ନେତାଙ୍କ ଯୋଗ୍ୟତା

ଶେଷରେ ଅପରାଧୀ ତତ୍ତ୍ବମାନେ ତାଙ୍କ ନିଜ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବେ ଓ ସେଥିରେ ବଳି ପଡ଼ିବେ ସାଧାରଣ ଲୋକେ

ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଅବକ୍ଷୟ ଧାରା ଏତେ ଦ୍ରୁତତର ଯେ ମନେ ହେଉଛି ଆମକୁ କାଳକ୍ରମେ କିଛି ଲୁଟିଆ ଓ ବଦ୍‌ମାସ ହିଁ ଶାସନ କରିବେ। ରାଜନୀତିରେ ମୂଲ୍ୟବୋଧ ଓ ସୁଶାସନ କେବଳ ପ୍ରତୀକାତ୍ମକ ଆଦର୍ଶ ହୋଇ ରହିଯିବ। କଳାଧନ, ବାହୁବଳ ଓ କ୍ଷମତାର ଦୁରୁପଯୋଗ ମାଧ୍ୟମରେ ରାଜନୈତିକ ବ୍ୟବସ୍ଥାକୁ ଅକ୍ତିଆର କରି ରଖିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏହାର ଶେଷ ପରିଣତି କ’ଣ ହେବ ତାହା ସହଜରେ ଅନୁମାନ କରାଯାଇପାରେ। ପରିସ୍ଥିତି ଏପରି ​‌େ​‌ହାଇଛି ଯେ କ୍ଷମତା ବାହାରେ ଥିବା ତଥାକଥିତ ବିଦ୍ବାନ୍‌ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବ ମଧ୍ୟ ଏଭଳି କୁଶାସନର ସ୍ତୁତିଗାନ କରିଚାଲିଛନ୍ତି। ଏହା ପଛରେ ଅଛି କେବଳ ସମ୍ମାନ ଓ ପଦପଦବୀର ମୋହ। ସରକାରୀ ବ୍ୟବସ୍ଥାରୁ ସାମାନ୍ୟ ଫାଇଦା ହାସଲ ପାଇଁ ସେମାନେ ନିଜର ବିବେକକୁ ମଧ୍ୟ ବନ୍ଧା ପକାଇ ଦେଇଛନ୍ତି। ଏଭଳି ସ୍ଥିତିରେ ସାଧାରଣ ଅକିଞ୍ଚନମାନେ ସାମାଜିକ ବ୍ୟବସ୍ଥାରେ ଏହି ମହାଜନମାନଙ୍କୁ ଅନ୍ଧାନୁସରଣ କରିଚାଲିଛନ୍ତି।

ନିକଟରେ ଆହ୍ଲାବାଦ ହାଇକୋର୍ଟ ଜଣେ ଅପରାଧୀ ସାଂସଦଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କଲାବେଳେ ସଂସଦ ଓ ନିର୍ବାଚନ ଆୟୋଗଙ୍କୁ ରାଜନୀତିରୁ ଅପରାଧୀଙ୍କୁ ଦୂରେଇ ରଖିବା ସକାଶେ କଠୋର ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଅବଶ୍ୟ ଏହା ନୂଆ କଥା ନୁହେଁ, ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଅନୁରୂପ ଶୈଳୀରେ ଏଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି। ସବୁଠାରୁ ଉଲ୍ଲେଖଯୋଗ୍ୟ କି ଏହି ବାହୁବଳୀ ବ୍ୟକ୍ତିତ୍ବଙ୍କର ଉଭୟ ସରକାର ଓ ପ୍ରଶାସନ ସହ ସୁସମ୍ପର୍କ ରହୁଥିବାରୁ ସେମାନେ ସଂସଦ କିମ୍ବା ବିଧାନସଭାକୁ ନିର୍ବାଚିତ ହେବା ସହଜ ହେଉଛି। ଏହା ଫଳରେ ଆଇନର ପ୍ରୟୋଗ ଓ ରୂପାୟଣ ଦାୟିତ୍ବରେ ଥିବା ସଂସ୍ଥା ବା ଅନୁଷ୍ଠାନର ସକ୍ରିୟତା ଓ ନିରପେକ୍ଷତା ହ୍ରାସ ପାଉଛି। ସାଧାରଣ ଲୋକେ ସ୍ଥଳ ବିଶେଷରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି; ଅଥଚ ସେମାନଙ୍କ ମତଦାନ ମାଧ୍ୟମରେ ତଥାକଥିତ ଆଇନ ପ୍ରଣେତାମାନେ ନିର୍ବାଚିତ ହୋଇଥାନ୍ତି। ସମସ୍ତ ପରାମର୍ଶ ଓ ନିର୍ଦେଶ ସତ୍ତ୍ବେ ରାଜନୀତିରୁ ଅପରାଧୀଙ୍କୁ ପୃଥକ୍‌ କରାଯାଇ ନପାରିବାରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ସେମାନଙ୍କ ଉପରେ ନିର୍ଭରଶୀଳତା ଦିନକୁ ଦିନ ବଢୁଛି। ଗଣତାନ୍ତ୍ରିକ ବ୍ୟବସ୍ଥାର ଏହି ଅପରାଧବୋଧକୁ ଆମେ କିଛି ବିନିମୟରେ ସମର୍ଥନ ଦେଇଚାଲିଛନ୍ତି। ୨୦୦୪ ଲୋକସଭାରେ ୨୪%, ୨୦୦୯ରେ ୩୦%, ୨୦୧୪ରେ ୩୪% ଓ ୨୦୧୯ରେ ୪୩% ସାଂସଦଙ୍କ ବିରୋଧରେ ଏକାଧିକ ଅାପରାଧିକ ମାମଲା ରହିଛି। ଏହି ଦିଗପ୍ରତି ସଂସଦର ସମସ୍ତ ସଦସ୍ୟଙ୍କ ସାମୂହିକ ଆଗ୍ରହ କିମ୍ବା ଚିନ୍ତାପ୍ରକଟ ଆଶା କରିବା ବୃଥା; କାରଣ ଏହି ତତ୍ତ୍ବ ପ୍ରାୟ ସବୁ ଦଳରେ ଅଛନ୍ତି ଓ କ୍ଷମତାସୀନ ଦଳରେ ସଂଖ୍ୟା ଅପେକ୍ଷାକୃତ ଅଧିକ। ଯେଉଁ ଅନୁପାତରେ ଏହି ସଂଖ୍ୟା ବଢ଼ୁଛି ସେଥିରୁ ଅନୁମାନ କରାଯାଇପାରେ କି ଶେଷରେ ଏହି ଅପରାଧୀ ତତ୍ତ୍ବମାନେ ତାଙ୍କ ନିଜର ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବେ ଓ ସେଥିରେ ବଳି ପଡ଼ିବେ ସାଧାରଣ ଲୋକେ।

ଦିନକୁ ଦିନ ଯେଭଳି ଅପରାଧିକ କାର୍ଯ୍ୟକଳାପ ବଢୁଛି ସେଥିରେ ନିରାପଦରେ ଅବସ୍ଥାନ ନେଇ ସମସ୍ତଙ୍କ ମନରେ ଆଶଙ୍କା ଉପୁଜିବା ସ୍ବାଭାବିକ। କାରଣ ବହୁ କ୍ଷେତ୍ରରେ ଏହି ତତ୍ତ୍ବଙ୍କର କ୍ଷମତାସୀନଙ୍କ ସହ ସୁସମ୍ପର୍କ ରହୁଥିବାରୁ କ୍ଷତିଗ୍ରସ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଅର୍ଥାତ୍‌ ଗ୍ରାମପଞ୍ଚାୟତରୁ ସଂସଦ ସବୁଠାରେ ଏମାନଙ୍କ ରାଜୁତି। ବେଳେବେଳେ ମନେହୁଏ ଏହି ଅସାଧୁ ଓ ଅପରାଧୀଙ୍କ ପାଇଁ ଗଣତନ୍ତ୍ରର ଚିତ୍ର, ଚରିତ୍ର ଯେଭଳି ବଦଳିବାରେ ଲାଗିଛି ସେଥିରେ ଭଦ୍ରଲୋକଟିଏ କ’ଣ ନିର୍ବାଚନ ରାଜନୀତିକୁ ଓହ୍ଲାଇ ପାରିବ? ତାଙ୍କ ପ୍ରତି ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ସ୍ନେହ ଓ ଶ୍ରଦ୍ଧା ଥାଇପାରେ। କଥା ଲହସରେ ସେମାନଙ୍କ ନାମ ଆଲୋଚନା ପରିସରକୁ ଆସିଲେ ଲୋକେ କହନ୍ତି, ଭଦ୍ର ଲୋକଟେ, ସେ ନିର୍ବାଚିତ ହୋଇ ଆମ ପାଇଁ କ’ଣ ବା କରିପାରିବ। ଏ କଥା କହିବା ଅର୍ଥ, ଲୋକଙ୍କ ମାନସିକତା ବଦଳିଛି। ସେହି ଅନୁସାରେ ଅନୁଗତ କର୍ମୀଙ୍କ ଚେହେରା ମଧ୍ୟ ବଦଳିଛି। ସେମାନେ ନେତାଙ୍କ ଆଦର୍ଶରେ ନିଜକୁ ଗଢ଼ୁଛନ୍ତି। କେମିତି ଲୁଟିବେ ଓ ଲୋକଙ୍କୁ ନାଲି ଆଖି ଦେଖାଇ ମୁହଁ ବନ୍ଦ କରାଇବେ। ଇଏ ହେଉଛି ଆଜିକାଲିର ନେତାଙ୍କ ଯୋଗ୍ୟତା। ଅଭିନୟର ମୁଖା ପିନ୍ଧି ଜନମନକୁ ଆକର୍ଷିତ କରିବାର ଦକ୍ଷତା ହେଉଛି ସଫଳ ନେତୃତ୍ବର ଅନ୍ୟ ଏକ ଦିଗ। ରାଜନୀତିରେ ଭଦ୍ରଲୋକଙ୍କ ସ୍ଥାନ ନାହିଁ କହିଲାବେଳେ ଆମେ ବିନମ୍ରତାର ସହ ସ୍ବୀକାର କରୁଛୁ, କ୍ଷମତାରେ ଥିବା ସମସ୍ତେ ଅସାଧୁ କିମ୍ବା ଅଭଦ୍ର ନୁହନ୍ତି। ଏଠାରେ ଉଦାହରଣ ଦେବା ଅନାବଶ୍ୟକ। ଅତୀତରେ ବହୁ ନିଷ୍କଳଙ୍କ, ସଚ୍ଚୋଟ ବ୍ୟକ୍ତିତ୍ବ ରାଜନୀତିକୁ ଆସିଛନ୍ତି, କିନ୍ତୁ ପେଞ୍ଚପାଞ୍ଚର ଖେଳ ଭିତରେ ସେମାନେ ନିଜକୁ ଅସହାୟ ମନେକରି ପୁଣି ନିଜ ସ୍ଥାନକୁ ଫେରିଯାଇଛନ୍ତି। ତେଣୁ ପରିବର୍ତ୍ତିତ ପ୍ରୟାସୀଙ୍କ ପାଇଁ ଆଗକୁ ଯେ ଘନଘୋର ଅନ୍ଧକାର ମାଡ଼ିଆସୁଛି ଏକଥା କହିବାରେ ଆମର ଦ୍ବିଧା ନାହିଁ।

Comments are closed.