ପ୍ରତିବାଦ ପ୍ରତିବନ୍ଧକ ନ ହେଉ

ସମୟକ୍ରମେ ପ୍ରତିବାଦର ସ୍ବର ନରମିଯିବ ଓ ବିକଶିତ ପରିବେଶ ସମସ୍ତଙ୍କ ପାଇଁ ଉପଭୋଗ୍ୟ ହେବ

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପ୍ରତି ବାଦ ବିବାଦର ରଣକ୍ଷେତ୍ର ପାଲଟିଛି। ଶ୍ରୀମନ୍ଦିର ଓ ଶ୍ରୀଜୀଉଙ୍କ ସହ କେବଳ ଆମ ରାଜ୍ୟବାସୀ ନୁହନ୍ତି ସମଗ୍ର ଦେଶବାସୀଙ୍କ ଭାବଗତ ସମ୍ପର୍କ ଥିବାରୁ ଏଥି ସଂଲଗ୍ନ ଯେ କୌଣସି ପ୍ରସଙ୍ଗର ସମ୍ବେଦନଶୀଳତା ନେଇ ସମସ୍ତେ ସଚେତନ ରହିବା ଉଚିତ। ଏହାକୁ ଏକ ରାଜନୈତିକ କ୍ରୀଡ଼ାଭୂମିରେ ପରିଣତ କରି ବିବାଦୀୟ ପରିସ୍ଥିତି ସୃଷ୍ଟି ଉପୁଜାଉ ଥିବା ବ୍ୟକ୍ତିତ୍ବଙ୍କ ସହ ହଠାତ୍‌ ଏକମତ ହେବା ସମ୍ଭବ ନୁହେଁ। କାରଣ ଏହି ପ୍ରକଳ୍ପ ସହ ବୃହତ୍ତର ସ୍ବାର୍ଥ ଜଡ଼ିତ। ଭାବ ଓ ଭକ୍ତିର ଠାକୁରଙ୍କୁ ନେଇ ଅନ୍ତତଃ ରାଜନୀତି କରାଯିବା ଉଚିତ ନୁହେଁ। ଶ୍ରୀମନ୍ଦିରର ପରିବର୍ତ୍ତିତ ପରିବେଶ ସହ କାହାର ଅହଙ୍କାର ଯେ ଜଡ଼ିତ ଅଛି ଏଭଳି ମତାମତ ମଧ୍ୟ ଆଦୌ ସମୀଚୀନ ନୁହେଁ। ଏବେ ଯେଉଁ ବିବାଦୀୟ ପରିସ୍ଥିତି ଉପୁଜିଛି ସେଥିପାଇଁ ଯଦି କାହାକୁ ଦାୟୀ କରାଯିବ ସେ ହେଉଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)। ଯେମିତି ମନେ ହେଉଛି ଏହି ପ୍ରସଙ୍ଗକୁ କେନ୍ଦ୍ରକରି ବିବାଦର ପୃଷ୍ଠଭୂମି ପ୍ରସ୍ତୁତ କରିବା ସକାଶେ ଏଏସ୍‌ଆଇ ଉଦ୍ଦେଶ୍ୟମୂଳକଭାବେ କ୍ଷେତ୍ର ପ୍ରସ୍ତୁତ କରିଛି। ଆମର ଯେତେଦୂର ମନେହୁଏ ଏହି ପରିକ୍ରମା ପ୍ରକଳ୍ପର ଉଦ୍ଦେଶ୍ୟ ଓ ବୃହତ୍ତର ଦିଗ ପ୍ରତି କୌଣସି ପକ୍ଷ ସଚେତନ ନାହାନ୍ତି। ଏ କଥା ବି କୁହାଯାଇପାରେ ଯେ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ହାତକୁ ନେଲାବେଳେ ଶ୍ରୀମନ୍ଦିର ସୁରକ୍ଷା ଦିଗ ପ୍ରତି ଆଖିବୁଜି ଦେଇନାହାନ୍ତି।

ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଓ ବିକଶିତ ପରିବେଶ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟକ୍ରମ ହାତକୁ ନେଲାବେଳେ କର୍ତ୍ତୃପକ୍ଷ ଦେଶବିଦେଶରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁଖ ସୁବିଧା ଓ ସ୍ବାଚ୍ଛନ୍ଦ୍ୟକୁ ନିଶ୍ଚୟ ଧ୍ୟାନ ଦେବେ। ପରିବର୍ତ୍ତିତ ବିଶ୍ବରେ ଭ୍ରମଣ ଏକ ପ୍ରମୁଖ ଅଙ୍ଗ ହୋଇଥିବାରୁ ପର୍ଯ୍ୟଟନ ଶିଳ୍ପ ବିକାଶର ଗୁରୁତ୍ବ ବୃଦ୍ଧି ପାଇଛି। ସେ ଦୃଷ୍ଟିରୁ ବିଚାର କଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କେବଳ ସମୟର ଆବଶ୍ୟକତା କୁହାଯାଇପାରେ ଓ ଏଥିସହ ରାଜ୍ୟର ବୃହତ୍ତର ସ୍ବାର୍ଥ ସଂଶ୍ଳିଷ୍ଟ। ଆଜି ଯେଉଁମାନେ ପ୍ରତିବାଦ ଓ ବିରୋଧ କରୁଛନ୍ତି ହୁଏ ତ ସେମାନେ କାଲି ଅପେକ୍ଷାକୃତ ରୁଚିପୂର୍ଣ୍ଣ ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରି ସରକାରଙ୍କୁ ପ୍ରଶଂସା କରିବେ।

ଏବେ ଆସିବା ଆମେ ବିବାଦୀୟ ପ୍ରସଙ୍ଗ ଉପରକୁ। ପରିକ୍ରମା ପ୍ରକଳ୍ପରେ ଯଦି କିଛି ନିୟମ ଓ ଶୃଙ୍ଖଳା ଉଲ୍ଲଙ୍ଘନ କରି ନିର୍ମାଣ କାର୍ଯ୍ୟ ଚାଲିଥାଏ ଏଏସ୍‌ଆଇ ତାହାର ଦୋଷ ତ୍ରୁଟି ଦର୍ଶାଇ ସ୍ପଷ୍ଟ ମତାମତ ଦେବାରେ ଅସୁବିଧା ନାହିଁ। ଏପରି କି ନିର୍ମାଣ କାର୍ଯ୍ୟରେ ରୋକ୍‌ ଲଗାଇବା ପାଇଁ ଉଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିପାରିଥାନ୍ତେ। ଯେ​‌େ​‌ତଦୂର ମନେହୁଏ ଶହେ ଓ ଦୁଇଶହ ମିଟର ଅଞ୍ଚଳ ପାଇଁ ନିର୍ଦ୍ଧାରିତ ନିର୍ମାଣ କଟକଣାର ଯଦି ବା କିଛି ଉଲ୍ଲଙ୍ଘନ ହୋଇଛି ତାହା ମୂଳ ଢାଞ୍ଚା ପ୍ରତି ସେଭଳି ବିପଦ ସୃଷ୍ଟି କରିବାର ଆଶଙ୍କା ନାହିଁ। ତେଣୁ ଏଏସ୍‌ଆଇ ସେଥିପ୍ରତି ସେଭଳି ଗୁରୁତ୍ବ ନ ଦେଇ ହଁ ଓ ନା’ର ଦ୍ବନ୍ଦ୍ବ ମଧ୍ୟରେ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାକୁ ସୁଯୋଗ ସୃଷ୍ଟି କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରାଯାଇ ନାହିଁ। ଉଚ୍ଚ ନ୍ୟାୟାଳୟରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ଜୁନ୍‌ ୨୨ ତାରିଖ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆପାତତଃ ଶେଷ ହୋଇଯିବ।

ମୌସୁମୀ ବର୍ଷା ଆଗମନ ପୂର୍ବରୁ ବିବାଦର ଅନ୍ତ ଘଟୁ ବା ନ ଘଟୁ କାର୍ଯ୍ୟ ଶେଷ କରିବା ପାଇଁ ସରକାର ଏକ ସୁଯୋଗ ପାଇଛନ୍ତି ବୋଲି କୁହାଯାଇପାରେ। ଯେତେଦୂର ମନେହୁଏ ନୂଆ ବିବାଦର ଅଙ୍କୁରୋଦ୍‌ଗମ ହେବାକୁ ନଦେବା ସକାଶେ ସରକାର ଉଦ୍ଦେଶ୍ୟମୂଳକଭାବେ ବିଧାନସଭା ଗୃହକମିଟିକୁ ପ୍ରକଳ୍ପ ବୁଲି ଦେଖିବା ପାଇଁ ବିଳମ୍ବିତ କରିଛନ୍ତି। ଅନ୍ୟ ଏକ ଦିଗ ହେଲା ସରକାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌)କୁ ବାରମ୍ବାର କାହିଁକି ସଂଶୋଧନ କରିଛନ୍ତି। ଦର୍ଶାଯାଉଥିବା ଆପତ୍ତି ଓ ଉଲ୍ଲଙ୍ଘନକୁ ଏହାଦ୍ବାରା ସରକାର ଗୁରୁତ୍ବ ଦେଇ ଡିପିଆର୍‌ ସଂଶୋଧନ କରିଛନ୍ତି। ସମ୍ଭାବ୍ୟ କ୍ଷତି ଓ ବିବାଦକୁ ଏଡ଼ାଇ ଯିବାର ଔଚିତ୍ୟ ନେଇ ପ୍ରଶ୍ନ କରାଯିବା ମଧ୍ୟ ସେହିଭଳି ଅମୂଳକ।

ଧର୍ମୀୟ ଆସ୍ଥାନ କିମ୍ବା ପୀଠସ୍ଥଳର ବିକାଶ ତଥା ପୁନରୁଦ୍ଧାର ବେଳେ ଭିନ୍ନ ମତ ତଥା ବାଦବିବାଦ ଉପୁଜିବା ସ୍ବାଭାବିକ। ନାନା ମୁନିଙ୍କର ନାନା ମତ ରହିଛି ଓ ରହିବ। ତେବେ ଏହା କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ। ନିକଟ ଅତୀତରେ ଉତ୍ତର ପ୍ରଦେଶର ବନାରସରେ ଥିବା କାଶୀ ବିଶ୍ବନାଥଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ତଥା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସେତେବେଳେ ବହୁ ଦେବଦେବୀଙ୍କ ପ୍ରାଚୀନ ମନ୍ଦିର ଓ ପୂଜାପୀଠ ଧ୍ବଂସ ପାଇଛି। ସ୍ଥାନୀୟ ଅଧିବାସୀ ଓ ପୂଜକଙ୍କ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟର ତୀବ୍ର ପ୍ରତିବାଦ କରାଯାଇଥିଲା। ବନାରସ ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ। ବିରୋଧ ସତ୍ତ୍ବେ ତ୍ବରାନ୍ବିତ ଭାବେ ନିର୍ମାଣ କାର୍ଯ୍ୟ ସମାପିତ ହେଲା। ତାହାର ଉଦ୍‌ଘାଟନ ଉତ୍ସବରେ ମୋଦିଜୀ କିଛି ବିଶେଷ ମୁହୂର୍ତ୍ତ ସେଠାରେ କଟାଇଥିଲେ। ସମୟକ୍ରମେ ସେହି ପ୍ରତିବାଦର ସ୍ବର ନରମିଯାଇଛି ଓ ପରିବର୍ତ୍ତିତ ପରିବେଶକୁ ଉଭୟ ଭକ୍ତ ଓ ପର୍ଯ୍ୟଟକ ଉପଭୋଗ କରୁଛନ୍ତି। ତେଣୁ ଆମର କହିବା କଥା ହେଲା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସବୁ ବିବାଦ ସମୟକ୍ରମେ ଧୋଇ ହୋଇଯିବ। ଲୋକଙ୍କ ପାଇଁ ଶେଷରେ ଏହା ଆରାଧନା ଓ ଉପଭୋଗର କ୍ଷେତ୍ର ହେବ।

Comments are closed.