ସଙ୍କଟର ସଙ୍କେତ

ମନରେଗା ଅଧୀନରେ କାମ କରିବା ପାଇଁ କ୍ରମଶଃ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ଦେଶରେ ବେକାରୀ ସଙ୍କଟର ଯେଉଁ ସଙ୍କେତ ଦେଇଛି, ତାହା ଖୁବ୍‌ ଚିନ୍ତାଜନକ

କରୋନା ମହାମାରୀ ସଙ୍କଟରୁ ଦେଶର ଅର୍ଥନୀତି କିଛିଟା ମୁକୁଳି ଆସୁଥିବାବେଳେ ରୋଜଗାର ସୃଷ୍ଟି କ୍ଷେତ୍ରରେ ପଛେଇଯିବା ଚିନ୍ତାର ବିଷୟ। ବେକାରୀ ସମସ୍ୟାର ସୁସମାଧାନ ନହେଲେ ଏହା କିପରି ଭୟଙ୍କର ଅବସ୍ଥାକୁ ଆମନ୍ତ୍ରଣ କରେ, ତାହା ଆମେ ନିକଟରେ ‘ଅଗ୍ନିପଥ’ ଯୋଜନା ଘୋଷଣା ପରେ ଦେଖିବାକୁ ପାଇଲୁ। ଏଥିରୁ ଯୁବପିଢ଼ି ପାଇଁ ନିଯୁକ୍ତି ଓ ରୋଜଗାର ସୁଯୋଗ କେତେ ଗୁରୁତ୍ବପୂର୍ଣ୍ଣ ତାହାର ମଧ୍ୟ ପ୍ରମାଣ ମିଳିଥିଲା। କରୋନା ମହାମାରୀ ସମୟରେ ଦେଶସାରା ଯେଉଁ ତାଲାବନ୍ଦ କରାଯାଇଥିଲା, ସେତେବେଳେ ପ୍ରବାସୀ ଶ୍ରମିକମା​‌େ​‌ନ ନିଜନିଜ ଗାଁକୁ ଫେରିଆସିବାକୁ ବାଧ୍ୟ ହୋଇଥିଲେ। ଦୀର୍ଘ ଦିନ ଧରି ସେମାନଙ୍କ ନିକଟରେ କାମ ନଥିଲା। ଏହି ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବରଦାନ ସାଜିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ; କାରଣ ଏଥିରେ କାମଦାମ କରି ବହୁ ଶ୍ରମିକ ନିଜର ପରିବାର ପ୍ରତିପୋଷଣ କରିବାର ବାଟ ପାଇଯାଇଥିଲେ। ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ମନରେଗା ଯୋଜନାରେ ଶ୍ରମିକଙ୍କ ସଂଖ୍ୟା କରୋନା ସମୟରେ ଯେତିକି ଥିଲା, ସ୍ଥିତି ସ୍ବାଭାବିକ ହେବାପରେ ମଧ୍ୟ କରୋନା ପୂର୍ବାବସ୍ଥାକୁ ଫେରିପାରି ନାହିଁ। ଏକ ବିବରଣୀ ଅନୁସାରେ, ୨୦୧୮-୧୯ରେ ମନରେଗା ଅଧୀନରେ ୫.୨୭ କୋଟି ପରିବାର କାମ କରିଥିବାବେଳେ ୨୦୧୯-୨୦ରେ ଏହି ସଂଖ୍ୟା ୫.୪୮ କୋଟିକୁ ବୃଦ୍ଧି ପାଇଥିଲା। କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ୨୦୨୦ ବର୍ଷରେ ଏହା ଆହୁରି ବଢ଼ି ୭.୫୫ କୋଟିରେ ପହଞ୍ଚିଥିଲା। ସେହିପରି ପରବର୍ଷ ଅର୍ଥାତ ୨୦୨୧-୨୨ରେ ଏହି ସଂଖ୍ୟା ୭.୨୬ କୋଟି ହୋଇଥିଲା; ଅର୍ଥାତ୍‌ ୨୦୨୦ ଅପେକ୍ଷା କିଛିଟା କମ୍‌ ରହିଥିଲେ ମଧ୍ୟ କରୋନା ପୂର୍ବବର୍ଷରୁ ବହୁତ ଅଧିକ ରହିଥିଲା।

ଏହି ପରିସଂଖ୍ୟାନ ଉଦ୍‌ବେଗ ସୃଷ୍ଟିକାରୀ; କାରଣ ଏଥିରୁ ଜଣାପଡ଼ୁଛି ଯେ ଗ୍ରାମାଞ୍ଚଳ ଲୋକଙ୍କୁ କାମଧନ୍ଦା କିଛି ମିଳୁ ନାହିଁ ଏବଂ ସେମାନେ ଅଧିକ ସଂଖ୍ୟା ମନରେଗାରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏବେମଧ୍ୟ କରୋନା ପୂର୍ବବର୍ଷରେ ରୋଜଗାର ନେଇ ଯେଉଁ ସମସ୍ୟା ରହିଥିଲା, ତା’ଠୁ ଏହା ଅଧିକ ଉତ୍କଟ; କାରଣ ୨୦୧୮-୧୯ଠାରୁ ପ୍ରାୟ ୨ କୋଟି ଅଧିକ ଲୋକ ମନରେଗାରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି। ଗ୍ରାମାଞ୍ଚଳରେ ଅଧିକ ଉତ୍ପାଦକ କାର୍ଯ୍ୟ ସୃଷ୍ଟି ହୋଇପାରୁନଥିବାରୁ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଯୋଜନାରେ ଅଧିକ ଲୋକ କାମ କରିବାକୁ ଆସିଛନ୍ତି। ଆମେ ଦେଶବ୍ୟାପୀ ତାଲାବନ୍ଦ ସମୟରେ ଦେଖିଛୁ ଯେ ମନରେଗା ମଜୁରି ସେତେ ଅଧିକ ହୋଇନଥିଲେ ହେଁ (ରାଜ୍ୟ-ରାଜ୍ୟ ମଧ୍ୟରେ ମଜୁରିରେ ମଧ୍ୟ ଫରକ୍‌ ରହିଛି) ଲୋକେ କାମ କରିଛନ୍ତି। ବହୁ ଦେଶାନ୍ତରୀ ଶ୍ରମିକ ସେମାନଙ୍କ ପୂର୍ବ ସ୍ଥାନକୁ ଫେରିଯାଇଥିବା ସତ୍ତ୍ବେ ଏବେ ମଧ୍ୟ ଏପରି ଶ୍ରମିକଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଓଡ଼ିଶା କଥା ଦେଖାଯାଉ। ଏକ ବିବରଣୀ ଅନୁଯାୟୀ, ଓଡ଼ିଶାର ଗଞ୍ଜାମ ଜିଲା ମନରେଗା ଯୋଜନା ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳ ପରିବାରଙ୍କୁ ୧୦୦ ଦିନ କାମ ଯୋଗାଇବାରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ୧ ଲକ୍ଷ ୨୯ ହଜାର ୨୯୦ ପରିବାର ଏହି ଯୋଜନାରେ ଉପକୃତ ହୋଇଥିବାବେଳେ ଗଞ୍ଜାମ ଜିଲା ପଛକୁ ରହିଛନ୍ତି ରାଜସ୍ଥାନର ବାଡମେର ଓ ନାଗୌର। ସୂଚନାଯୋଗ୍ୟ ଯେ ୨୦୨୦ରେ ଦେଶବ୍ୟାପୀ ତାଲାବନ୍ଦ ପରେ ଗଞ୍ଜାମ ଜିଲାକୁ ହିଁ ୪ ଲକ୍ଷରୁ ଅଧିକ ଶ୍ରମଜୀବୀ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୨୧-୨୨ରେ ମନରେଗାରେ ସର୍ବାଧିକ ଅର୍ଥ ଖର୍ଚ କରିବା (୬୩୫ କୋଟି) କ୍ଷେତ୍ରରେ ମଧ୍ୟ ଏହି ଜିଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହା କରୋନା ସମୟରେ ରୋଜଗାର ସୃଷ୍ଟି କ୍ଷେତ୍ରରେ ଯେଉଁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା, ତାହା ଅବିକଳ୍ପ ବୋଲି କୁହାଯାଇପାରେ; କିନ୍ତୁ ବର୍ତ୍ତମାନ ବେରୋଜଗାର ସମସ୍ୟା ଅଧିକ ଚିନ୍ତାଜନକ। ତେଣୁ କେବଳ ମନରେଗା ଏହାର ସମାଧାନ ନୁହେଁ।

ସହରାଞ୍ଚଳର ୧୫ରୁ ୨୯ ବର୍ଷ ବର୍ଗର ଯୁବକଯୁବତୀଙ୍କ କ୍ଷେତ୍ରରେ ବେରୋଜଗାର ହାର ଖୁବ୍‌ ଅଧିକ ଥିବା ସଦ୍ୟପ୍ରସ୍ତୁତ ଶ୍ରମଶକ୍ତି ସର୍ବେକ୍ଷଣରୁ ଜଣାଯାଇଛି। ଜାନୁଆରୀ-ମାର୍ଚ୍ଚ ୨୦୨୨ରେ ଏହା ଖୁବ୍‌ ଉଚ୍ଚ ସ୍ତରରେ ପହଞ୍ଚି ୨୦.୨ ଶତାଂଶ ହୋଇଥିଲା। ଏଥିରୁ ସ୍ଥିତି ସହଜେ ଅନୁମେୟ। ସରକାର ରୋଜଗାର ଓ ନିଯୁକ୍ତି ସୃଷ୍ଟିରେ ଯେ ବିଫଳ ହୋଇଛନ୍ତି, ଏହା କହିବା ନିଷ୍ପ୍ରୟୋଜନ। ଅବଶ୍ୟ ନିକଟ ଅତୀତରେ ଆଗାମୀ ଦେଢ଼ବର୍ଷ ମଧ୍ୟରେ ଦଶ ଲକ୍ଷଙ୍କୁ ନିଯୁକ୍ତି ଦେବାନେଇ ସରକାର ଘୋଷଣା କରିଛନ୍ତି; କିନ୍ତୁ ଏହାର ବାସ୍ତବ କାର୍ଯ୍ୟକାରିତା ନେଇ ଅନେକ ସନ୍ଦେହ ପ୍ରକାଶ ପାଇଛି। ଆଉମଧ୍ୟ ଏହି ନିଯୁକ୍ତି ସତ୍ତ୍ବେ ମଧ୍ୟ ଦେଢ଼ବର୍ଷ ଭିତରେ ଯେଉଁ ନୂତନ ଶ୍ରମଶକ୍ତିର ଆବିର୍ଭାବ ଘଟିବ, ସେମାନଙ୍କ ପାଇଁ ମଧ୍ୟ ଚିନ୍ତା କରିବାକୁ ହେବ। କହିବା ବାହୁଲ୍ୟ ଯେ, ଧୀରେଧୀରେ ସ୍ଥିତି ଅଧିକ ଜଟିଳ ହେଉଛି ଏବଂ ଏହାର ମୁକାବିଲା କରିବାକୁ ହେଲେ ସରକାରଙ୍କୁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ହେବ।

Comments are closed.