ସମର୍ପିତ ସେବକ

ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଏବେ ମଧ୍ୟ ଆମ ସମସ୍ତଙ୍କ ହୃଦୟରେ ମଣି ହୋଇ ଚମକୁଛନ୍ତି

ଗାନ୍ଧୀଙ୍କ ନାମ ଉଚ୍ଚାରଣ କଲାବେଳେ ଆପେଆପେ ମୁହଁକୁ ଆସିଯାଆନ୍ତି ଗୋପବନ୍ଧୁ। ଓଡ଼ିଆଙ୍କ ଜୀବନଧାରା, ଭାଷାସାହିତ୍ୟ, ସାମାଜିକ ମୂଲ୍ୟବୋଧ ଓ ରାଜନୀତିକୁ ସେ ଏଭଳି ଆଚ୍ଛାଦିତ କରି ରଖିଥିଲେ ଯେ ତାଙ୍କୁ ବାଦ୍‌ଦେଇ ହଠାତ୍‌ ତୃତୀୟ ନାଁ ମୁହଁରେ ପଲଟେନି। ଭାରତର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ସମ୍ପର୍କରେ ଉଲ୍ଲେଖ କଲାବେଳେ ବହୁ ନେତୃତ୍ବ ଓ ବ୍ୟକ୍ତିତ୍ବଙ୍କ ନାମ ସାମ୍‌ନାକୁ ଆସିଯିବ। ତେ​‌େ​‌ବ ଏହି ସଂଗ୍ରାମ ପାକଳ ହେବା ପୂର୍ବରୁ ଗୋପବନ୍ଧୁ ଆମ ହାତ ଛାଡ଼ି ଚାଲିଯାଇଥିଲେ। ଏପରି କି ଭାଷା ଭିତ୍ତିରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ହାସଲ ମଧ୍ୟ ତାଙ୍କ ଜୀବଦ୍ଦଶାରେ ହୋଇନଥିଲା। ତାଙ୍କ ଦେହାନ୍ତ ଘଟିଥିଲା ୧୯୨୮ ଜୁନ ୧୭ ତାରିଖରେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଅନବସରରେ ବିଶ୍ରାମ ନେଇ ନେତ୍ରୋତ୍ସବ ଓ ନବଯୌବନର ମହାର୍ଘ ମୁହୂର୍ତ୍ତରେ ଆମେ ତାଙ୍କୁ ହରାଇଲୁ।

ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଏବେ ମଧ୍ୟ ସମସ୍ତଙ୍କ ହୃଦୟରେ ମଣି ହୋଇ ଚମକୁଛନ୍ତି। ଓଡ଼ିଆଙ୍କ ପ୍ରାଧାନ୍ୟ ଓ ପ୍ରତିପତ୍ତି ଥିବା ବିଶାଳ ଭୂଖଣ୍ଡ ହେଉଛି ଉତ୍କଳ। ଏବେ ଆମେ ଯେଉଁ ଓଡ଼ିଶା ପ୍ରଦେଶରେ ଅବସ୍ଥାନ କରୁଛେ ସେ ହେଉଛି ତାହାର ଅଂଶ ବିଶେଷ। ତେଣୁ ଗୋପବନ୍ଧୁ ହେଲେ ସାମଗ୍ରିକ ଭାବେ ଉତ୍କଳୀୟ ପରମ୍ପରା, ସଂସ୍କୃତି, ଐତିହ୍ୟ ଓ ବୌଦ୍ଧିକତାର ମଣି। ବିହାର ଓ ଓଡ଼ିଶା ଏକତ୍ର ଗୋଟିଏ ରାଜ୍ୟ ରୂପେ ପରିଗଣିତ ହେଉଥିବାବେଳେ ସୀମାବର୍ତ୍ତୀ ଅଞ୍ଚଳରେ ହିନ୍ଦୀ ଭାଷା ଆକ୍ରୋଶର ଶିକାର ହେଉଥିଲେ ଓଡ଼ିଆମାନେ। ଏହା କେବଳ ସେତିକିରେ ସୀମିତ ନ ଥିଲା; ଉଭୟ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରୁ ମଧ୍ୟ ମହାନ ଉତ୍କଳୀୟ ପରମ୍ପରା ପ୍ରତି ବିପଦ ଘେରି ରହିଥିଲା। ତେଣୁ ଓଡ଼ିଆ ଭାଷାକୁ ବଞ୍ଚାଇବା ଏବଂ ସମସ୍ତଙ୍କୁ ସ୍ବତନ୍ତ୍ର ଆଞ୍ଚଳିକ ନିଗଡ଼ରେ ବାନ୍ଧି ରଖିବା ଥିଲା ମୁଖ୍ୟ ଦାୟିତ୍ବ। ଚାଇଁବସା, ଖରସୁଆଁ ଓ ସିଂହଭୂମର ଓଡ଼ିଆ ଭାଷାଭାଷୀଙ୍କୁ କଳା, ସାହିତ୍ୟ ଓ ସଂସ୍କୃତିର ରଜ୍ଜୁରେ ବାନ୍ଧି ରଖିବାର ପ୍ରୟାସ ଗୋପବନ୍ଧୁ ଓ ତାଙ୍କ ସହଯୋଗୀମାନେ ଜାରି ରଖିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ସମସ୍ତଙ୍କୁ ଉତ୍କଳୀୟ ପରମ୍ପରାରେ ବାନ୍ଧି ରଖିବା। ଆମକୁ ସ୍ବୀକାର କରିବାକୁ ପଡ଼ିବ ଯେ ୧୯୩୬ ଏପ୍ରିଲ ପହିଲାରେ ଘୋଷିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶରୁ ବହୁ ଓଡ଼ିଆଭାଷୀ ଅଞ୍ଚଳ ବିଚ୍ଛିନ୍ନ ହୋଇ ରହିଥିଲେ ବି ସେଗୁଡ଼ିକର ମିଶ୍ରଣ ସମ୍ଭବ ହେଲାନାହିଁ କି ସମ୍ପୃକ୍ତ ଅଞ୍ଚଳରେ ଭାଷାକୁ ବଞ୍ଚାଇ ରଖିବା ପାଇଁ ଆମ ପକ୍ଷରୁ ସେଭଳି ନିଷ୍ଠାପର ଉଦ୍ୟମ ଜାରି ରଖିବା ସମ୍ଭବପର ହେଲାନାହିଁ। ଏଥିମଧ୍ୟରେ ୮୬ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଆମ ସୀମାବର୍ତ୍ତୀ ଅଞ୍ଚଳ ଉପରୁ ପଡ଼ୋଶୀଙ୍କ ଲୋଲୁପ ଦୃଷ୍ଟି ହଟିନାହିଁ। ଗୁରୁ ଓ ଲଘୁ ଖଣିଜ ସମ୍ପଦ ଦଖଲକୁ ନେବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ନା ସରକାର ନା ରାଜ୍ୟବାସୀ କେହି ଏଥିନେଇ ସଚେତନ ନୁହନ୍ତି।

ଗୋପବନ୍ଧୁ ଆମ ସଂସ୍ଥାର ପ୍ରତିଷ୍ଠାତା। ତେଣୁ ଆମେ ତାଙ୍କ ପରିବାରର ସଦସ୍ୟ ରୂପେ ମନେକରୁ। ଜୟନ୍ତୀ ଅପେକ୍ଷା ଶ୍ରାଦ୍ଧବାର୍ଷିକର ଗୁରୁତ୍ବ ଅଧିକ। ଶ୍ରଦ୍ଧାର ସହ ଶ୍ରାଦ୍ଧ ଦିବସରେ ତିଳତର୍ପଣ ପାଇଁ ସ୍ବନକ୍ଷତ୍ରକୁ ହିଁ ଆମେ ନିର୍ବାଚିତ କରିଥାଉ। ଏବେ ତ ଜନ୍ମ ଓ ମୃତ୍ୟୁ ଦିବସ ଇଂରାଜୀ ତାରିଖ ଅନୁସାରେ ପାଳନ କରିବାକୁ ଅନେକେ ଉଚିତ ମନେକରିଥାନ୍ତି। ତେଣୁ ଜୁନ ୧୭ ତାରିଖରେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆମେ ଏ ବର୍ଷ ଏକ ନିଆରା ଢଙ୍ଗରେ ୯୪ତମ ଶ୍ରାଦ୍ଧବାର୍ଷିକ ପାଳନ କରୁଛେ। ଗୋପବନ୍ଧୁଙ୍କ ଶିକ୍ଷା, ସାହିତ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ ବଳିଷ୍ଠ ଅବଦାନକୁ ବାଦଦେଲେ ସେ ଥିଲେ ସେବା ଓ ସେବକର ପ୍ରତୀକ। ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଦୁର୍ଦିନ ଓ ଦୁର୍ଦଶାରେ ଥିବା ଲୋକଙ୍କ ନିକଟରେ ପହଞ୍ଚିବା ହେଉଛି ସମୟର ଆବଶ୍ୟକତା। ସେତେବେଳର ଇଂରେଜ ସରକାରଙ୍କ ନିକଟରେ ବିପର୍ଯ୍ୟୟର ତଥ୍ୟ କେବଳ ଅପହଞ୍ଚ ନ ଥିଲା, ଲୋକଙ୍କୁ ସହାୟତାର ହାତ ବଢ଼ାଇବାର ଆଗ୍ରହ ମଧ୍ୟ ନ ଥିଲା। ତେଣୁ ଦୀନଦରିଦ୍ରଙ୍କ ବନ୍ଧୁ ପାଲଟିଥିଲେ ଗୋପବନ୍ଧୁ। ସମସ୍ତ ତ୍ୟାଗ ଓ ତିତିକ୍ଷାର ନିଦର୍ଶନ ଥିଲେ ସେ।

ଲୋକଙ୍କ ସେବକ ଭାବେ ସହଯୋଗୀଙ୍କୁ ସେଠାରେ ନେଇ ସେ ଯେଉଁ ସେବା କରୁଥିଲେ, ତାହାର ପଟାନ୍ତର ନାହିଁ। ଏହାର ପୃଷ୍ଠଭାଗରେ ଥିଲା ଏକ ମହତ୍‌ ଉଦ୍ଦେଶ୍ୟ। ସେ ସେବାର ହାତ ବଢ଼ାଇ ସମସ୍ତଙ୍କୁ ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଉଥିଲେ। ମଣିଷ ଏହି ସଂସାରକୁ ଆସିିନି କେବଳ ନିଜ ପାଇଁ ବା ଆତ୍ମକୈନ୍ଦ୍ରିକ ଜୀବନ ଜିଇବା ପାଇଁ। ଆମକୁ ଆମ ସମାଜ, ରାଜ୍ୟ ଓ ରାଷ୍ଟ୍ର ପାଇଁ ତ୍ୟାଗ କରିବାକୁ ପଡ଼ିବ। ଦେଶକୁ ଇଂରେଜଙ୍କ ଶାସନରୁ ମୁକ୍ତ କରିବା ପାଇଁ ଏହି କର୍ତ୍ତବ୍ୟ ସଚେତନତା ସୃଷ୍ଟି ମାଧ୍ୟମରେ ସେ ସ୍ବାଧୀନତା ସଂଗ୍ରାମର ମୂଳଭିତ୍ତି ସୁଦୃଢ଼ କରିଥିଲେ। ତାଙ୍କ ୯୪ତମ ତିରୋଧାନ ଦିବସରେ ସେହି ‘ସେବା ଓ ସେବକ’ର ବାର୍ତ୍ତା ରାଜ୍ୟର ପଞ୍ଚାୟତ ସ୍ତରରେ ପହଞ୍ଚାଇବା ପାଇଁ ଜୁନ ୨୯ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଗୋପବନ୍ଧୁଙ୍କ ଅମ୍ଳାନ ସ୍ମୃତି ପ୍ରତି ଏହା ହିଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

Comments are closed.