ଭାରତ-ବ୍ରିଟେନ ସମ୍ବନ୍ଧ

ଦ୍ବିପାକ୍ଷିକ ଆଲୋଚନାବେଳେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଯଦି ବାସ୍ତବରେ କାର୍ଯ୍ୟକାରୀ ହୁଏ, ତେବେ ତାହା ଉଭୟ ଦେଶ ପାଇଁ ଲାଭଦାୟକ ହେବ

ଗତ ଶୁକ୍ରବାର ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ଦୁଇ ଦେଶର ସମ୍ବନ୍ଧକୁ ଏକ ନୂଆ ଗତି ଦେବାରେ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଉଭୟ ଦେଶ ପରସ୍ପର ପାଇଁ କେତେ ସାହାଯ୍ୟକାରୀ ଓ ଉପଯୋଗୀ ହୋଇପାରିବେ, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜନସନଙ୍କ ମଧ୍ୟରେ ହୋଇଥିବା ବୈଠକରୁ ସ୍ପଷ୍ଟ ହୋଇଛି। ଆଗାମୀ ଦଶନ୍ଧିରେ ଉଭୟ ଦେଶ ପାଇଁ ଏହି ଦୁଇ ନେତା ଯେଉଁ ‘ରୋଡମ୍ୟାପ୍‌ ୨୦୩୦’ ତିଆରି କରିଛନ୍ତି, ତା’ ଦ୍ବାରା ପାରସ୍ପରିକ ହିତ ସାଧିତ ହେବ ବୋଲି ଆଶା କରାଯିବା ଅଯଥାର୍ଥ ନୁହେଁ। ଶ୍ରୀ ମୋଦୀ ଦ୍ବିପାକ୍ଷିକ ସମ୍ବନ୍ଧକୁ ଅଧିକ ଦୃଢ଼ କରିବା କ୍ଷେତ୍ରରେ ବୋରିସ୍‌ଙ୍କ ବ୍ୟକ୍ତିଗତ ହାତ ରହିଥିବାରୁ ତାଙ୍କୁ ପ୍ରଶଂସା କରିଥିବାବେଳେ ବୋରିସ୍‌ ଭାରତର ପ୍ରଧାନମନ୍ତ୍ରୀଙ୍କୁ ‘ଖାସ୍‌ ଦୋସ୍ତ’ ବା ବିଶିଷ୍ଟ ବନ୍ଧୁ ବୋଲି ଅଭିହିତ କରିଛନ୍ତି। ଏଥିରୁ ଉଭୟ ଦେଶର ସମ୍ବନ୍ଧ କେତେ ଘନିଷ୍ଠ, ତାହା ଅନୁମେୟ। ତେବେ ଏହା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଏପରି ଅନ୍ତରଙ୍ଗତା ସାଧାରଣତଃ ଦେଖିବାକୁ ମିଳି ନଥିବାରୁ ଏହାକୁ ରାଜନୈତିକ ସମୀକ୍ଷକମାନେ ଗୁରୁତ୍ବ ଦେବା ସ୍ବାଭାବିକ।

ଭାରତ ଓ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଅତ୍ୟାଧୁନିକ ପ୍ରଯୁକ୍ତି, ସ୍ବଚ୍ଛ ଶକ୍ତି, ଜଳବାୟୁ ପରିବର୍ତ୍ତନ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ବିଶେଷକରି ଭାରତ-ବ୍ରିଟେନ ପ୍ରତିରକ୍ଷା ସହଯୋଗ ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ଉଭୟ ଦେଶ ଆଗାମୀ ସମୟରେ ଏ ଦିଗରେ କିପରି ଅଙ୍ଗୀକାରବଦ୍ଧତା ଦେଖାଉଛନ୍ତି, ତା’ ଉପରେ ଏହାର ସଫଳତା ନିର୍ଭର କରିବ। ଏହା ଜଣାଶୁଣା କଥା ଯେ ପ୍ରତିରକ୍ଷା କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ବ୍ରିଟେନ ସମେତ ପୃଥିବୀର ଅନ୍ୟାନ୍ୟ ଦେଶରୁ ମଧ୍ୟ ସାମଗ୍ରୀ କ୍ରୟ କରିଥାଏ। ତେଣୁ ବ୍ରିଟେନ ଭାରତକୁ ପ୍ରତିରକ୍ଷା ସାମଗ୍ରୀ ବିକ୍ରି କରିବାର ଏକ ବଜାର ଭାବେ ଦେଖିବା ଅସ୍ବାଭାବିକ ନୁହେଁ। ଅନ୍ୟପକ୍ଷରେ ଭାରତର ପ୍ରତିରକ୍ଷା ସମ୍ପର୍କିତ ଆହ୍ବାନଗୁଡ଼ିକ ମଧ୍ୟ କମ୍‌ ନାହିଁ। ଏପରି ସ୍ଥଳେ ବ୍ରିଟେନ ଭାରତ-ପ୍ରଶାନ୍ତ ମହାସାଗରୀୟ ଉପକ୍ରମ ସହିତ ସଂପୃକ୍ତ ରହିବାକୁ ନିଷ୍ପତ୍ତି ନେବା ଭାରତ ପାଇଁ ନିଶ୍ଚୟ ଲାଭଦାୟକ ହେବ।

ୟୁରୋପୀୟ ସଂଘଠାରୁ ଅଲଗା ହୋଇଯିବା ପରେ ବ୍ରିଟେନ ପାଇଁ ଭାରତର ଗୁରୁତ୍ବ ଯେ ପୂର୍ବାପେକ୍ଷା ବଢ଼ିଛି, ତାହା ଅନୁମାନ କରାଯାଇପାରେ। ବ୍ରିଟେନରେ ଭାରତୀୟଙ୍କ ସଂଖ୍ୟା ମଧ୍ୟ ବେଶ୍‌ ଆଖିଦୃଶିଆ। ସେଠାରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ବର୍ତ୍ତମାନ ଅର୍ଥ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ପଦରେ ଅଧିଷ୍ଠିତ। ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀ ସେଠାରେ ପାଠ ପଢ଼ୁଛନ୍ତି। ବ୍ରିଟେନକୁ ଭାରତ ବହୁ ପ୍ରକାରର ଜିନି​‌ଷ ରପ୍ତାନି କରିଥାଏ। ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ପ୍ରାୟ ୧୬୦୦ କୋଟି ଡଲାରର ବ୍ୟବସାୟ ହେଉଛି। ତେଣୁ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ସ୍ବାଭାବିକ। ସେହି କାରଣରୁ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଭାରତୀୟ ପେସାଦାର ବ୍ୟକ୍ତିମାନଙ୍କୁ, ବିଶେଷକରି ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନଙ୍କୁ ଭିସା ପ୍ରଦାନ ନୀତିକୁ କୋହଳ କରିବାର ସଙ୍କେତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ବ୍ରିଟେନ ସରକାର ଯେତିକି ତାଲିମପ୍ରାପ୍ତ ପେସାଦାରଙ୍କୁ ଭିସା ପ୍ରଦାନ କରିଥିଲେ, ସେମାନଙ୍କ ମଧ୍ୟରୁ ୪୦ ଶତାଂଶ ଥିଲେ ଭାରତୀୟ। ଅନ୍ୟପକ୍ଷରେ ବ୍ରିଟେନ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଦ୍ରୁତ ଗତିରେ କାମ ଚାଲିଥିବା କୁହାଯାଇଛି। ଏ ନେଇ ପ୍ରଥମେ ଗତବର୍ଷ ମେ ମାସରେ ଉଦ୍ୟମ ଆରମ୍ଭ ହୋଇଥିଲା। ଗତ ଶୁକ୍ରବାର ଆଲୋଚନାରେ ଉଭୟ ଦେଶ ନିଷ୍ପତ୍ତି କରିଛନ୍ତି ଯେ ଚଳିତବର୍ଷ ଶେଷ ସୁଦ୍ଧା ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଅନ୍ତିମ ରୂପ ଦିଆଯିବ। ଏହା ପୂର୍ବରୁ ଅନ୍ତରୀଣ ବାଣିଜ୍ୟ ଚୁକ୍ତିକୁ କାର୍ଯ୍ୟକାରୀ କରିବାପାଇଁ ମଧ୍ୟ ଉଭୟ ଦେଶ ସମ୍ମତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ଆମଦାନୀ-ରପ୍ତାନୀ କ୍ଷେତ୍ରରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଉଭୟ ଦେଶ ବେଶ୍‌ ବ୍ୟଗ୍ର।

ବିଭିନ୍ନ କାରଣରୁ ଜନସନ ପୂର୍ବରୁ ଦୁଇ ଥର ତାଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖିଥିବାବେଳେ ଏଥର ମଧ୍ୟ ଏପରି ସମୟରେ ଆସିଛନ୍ତି, ଯେତେବେଳେ କି ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି ଏବଂ ତାକୁ ନେଇ ବିଶ୍ବ ପ୍ରାୟ ଦୁଇଭାଗ ହୋଇଯାଇଛି। କେହି ରୁଷ ସପକ୍ଷରେ ରହିଥିବାବେଳେ ଆଉ କୌଣସି ଦେଶ ୟୁକ୍ରେନ୍ ସପକ୍ଷରେ ରହି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ସମୟରେ ଭାରତ ନିରପେକ୍ଷ ନୀତି ଆପଣାଇଛି। ବ୍ରିଟେନ ରୁଷ ବିରୋଧରେ କଟକଣା ଲଗାଇଛି। ରୁଷ ଓ ଭାରତର ସମ୍ବନ୍ଧକୁ ଜନସନ ମଧ୍ୟ ଭଲଭାବେ ବୁଝନ୍ତି; ତେଣୁ ସେ ଏ ସମ୍ପର୍କରେ ଭାରତକୁ ଅସନ୍ତୁଷ୍ଟ କଲାଭଳି କିଛି କହିବାକୁ ଉଚିତ ମଣିନାହାନ୍ତି। ସେ ଯାହାହେଉ, ଯଦି ଦ୍ବିପାକ୍ଷିକ ଆଲୋଚନାବେଳେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ବାସ୍ତବରେ କାର୍ଯ୍ୟକାରୀ ହୁଏ, ତେବେ ତାହା ଉଭୟ ଦେଶ ପାଇଁ ଲାଭଦାୟକ ହେବ, ସେଥିରେ ସନ୍ଦେହ ନାହିଁ।

Comments are closed.