ଇଚ୍ଛାଧୀନ ଟିକାକରଣ

ସ୍ବେଚ୍ଛାରେ ଟିକାକରଣ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶ ସବୁ ସ୍ତରରେ ଠିକ୍‌ଭାବେ ପାଳନ କରାଯିବା ବାଞ୍ଛନୀୟ
ପ୍ରତ୍ୟେକ ନାଗରିକଙ୍କୁ ଆମ ସମ୍ବିଧାନ କେତେକ ସ୍ବତନ୍ତ୍ର ଅଧିକାର ଓ ସ୍ବାଧୀନତା ଦେଇଛି ଏବଂ ତାକୁ ସରକାର ଅକ୍ଷୁଣ୍ଣ ରଖିବାକୁ ବାଧ୍ୟ। କରୋନା ଟିକା ନେବାକୁ ବାଧ୍ୟ କରାଯାଉଥିବା ନେଇ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ଏହି ଚେତାବନୀ ବେଶ୍ ଗୁରୁତ୍ବପୂର୍ଣ୍ଣ। ସମୂହ ସ୍ବାସ୍ଥ୍ୟରକ୍ଷା ପାଇଁ ବ୍ୟକ୍ତିଗତ ସ୍ବାଧୀନତାରେ କେତେକ କଟକଣା ଲଗାଯାଇପାରିଲେ ମଧ୍ୟ କାହାକୁ ଟିକା ନେବାକୁ ବାଧ୍ୟ କରାଯାଇପାରିବ ନାହିଁ; କାରଣ ଏହାଦ୍ବାରା ସଂପୃକ୍ତ ବ୍ୟକ୍ତିଟିର ଶାରୀରିକ ସ୍ବାୟତ୍ତତା ଓ ଅଖଣ୍ଡତାର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହୋଇଥାଏ। ସୂଚନାଯୋଗ୍ୟ ଯେ ନିକଟରେ କେତେକ ରାଜ୍ୟରେ ଟିକା ନେଇ ନଥିବା ବ୍ୟକ୍ତିମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ଭଳି ଘଟନା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଯେହେତୁ ଦେଶରେ କୋଭିଡ଼ ସଂକ୍ରମଣ ହାର ନଗଣ୍ୟ ରହିଛି, ଟିକା ନେଇନଥିବା କାରଣରୁ କୌଣସି ବ୍ୟକ୍ତିଙ୍କୁ ସାର୍ବଜନୀନ ସ୍ଥଳକୁ ଯିବାପାଇଁ ମଧ୍ୟ ବାରଣ କରାଯାଇପାରିବ ନାହିଁ। ସରକାର ଏ ନେଇ ପୂର୍ବରୁ ଯେଉଁ କଟକଣାମାନ ଜାରି କରିଛନ୍ତି, ସେଗୁଡ଼ିକ ଅକାମୀ ହୋଇଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଛନ୍ତି। ଏଥିପାଇଁ ସମସ୍ତ ରାଜ୍ୟ ସରକାର ପଦକ୍ଷେପ ନେବାକୁ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ଆସିବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଯୋଗ୍ୟ ଶିଶୁମାନଙ୍କର ଟିକାକରଣ ନିଶ୍ଚିତ କରିବାପାଇଁ କହିଥିଲେ। କେତେକ ବିଦ୍ୟାଳୟ କର୍ତ୍ତୃପକ୍ଷ ଟିକା ନେଇ ନଥିବା ଶିଶୁଙ୍କୁ ବିଦ୍ୟାଳୟରେ ପାଠ ପଢ଼ିବାପାଇଁ ଅନୁମତି ନ ଦେବା କଥା ମଧ୍ୟ ଲୋକଲୋଚନକୁ ଆସିଛି। ତେବେ ଶିଶୁମାନଙ୍କର ଟିକାକରଣ ବର୍ତ୍ତମାନ ଏକ ବଡ଼ ଆହ୍ବାନ ପାଲଟିଛି, କାରଣ ଅନେକ ପିତାମାତା ଓ ଅଭିଭାବକଙ୍କ ମନରେ ଏହି ଟିକାର ସୁରକ୍ଷା ଓ ପ୍ରଭାବକୁ ନେଇ ଏବେ ମଧ୍ୟ ସଂଶୟ ରହିଛି। ସମ୍ଭବତଃ ଏହି କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଟିକାର କୌଣସି ନକାରାତ୍ମକ ଦିଗ ବା ପ୍ରତିକୂଳ ପ୍ରଭାବ ରହିଥିଲେ ସେହି ତଥ୍ୟକୁ କେନ୍ଦ୍ର ସରକାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏକ ସାର୍ବଜନୀନ ମଞ୍ଚରେ ପ୍ରଦାନ କରନ୍ତୁ। ଏପରି ମାମଲା ହଜାରରେ ତିନି ଚାରିଟି ଆସୁଥିବା ସତ୍ତ୍ବେ ଏ ନେଇ କୌଣସି ତଥ୍ୟ ସାର୍ବଜନୀନ ହେଉ ନଥିବାରୁ ଜନସାଧାରଣଙ୍କ ମନରେ ଭୟଭ୍ରାନ୍ତି ଉପୁଜିବା ଅସ୍ବାଭାବିକ ନୁହେଁ। ନ୍ୟାୟାଳୟଙ୍କ ନିର୍ଦେଶ ପରେ ପ୍ରତ୍ୟେକ ଟିକାର ପରୀକ୍ଷଣ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଯେପରି ସାର୍ବଜନୀନ କରାଯିବ, ସେ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ଆଶା କରାଯାଇପାରେ। ଟିକା ନିର୍ମାଣକାରୀ କମ୍ପାନୀଗୁଡ଼ିକ ଏ ଦିଗରେ ସହଯୋଗ କରିବା ଆବଶ୍ୟକ। ଏହା ହେଲେ ଲୋକଙ୍କ ମନରୁ ଆପେ ସମସ୍ତ ଦ୍ବନ୍ଦ୍ବ ଦୂର ହେବ ଓ ସେମାନେ ନିଜ ପିଲାଙ୍କର ଟିକାକରଣ ପାଇଁ ଆଗ୍ରହ ପ୍ରକାଶ କରିବେ।

ଇତିମଧ୍ୟରେ ୧୫ ବର୍ଷରୁ ଅଧିକ ବୟସର ୯୬ ଶତାଂଶ ଭାରତୀୟ ପ୍ରଥମ ପାନ ଟିକା ନେଇସାରିଥିବାବେଳେ ୮୪ ଶତାଂଶ ଦୁଇ ପାନ ଟିକା ନେଇଛନ୍ତି। କରୋନାର ଦ୍ବିତୀୟ ଲହର ପ​‌େ​‌ର ମହାମାରୀ ଭୟରୁ ହେଉ ବା ଅନ୍ୟ କାରଣରୁ ହେଉ, ଲୋକଙ୍କ ମନରୁ ଟିକା ନେବାପାଇଁ ପୂର୍ବରୁ ରହିଥିବା କୁଣ୍ଠା ଦୂର ହୋଇଥିଲା ଓ ସେମାନେ ଟିକା ନେଇଥିଲେ। ତେବେ ୬୦ ବର୍ଷରୁ କମ୍‌ ବୟସର ଲୋକେ ତୃତୀୟ ପାନ ଟିକା (ବୁଷ୍ଟର୍‌ ଡୋଜ୍‌) ନେବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ୨ ଶତାଂଶରୁ କମ୍‌ ଲୋକ ବୁଷ୍ଟର୍‌ ପାନ ନେଇଥିବା ତଥ୍ୟ କହୁଛି। ଏହାର ଏକ ପ୍ରମୁଖ କାରଣ ହେଲା, ଏହି ବର୍ଗର ଲୋକଙ୍କ ପାଇଁ ମାଗଣାରେ ଟିକା ଉପଲବ୍ଧ ନ ହେବା। ଏ ଦିଗରେ ଦିଲ୍ଲୀ ଓ ହରିୟାଣା ସରକାର ଅବଶ୍ୟ ପଥ ପ୍ରଦର୍ଶନ ପୂର୍ବକ ସେଠାରେ ବୁଷ୍ଟର୍‌ ପାନକୁ ମଧ୍ୟ ମାଗଣା ଉପଲବ୍ଧ କରାଉଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ଏହି ଟିକାକୁ ମାଗଣାରେ ପ୍ରଦାନ କଲେ ଲୋକଙ୍କ ମନରୁ କୁଣ୍ଠା ଦୂର ହେବା ସହ ଟିକାକରଣ ଶତ ପ୍ରତିଶତ ହୋଇପାରିବ। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର କୋଭିଡ଼ ଟିକାକରଣ ବାଧ୍ୟତାମୂଳକ ନୁହେଁ ବୋଲି କହିଆସୁଥିଲେ ହେଁ ବିଭିନ୍ନ ସରକାରୀ କାର୍ଯ୍ୟରେ ଟିକା ପ୍ରମାଣପତ୍ର ଦେଖାଇବାକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜନସାଧାରଣଙ୍କୁ ବାଧ୍ୟ କରାଯାଉଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ଜନସାଧାରଣଙ୍କୁ ସେଥିରୁ ମୁକ୍ତି ମିଳିବ ବୋଲି ଆଶା କରାଯାଇପାରେ। ତେବେ ବର୍ତ୍ତମାନ ପାଇଁ କୋଭିଡ଼କୁ ପ୍ରତିରୋଧ କରିବାକୁ ଟିକା ହିଁ ଏକମାତ୍ର ଅସ୍ତ୍ର ହୋଇଥିବାରୁ ଶତ ପ୍ରତିଶତ ଟିକାକରଣ ପାଇଁ ସରକାର ଚେଷ୍ଟା କରିବା ଆବଶ୍ୟକ; ଅବଶ୍ୟ କାହାକୁ ବାଧ୍ୟ କରି ନୁହେଁ, ବୁଝାଇସୁଝାଇ। ଏ ଦିଗରେ ସଚେତନତା ଅଭିଯାନ ଚାଲୁ ରହିବା ବାଞ୍ଛନୀୟ।

Comments are closed.