ତୈଳ ବିବାଦ

ଅପବାଦ ବା ନିନ୍ଦା ବୋଝ ଅନ୍ୟ ମୁଣ୍ଡରେ ଲଦିଦେଲେ ସମସ୍ୟାର ସମାଧାନ ହୁଏନି
ସମୟ ଠିକ୍‌ଠାକ୍‌ ଚାଲିନି। ବର୍ଦ୍ଧିତ ବଜାର ଦର ଅନୁରୂପ ରୋଜଗାର ମଧ୍ୟ ହେଉନି। ତେଣୁ ଏହି ନିଅଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହେବା ଏତେ ସହଜ ନୁହେଁ। ସରକାର ଯେ ହାତଗୋଡ଼ ବାନ୍ଧି ବସିଛନ୍ତି ଏ କଥା ନୁହେଁ। ବଜାର ଦରରେ ସନ୍ତୁଳନ ରକ୍ଷା ପାଇଁ ହେଉଥିବା ଉଦ୍ୟମରୁ ସେଭଳି ସଫଳତା ମିଳୁନି। ଏହି ବିଫଳତାର ମୁଖ୍ୟ ଦିଗ ହେଲା- ପେଟ୍ରୋଲ, ଡିଜେଲ ମୂଲ୍ୟର ଅନିୟନ୍ତ୍ରିତ ବୃଦ୍ଧି। ଆନ୍ତର୍ଜାତିକ ବଜାରରେ ତୈଳଦର ନେଇ ହଟଚମଟ ଜାରି ରହିଛି। ରୁଷ-ୟୁକ୍ରେନ୍‌ ଘମାଘୋଟ ଯୁଦ୍ଧ ତୈଳ ସଙ୍କଟକୁ ଅଧିକ ଜଟିଳ କରିଦେଇଛି। ସମ୍ପ୍ରତି ଯେଉଁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟୁଛି ତାହାର ପୃଷ୍ଠଭାଗରେ ଏହି ବର୍ଦ୍ଧିତ ତୈଳଦର। ବିଭିନ୍ନ ସାମଗ୍ରୀର ପରିବହନ ଖର୍ଚ୍ଚ ଆକାଶଛୁଆଁ ହୋଇଛି। ଆମ ଦେଶରେ ତୈଳ ଉପରୁ ଦୋହରା ଟିକସ ଆଦାୟ ହେଉଛି। କେନ୍ଦ୍ର ଉତ୍ପାଦନ ଶୁଳ୍କ ଓ ରାଜ୍ୟ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ମାଧ୍ୟମରେ ବର୍ଦ୍ଧିତ ଚାହିଦାକୁ ମେଣ୍ଟାଇବା ପାଇଁ ରାଜସ୍ବ ଆଦାୟ କରୁଛନ୍ତି। ଚତୁର୍ଥ ଲହର କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ସକାଶେ ପ୍ରଧାନମନ୍ତ୍ରୀ ଆଭାସି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ତେବେ କରୋନା ପ୍ରସଙ୍ଗରେ କଥାବାର୍ତ୍ତା ସୀମିତ ରହିଥିଲେ କାହାର କିଛି ଆପତ୍ତି କରିବାର ନଥିଲା। ତୈଳ ଉପରୁ ରାଜ୍ୟଗୁଡ଼ିକ ଆଦାୟ କରୁଥିବା ଭାଟ୍‌ ପ୍ରସଙ୍ଗରେ ସେ ଦେଇଥିବା କିଛି ମନ୍ତବ୍ୟରୁ ବିବାଦର ସୂତ୍ରପାତ ହୋଇଛି। ତାଙ୍କ କହିବା କଥା ହେଲା, ରାଜ୍ୟ ସରକାର ଭାଟ୍‌ ହ୍ରାସ କରି ଉପୁଜିଥିବା କଠିନ ପରିସ୍ଥିତିକୁ ଲାଘବ କରନ୍ତୁ। ଅଣବିଜେପି ଶାସିତ ୭ଟି ରାଜ୍ୟ ସରକାରଙ୍କ ପ୍ରତି ଥିଲା ଏହି ପରାମର୍ଶ। ତେଣୁ ଏହାକୁ କେନ୍ଦ୍ର କରି ବିବାଦ ଓ ବିତର୍କ ଆରମ୍ଭ ହୋଇଯାଇଛି। ଏସବୁ ସତ୍ତ୍ବେ ଆମକୁ ସ୍ବୀକାର କରିବାକୁ ହେବ ଯେ ମୂଲ୍ୟବୃଦ୍ଧି ବିଷବଳୟରେ ଆଉଟୁପାଉଟୁ ହେଉଥିବା ଜନସମୁଦାୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଉଦ୍‌ବିଗ୍ନ। ତେଣୁ ଚତୁର୍ଥ ଲହର କରୋନା ଆଭାସି କାର୍ଯ୍ୟକ୍ରମରେ ତୈଳଦର ବୃଦ୍ଧି ଭଳି ବିବାଦୀୟ ପ୍ରସଙ୍ଗକୁ ଆସିବା ସକାଶେ ସେ ବାଧ୍ୟ ହୋଇଥିଲେ।
ଏଠାରେ ଆମ୍ଭେ ସୂଚାଇ ଦେବା ଉଚିତ ହେବ ଯେ ୨୦୨୧ ନଭେମ୍ବର ୪ରେ କେନ୍ଦ୍ର ସରକାର ପେଟ୍ରୋଲରେ ୧୦ଟଙ୍କା ଓ ଡିଜେଲରେ ୫ଟଙ୍କା ଟିକସ ହ୍ରାସ କରିଥିଲେ। ଏହି ଘୋଷଣା ପରେପରେ ପ୍ରାୟ ୨୫ଟି ରାଜ୍ୟ ଭାଟ୍‌ ହାର ହ୍ରାସ କରିବାରୁ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଥିଲା। ଏହି ହ୍ରାସ ପ୍ରକ୍ରିୟାରେ ସେତେବେଳେ ସାମିଲ ହୋଇନଥିବା ୭ଟି ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ଏବର ପରାମର୍ଶକୁ ଠିକଣା ଭାବେ ଗ୍ରହଣ କରିନାହାନ୍ତି। କେନ୍ଦ୍ର ସରକାର ‘ଏକ ଦେଶ- ଏକ ଟିକସ’ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଇ ଜିଏସ୍‌ଟି ଲାଗୁ କଲେ। ଏହାଫଳରେ ଆର୍ଥିକ ଆଧିପତ୍ୟ ଜାହିର କରିବା ଭଳି କ୍ଷମତାର ଅଧିକାରୀ ହୋଇଗଲା କେନ୍ଦ୍ର। ଏ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ଜିଏସ୍‌ଟି କ୍ଷତିପୂରଣ ବାବଦ ଅର୍ଥ ପାଇନାହାନ୍ତି। ଦିନକୁ ଦିନ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡ଼ିବା ଆରମ୍ଭ କରିଛି ଓ କେନ୍ଦ୍ର ଉପରେ ନିର୍ଭରଶୀଳତା ବଢ଼ିଛି। ତେଣୁ ଅନେକେ ସଂଘୀୟ ବ୍ୟବସ୍ଥା ମୂଳ ଢାଞ୍ଚାର ଏହା ପରିପନ୍ଥୀ ବୋଲି ମନ୍ତବ୍ୟ ଦେଉଛନ୍ତି। ତୈଳ ଉପରୁ ଆଦାୟ କରାଯାଉଥିବା ଭାଟ୍‌ ଉପରେ ରାଜ୍ୟର ଆର୍ଥିକ ନିର୍ଭରଶୀଳତା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ରାଜସ୍ବର ୪୨ ଭାଗ ରାଜ୍ୟଗୁଡ଼ିକୁ ଦିଆଯାଉଥିବାରୁ ବର୍ତ୍ତମାନର ନିଅଣ୍ଟିଆ ଆର୍ଥିକ ପରିସ୍ଥିତିରେ କେନ୍ଦ୍ର ତୈଳ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବା ସ୍ଥିତିରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ରୋକ୍‌ଠୋକ୍‌ ଶୁଣାଇଛନ୍ତି।
ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ପାଦନ ଶୁଳ୍କ ହ୍ରାସ ଓ ନିୟମିତ ତୈଳଦର ବୃଦ୍ଧି ଉପରେ ସରକାର ରୋକ୍‌ ଲଗାଇଥିବା ଘଟଣା ତ ଅସତ୍ୟ ନୁହେଁ। ତୈଳଦର ଯେ ସରକାରୀ ନିୟନ୍ତ୍ରଣ ମୁକ୍ତ ନୁହେଁ ଏହା ଏକାଧିକ ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ତେଣୁ ରାଜନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୈଳଦର ନିୟନ୍ତ୍ରଣ ଓ ବେଲଗାମ ବଢ଼ିବାକୁ ଦେବା ଭଳି ନିଷ୍ପତ୍ତି ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ପ୍ରଧାନମନ୍ତ୍ରୀ ଆଲୋଚନା ପ୍ରସଙ୍ଗରେ ଗୁଜରାଟ ଓ କର୍ଣ୍ଣାଟକ ସରକାରଙ୍କ ଭାଟ୍‌ ହ୍ରାସ ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରି ୭ଟି ଅଣବିଜେପି ଶାସିତ ରାଜ୍ୟଙ୍କର ଅନମନୀୟ ଆଚରଣ ଉପରେ ଦେଇଥିବା ଟିପ୍ପଣୀର ଦୃଢ଼ ବିରୋଧ କରିଛନ୍ତି କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଶିବସେନା। ସେମାନଙ୍କ ଯୁକ୍ତି ହେଲା, ତୈଳଦର ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ଦାୟୀ କରାଯାଇପାରିବ ନାହିଁ। କେନ୍ଦ୍ର ନିଜ ହିସାବରେ ତୈଳମୂଲ୍ୟ ନିୟନ୍ତ୍ରଣ କରୁଥିବାବେଳେ ପରିସ୍ଥିତି ବିଗିଡ଼ି ଯାଉଥିବାରୁ ଅନ୍ୟ ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା ଚାଲିଛି। ଏହା ଅନସ୍ବୀକାର୍ଯ୍ୟ ଯେ ତୈଳରୁ କେନ୍ଦ୍ର ସରକାର ୨୬ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର କମ୍‌ ଥିବାବେଳେ ଆଖିବୁଜା ଉତ୍ପାଦନ ଶୁଳ୍କ ବଢ଼ାଇ ସରକାର ବିପୁଳ ରାଜସ୍ବ ଆଦାୟ କରିଥିବାବେଳେ ଏବର ତିରୋଟ ପରିସ୍ଥିତିରେ ଶୁଳ୍କ ହ୍ରାସ ପ୍ରତି ଧ୍ୟାନ ଦେବା ଉଚିତ। ଏଠାରେ ମନେ ରଖିବାକୁ ହେବ ଯେ କେନ୍ଦ୍ର ଏବେ ମଧ୍ୟ ତୈଳରୁ ୨୭.୯୦ ଟଙ୍କା ଉତ୍ପାଦନ ଶୁଳ୍କ ଆଦାୟ କରୁଛି। ଅପବାଦ ବା ନିନ୍ଦା ବୋଝ ଅନ୍ୟ ମୁଣ୍ଡରେ ଲଦିଦେଲେ ସମସ୍ୟାର ସମାଧାନ ହୁଏନି। ପରିସ୍ଥିତି କ୍ରମେ ଯେଉଁ ଦିଗକୁ ଯାଉଛି ସେଥିରେ ତୈଳ ଉପରେ ଜିଏସ୍‌ଟି ଲାଗୁ କରିବାକୁ ଲୋକେ ଦାବି କରିବା ବିଚିତ୍ର ନୁହେଁ।

Comments are closed.