ଦେଢ଼ ବର୍ଷରେ ଦଶ ଲକ୍ଷ

ଦେଢ଼ ବର୍ଷରେ ଦଶ ଲକ୍ଷ ନିଯୁକ୍ତି ସତକୁ ସତ ମିଳିବ ନା ପ୍ରତି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତ କୋଟିକୋଟି ନିଯୁକ୍ତି ପରି ନିଷ୍ଫଳ ପାଲଟିବ, ତାହା ଭବିଷ୍ୟତ କହିବ

ବେରୋଜଗାର ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପ୍ରଭାବ ଜାତୀୟ ରାଜନୈତିକ ଦୃଶ୍ୟପଟକୁ ଏଭଳି କବଳିତ କରି ରଖିଛି ଯେ କ୍ଷମତାସୀନଙ୍କ ପକ୍ଷରୁ ଯେତେ ବିକଳ୍ପ କାର୍ଯ୍ୟକ୍ରମ ହାତକୁ ନିଆଗଲେ ମଧ୍ୟ ତାହା ସାଧାରଣ ଜନତାଙ୍କ ମନତୋଷ କରିପାରୁନି। ତେଣୁ ଦେଢ଼ ବର୍ଷରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଘୋଷଣା କେବଳ ସାଧାରଣରେ ଆଶ୍ବସ୍ତିର ବାର୍ତ୍ତା ଦେଇଛି। ଏସବୁ ସତ୍ତ୍ବେ ଏହାର କାର୍ଯ୍ୟକାରିତା ବିଶେଷକରି ସେନାରେ ୪ ବର୍ଷିଆ ନିଯୁକ୍ତିର ଭେଳିକି ନେଇ ଅନେକଙ୍କ ମନରୁ ସନ୍ଦେହ ଦୂର ହୋଇନି। ସେ ଯାହା ହେଉ, ଆମେ ଏବେ ଏହି ସମସ୍ୟାର ପୃଷ୍ଠଭୂମିକୁ ଫେରିବା ଉଚିତ ହେବ; କାରଣ ଏହି ସମସ୍ୟାର ସ୍ରଷ୍ଟା ଯିଏ ସିଏ ଅନ୍ତତଃ ତାହାର ସମାଧାନ କରିବା ଉଚିତ। ମାଣ୍ଡିଆ ଜାଉ ଯିଏ ​‌େ​‌ଖାଇଛି ସିଏ ହଗେଇ ନେବନି ତ ନେବ କିଏ। ଦେଶରେ ଉଦାରୀକରଣ ଅର୍ଥନୀତି ପ୍ରଚଳନ ପୂର୍ବରୁ ଗୁରୁତର ବିତ୍ତୀୟ ସଂକଟର ସମ୍ମୁଖୀନ ହୋଇ ସରକାର ବିଶ୍ବବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରୁ ଋଣ ସଂଗ୍ରହବେଳେ ସରକାରୀ ଦପ୍ତର ଓ ଉଦ୍ୟୋଗରେ ନିଯୁକ୍ତିକୁ ସଂକୁଚିତ କରିବା ସକାଶେ କଟକଣା ଲାଗିଥିଲା। ଏହି ନିୟନ୍ତ୍ରଣ ଦୀର୍ଘ ବର୍ଷ ଧରି ବଳବତ୍ତର ରହିଥିଲା। ଘରୋଇକରଣ ପ୍ରକ୍ରିୟା ବିକଶିତ ହେବା ସହ ଔଦ୍ୟୋଗିକ କ୍ଷେତ୍ରର ସମ୍ପ୍ରସାରଣ ଫଳରେ ସରକାରଙ୍କ ଉପରୁ ନିଯୁକ୍ତିର ଚାପ ଦୂର ହୋଇଥିଲା। ହେଲେ ସମୟ ସବୁବେଳେ ସମାନ ଯାଏନି।

ବିମୁଦ୍ରାୟନ ଏବଂ ଦ୍ରବ୍ୟ ଓ ସେବା କର ତରବରିଆ ଭାବେ ଲାଗୁ କରାଯିବାର ପ୍ରତିକୂଳ ପ୍ରଭାବରେ ବହୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଦୁର୍ଗତି ଆରମ୍ଭ ହୋଇଗଲା। ଆଗପଛ ନ ବିଚାରି ଚମତ୍କାରିତା ପ୍ରଦର୍ଶନ କରିବାକୁ ଯାଇ ସରକାର ଯାହା କଲେ ତାହାର ପରାଭବ ଲୋକଙ୍କୁ ଭୋଗିବାକୁ ପଡୁଛି; କାରଣ ଏହି ସଂସ୍ଥାଗୁଡ଼ିକରେ ହିଁ ସବୁଠାରୁ ଅଧିକ ନିଯୁକ୍ତି ସୁଯୋଗ ରହିଥାଏ। ଏହି ଦୋହରା ମାଡ଼ରେ କେତେ ଉଦ୍ୟୋଗ ବନ୍ଦ ହୋଇଗଲା ତ ଆଉ କିଛି ସଂସ୍ଥା ନାମକୁ ମାତ୍ର ଚାଲିଲା। ତେଣୁ ଆଖିବୁଜା ଛଟେଇ ହେଲେ କର୍ମଚାରୀ ଓ ଶ୍ରମିକ। ୨୦୧୭ର ଏହି ଦୁଃଖଦ ସ୍ଥିତି ସୁଧୁରିବା ଆଗରୁ ୨୦୧୯ରେ ଆସିଗଲା କରୋନା ମହାମାରୀ। ୨୦୧୭-୧୮ ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ କହେ ଯେ ଚାରି ଦଶନ୍ଧିରେ ସବୁଠାରୁ ଅଧିକ ବେକାରୀ ଏହି ସମୟରେ ବଢ଼ିଛି। ଏପରିକି ଏହି ବିମୁଦ୍ରାୟନ ମାଡ଼ରେ ବହୁ ଅଣସଂଗଠିତ କ୍ଷେତ୍ର ମଧ୍ୟ ବନ୍ଦ ହୋଇଗଲା। ସବୁଠାରୁ ଅଧିକ ନିଯୁକ୍ତି ସୁଯୋଗ ଥିବା ଏହି କ୍ଷେତ୍ରରୁ ଲୋକେ ଘରମୁହଁା ହେଲେ। ବାକି ଯେଉଁମାନେ ଢୋକେ ପିଇ ଦଣ୍ଡେ ଜିଇବା ଅବସ୍ଥାରେ ଥିଲେ, ସେମାନେ କରୋନା ତାଲାବନ୍ଦବେଳେ ବିବାକେ ବୁଡ଼ିଗଲେ। ସିଏମ୍‌ଆଇଇ ରିପୋର୍ଟରୁ ପ୍ରକାଶ ଯେ ବେରୋଜଗାର ହାର ୨୦୨୨ ମେ’ରେ ୭.୧୨ ପ୍ରତିଶତ, ଯାହାକି ସର୍ବକାଳୀନ ରେକର୍ଡ।

ଗତ ବିହାର ବିଧାନସଭା ନିର୍ବାଚନରେ ନୀତୀଶ ଓ ବିଜେପି ମେଣ୍ଟର ଆଧିପତ୍ୟ ଥିଲେ ମଧ୍ୟ ଲାଲୁ ପୁତ୍ର ତେଜସ୍ବୀ ବେରୋଜଗାର ପ୍ରସଙ୍ଗକୁ ଧରି ଏଭଳି ଏକ ସ୍ଥିତିରେ ପହଞ୍ଚିଥିଲେ ଯେ ହାତପାଆନ୍ତାରେ କ୍ଷମତା ଆସୁଆସୁ ଅଳ୍ପକେ ଖସିଗଲା। ତେଣୁ ଧ୍ରୁବୀକରଣ ରାଜନୀତି ଶେଷ କଥା ନୁହେଁ, ସରକାରଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ନିର୍ବାଚନ ପୂର୍ବରୁ ଏଭଳି ଏକ ଗୋଟିଚାଳନାର ଜରୁରୀ ଆବଶ୍ୟକତାକୁ କ୍ଷମତାକେନ୍ଦ୍ର ଠିକ୍‌ ବୁଝିଛି। ଏକଥା ସତ ଯେ ଏହି ୪ ବର୍ଷିଆ ଅଗ୍ନିବୀରମାନଙ୍କୁ ପରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଆବଶ୍ୟକତା ଦୃଷ୍ଟିରୁ ଉପଯୋଗ କରାଯିବାର ସୁଯୋଗ ରହିଛି। ଅପରପକ୍ଷେ, ସମୟ କହିବ ଏହି ୧୦ ଲକ୍ଷ ନିଯୁକ୍ତି ଘୋଷଣାର ଗତି ଓ ପ୍ରଗତି କେତେଦୂର ବେରୋଜଗାର କମାଇବାରେ ସହାୟକ ହେବ।

ଗତ କିଛି ବର୍ଷର ଘଟଣା ପ୍ରବାହକୁ ଅନୁଧ୍ୟାନ କଲେ ସରକାରୀ ବ୍ୟବସ୍ଥାର ଆକାର ଯେଭଳି ସଂକୁଚିତ ହେଉଛି ସେଥିରେ ଦେଢ଼ବର୍ଷ ଭିତରେ ୧୦ ଲକ୍ଷଙ୍କ ନିଯୁକ୍ତି ସହଜସାଧ୍ୟ ମନେହେଉନି। ୨୦୧୪-୧୫ରେ ସରକାରୀ କଳ ଓ ଉଦ୍ୟୋଗରେ କର୍ମରତଙ୍କ ସଂଖ୍ୟା ଥିଲା ୩୩ ଲକ୍ଷ, ଯାହା ୨୦୧୯-୨୦ରେ ୩୧ ଲକ୍ଷକୁ ହ୍ରାସ ପାଇଥିଲା। ତେବେ ଏକ ଅନୁଶୀଳନରୁ ପ୍ରକାଶ ଯେ ବିଭିନ୍ନ ସ୍ତରରେ ଖାଲି ପଡ଼ିଥିବା ପଦ ସଂଖ୍ୟା ୮ ଲକ୍ଷ ୪୨ ହଜାର। ସରକାରୀ ଦପ୍ତରରେ କର୍ମଚାରୀ ନିଯୁକ୍ତି ଦାୟିତ୍ବରେ ଥିବା ୟୁପିଏସ୍‌ସି ଓ ରେଳବାଇ ନିଯୁକ୍ତି ବୋର୍ଡ ବାର୍ଷିକ ପ୍ରାୟ ୧ ଲକ୍ଷଙ୍କୁ ନିଯୁକ୍ତି ଦିଅନ୍ତି। ଏହାକୁ ବାଦ୍‌ ଦେଲେ ବିଭିନ୍ନ ସରକାରୀ ସଂସ୍ଥା​‌ରେ ନିଯୁକ୍ତି ଦେବା ପାଇଁ ଗଠିତ ଜାତୀୟ ନିଯୁକ୍ତି ସଂସ୍ଥା ଗତ ଦୁଇବର୍ଷ ମଧ୍ୟରେ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟ କରିଥିବା ନଜରକୁ ଆସି ନାହିଁ। ସରକାରଙ୍କ ଏହି ନିଯୁକ୍ତି ଘୋଷଣା ସହ ବଜେଟ୍‌ ବ୍ୟବସ୍ଥାର କୌଣସି ସମ୍ପର୍କ ନାହିଁ। ପ୍ରତିକୂଳ ଅର୍ଥନୈତିକ ପାଣିପାଗ ମଧ୍ୟରେ ସରକାର ଖର୍ଚ୍ଚକାଟ ଓ ସଙ୍କୋଚନକୁ ଗୁରୁତ୍ବ ଦେଇଥିବାବେଳେ ଏହି ଘୋଷଣା ବୋଝ ହୋଇପାରେ। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ତତ୍‌ସଂଲଗ୍ନ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ରହିଛି; କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ଦେଢ଼ବର୍ଷରେ ଦଶ ଲକ୍ଷ ନିଯୁକ୍ତି ସତକୁ ସତ ମିଳିବ ନା ପ୍ରତି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତ କୋଟିକୋଟି ନିଯୁକ୍ତି ପରି ନିଷ୍ଫଳ ପାଲଟିବ, ତାହା ଭବିଷ୍ୟତ କହିବ।

Comments are closed.