ଆଉ କେତେ ମହଙ୍ଗା?

ଲୋକଙ୍କ ନିକଟରେ ନିୟମିତ ଆୟର ସାଧନ ଓ କ୍ରୟଶକ୍ତି ହ୍ରାସ ପାଇଥିବା ସମୟରେ ଅତ୍ୟାବଶ୍ୟକ ଜିନିଷପତ୍ରର କ୍ରମାଗତ ଦରବୃଦ୍ଧି ସେମାନଙ୍କୁ ଅତିଷ୍ଠ କଲାଣି

ଦେଶରେ ପ୍ରତ୍ୟେକ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ିଚାଲିଥିବାବେଳେ ଜନସାଧାରଣଙ୍କ ଉପରେ ଅତିରିକ୍ତ ବୋଝ ବଢ଼ିଚାଲିଛି। ତୈଳ କମ୍ପାନୀଗୁଡ଼ିକ ଏଲ୍‌ପିଜି ବା ରନ୍ଧନ ଗ୍ୟାସ୍ ଦର ପୁଣିଥରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ଦାମ୍‌ ଓଡ଼ିଶାରେ ୧୦୨୯ ଟଙ୍କାରୁ ୧୦୭୯ ଟଙ୍କାରେ ପହଞ୍ଚିଛି। ମାଲକାନଗିରିରେ ଏହା ୧୦୮୨ ଟଙ୍କା ୫୦ ପଇସା ହୋଇଛି। ୫ କେଜି ବିଶିଷ୍ଟ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍‌ ମଧ୍ୟ ଅଧିକ ୧୮ ଟଙ୍କା ବଢ଼ି ୩୯୭ ଟଙ୍କା ହୋଇଛି। ଚଳିତ ବର୍ଷ ଚାରି ଥର ଏବଂ ଗତ ମେ ମାସଠାରୁ ଅଦ୍ୟାବଧି ୩ ଥର ଘରୋଇ ଏଲ୍‌ପିଜି ମୂଲ୍ୟ ବୃଦ୍ଧି ପାଇ ପ୍ରତ୍ୟେକ ପରିବାରର ରୋଷେଇ ବଜେଟ୍‌କୁ ଗଡ଼ବଡ଼ କରିଦେଇଛି। ପ୍ରକୃତରେ ମୋଟ ହିସାବ କଲେ ଗତ ବର୍ଷକ ମଧ୍ୟରେ ସିଲିଣ୍ଡର ପିଛା ୨୪୪ ଟଙ୍କା ବଢ଼ିସାରିଲାଣି। ଏଥିରୁ ଲୋକଙ୍କ ଉପରେ ମହଙ୍ଗା ମାଡ଼ କିପରି ପଡ଼ୁଛି, ତାହା ସହଜେ ଅନୁମେୟ। ଉଲ୍ଲେଖନୀୟ ଯେ ଦେଶର ୭୦ ଶତାଂଶ ପରିବାର ରୋଷେଇ ପାଇଁ ଏଲ୍‌ପିଜିକୁ ହିଁ ପ୍ରମୁଖ ଇନ୍ଧନ ଭାବେ ବ୍ୟବହାର କରିଥା’ନ୍ତି।

ଗତ ତିନି ମାସ ଧରି ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌ ସ୍ଥିର ରହିବା ଉପଭୋକ୍ତାଙ୍କୁ କିଛିଟା ଆଶ୍ବସ୍ତି ପ୍ରଦାନ କରିଛି ସତ, କିନ୍ତୁ ବର୍ତ୍ତମାନ ମଧ୍ୟ ପେଟ୍ରୋଲ୍‌ର ଦାମ୍‌ ୧୦୦ ଟଙ୍କା ଉପରେ ରହିଛି, ଯାହା କମ୍‌ ନୁହେଁ ଏବଂ ଅନେକ ଲୋକଙ୍କ ପକେଟକୁ ଏହା ବାଧୁଛି। ଗତ ମାର୍ଚ ୨୨ ତାରିଖରୁ ପରବର୍ତ୍ତୀ ୧୬ ଦିନ ମଧ୍ୟରେ ମୋଟ ୧୦ ଟଙ୍କା ବଢ଼ିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ୍‌ ଓ ଡିଜେଲ୍‌ରୁ ଲିଟର ପିଛା ଯଥାକ୍ରମେ ୮ ଟଙ୍କା ଓ ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେମାନେ ଆଦାୟ କରୁଥିବା ଭାଟ୍‌ରୁ କିଛି କାଟିବା ପାଇଁ କହିଥିଲେ ହେଁ ରାଜ୍ୟ ସରକାରଗୁଡ଼ିକ ତାକୁ ଧ୍ୟାନ ଦେଇନଥିଲେ। ଅନ୍ୟପକ୍ଷରେ, ସରକାର ସେତେବେଳେ ଉଳା ଯୋଜନାର ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କା ରିଆତି ଦେବାପାଇଁ ଘୋଷଣା କରିଥିଲେ। ବାସ୍ତବରେ ଦେଖିବାକୁ ଗଲେ ଉଳା ଯୋଜନାରେ ଯେଉଁମାନଙ୍କୁ ମାଗଣାରେ ସିଲିଣ୍ଡର ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ଅନେକ ଲୋକ ଏଲ୍‌ପିଜି ଗ୍ୟାସର କ୍ରମାଗତ ଅତ୍ୟଧିକ ମୂଲ୍ୟବୃଦ୍ଧି ଫଳରେ ପୁନଃ ଗ୍ୟାସ୍‌ ଭରିବାରେ ଅସମର୍ଥ ହେଉଛନ୍ତି। ଏପରିକି ସରକାର ୨୦୦ ଟଙ୍କା ରିଆତି ଦେଇଥିବା ସତ୍ତ୍ବେ ବହୁ ଲୋକ ବାକି ଅର୍ଥ ଦେବାକୁ ଅକ୍ଷମ। ସେହିପରି ଅନ୍ୟମାନଙ୍କୁ ପୂର୍ବରୁ ଯେଉଁ ରିଆତି ମିଳୁଥିଲା, ତାକୁ ସରକାର ପ୍ରାୟ ବନ୍ଦ କରିସାରିଛନ୍ତି। ଯେଉଁମାନେ ପାଉଛନ୍ତି, ତାହା ନାମକୁ ମାତ୍ର; କାରଣ ଦାମ୍‌ ବଢ଼ିବା ଦ୍ବାରା ରିଆତିଯୁକ୍ତ ଓ ରିଆତିମୁକ୍ତ ସିଲିଣ୍ଡରର ଦାମ୍‌ ଭିତରେ ସେତେ ବେଶି ପାର୍ଥକ୍ୟ ରହୁନାହିଁ।

କେବଳ ରନ୍ଧନ ଗ୍ୟାସର ଦର କ୍ରମାଗତ ବଢ଼ୁନାହିଁ, ପନିପରିବା, ଖାଦ୍ୟପେୟ ଓ ନିତ୍ୟବ୍ୟବହାର୍ଯ୍ୟ ପ୍ରତ୍ୟେକ ଜିନିଷର ଦାମ୍‌ ବଢ଼ିଚାଲିଛି, ଯାହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡ଼ୁଛି। ଦୁଗ୍ଧ, ଅଟା, ଚାଉଳ, ଡାଲି, ଖାଇବା ତେଲଠୁ ଆରମ୍ଭ କରି ଆମିଷ ପଦାର୍ଥର ମୂଲ୍ୟ ଦୈନିକ ବୃଦ୍ଧି ପାଉଛି। ପରିତାପର ବିଷୟ ଯେ ନିକଟରେ ଜିଏସ୍‌ଟି ପରିଷଦର ଏକ ନିଷ୍ପତ୍ତି ଏପରି ଖାଦ୍ୟବସ୍ତୁଗୁଡ଼ିକର ମୂଲ୍ୟକୁ ଆହୁରି ବଢ଼ାଇଦେବ; କାରଣ ଦୁଧ, ଦହି, ଲହୁଣୀ, ପନିର, ଅଟା, ଗୁଡ଼, ସୋୟାବିନ, ମାଛ, ମାଂସ ଭଳି ଜିନିଷଗୁଡ଼ିକୁ ପାଞ୍ଚ ଶତାଂଶ ଜିଏସ୍‌ଟି ପରିସରଭୁକ୍ତ କରାଯାଇଛି। ଏହା ଆସନ୍ତା ୧୮ ଜୁଲାଇରୁ ଲାଗୁ ହୋଇଯିବ; ଅର୍ଥାତ ଚଳିତ ମାସରୁ ସମସ୍ତ ଖାଦ୍ୟପେୟ ପଦାର୍ଥର ଦାମ ଆହୁରି ବୃଦ୍ଧି ପାଇବ। ପୂର୍ବରୁ ହିଁ ଦୁଗ୍ଧ ଓ ଦୁଗ୍ଧଜାତ ଜିନିଷର ଦାମ୍‌ ଅଧିକାଂଶ ଦୁଗ୍ଧ ଉତ୍ପାଦକ ସଂଘ ବା କମ୍ପାନୀ ବଢ଼ାଇ ସାରିଛନ୍ତି। ଗରିବ ପରିବାର ପାଇଁ ପାଞ୍ଚ ପ୍ରତିଶତ ଦାମ ବଢ଼ିବା ମଧ୍ୟ ଛୋଟକଥା ନୁହେଁ। ଏ ଦିଗରେ ସରକାର ସମ୍ବେଦନଶୀଳତାର ସହ ଚିନ୍ତା କରିବା ଆବଶ୍ୟକ।

ସୂଚନାଯୋଗ୍ୟ, ପାଞ୍ଚ ବର୍ଷ ତଳେ ଜିଏସ୍‌ଟି ବ୍ୟବସ୍ଥା ଲାଗୁ କରିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ଏହାଦ୍ବାରା ଜନସାଧାରଣଙ୍କୁ ମହରଗରୁ ନିସ୍ତାର ମିଳିବ; କିନ୍ତୁ ବର୍ତ୍ତମାନ ତାହା ସୁଦୂର ସ୍ବପ୍ନ ମନେହେଉଛି; କାରଣ ପ୍ରତ୍ୟେକ ଜିନିଷର ଦାମ୍‌ କମିବା ବଦଳରେ ବଢ଼ିଚାଲିଛି। ଏପରିକି ଜୀବନ ଧାରଣ ପାଇଁ ଯେଉଁ ଅତ୍ୟାବଶ୍ୟକ ଖାଦ୍ୟପେୟ ଆବଶ୍ୟକ, ତା’ର ଦାମ୍‌ ପାଞ୍ଚ ଶତାଂଶ ବଢ଼ିବାକୁ ଯାଉଛି। ଅନ୍ୟପକ୍ଷରେ ପେଟ୍ରୋଲ୍‌, ଡିଜେଲ୍‌କୁ ଜିଏସ୍‌ଟି ପରିସରକୁ ଆଣିବା ପାଇଁ ସରକାର ଅମଙ୍ଗ। ଯଦି ତାହା କରାଯାଆନ୍ତା, ପରିବହନ ଇନ୍ଧନର ଦାମ୍‌ ଉଲ୍ଲେଖନୀୟ ଭାବେ ହ୍ରାସ ପାଆନ୍ତା ଓ ପରିବହନ ଖର୍ଚ କମିଲେ ଜିନିଷପତ୍ରର ଦର ମଧ୍ୟ ଖସିଆସନ୍ତା। ମହରଗ ନିୟନ୍ତ୍ରଣରେ ରହନ୍ତା; କିନ୍ତୁ ସେପରି ହେବାର ସମ୍ଭାବନା କ୍ଷୀଣ। ଦରଦାମ୍‌ ବୃଦ୍ଧିକୁ ଅର୍ଥନୈତିକ ଦୃଷ୍ଟିରୁ ସେତେବେଳେ ହିଁ ଭଲ କୁହାଯାଏ, ଯେତେବେଳେ ଲୋକଙ୍କ ନିକଟରେ ନିୟମିତ ଆୟର ସାଧନ ଓ କ୍ରୟଶକ୍ତି ରହିଥିବ। ବର୍ତ୍ତମାନ ସେପରି କିଛି ଦେଖାଯାଉ ନାହିଁ। ଏ କ୍ଷେତ୍ରରେ ସରକାରଙ୍କ ବିଫଳତା ହିଁ ଜଳଜଳ ହୋଇ ଦିଶୁଛି।

Comments are closed.