୍ତ ଜୀବନ ଯାତ୍ରା ନିଶ୍ଚୟ ରହିବ। କାରଣ କ୍ଷୁଧାର ପୀଡ଼ନ ବେଳେବେଳେ ମଣିଷକୁ ଚଣ୍ଡାଳ ଭଳି ବିଭୀଷିକା ସୃଷ୍ଟି ପାଇଁ ବାଧ୍ୟବାଧକତା ସୃଷ୍ଟି କରିଥାଏ। ସାମାଜିକ ଶୃଙ୍ଖଳା ଓ ମୂଲ୍ୟବୋଧଭିତ୍ତିକ ଜୀବନ ପ୍ରବାହକୁ ସାକାର କରିବା ସକାଶେ ମୁହଁରେ ଦାନା ଓ ଓଠରେ ହସ ସୃଷ୍ଟିକୁ ଯେ କୌଣସି ସରକାର ପ୍ରାଧାନ୍ୟ ଦେଇଥାଆନ୍ତି। ଏଭଳି ଆଭିମୁଖ୍ୟକୁ ଚରିତାର୍ଥ କରିବା ପାଇଁ କେଉଁ ସରକାର କିଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ଭିନ୍ନ କଥା। ତେବେ ଆମେ ଏଠାରେ ଉଲ୍ଲେଖ କରିବା ଓଡ଼ିଶା ସରକାରଙ୍କ ସମ୍ପର୍କରେ। କେନ୍ଦ୍ରୀୟ ପରିସଂଖ୍ୟାନର ତ୍ରୁଟିକୁ ନେଇ ଯିଏ ଯେତେ ସମାଲୋଚନା କରନ୍ତୁ ନା କାହିଁକି ଆମେ ଯେ ଜାତୀୟ ସ୍ତରରେ ଖାଦ୍ୟ ସୁରକ୍ଷା କ୍ରିୟାନ୍ବୟନରେ ପ୍ରଥମ ସ୍ଥାନ ଅଧିକାର କରିଛୁ ତାହା ଗର୍ବର ବିଷୟ। ଏ କଥା ସତ ଯେ ସମୟ ଥିଲା ଦରିଦ୍ର ରାଜ୍ୟଙ୍କ ତାଲିକାରେ ଆମେ ତଳଆଡୁ ତୃତୀୟ ସ୍ଥାନରେ ରହିଥିଲୁ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ନିରବଚ୍ଛିନ୍ନ କାର୍ଯ୍ୟକାରିତାରୁ ଯେଉଁ ସୁଫଳ ମିଳିଛି ତାହାର ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ ନିତି ଆୟୋଗ ଉପାଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗରିୟା ଓ ଭାରତୀୟ ଅର୍ଥନୀତିକୁ ଅତି ନିକଟରୁ ବିଶ୍ଳେଷଣ କରିଥିବା ବିଶେଷଜ୍ଞ ଜାଁ ଦ୍ରେଜ। କିଏ କହିଲାଣି, ନବୀନଙ୍କଠାରୁ ଶିଖ ତ ଆଉ କିଏ କହିଲାଣି ଓଡ଼ିଶାର ପିଡିଏସ୍‌ ବ୍ୟବସ୍ଥା ସର୍ବୋତ୍ତମ। ଆମର ଏଠାରେ କହିବାର କଥା ଯେ କିଏ କାହାଠାରୁ ଶିଖିବାର ମାନସିକତାରେ ନାହାନ୍ତି। ସମସ୍ତେ ଓଳିଆରୁ ପଡ଼ି ଗଜା। ଏଠାରେ ଗୋଟିଏ କଥା ଉଲ୍ଲେଖ କରିବାର କଥା ଯେ ଖାଦ୍ୟ ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହେଲା ତାହା ସମାଜର ଶେଷ ଲୋକ ନିକଟରେ ପହଞ୍ଚିଲା କି ନାହିଁ ସେଥିପ୍ରତି ନେତୃତ୍ବର ନିଷ୍ଠାପୂର୍ଣ୍ଣ ଦୃଷ୍ଟି ରହିବା ଉଚିତ। ଏ କଥା କହିବାବେଳେ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ କିଲୋ ପ୍ରତି ୨ଟଙ୍କା ମୂଲ୍ୟରେ ପିଡିଏସ୍‌ ଚାଉଳ ସମାଜର ଦରିଦ୍ର ଲୋକଙ୍କ ନିକଟରେ ପହଞ୍ଚିଲା କି ନାହିଁ ତାହାକୁ ନିଶ୍ଚିତ କରାଯାଇଥିଲା। ନିର୍ବାଚନ ବିଜୟର ଟ୍ରମ୍ପକାର୍ଡ ପରବର୍ତ୍ତୀ ସମୟରେ ସରକାରଙ୍କୁ ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ପ୍ରୋତ୍ସାହିତ କରିଥିଲା। ଏଠାରେ କଥା ଉଠୁଛି କେତେ ଦରିଦ୍ର ଲୋକ ଏହି ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ବାଛିବାରେ ସରକାରୀ କଳର ଅପାରଗତା ଥାଇପାରେ; କିନ୍ତୁ ଏ କଥା ସତ ଯେ କ୍ଷୁଧାର ଯାତନାରୁ ମୁକ୍ତି ପାଇଁ ଏହା ଏକ ସଫଳ ପ୍ରୟାସ।

କ୍ଷୁଧାମୁକ୍ତି ଓ ଖାଦ୍ୟ ସୁରକ୍ଷା ପ୍ରୟାସରେ ଏହି ଟଙ୍କିକିଆ ଚାଉଳର ଭୂମିକା ଯାହା ଥାଉନା କାହିଁକି ଆମକୁ କିନ୍ତୁ ସ୍ବୀକାର କରିବାକୁ ପଡ଼ିବ ଯେ ଏହା ଲୋକଙ୍କ ମଧ୍ୟରେ କର୍ମ ବିମୁଖତା ସୃଷ୍ଟି କରିଛି। ବଞ୍ଚିବା ପାଇଁ ସର୍ବନିମ୍ନ ଆବଶ୍ୟକତା ମିଳିଯିବା ପରେ ଅତିରିକ୍ତ ରୋଜଗାର କରି ପରିବାରର ଶକ୍ତି ଓ ସାମର୍ଥ୍ୟ ବଢ଼ାଇବାର ଆଗ୍ରହ ଅନେକଙ୍କ ମନରେ ନାହିଁ। ଏହି ବ୍ୟବସ୍ଥାର ଦୁରୁପଯୋଗ ହେଉଥିବାରୁ ଟଙ୍କିକିଆ ଶସ୍ତା ଚାଉଳ ରିସାଇକ୍‌ଲ ପରେ ପୁଣି ଖୋଲାବଜାରକୁ ଆସୁଛି। ଏଥିରୁ ଏତିକି ଲାଭ ହୋଇଛି ଯେ ଖୋଲାବଜାରରେ ଏହି ଚାଉଳର ଉପଲବ୍ଧି ଯୋଗୁଁ ବର୍ତ୍ତମାନର କାଳ ମହରଗରେ ମଧ୍ୟ ତାହାର ଦର ତେଜିନାହିଁ। ଏଥିରେ ସାଧାରଣ ଖାଉଟି ଉପକୃତ ହେଉଥିବାବେଳେ ଚାଷୀ ଉପଯୁକ୍ତ ମୂଲ୍ୟ ନ ପାଇ କ୍ଷତିଗ୍ରସ୍ତ ହେଉଛି। ଏହି ତିନିଟି ଦିଗ ପରସ୍ପର ବିରୋଧୀ ହୋଇଥିଲେ ମଧ୍ୟ ତୃଣମୂଳ ସ୍ତରରେ ରାଜ୍ୟ ସରକାରଙ୍କ ଲୋକପ୍ରିୟତା ବଢ଼ାଇବାରେ ସହାୟକ ହୋଇଛି। ପାନଗରିୟା ଉପସ୍ଥାପନ କରିଥିବା ତଥ୍ୟ କହିଛି ଯେ ୨୦୧୯-୨୦ରେ ଜିଏସ୍‌ଡିପି ୮.୮% ଛୁଇଁଥିଲା। ପରବର୍ତ୍ତୀ ଦୁଇବର୍ଷରେ କରୋନା ଅତିମାରୀର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହି ହାର ସେଭଳି କମିନି। ଅନ୍ୟପକ୍ଷରେ ମୁଣ୍ଡପିଛା ବାର୍ଷିକ ଆୟ ୧୭,୬୫୦ ଟଙ୍କାରୁ ବୃଦ୍ଧି ପାଇ ୮୨,୨୫୭ରେ ପହଞ୍ଚିଛି। ଏହି ପାଞ୍ଚଗୁଣ ବୃଦ୍ଧି ପଛରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ବାରା ସମ୍ଭବ ହୋଇଛି। ଆମକୁ କିନ୍ତୁ ଏଠାରେ କହିବାକୁ ପଡୁଛି ଯେ ବର୍ଗ ବିଶେଷରେ ବିଶ୍ଳେଷଣ ସେଭଳି ଉତ୍ସାହପ୍ରଦ ନୁହେଁ। ସାମଗ୍ରିକ ସ୍ଥିତିରେ ଯେଉଁ ସଫଳତା ପରିଲକ୍ଷିତ ହେଉଛି ତାହାର ସିଂହଭାଗ ଯେ ବଡ଼ବଡ଼ିଆଙ୍କ ପକେଟକୁ ଯାଉଛି ଏ କଥା ଯେ କେହି ସ୍ବୀକାର କରିବ। ଏ ସବୁ ବାଦ ସାମାଜିକ ସ୍ତରରେ ଏହି ରୂପାନ୍ତର ନିଶ୍ଚୟ ସରକାରଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ସୁଯୋଗ ଆଣି ଦେଇଛି।

ଏହି ସଫଳତା ବଖାଣବେଳେ ଆମକୁ କହିବାକୁ ପଡୁଛି ଯେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କୁ ଆଗକୁ ବହତ କିଛି କରିବାକୁ ପଡ଼ିବ। ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା କିମ୍ବା ମେଡିକାଲ କଲେଜର ସଂଖ୍ୟାବୃଦ୍ଧି ଅନୁଭୂତ ସମସ୍ୟାର ଉତ୍ତର ନୁହେଁ। ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଡାକ୍ତର ନିଯୁକ୍ତିରେ ବିଫଳତା ପ୍ରତି ଧ୍ୟାନ ଦେଇ ସରକାରଙ୍କୁ ଆଗାମୀ ଦିନରେ ବ୍ୟବସ୍ଥିତ ଢଙ୍ଗରେ ପଦକ୍ଷେପ ନେବାକୁ ପଡ଼ିବ। ସେହିଭଳି ସରକାରଙ୍କ ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟା ଆଗେଇ ଚାଲିଥିବାବେଳେ ଗୁଣାତ୍ମକ ଶିକ୍ଷା ପ୍ରତି ସଚେତନତା ଅଭାବ ବାରି ହୋଇପଡୁଛି। ଏହି ଦିଗଗୁଡ଼ିକ ପ୍ରତି ଉଚିତ ଧ୍ୟାନ ଦିଆଯାଇପାରିଲେ ରାଜ୍ୟର ସାମଗ୍ରିକ ରୂପାନ୍ତରଣ ସମ୍ଭବପର ହେବ।

Comments are closed.