ନକଲି ଭଣ୍ଡାର

୨୦୧୬ରେ ବିମୁଦ୍ରାୟନ ଘୋଷଣା କଲାବେଳେ ସରକାର କହିଥିଲେ ଯେ ଏହା ଦ୍ବାରା ନକଲି ନୋଟ୍‌ କାରବାର ସଂପୂର୍ଣ୍ଣ ବନ୍ଦ ହୋଇଯିବ;କିନ୍ତୁ ତାହା ଭୁଲ୍‌ ପ୍ରମାଣିତ ହୋଇଛି

ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ କରି ଯାଜପୁର, ରାୟଗଡ଼ା ଓ କେନ୍ଦୁଝର ପର୍ଯ୍ୟନ୍ତ, ବିଭିନ୍ନ ସ୍ଥାନରୁ କୋଟିଏରୁ ଊର୍ଦ୍ଧ୍ବ ନକଲି ଟଙ୍କା ଏବଂ ଏହାକୁ ତିଆରି କରୁଥିବା ଯନ୍ତ୍ରପାତି ଓ ଉପକରଣ ଜବତ ହୋଇସାରିଛି। କେବଳ ଓଡ଼ିଶା ନୁହେଁ; ଦେଶର ବିଭିନ୍ନ ଭାଗରେ ଏହି ବେଆଇନ କାର୍ଯ୍ୟ ନିଧଡ଼କ ଚାଲୁ ରହିଛି। ନକଲି ନୋଟ୍‌ଗୁଡ଼ିକୁ ଏପରି ଭାବେ ପ୍ରସ୍ତୁତ କରାଯାଉଛି ଯେ ତାହା ସମ୍ପୂର୍ଣ୍ଣ ଅସଲି ଭଳି ମନେହେଉଛି। ଅସଲି କି ନକଲି, ସାଧାରଣ ଲୋକଙ୍କ ପକ୍ଷେ ଏହା ଜାଣିବା ଅତ୍ୟନ୍ତ କଷ୍ଟକର; ଏପରି କି ଅସମ୍ଭବ କହିଲେ ଚଳେ। ଏହି କାରଣରୁ ଭାରତରେ ନକଲି ନୋଟ୍‌ ପ୍ରଚଳନ ବୃଦ୍ଧି ପାଇଛି। କେବଳ ଅନୁମାନ ନୁହେଁ; ନିକଟରେ ପ୍ରକାଶିତ ଏକ ସରକାରୀ ରିପୋର୍ଟ ଏହା କହୁଛି। ୨୦୨୧-୨୨ ବାର୍ଷିକ ରିପୋର୍ଟରେ କେନ୍ଦ୍ରୀୟ ବ୍ୟାଙ୍କ (ଆର୍‌ବିଆଇ) ଦର୍ଶାଇଛି ଯେ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୫୦୦ ଟଙ୍କିଆ ୧୦୧ ଶତାଂଶ ଅଧିକ ନକଲି ନୋଟ୍‌ ସମ୍ପର୍କରେ ସୂଚନା ମିଳିଥିଲା। ସେହିପରି ୨୦୦୦ ଟଙ୍କିଆ ୫୪ ଶତାଂଶ ଅଧିକ ନକଲି ନୋଟ୍‌ ଆର୍‌ବିଆଇ ଠାବ କରିଥିଲା। ଅନ୍ୟ ନୋଟ୍‌ଗୁଡ଼ିକରେ ଏହି ବୃଦ୍ଧିର ପରିମାଣ କମ୍‌ ରହିଥିଲା। ଏହା ଅବଶ୍ୟ ସ୍ବାଭାବିକ, କାରଣ ନକଲି ନୋଟ୍‌ ତିଆରି କରୁଥିବା ଲୋକେ ୫୦୦ ଓ ୨୦୦୦ ଟଙ୍କିଆ ବଡ଼ ନୋଟ୍‌ ହିଁ ଛାପି ତାକୁ ବଜାରକୁ ଛାଡ଼ିଥାନ୍ତି, କାରଣ ଏହାଦ୍ବାରା ସେମାନଙ୍କର ଅଧିକ ଲାଭ ହୋଇଥାଏ। ଏହା ନିଶ୍ଚୟ ଚିନ୍ତାର ବିଷୟ ଯେ ୨୦୧୬ ମସିହାରେ ଯେତେବେଳେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ବିମୁଦ୍ରାୟନ ଘୋଷଣା କରିଥିଲେ, ସେତେବେଳେ କୁହାଯାଇଥିଲା ଯେ ଏପରି ପଦକ୍ଷେପ ଦ୍ବାରା ନକଲି ନୋଟ୍‌ ପ୍ରଚଳନ ସମ୍ପୂର୍ଣ୍ଣ ଭା‌େ‌ବ ବନ୍ଦ ହୋଇଯିବ; କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ପ୍ରମାଣିତ ହୋଇଛି, ଅଧିକନ୍ତୁ ନକଲି ନୋଟ୍‌ ପ୍ରଚଳନ ପ୍ରତିବର୍ଷ ବୃଦ୍ଧି ପାଇଚାଲିଛି। ଆହୁରି ଉଦ୍‌ବେଗଜନକ କଥା ହେଲା ଆର୍‌ବିଆଇକୁ ଯେତିକି ନକଲି ନୋଟ୍‌ ବିଷୟରେ ସୂଚନା ମିଳିଛି, ତାହା ମଧ୍ୟ ବାସ୍ତବ ସ୍ଥିତି ନୁହେଁ; କାରଣ ପ୍ରକୃତ ନକଲି ନୋଟ୍‌ର ପରିମାଣ ଠାବ କରାଯାଉଥିବା ବା ଧରାପଡ଼ୁଥିବା ନକଲି ନୋଟ୍‌ର ବହୁ ଗୁଣ ହେବା ସୁନିଶ୍ଚିତ। କେତେକ ଆର୍ଥିକ ବିଶେଷଜ୍ଞଙ୍କ ଅନୁଯାୟୀ, ଠାବ ହେଉଥିବା ନକଲି ନୋଟ୍‌ର ସଂଖ୍ୟା ମାତ୍ର ତିନିରୁ ଚାରି ଶତାଂଶ। ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋର ପରିସଂଖ୍ୟାନ ଅନୁସାରେ, ୨୦୨୦ରେ ୯୨ କୋଟିରୁ ଅଧିକ ଟଙ୍କାର ନକଲି ନୋଟ୍‌ ଜବତ ହୋଇଥିଲା, ଯାହା ୨୦୧୯ ମସିହାରେ ଧରାପଡ଼ିଥିବା ନକଲି ନୋଟ୍‌ ତୁଳନାରେ ୧୯୦ ଶତାଂଶ ଅଧିକ ଥିଲା। ଏଥିରୁ ଜଣାପଡ଼ୁଛି ଯେ ଭାରତରେ ନକଲି ନୋଟ୍‌ ବହୁଳ ଭାବେ ପ୍ରଚଳନରେ ରହିଛି।

ବର୍ତ୍ତମାନ ଏପରି ଅତ୍ୟାଧୁନିକ ଛାପାଯନ୍ତ୍ର ଆସିଲାଣି, ଯେଉଁଥିରେ ଅବିକଳ ଅସଲି ନୋଟ୍‌ ପରି ଦେଖାଯାଉଥିବା ନକଲି ନୋଟ୍‌ ଛପାଯାଇପାରୁଛି। ଅସଲି ଓ ନକଲି ମଧ୍ୟରେ ରହିଥିବା ସାମାନ୍ୟ ପାର୍ଥକ୍ୟକୁ ଜାଣିବା କାଠିକର ପାଠ। ଚିନ୍ତାର ବିଷୟ ​‌େ​‌ଯ ଏହି ଘାତକ ଖେଳରେ କେବଳ ଅପରାଧୀମାନେ ନୁହନ୍ତି, ବରଂ କେତେକ ପଡ଼ୋଶୀ ଦେଶର ସରକାର ମଧ୍ୟ ସାମିଲ୍‌ ଥିବା ନେଇ ଅତୀତରେ ଖବର ପ୍ରକାଶ ପାଇଥିଲା। ସେମାନେ ଉନ୍ନତ ଛାପାକଳ ବ୍ୟବହାର କରି ନକଲି ନୋଟ୍‌ ଛାପି ଭାରତକୁ ପ୍ରେରଣ କରୁଛନ୍ତି। ବିଶେଷତଃ କେତେକ ଶତ୍ରୁଦେଶ ଭାରତୀୟ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ପାଇଁ ଏବଂ ଆତଙ୍କବାଦର ବିସ୍ତାର ଉଦ୍ଦେଶ୍ୟରେ ଏପରି କରୁଥିବା କୁହାଯାଉଛି। ସେ ଯାହାହେଉ, ନିଜ ଦେଶରେ ରହୁଥିବା ଅପରାଧୀମାନେ ମଧ୍ୟ ଏପରି ନକଲି ନୋଟ୍‌ ଛାପି ଦେଶର କମ୍‌ କ୍ଷତି କରୁନାହାନ୍ତି। ସାଧାରଣ ଲୋକଙ୍କ ମଧ୍ୟରେ ଭାରତୀୟ ମୁଦ୍ରାକୁ ନେଇ ଏହି କାରଣରୁ ସଂଶୟ ଓ ଅବିଶ୍ବାସ ଭାବ ପ୍ରକାଶ ପାଇଥାଏ, ଯାହା ଅସ୍ବାଭାବିକ ନୁହେଁ। ତେବେ ସରକାର ଯେ ଏଥିପ୍ରତି ସମ୍ପୂର୍ଣ୍ଣ ଅସଚେତନ ତାହା ନୁହେଁ। ଅନେକ ସମୟରେ ନକଲି ନୋଟ୍‌ ଓ ଏହାକୁ ଛପାଯାଉଥିବା ଉପକରଣ ଜବତ ହେବା ଏବଂ ଏହି ବେନିୟମ କାର୍ଯ୍ୟ କରୁଥିବା ଅପରାଧୀମାନଙ୍କୁ ଗିରଫ କରାଯିବା ଖବର ପ୍ରାୟ ଆମେ ଗଣମାଧ୍ୟମରେ ଦେଖିବାକୁ ପାଉ; କିନ୍ତୁ ଏହା ବିରୋଧରେ ବଡ଼ ଧରଣର ଅଭିଯାନ ଚଳାଇବାର ଆବଶ୍ୟକତା ରହିଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ଉତ୍ତମ ସମ୍ବନ୍ଧ ଓ ସମନ୍ବୟ ଜରୁରୀ; କାରଣ ଏପରି ଅପରାଧୀଙ୍କ ରାକେଟ୍‌ ପ୍ରାୟତଃ ଆନ୍ତଃରାଜ୍ୟର ହୋଇଥାଏ। ଏହା ବ୍ୟତୀତ ନକଲି ନୋଟ୍‌ର ପରୀକ୍ଷଣ ପାଇଁ ନୂତନ ପ୍ରଯୁକ୍ତିର ଆବଶ୍ୟକତା ମଧ୍ୟ ରହିଛି। ପଡ଼ୋଶୀ ଦେଶର ନକଲି ନୋଟ୍‌ କାରବାରକୁ ଭାରତ ଭିତରକୁ ପ୍ରବେଶ କରାଇ ନଦେବା ପାଇଁ ଆନ୍ତର୍ଜାତିକ ସୀମାରେ ଚବିଶଘଣ୍ଟିଆ ପହରା ଓ ଯାଞ୍ଚକୁ କଡ଼ାକଡ଼ି କରାଯିବା ଦରକାର। ବାଂଲାଦେଶ ଭଳି ଅନ୍ୟ ଦେଶ ସହିତ ମଧ୍ୟ ନକଲି ନୋଟ୍‌ କାରବାରକୁ ବନ୍ଦ କରିବା ପାଇଁ ଚୁକ୍ତି କରାଯିବା ଆବଶ୍ୟକ। ସର୍ବୋପରି ଦେଶର ଜନସାଧାରଣଙ୍କୁ ଏ ବିଷୟରେ ଆହୁରି ସଚେତନ କରିବା ଦରକାର। ଡିଜିଟାଲ୍‌ ଆର୍ଥିକ କାରବାର ଉପରେ ଅଧିକ ଧ୍ୟାନଦେଲେ ନକଲି ନୋଟ୍‌ ବ୍ୟବହାର ଅନେକାଂଶରେ ଆପେଆପେ ହ୍ରାସ ପାଇବ।

Comments are closed.