ନ ଜାଣିଲେ ବିପଦ

ଅଧିକାଂଶ ରୋଗୀ ଉଚ୍ଚ ରକ୍ତଚାପରେ ପୀଡ଼ିତ ବୋଲି ଜାଣି ନପାରିବା ନେଇ ଯେଉଁ ଗବେଷଣାତ୍ମକ ତଥ୍ୟ ଆସିଛି, ତାହା ବାସ୍ତବିକ ଚିନ୍ତାଜନକ

ଦେହ ଥିଲେ ରୋଗ ଅଛି ବୋଲି କୁହାଯାଏ; କିନ୍ତୁ ରୋଗକୁ ରୋଗୀ ଜାଣି ନପାରିବା ବା ଚିହ୍ନଟ କରି ନପାରିବା ତା’ ପାଇଁ ଘାତକ ପାଲଟେ, କାହିଁକି ନା ରୋଗ ଚିହ୍ନଟ ନହେଲେ ତା’ର ନିଦାନ ମଧ୍ୟ ସମ୍ଭବ ହୋଇପାରେ ନାହିଁ। ଏବେ ହାଇପର୍‌ଟେନସନ ବା ଉଚ୍ଚ ରକ୍ତଚାପକୁ ନେଇ ଆସିଥିବା ଏକ ଗବେଷଣା ରିପୋର୍ଟରେ ଯେଉଁ ତଥ୍ୟ ଦିଆଯାଇଛି, ତାହା ଚମକାଇ ଦେବାଭଳି। ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର୍) ଏବଂ ନେସନାଲ ସେଣ୍ଟର ଫର୍ ଇନ୍‌ଫର୍ମେଟିକ୍ସ ଏଣ୍ଡ୍ ରିସର୍ଚ (ଏନ୍‌ସିଡିଆଇଆର୍‌) ମିଳିତ ଭାବେ କରିଥିବା ଏହି ଅନୁସନ୍ଧାନ ରିପୋର୍ଟ ଅନୁସାରେ ୭୨ ଶତାଂଶ ଉଚ୍ଚ ରକ୍ତଚାପ ପୀଡ଼ିତ ନିଜର ରୋଗ ସମ୍ପର୍କରେ ଅଜ୍ଞ। ଏହା ମଧ୍ୟ କମ୍‌ ଚିନ୍ତାଜନକ ନୁହେଁ ଯେ ଦେଶର ୨୮ ଶତାଂଶ ଭାରତୀୟ ବୟସ୍କ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ। ଏହା ଏଇଥିପାଇଁ ମଧ୍ୟ ମହତ୍ତ୍ବପୂର୍ଣ୍ଣ ଯେ ଉଚ୍ଚ ରକ୍ତଚାପ ହିଁ ହୃଦ୍‌ରୋଗର ବଡ଼ କାରଣ ପାଲଟିଥାଏ। ଆଉ ଏକ ଉଦ୍‌ବେଗଜନକ ତଥ୍ୟ ହେଲା ଦେଶର ୨୮ ଶତାଂଶ ମୃତ୍ୟୁ ହୃଦ୍‌ରୋଗ ହେତୁ ହୋଇଥାଏ। ଏପରି ପରିସ୍ଥିତିରେ ୨୦୨୫ ପର୍ଯ୍ୟନ୍ତ ଏହି ରୋଗରୁ ମୁକ୍ତି ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ସମ୍ଭବ ହେବାପରି ମନେହେଉ ନାହିଁ।

ଆଇସିଏମ୍ଆର୍‌-ଏନ୍‌ସିଡିଆଇଆର୍‌ ଗବେଷଣାରେ ଏହି ଘାତକ ରୋଗ ପ୍ରତି ମାତ୍ର ୨୭ ଶତାଂଶ ଲୋକ ସଚେତନ ହେବା ଘଟନାରୁ ଜଣାପଡ଼େ ଯେ ଆମେ ସ୍ବାସ୍ଥ୍ୟ ସଚେତନତାରେ କେତେ ପଛରେ। ବିଶେଷ କରି ଆମେ ନିଜର ସ୍ବାସ୍ଥ୍ୟରକ୍ଷା ସମ୍ପର୍କରେ ଯେତିକି ଯତ୍ନବାନ ହେବାକଥା, ସେତିକି ହୋଇନଥାଉ। ଫଳରେ ରୋଗ ବଢ଼ିଯାଏ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତା’ର ଚିକିତ୍ସା କଷ୍ଟକର ହୋଇପଡ଼େ। ଉପରୋକ୍ତ ଅନୁଧ୍ୟାନରେ ସାମିଲ ଲୋକଙ୍କ ମଧ୍ୟରୁ ମାତ୍ର ୧୪ ଶତାଂଶ ହିଁ ଉଚ୍ଚ ରକ୍ତଚାପର ଚିକିତ୍ସା କରାଇଥିଲେ। ଏହି ରିପୋର୍ଟରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଉଚ୍ଚ ରକ୍ତଚାପ ମହାନଗରୀୟ ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁଁ ହିଁ ଅଧିକ ପରିମାଣରେ ହେଉଛି; କାରଣ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ୨୫ ଶତାଂଶ ଥିବାବେଳେ ସହରରେ ଏହା ୩୪ ଶତାଂଶ। ପୀଡ଼ିତ ଲୋକଙ୍କ ମଧ୍ୟରେ ଭାରତୀୟ ଚିକିତ୍ସା ପଦ୍ଧତି ବା ଅନ୍ୟ ବିକଳ୍ପ ଚିକିତ୍ସା ପଦ୍ଧତିଗୁଡ଼ିକ ଉପରେ ଆଦୌ ଭରସା ନଥିବାବେଳେ ୯୯.୬ ଶତାଂଶ ପୀଡ଼ିତ ଏଲୋପାଥିକ ଔଷଧ ଖାଉଛନ୍ତି। ଆହୁରି ମଧ୍ୟ ରୋଗୀଙ୍କ ମଧ୍ୟରୁ ୮୦ ଶତାଂଶ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା ବଦଳରେ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ରିପୋର୍ଟ ଅନୁଯାୟୀ, ପୁରୁଷ ତୁଳନାରେ ମହିଳାମାନେ ଉଚ୍ଚ ରକ୍ତଚାପରେ କମ୍‌ ପୀଡ଼ିତ ଥିବା ଦେଖାଯାଇଛି।

ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ମଧ୍ୟ ଭାରତରେ ଏହି ରୋଗର ପ୍ରାଦୁର୍ଭାବ କମ ଦେଖାଯାଇଥିବାବେଳେ ଉତ୍ତର ଓ ଦକ୍ଷିଣ ଭାରତରେ ପୀଡ଼ିତ ହାର ସର୍ବାଧିକ। ଏଥିରୁ ଜଣାପଡ଼େ ଯେ ଏଥିରେ ତାପମାତ୍ର ଓ ପରିବେଶକୈନ୍ଦ୍ରିକ ଜୀବନଶୈଳୀର ମଧ୍ୟ ଭୂମିକା ରହିଛି। ଚିନ୍ତାର ବିଷୟ, ୪୭ ଶତାଂଶ ଲୋକ କେବେ ମଧ୍ୟ ନିଜ ରକ୍ତଚାପର ଯାଞ୍ଚ କରାଇ ନାହାନ୍ତି। ସେହିପରି ପଚାଶରୁ ସତୁରି ବର୍ଷ ବୟସ ବର୍ଗର ଲୋକେ ଯାଞ୍ଚ କରାଇବା ସହ ଉପଚାରର ସାହାରା ନେଉଛନ୍ତି। ମହିଳାମାନେ ଯାଞ୍ଚ କରାଇବାରେ ସବୁଠୁ ପଛରେ। ଏଥିରେ ଆଦୌ ସନ୍ଦେହ ନାହିଁ ଯେ ଆମ ଆଧୁନିକ ଜୀବନଶୈଳୀରେ ରହିଥିବା ବିସଙ୍ଗତିଗୁଡ଼ିକ ହିଁ ଉଚ୍ଚ ରକ୍ତଚାପ ଭଳି ରୋଗର ଜନ୍ମଦାତା। ସମୟ ବଦଳିବା ସହିତ ପରିସ୍ଥିତି ଜଟିଳ ହେଉଛି; ବିଶେଷକରି ଯୁବକଯୁବତୀମାନେ କାର୍ଯ୍ୟକ୍ଷେତ୍ରରେ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ଭିତରେ ବିଭିନ୍ନ କାରଣରୁ ଚିନ୍ତା, ଉଦ୍‌ବେଗ, କ୍ରୋଧ ଆଦି ସୃଷ୍ଟି ହେଉଛି। କ୍ରମାଗତ ଏପରି ସ୍ଥିତିରେ ରହିବା ଫଳରେ ସେମାନେ ଉଚ୍ଚ ରକ୍ତଚାପ କବଳିତ ହେଉଛନ୍ତି। ବର୍ତ୍ତମାନ ଆମ ଦୈନନ୍ଦିନ ଜୀବନରେ ଫାଷ୍ଟଫୁଡ଼ ଓ ତୈଳଯୁକ୍ତ ଖାଦ୍ୟର ପ୍ରାବଲ୍ୟ ସବୁଠୁ ବଡ଼ ସମସ୍ୟା। ଆମ ସ୍ବାସ୍ଥ୍ୟ ପାଇଁ ଅହିତକର ଜାଣି ସୁଦ୍ଧା ସେସବୁ ଖାଇବାରୁ କେହି ନିବୃତ୍ତ ହୋଇପାରୁନାହୁଁ। ଅନ୍ୟପକ୍ଷରେ ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ ବହୁ ଲୋକଙ୍କର ନିଦ୍ରାହୀନତାର କାରଣ ପାଲଟିଛି; କାରଣ ଏସବୁର ଉପଯୋଗ ସେମାନଙ୍କୁ ବିଳମ୍ବିତ ରାତ୍ରିଯାଏ ଅନିଦ୍ର କରି ରଖୁଛି। ପରବର୍ତ୍ତୀ ସମୟରେ ଏହା ଉଚ୍ଚ ରକ୍ତଚାପକୁ ଡାକିଆଣୁଛି।

ପୂର୍ବରୁ ଲୋକେ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯେଉଁ ସଂଯମ ଓ ଶୃଙ୍ଖଳା ରଖୁଥିଲେ, ତାହା ଏବେ ନାହିଁ। ଠିକ୍‌ ସମୟରେ ଉପଯୁକ୍ତ ପରିମାଣର ଭୋଜନ କରିବା, ରାତିରେ ଠିକ୍‌ ସମୟରେ ଶୋଇ ସୂ​‌େ​‌ର୍ଯ୍ୟାଦୟ ପୂର୍ବରୁ ଉଠିବା ଇତ୍ୟାଦି ସହିତ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ସିଧାସଳଖ ସମ୍ବନ୍ଧ ରହିଛି, ଏହା ଆମେ ବୁଝିବା ଦରକାର। ଆମର ଅନିୟନ୍ତ୍ରିତ ଓ ବିଳାସୀ ଜୀବନଶୈଳୀ ହିଁ ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ବହୁ ଅସାଧ୍ୟ ରୋଗର କାରଣ ପାଲଟୁଛି। ଆମେ ସହଜ ସରଳ ଜୀବନଶୈଳୀକୁ ନ ଆପଣାଇ ଯେତିକି କୃତ୍ରିମ ଜୀବନ ବଞ୍ଚିବାକୁ ଚେଷ୍ଟା କରିବା, ତାହା ସେତିକି ଅସ୍ବାସ୍ଥ୍ୟକର ହୋଇପଡ଼ିବ। ସବୁଠୁ ବଡ଼ କଥା, ପ୍ରତ୍ୟହ କିଛି ନା କିଛି ଶାରୀରିକ ପରିଶ୍ରମ, ବ୍ୟାୟାମ ଓ ଯୋଗ କରିବା ଦରକାର, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ। ଆଜି ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ଅବସରରେ ଏହା ହିଁ ସଭିଙ୍କର ଅନୁଚିନ୍ତା ହେଉ।

Comments are closed.