ୟେ ସ୍ବର୍ଗକୁ ନିଶୁଣି ନ ହେଉ

0

ସବୁ ପରିପ୍ରକାଶ, ଘୋଷଣା ବା ପ୍ରତିଶ୍ରୁତି ଫଳବତୀ ହୋଇ ପାରି ନ ଥାଏ। ଏହାର ଦୃଢ଼ତା ଅଟକଳ ହିଁ ଫଳାଫଳ ବିଷୟରେ ଧାରଣା ଦିଏ। ଠକ, ବାହାପିଆ, ହଲପୀଙ୍କ କଥା ଛାଡ଼ିଦିଅନ୍ତୁ। ଉଦ୍ଦେଶ୍ୟ ପ୍ରଣୋଦିତ ଏମିତି ଘୋଷଣା ବା ପ୍ରତିଶ୍ରୁତିଗୁଡ଼ା ପାଣିଗାରଠୁ ବି ହୀନ, ଦୀନ। ଏଙ୍କ ବ୍ୟତୀତ ଅନେକ ଦୃଢ଼ମନା ବ୍ୟକ୍ତିତ୍ୱଙ୍କର ଦୃଢ଼ତା ବି ପାଣି ଫାଟିଯାଇଛି, ଚାରିଫୁଟିଆ ମଣିଷ ନେପୋଲିଅନ। ସାଧାରଣ ଜୀବନରୁ ଉଠି ସମ୍ରାଟ ବନିଗଲେ। ବିଶ୍ୱକୁ ଥରେଇ ଦେଲେ। ତାଙ୍କ ବିଜୟଯାତ୍ରା ଐତିହାସିକ କେବଳ ବନିଗଲାନି, ବିସ୍ମୟକର ବି ପାଲଟିଲା। ଆବଟଙ୍କ ‘ଲାଇଫ୍‌ ଅଫ୍‌ ନେପୋଲିଅନ’ରୁ ଏମିତି ଲୋମଟାଙ୍କୁରା କେତେ ଘଟଣାରେ ସ୍ତମ୍ଭୀଭୂତ ହେବାକୁ ହୁଏ। ‘ବିଜୟ’ ଅହଂରେ ସେ ଏମିତି ପୋତି ହୋଇପଡ଼ିଲେ ଯେ କହିଲେ କ’ଣ ନା, “ଇମ୍ପସିବଲ୍‌ ଇଜ୍‌ ଏ ୱାର୍ଡ଼ ଫାଉଣ୍ଡ ଇନ୍‌ ଦି ଡିକ୍‌ସିନାରୀ ଅଫ୍‌ ଫୁଲ୍‌ସ”; ଅର୍ଥାତ୍‌ ‘ଅସମ୍ଭବ’ ନିର୍ବୋଧଙ୍କ ଭାଷାକୋଷର ଏକ ଶବ୍ଦ। ମାତ୍ର କ’ଣ ହେଲା ତାଙ୍କ ଜୀବନରେ? ସେଣ୍ଟ ହେଲେନାର ନିର୍ଜନ ଦ୍ୱୀପରେ, ହାତକଡ଼ି, ଗୋଡ଼କଡ଼ିରେ, ବିଳାପ କରି କରି ଦୟନୀୟ ଭାବେ ପ୍ରାଣହରାଇଲେ। ଅସମ୍ଭବତାକୁ ତିଳେ ତିଳେ ଅନୁଭବ କଲେ ଏଇ ଅସାଧାରଣ ବୀର। ଏମିତି କାହିଁ କେତେ ଦୃଢ଼ତା ଓ ପ୍ରତିଜ୍ଞା ପାଣିଚିଆ ହୋଇ ଯାଇଛି, ପାଣି ଫାଟି ଯାଇଛି। ସୂର୍ଯ୍ୟପୁତ୍ର, ମହାଦାନୀ କର୍ଣ୍ଣ, “ଅର୍ଜୁନଙ୍କୁ ନିଶ୍ଚୟ ବଧ” କରିବେ ବୋଲି ଦୁ​‌େ​‌ର୍ଯ୍ୟାଧନଙ୍କ ଆଗେ ପ୍ରତିଜ୍ଞା କରି ପାଣ୍ଡବଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲେ। ଅସାଧାରଣ ବୀର କର୍ଣ୍ଣଙ୍କ ପ୍ରତିଜ୍ଞା ତ ରାଜନୀତିଆଙ୍କ ପ୍ରତିଶ୍ରୁତି ନ ଥିଲା! ଏପରିକି ଅର୍ଜୁନଙ୍କ ଜୀବନ ଭିକ୍ଷା କରିବାକୁ ମା’ କୁନ୍ତୀଙ୍କୁ କୃଷ୍ଣ ସ୍ୱୟଂ କର୍ଣ୍ଣଙ୍କ ପାଖୁ ପଠେଇଥିଲେ। ସେ ଏକ ପ୍ରାଣଛୁଆଁ ଭିନ୍ନ ଏକ କାହାଣୀ। ମାତ୍ର ଏଭଳି ପ୍ରତିଜ୍ଞା ନିଷ୍ଫଳ ହୋଇଗଲା କିଆଁ? ତାଙ୍କର ଏମିତି ଏକ ପ୍ରତିଜ୍ଞା ‘ନୀତିଗତ’ ନ ଥିଲା, ବରଂ ଏହା ଥିଲା ଈର୍ଷା ଓ ଅହଂର ଏକ ପ୍ରତିଧ୍ୱନି। ବିଫଳ ହୁଅନ୍ତାନି ଆଉ କ’ଣ ହୁଅନ୍ତା? ଅନ୍ୟ ପକ୍ଷରେ, ଅମଙ୍ଗ କେଉଟଙ୍କ କନ୍ୟାକୁ ନିଜ ବୃଦ୍ଧ ପିତାଙ୍କ ଅଭିଳାଷ ପୂର୍ଣ୍ଣ ପାଇଁ ବିବାହ କରାଇବାର ଭୀଷ୍ମଙ୍କ ପ୍ରତିଜ୍ଞାରେ ‘ପିତୃଭକ୍ତି’ର ଶକ୍ତି ଜଡ଼ି ଯାଇଥିଲା। ରାଜଗାଦି ଓ ଦାମ୍ପତ୍ୟ ଜୀବନକୁ ଗୋଡ଼ି ଆଡ଼େଇଲା ପରି ସେ ଗୋଡ଼ରେ ଆଡ଼େଇ କେଉଟକୁ ଖାଲି ନୁହଁ ସମଗ୍ର ବିଶ୍ୱକୁ ସ୍ତମ୍ଭୀଭୂତ କରିଦେଲେ। ଏ ବିବାହ ପିତୃତ୍ୱରେ ଦାଗ ଯେମିତି ଛାଟିଦେଲା, ପୁତ୍ରର ପିତୃଭକ୍ତିର ବିଜୟକେତନ ସେମିତି ଉଡ଼ାଇଦେଲା। ମାତ୍ର ବିଶ୍ରବା ଋଷିଙ୍କ ପୁତ୍ର ଦଶମୁଣ୍ଡ, କୋଡ଼ିଏ ହାତର ରାବଣ ତାଙ୍କ ପ୍ରଜାଙ୍କୁ ପ୍ରତିଶ୍ରୁତି ଦେଇଥିଲେ, “ସ୍ୱର୍ଗକୁ ନିଶ୍ଚୟ ନିଶୁଣି ହେବ।’’ ସ୍ୱର୍ଣ୍ଣଲଙ୍କାର ରାକ୍ଷସ-ପ୍ରଜାଗଣ ଦେବତାଙ୍କ ଭଳି ସ୍ୱର୍ଗରେ ଚଳପ୍ରଚଳ କରି ପାରିବେ। ସ୍ୱର୍ଗ ଆଉ ଦେବତାମାନଙ୍କର ଏକଚାଟିଆ ହୋଇ ରହିବନି। ଚାଳକ ବିହୀନ ପୁଷ୍ପକ ବିମାନରେ, ଆକାଶମାର୍ଗରେ ପ୍ରତ୍ୟହ ଲଙ୍କାରୁ ହିମାଳୟ ଶିବ ଦର୍ଶନ କରି ଯାଉଥିବା ରାବଣଙ୍କ ପକ୍ଷେ ଏହା ଏକ ସାଧାରଣ କଥା ଥିଲା। ଏଥିରେ ଦେବତାମାନେ ବି ଭୟଭୀତ ହୋଇପଡ଼ିଥିଲେ। ସ୍ୱର୍ଗକୁ ସତରେ ଯଦି ଏ ରାକ୍ଷସ ଏକ ‘ନିଶୁଣି’ ତିଆରି କରିଦେବ ତେବେ କଥା ସଇଲା। ବ୍ରହ୍ମାଙ୍କ କାନକୁ ବି ଏ କଥା ଗଲା। ବ୍ୟସ୍ତ ଓ ଭୀତ ଦେବତାଙ୍କୁ ଦେଖି ସେ ମୁରୁକି ହସଟିଏ ଦେଇ ବିଦା କରିଦେଲେ। ଦେବତାମାନେ ସେଇ ହସରୁ ବୁଝିଗଲେ ସ୍ୱର୍ଗକୁ ନିଶୁଣି ଅସମ୍ଭବ। ସୀତା ଚୋରି କେବଳ ସମ୍ଭବ ହେଲା ରାବଣଙ୍କ ପାଇଁ। ଏଠି ଆମର କେତେ ଶିଳାନ୍ୟାସ, କେତେ ଯୋଜନା, କେତେ ଘୋଷଣା ସତ୍ତ୍ୱେ ମଦ ଦୋକାନ ବଢ଼ି ଯାଉଥିବା ଭଳି ସ୍ୱର୍ଣ୍ଣ ଲଙ୍କାର ନିର୍ମାତା ରାବଣଙ୍କ ପାଇଁ ‘ସୀତା ହରଣ’ ସତ ଓ ସ୍ୱର୍ଗକୁ ନିଶୁଣି ମିଛ ପ୍ରମାଣିତ ହୋଇଗଲା। ଏଥର ରାବଣଙ୍କ ଅତି ଦର୍ପ, ଅନ୍ୟାୟ ଘାତକ ବନିଲା। ନାରୀ ଅପହରଣ ପାପରେ ବଂଶ ବୁଡ଼ିଗଲା।
ଏବେ ଏ ଗଣତାନ୍ତ୍ରିକ ମସଲା ନିର୍ମିତ ରାଜ ସିଂହାସନର ପାଞ୍ଚବର୍ଷିଆ ରାଜାଗୁଡ଼ା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନାମରେ ପରିଚିତ। ଏମାନଙ୍କର କଥା ଗୋଟାଏ, ଭାବ ଗୋଟାଏ, କାମ ଗୋଟାଏ। କାହାର କାହା ସହ ତାଳ ମେଳ ନାହିଁ। “ଆରେ ହେ, ଯେତେବେଳେ ଯିଏ”, ଅବସ୍ଥା, କ୍ଷମତା ଓ ଆସନ ଦଖଲ ହେଲା ମୂଳ। ସୀତା ଭୋଗ ଅସଲ ଉଦ୍ଦେଶ୍ୟ, ଫଳ ତେଣୁ ତଦନୁଗତ। ପୁଣ୍ୟଶ୍ଳୋକ ଗୋପବନ୍ଧୁ ଏବେ ସମସ୍ତଙ୍କର ମୋହର ବନି ଯାଇଛନ୍ତି। ଏ ମୋହର ମାରିଦେଲେ, ‘ବାଟଛାଡ଼’। ଓଡ଼ିଶାର କ୍ଷମତା ରେକର୍ଡ଼ କରିଥିବା ନବୀନ ପଟ୍ଟନାୟକଙ୍କ ସରକାର ‘ଗୋପବନ୍ଧୁ ମୋହର’ ଆଡ଼େଇବାରେ ଲାଗିଛନ୍ତି। ‘ସତ୍ୟବାଦୀ ବନବିଦ୍ୟାଳୟ’ ଏ ଜାତି ପାଇଁ ଏକ ଅମୃତ ପ୍ରେରଣା ବନିଯାଇଛି। ମାତ୍ର ଏହାର ସୁରକ୍ଷା ପାଇଁ ସରକାରଙ୍କ ଆନ୍ତରିକତା ନ ଥିବା କଥା ଲୋକେ ବେଶ୍‌ ଅନୁଭବ କରିଛନ୍ତି। ବନବିଦ୍ୟାଳୟ ପଞ୍ଚସଖା ପ୍ରତିମୂର୍ତ୍ତି ଯେମିତି ଭଙ୍ଗା ଯାଇଛି, ୟେ ଏବେ ବନ ନୁହଁ ତ ଜଙ୍ଗଲ ଓ ଲଟା ଅଞ୍ଚଳ ଯେମିତି ବନିଯାଇଛି। ତା’ ଦେଖିଲେ ଏ ସରକାର ଓ ନେତାମାନଙ୍କ ପ୍ରକୃତ ରୂପ ବାରି ହୋଇପଡ଼ୁଛି। ‘ମଦ’ ସମାଲୋଚନା ଯେତେବେଳେ ଏମାନଙ୍କୁ ମଳିନ କରିଦେଲା, ସେତେବେଳେ ‘ସତ୍ୟବାଦୀ’ କାନ୍ଦଣା ବଜାଗଲା। ସଂସ୍କୃତି ମନ୍ତ୍ରୀ ସଚିବାଳୟରେ ହଠାତ୍‌ ଏକ ସଭା ଡାକି ଗୋପବନ୍ଧୁଙ୍କ ସ୍ମୃତିର ଏ ସ୍ଥାନକୁ ସ୍ୱର୍ଗଯାଏ ଟେକି ଦେବାର ଘୋଷଣା କଲେ। ଖବରକାଗଜରେ ବେଶ୍‌ ‘ବାହାବା’ ବାହାରିଲା, ତା’ ପରେ? ଫୁଉସୁ…। ବନ୍ଧ, ଫୁକାର ଭୁଶୁଡ଼ା, ଠିକାଦାରି ଭାଗବଣ୍ଟା ମଳିରେ ନେତାଏ ଓ ସରକାର ଉବୁଟୁବୁ ହେଲେ ପୁଣି ସତ୍ୟବାଦୀ ବନବିଦ୍ୟାଳୟ ନାରା ଉଠିଲା। ରାଜ୍ୟ ଅର୍ଥମନ୍ତ୍ରୀ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ କେବଳ ଡକାଇଲେନି, ସାତ କୋଟି ଟଙ୍କାର ଅନୁଦାନ ଘୋଷଣା କରି ଲୋକଙ୍କୁ ବିସ୍ମୟାଭିଭୂତ କରିଦେଲେ। ସରକାରଙ୍କର, ନେତାଙ୍କର ଗୋପବନ୍ଧୁଙ୍କ ପ୍ରତି ସତେ କେତେ ସମ୍ମାନ, ଭକ୍ତି ଆବେଗ! ଗୋପବନ୍ଧୁଙ୍କ ସ୍ମୃତିର ଠିକା ନେଇଥିବା ‘ସମାଜ’ବାଲାଏ ବି ଏ ସଭାକୁ ନିମନ୍ତ୍ରିତ ହୋଇ ଥୋଡ଼େ କୁତୁକୁତୁ ହେଲେ। ଫଟୋ ଆଦି ଛପା ହେଲା। ଧ୍ୱସ୍ତ ବନବିଦ୍ୟାଳୟକୁ ଗସ୍ତ ଛୁଟିଲା। ମାତ୍ର କାଇଁ କ’ଣ? ଲଙ୍କପତିଙ୍କ ସୀତା ଅପହରଣ ଝାମେଲା ତ ତୁଟିଲେ ଯାଇ ସ୍ୱର୍ଗ ନିଶୁଣି କଥା ପଡ଼ିବ। ଏମିତି ଗୁଞ୍ଜରଣ ‘ଢୋ’ ହେବା ପୂର୍ବରୁ ଏ ସରକାର ପୁଣି ଚମକେଇଲେ। “ବନବିଦ୍ୟାଳୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ”। ବାପରେ, କି ସମ୍ବାଦ ୟେ! ଛାତି କୁଣ୍ଢେମୋଟ ହୋଇଗଲା। ବାକି ପୂର୍ବ କଥା, ସବକମିଟି ସବୁ କୁହୁଡ଼ି ପହଁରାରେ ଗଲା। ଥୋଡ଼େ ବି ନବୀନଜୀଙ୍କୁ ସମ୍ବର୍ଦ୍ଧନା ଓ ସ୍ୱାଗତ କଲେ।
ବାସ୍ତବରେ ୟେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଗୋପବନ୍ଧୁ ବନବିଦ୍ୟାଳୟ ଜଙ୍ଗଲ ବିଦ୍ୟାଳୟ ନ ଥିଲା। ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସ୍ୱାଗତଯୋଗ୍ୟ। ତା’ ପୁଣି ଗୋପବନ୍ଧୁଙ୍କ ସ୍ମୃତିରେ। ମାତ୍ର ତା’ କ’ଣ ସତରେ ସମ୍ଭବ? ନିର୍ବାଚନ ତ ମାସ କେତେଟା ବାକି, ସେଥିରେ ସ୍ୱର୍ଗକୁ ଏ ନିଶୁଣି ତିଆରି ଆରମ୍ଭ ହେବ ନା କ୍ଷମତା-ସମତା ଅପହରଣ ପାଇଁ ମଦ ସାଗର ସୃଷ୍ଟି ହେବ କିଏ କହିବ? ଗୋପବନ୍ଧୁଙ୍କ ଏ ବନବିଦ୍ୟାଳୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କରି ସେଠି ପୁଞ୍ଜାଏ ମଦ ଦୋକାନ ଖୋଲିଦେଲେ ତ କଥା ସଇଲା। ଉତ୍କଳଗୌରବ ମଧୁସୂଦନ ଓଡ଼ିଆ ଭାଷା ଓ ଜାତି ପାଇଁ ହୃଦୟ ଫଟାଇ କାନ୍ଦିଲେ, ଭିକାରି ହୋଇ ମଲେ, କାଇଁ ତା’ର ଉତ୍‌ଥାନ? ଉତ୍କଳ ସମ୍ମିଳନୀର ଏକ ସଭାରେ ଜଣେ ବିଶିଷ୍ଟ ବ୍ୟକ୍ତି ଭାଷଣ ଦେଇ କହିଲେ, “ଆମେମାନେ ସମସ୍ତେ ପିଓର ଓଡ଼ିଆରେ କଥାବାର୍ତ୍ତା ହେବାକୁ ପ୍ରତିଜ୍ଞା କରିବା ଉଚିତ।” ଆମେ ସମସ୍ତେ ‘ପିଓର’ ଓଡ଼ିଆ ଆନ୍ଦୋଳନରେ ଆଜି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କଲା। ମାତ୍ର କାଇଁ ଏ ଭାଷା ଓ ଜାତିର ସ୍ୱାଭିମାନ ଜୈତ୍ର ପତାକା? ମଧୁବାବୁ ଲେଖିଲେ, “ତୋ ପୂର୍ବ ପୁରୁଷ ସ୍ୱର୍ଗଧାମେ ଥାଇ, ଭୋଗୁଛନ୍ତି ମନସ୍ତାପ, ତାଙ୍କରି ଜୀବନ କରି ବିସ୍ମରଣ କରୁଛୁ ତୁ ମହାପାପ। ଆଉ ବି ଲେଖିଲେ, ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ।”
ଗୋପବନ୍ଧୁଙ୍କ ବନବିଦ୍ୟାଳୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ରାବଣଙ୍କ ସ୍ୱର୍ଗକୁ ନିଶୁଣି ନ ହେଉ।

Leave A Reply