ସତର୍କତା ବାଞ୍ଛନୀୟ

ଆମେ ଯେଉଁମାନେ ରଥଯାତ୍ରାରେ ସାମିଲ ​ହେବାକୁ ଯାଉଛୁ, ସମସ୍ତେ ଯେପରି କୋଭିଡ୍‌ ନିୟମ ପାଳନ କରନ୍ତି, ସେଥିପ୍ରତି ଯତ୍ନବାନ ହେବା

ଆଜି ରଥଯାତ୍ରା। ବିଶ୍ବର କୋଣଅନୁକୋଣରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି; ତେବେ ଶ୍ରୀକ୍ଷେତ୍ର ପୁରୀ ହିଁ ସମସ୍ତ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ; କାରଣ ଏଇଠି ହିଁ ରହିଛି ତିନିଠାକୁରଙ୍କ ବଡ଼ ଦେଉଳ ଓ ବଡ଼ ଦାଣ୍ଡ। ସମଗ୍ର ପୃଥିବୀର ଭକ୍ତଜନଙ୍କୁ ଦର୍ଶନ ଦେବାକୁ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପ୍ରତିବର୍ଷ ଆଜିର ଦିବସରେ ରଥାରୂଢ଼ ହେଉଥିବାବେଳେ କରୋନା ମହାମାରୀ କାରଣରୁ ଗତ ଦୁଇବର୍ଷ ଧରି ଭକ୍ତଙ୍କ ବିନା ଏହା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କରୋନା ମହାମାରୀର ପ୍ରକୋପ ପୂର୍ବବର୍ଷ ତୁଳନାରେ କମ୍‌ ରହିଥିବାରୁ ଭକ୍ତଙ୍କ ଗହଣରେ ରଥଯାତ୍ରା ଆୟୋଜନକୁ ଅନୁମତି ମିଳିଛି। ତେଣୁ ସ୍ବାଭାବିକ ଭାବେ ଭକ୍ତଗଣ ଆନନ୍ଦିତ। ଚଳିତବର୍ଷ ଏହି ଯାତ୍ରାରେ ଦଶ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଅବଶ୍ୟ କୋଭିଡ଼ ଭୟ ଏ ଯାଏ ଲୋକଙ୍କ ମନରୁ ଯାଇନାହିଁ। ହୁଏ ତ ସେହି କାରଣରୁ ନବଯୌବନ ଦର୍ଶନ ପାଇଁ ମଧ୍ୟ ଆଶାନୁରୂପ ଜନସମାଗମ ହୋଇନଥିବା କୁହାଯାଉଛି। ସେ ଯାହାହେଉ, କୋଭିଡ଼ ଯେ ଏ ପର୍ଯ୍ୟନ୍ତ ଆମ ପୃଥିବୀରୁ ଯାଇନାହିଁ, ଏହା ଆମେ ଭୁଲିଯିବାନି। ଆମ ଦେଶ ଓ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବା ଉଦ୍‌ବେଗଜନକ।

ଆମେ ଯଦି ସଦ୍ୟ ତଥ୍ୟ ଉପରେ ଆଖି ପକାଇବା, ତେବେ ରାଜ୍ୟରେ ମଙ୍ଗଳବାର ୧୬୧ ଜଣ ଓ ବୁଧବାର ୧୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଚାରି ମାସ ମଧ୍ୟରେ ସର୍ବାଧିକ ଦିନିକିଆ ସଂକ୍ରମଣ ବୋଲି କୁହାଯାଇଛି। ବର୍ତ୍ତମାନ ‘ଟେଷ୍ଟ୍‌ ପଜିଟିଭ୍‌ ରେଟ୍‌’ ବା ଟିପିଆର୍‌ ୧.୨୧ରେ ପହଞ୍ଚିଛି। ଏଥିରୁ ସଂକ୍ରମଣର ବେଗ କେତେ, ତାହା ଜଣାପଡ଼ୁଛି। ସପ୍ତାହକ ପୂର୍ବରୁ କେବଳ ତିନି ଚାରିଟି ଜିଲାରୁ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ବର୍ତ୍ତମାନ ଏହା ରାଜ୍ୟର ୧୭ଟି ଜିଲାକୁ ବ୍ୟାପିଲାଣି। ଖୋର୍ଦ୍ଧା ଓ କଟକ ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରି ସ୍ଥଳେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଜନସମାଗମ ହେବାକୁ ଥିବାରୁ କରୋନା କିପରି ବ୍ୟାପି ନପାରିବ, ସେ ନେଇ ସମସ୍ତେ ଯତ୍ନବାନ ହେବା ଉଚିତ। ଏଥିପାଇଁ ସରକାର ସେଭଳି କୌଣସି କଡ଼ା କଟକଣା ଜାରି କରିନଥିବାବେଳେ ତୁଣ୍ଡି (ମାସ୍କ) ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ତୁଣ୍ଡି ପିନ୍ଧିଲେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ବହୁ ପରିମାଣରେ ହ୍ରାସ ପାଏ, ଏହା ବର୍ତ୍ତମାନ ବିଜ୍ଞାନସିଦ୍ଧ। ତେଣୁ ଆମେ ଯେଉଁମାନେ ଏଭଳି ବଡ଼ ଜନସମାଗମ ଭିତରକୁ ଯାଉଛୁ, ସମସ୍ତେ ନିଶ୍ଚିତଭାବେ ତୁଣ୍ଡି ପିନ୍ଧିବା ଆବଶ୍ୟକ। ପୁଣି ଏହାକୁ ଠିକ୍‌ଭାବେ ନ ପିନ୍ଧିଲେ ତା’ର କୌଣସି ଉପକାର ମିଳିବ ନାହିଁ। ସେଥିପ୍ରତି ମଧ୍ୟ ଧ୍ୟାନ ଦେବା।

ପ୍ରକୃତରେ ଗତ କେଇ ମାସ ଧରି କରୋନା ପ୍ରକୋପ କମ୍‌ ଥିବାରୁ ହାତ ଧୋଇବା, ଶାରୀରିକ ଦୂରତା ଅବଲମ୍ବନ କରିବା ବା ତୁଣ୍ଡି ପିନ୍ଧିବା ଭଳି ସାଧାରଣ ନିୟମକୁ ଆମେ ପାସୋରି ସାରିଛୁ। ତେଣୁ ଏ କ୍ଷେତ୍ରରେ ସଚେତନ ହେବା ଏବଂ ଏସବୁ ନିୟମକୁ ପାଳନ କରିବା, ଯେପରି କି ନିଜ ସହ ଅନ୍ୟ ସମସ୍ତେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବେ। ତିନିଟି କରୋନା ଲହର ଆସିସାରିଥିବାବେ​‌େ​‌ଳ ଚତୁର୍ଥ ଲହର ନେଇ ସେଭଳି କୌଣସି ବଡ଼ ଆଶଙ୍କା ଏ ପର୍ଯ୍ୟନ୍ତ କରାଯାଇ ନାହିଁ। ଓମିକ୍ରନର ନୂଆ ପ୍ରଜାତି ଭୂତାଣୁ ପୂର୍ବ ପ୍ରଜାତି ଅପେକ୍ଷା ଦୁର୍ବଳ; ତେଣୁ ଡେଲ୍‌ଟା ପ୍ରଜାତିର ଭୂତାଣୁ ଯୋଗୁଁ ଯେଉଁ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିଲା, ସେପରି ହେବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ କହୁଛନ୍ତି। ତଥାପି ଏବେ କରୋନା ସଂକ୍ରମଣ ବଢ଼ୁଛି ଏବଂ ଅନେକ ଲୋକ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି; ତେଣୁ ସଂକ୍ରମଣ ପ୍ରତି ସମସ୍ତେ ସତର୍କ ରହିବା ବାଞ୍ଛନୀୟ। ବିଶେଷକରି ଯେଉଁମାନେ ଜ୍ବରରେ ପୀଡ଼ିତ ବା ଅନ୍ୟ ସେପରି କୌଣସି ଲକ୍ଷଣ ରହିଥାଏ, ସେମାନେ ଜନସମାଗମକୁ ନ ଯିବା ଉଚିତ। ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ। ରଥଯାତ୍ରାରେ ସାମିଲ୍‌ ହେବାପାଇଁ ଯଦି ଶ୍ରୀକ୍ଷେତ୍ର ଯାଇଥାନ୍ତି ଏବଂ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ, ତେବେ ବଡ଼ଦାଣ୍ଡ, ଶରଧାବାଲି, ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ ଓ ସମୁଦ୍ରକୂଳ ଆଦି ସ୍ଥାନରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଆଶୁ ଚିକିତ୍ସାକେନ୍ଦ୍ରର ସହାୟତା ନେବା ଉଚିତ।

ପ୍ରାୟ ପ୍ରତିବର୍ଷ ରଥଯାତ୍ରାରେ ଭକ୍ତଙ୍କର ଅଭିଯୋଗ ଯେ ସେବକମାନେ ରଥାରୂଢ଼ ତିନିଠାକୁରଙ୍କୁ ଆଢ଼ୁଆଳ କରି ରଥ ଉପରେ ଠିଆ ହେଉଥିବାରୁ ସେମାନେ ଠିକ୍‌ଭାବେ ଦର୍ଶନ କରିପାରନ୍ତି ନାହିଁ। ଏ ନେଇ ପ୍ରଶାସନ ପକ୍ଷରୁ ପୂର୍ବରୁ କୁହାଯାଇଥିଲେ ହେଁ ସବୁ ବର୍ଷ ସେହି ସମାନ କଥା ଦେଖିବାକୁ ମିଳେ। ଏଥର ମଧ୍ୟ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସେବକମାନଙ୍କୁ ଠାକୁରଙ୍କୁ ଆଢୁଆଳ ନକରିବା ପାଇଁ ଅନୁରୋଧ କରାଯାଇଛି। ଆମର ଆଶା ଯେ ସେବକମାନେ ଭକ୍ତଙ୍କୁ ଭଲଭାବେ ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ସୃଷ୍ଟି କରିବେ। ଆଉ ମଧ୍ୟ ସେମାନେ ଅନୁମତି ମିଳିନଥିବା ବ୍ୟକ୍ତିଙ୍କୁ ରଥ ଉପରେ ଚଢ଼ିବାରୁ ନିବୃତ୍ତ କରିବେ। ସମସ୍ତେ ଯେପରି ପତିତପାବନଙ୍କ ଦର୍ଶନ କରି କୃପାଲାଭ କରିପାରିବେ ଏବଂ ପବିତ୍ର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହେବ, ସେଥିପ୍ରତି ଆମେ ଯତ୍ନବାନ ହେବା।

Comments are closed.