ଉଚ୍ଛେଦନୀୟ

ଭାରତ ପରି ଆଧୁନିକ ଗଣତନ୍ତ୍ରରେ ରାଜଦ୍ରୋହ ଆଇନ ଆପେଆପେ ଅପ୍ରାସଙ୍ଗିକ ହୋଇପଡ଼ିବା କଥା; କିନ୍ତୁ ରାଜକୀୟ ଥାଟବାଟ ରହିଥିବା ଯାଏ କ’ଣ ତାହା ସମ୍ଭବ ହେବ
ଗତ କିଛି ବର୍ଷ ଧରି ରାଜନୈତିକ ଲକ୍ଷ୍ୟ ସାଧନ ଓ ବିରୋଧୀ ସ୍ବରକୁ ଦମନ କରିବା ପାଇଁ ବ୍ରିଟିଶକାଳୀନ ରାଜଦ୍ରୋହ ଆଇନର ଯେପରି ବ୍ୟାପକ ଦୁରୁପଯୋଗ କରାଯାଉଥିଲା, ତାହା ଦେଶବ୍ୟାପୀ ଆକ୍ରୋଶ ସୃଷ୍ଟି କରିଥିଲା। ଆଶ୍ବାସନାର କଥା ଯେ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏହି କଠୋର ଆଇନ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଦଫା ୧୨୪ଏ ବଳରେ ରୁଜୁ କରାଯାଇଥିବା ସମସ୍ତ ମାମଲା, ଅପିଲ ଏବଂ ବିଚାରକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମଣାଙ୍କ ନେତୃତ୍ବାଧୀନ ତିନିଜଣିଆ ପୀଠ ୧୬୨ ବର୍ଷ ପୁରୁଣା ରାଜଦ୍ରୋହ ଆଇନର ବୈଧତାକୁ ଚାଲେଞ୍ଜ୍‌ କରି ହୋଇଥିବା ଏକାଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏକ ଉପଯୁକ୍ତ ‘ଫୋରମ୍‌’ ଆଇନର ପୁନଃସମୀକ୍ଷା ନକରିବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନୂଆ ଏତଲା ରୁଜୁ, ଚାଲିଥିବା ତଦନ୍ତର ଅଗ୍ରଗତି କିମ୍ବା କଠୋର କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ, ଏହି ଆଇନ ବଳରେ କାରାଗାରରେ ରହିଥିବା କଏଦୀମାନଙ୍କ ଜାମିନ ଶୁଣାଣିକୁ ତ୍ବରାନ୍ବିତ କରିବାପାଇଁ ମଧ୍ୟ ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ ଯେ ରାଜଦ୍ରୋହ ଆଇନର ସାମ୍ବିଧାନିକତାର ଶୁଣାଣି କରୁଥିବା ସର୍ବୋଚ୍ଚ ନ୍ୟାୟାଳୟ ହିଁ କେନ୍ଦ୍ର ସରକାରଙ୍କୁ ପ୍ରଥମେ ଏହି ଆଇନର ସମୀକ୍ଷା କରିବାକୁ କହିଥିଲେ। ସରକାର କିଛି ଦିନ ତଳେ ଏହାର ସମୀକ୍ଷା କରିବାକୁ ପଛଘୁଞ୍ଚା ଦେଇଥିବାବେଳେ ଏବେ ଏଥିପାଇଁ ରାଜି ହୋଇଛନ୍ତି। ଏହା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ସତ୍ୟପାଠରେ କେନ୍ଦ୍ର ସରକାର ୧୯୬୨ର ବହୁଚର୍ଚ୍ଚିତ କେଦାରନାଥ ବନାମ ବିହାର ମାମଲାରେ ଦେଇଥିବା ଫଇସଲା ଯଥେଷ୍ଟ ବୋଲି ଯୁକ୍ତି ବାଢ଼ିଥିଲେ, ଯେଉଁଥିରେ ରାଜଦ୍ରୋହ ଆଇନର ପରିସରକୁ କିଛିଟା ସଙ୍କୁଚିତ କରାଯାଇଥିଲା। ଏହା ସତ୍ତ୍ବେ ଏହି ଆଇନର କାର୍ଯ୍ୟକାରିତା ସମୟରେ ପୁଲିସ ପ୍ରଶାସନର କୌଣସି ବିଶେଷ ପରିବର୍ତ୍ତନ ଆସିନଥିଲା। କହିବା ବାହୁଲ୍ୟ ଯେ, ଏହା ଏପରି ଏକ ଆଇନ ଯାହାର ଦୁରୁପଯୋଗ କରିବା କ୍ଷମତାସୀନଙ୍କ ପାଇଁ ସହଜ। ତେଣୁ ଆମେ ଆଶା କରିବା ଯେ ସରକାର କେବଳ ଏହି ଆଇନର ସମୀକ୍ଷା କରିବେ ନାହିଁ; ବରଂ ଏହାକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ଅବିଳମ୍ବେ ପଦକ୍ଷେପ ନେବେ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଆଲୋଚନା-ସମାଲୋଚନା ଖୁବ୍‌ ସ୍ବାଭାବିକ। ଏହା ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଅଂଶ। ପ୍ରତ୍ୟେକ ନାଗରିକର ଅଭିବ୍ୟକ୍ତି ଓ ଗରିମାର ସୁରକ୍ଷା କରାଯିବା ଜରୁରୀ। ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଔପନିବେଶିକ ରାଜଦ୍ରୋହ ଆଇନର ଅସ୍ତିତ୍ବ ପ୍ରକୃତରେ ଏକ ବଡ଼ ବିଡ଼ମ୍ବନା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଆଇନଟି ଅନେକ ସମୟରେ କ୍ଷମତାସୀନଙ୍କ ସ୍ବାର୍ଥସିଦ୍ଧି ପାଇଁ ପ୍ରୟୋଗ ହୋଇଛି ଏବଂ ଏପରି କଠୋର ଆଇନରେ ମାମଲା ରୁଜୁ ହୋଇଥିଲେ ସ୍ଥାନୀୟ ଅଦାଲତ ମଧ୍ୟ ସହଜରେ ପ୍ରଶ୍ନ ଉଠାଉ ନଥିବା ଦେଖାଯାଏ। ଏହି କାରଣରୁ ଭାରତ-ପାକିସ୍ତାନ ମ୍ୟାଚରେ ସ୍ଲୋଗାନ ଦେବା, ହନୁମାନ ଚାଳିଶା ପାଠ କରିବା, ସାମାଜିକ ଗଣମାଧ୍ୟମରେ ଲେଖିବା ବା ବ୍ୟଙ୍ଗଚିତ୍ର କରିବା ଅଭିଯୋଗରେ ମଧ୍ୟ ଏହି ଆଇନର ପ୍ରୟୋଗ କରାଯାଇଛି। ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୪ଏ ଅନୁସାରେ ସରକାରଙ୍କ ବିରୋଧରେ ମୌଖିକ ଅଭିବ୍ୟକ୍ତି, ଲିଖିତ ବିବୃତି ବା ଦୃଶ୍ୟ ରୂପରେ ଅସନ୍ତୋଷ ସୃଷ୍ଟି କରିବା, ଘୃଣା ବ୍ୟାପିବାରେ ସହାୟତା କରିବା କିମ୍ବା ଅବମାନନାର ପ୍ରୟାସ ଆଦି ପାଇଁ ଏହାକୁ ଲାଗୁ କରାଯାଇପାରିବ। ଏହାକୁ ଜାମିନବିହୀନ ଅପରାଧ ଶ୍ରେଣୀରେ ମଧ୍ୟ ରଖାଯାଇଛି। ତେବେ ପୂର୍ବୋକ୍ତ କେଦାରନାଥ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଥିଲେ ଯେ ଅବ୍ୟବସ୍ଥା ସୃଷ୍ଟି କରିବା କିମ୍ବା ଏପରି ଉଦ୍ଦେଶ୍ୟ ରଖି ହିଂସା ପାଇଁ ପ୍ରରୋଚିତ କରିବା ମାମଲାରେ ହିଁ ଏହି ଆଇନକୁ ପ୍ରୟୋଗ କରାଯିବ; କିନ୍ତୁ କ୍ଷମତାସୀନମାନେ ଅଧିକାଂଶତଃ ଏହି ଆଇନର ଦୁରୁପଯୋଗ କରିଥିବା ଦେଖାଯାଏ। ଏହାର ସବୁଠୁ ବଡ଼ ପ୍ରମାଣ ଖୋଦ୍‌ ସରକାରଙ୍କ ପରିସଂଖ୍ୟାନ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୧୬ରୁ ୨୦୧୯ ମଧ୍ୟରେ ଏହି ଆଇନରେ ରୁଜୁ ମାମଲାଗୁଡ଼ିକରେ ୧୬୦ ଶତାଂଶ ବୃଦ୍ଧି ଘଟିଥିଲା, କିନ୍ତୁ କେବଳ ତିନି ଶତାଂଶ ମାମଲାରେ ହିଁ ଦୋଷସିଦ୍ଧି ହୋଇପାରିଥିଲା। ଏଥିରୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ ମାମଲା ଅତ୍ୟନ୍ତ ଗୁରୁତର କୁହାଯାଇ ବହୁ ସଂଖ୍ୟାରେ ଗିରଫ କରାଯାଇଥିଲେ ହେଁ ଏତେ କମ୍‌ ଲୋକଙ୍କୁ ଦଣ୍ଡ ଦିଆଯାଇ ପାରିଲା କାହିଁକି? ଏହା ସ୍ପଷ୍ଟ କରୁଛି ଯେ ଅଧିକାଂଶ ଗିରଫଦାରୀ ପଛରେ ରାଜନୈତିକ ଦୁରଭିସନ୍ଧି ରହିଥିଲା। ଭାରତ ପରି ଆଧୁନିକ ଗଣତନ୍ତ୍ରରେ ‘ରାଜଦ୍ରୋହ’ ଓ ତତ୍‌ସମ୍ପର୍କିତ ଆଇନ ଆପେଆପେ ଅପ୍ରାସଙ୍ଗିକ ହୋଇପଡ଼ିବା କଥା; କିନ୍ତୁ ରାଜକୀୟ ଥାଟବାଟ ରହିଥିବା ଯାଏ କ’ଣ ତାହା ସମ୍ଭବ ହେବ!

Comments are closed.