କାଚଘରେ ଇମ୍ରାନ ଓ ପାକିସ୍ତାନ ରାଜନୀତି

0

ବିପିନ ବିହାରୀ ମିଶ୍ର

ଇମ୍ରାନ ଖାଁଙ୍କର ସ୍ବପ୍ନ ସାକାର ହେଲା। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ। ରାଜନୀତିରେ ଯାତ୍ରା ଆରମ୍ଭ କରିଥିଲେ ୧୯୯୬ ମସିହାରେ-ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଦଳ ସ୍ଥାପନ କଲେ। ଯେଉଁ ନୱାଜ ସରିଫ୍‌ ପାକିସ୍ତାନ ବିଶ୍ବ କ୍ରିକେଟ୍‌ କପ୍‌ ଜିତିସାରି ଫେରିବା ପରେ ଇମ୍ରାନ ଖାଁଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଦେଇ ତାଙ୍କୁ ତାଙ୍କ ଦଳର ଟିକଟ୍‌ ଯାଚିଥିଲେ, ସେହି ସରିଫଙ୍କ ବିରୋଧରେ ସେ ଲଢ଼ିଲେ। ସରିଫ କେବଳ ଚିର ଶତ୍ରୁ ନୁହେଁ, ପାକିସ୍ତାନର ଶତ୍ରୁ ଓ ଦେଶଦ୍ରୋହୀ ବୋଲି ଆଖ୍ୟା ଦେଲେ।
ଇମ୍ରାନ୍‌ ମୂଳତଃ ପାସ୍ତୁନୀ (ପଠାଣ) ଉପଜାତିର, କିନ୍ତୁ ଲାହୋରରେ ଜନ୍ମ ହୋଇଥିଲେ, ଇଂଲଣ୍ଡରେ ପାଠ ପଢ଼ିଲେ ଓ ପିଲାଦିନୁ ଇଂଲଣ୍ଡରେ କ୍ରିକେଟ ଖେଳୁଥିଲେ। ସେ ଅନେକ ଥର ଖେଳିବା ପାଇଁ କିମ୍ବା ବୁଲିବା ପାଇଁ ଭାରତ ଆସିଛନ୍ତି ଓ ପ୍ରାୟ ସବୁ ବଡ଼ ସହର ବୁଲିଛନ୍ତି। ସୁନୀଲ ଗାଭାସ୍କର, କପିଳଦେବ, ଶ୍ରୀକାନ୍ତ, ନବ‌େ‌ଜାତ୍‌ସିଂ ସିଧୁ ସମେତ ବହୁତ କ୍ରିକେଟ ଖେଳାଳି ତାଙ୍କର ସାଙ୍ଗ। ତାଙ୍କୁ ଅନେକ ଭାରତୀୟ କ୍ରିକେଟ ଖେଳାଳି ଇମ୍ରାନ୍‌ ଭାଇ ବୋଲି ଡାକନ୍ତି। ସେ ଅନେକ ଖେଳାଳିଙ୍କୁ ମଧ୍ୟ ବୋଲିଂ କରିବାରେ ସାହାଯ୍ୟ କରିଛନ୍ତି। ଏଇଟା ହେଲା ତାଙ୍କର ଗୋଟିଏ ମୁହଁ। ଦ୍ବିତୀୟ ମୁହଁ ହେଲା ବ୍ୟକ୍ତିଗତ ଜୀବନ। ତାଙ୍କର ବହୁତ ବାନ୍ଧବୀ। ତିନିଟି ସ୍ତ୍ରୀ ଛାଡ଼ି ଏବେ ଚତୁର୍ଥ ସ୍ତ୍ରୀଙ୍କୁ ଧରିଛନ୍ତି ଓ ଆଉଜଣେ ସ୍ତ୍ରୀ ନହେଲେ ମଧ୍ୟ ସ୍ତ୍ରୀର ସମସ୍ତ ମର୍ଯ୍ୟାଦା ପାଉଛନ୍ତି। ସେ ବହୁ ନାରୀ ପରିବେଷ୍ଟିତ ହେଲେ ମଧ୍ୟ ପାକିସ୍ତାନର ମଧ୍ୟବିତ୍ତ ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ସଦସ୍ୟମାନଙ୍କ ପାଇଁ ଏଭଳି ଆଚାର ବ୍ୟବହାର ଅଗ୍ରହଣୀୟ ନୁହେଁ। ଯେଉଁ ତିନିଜଣ ଛାଡ଼ପତ୍ର ଦେଇଛନ୍ତି (ଜଣେ ଇମ୍ରାନ୍‌ଙ୍କ ଇଚ୍ଛାରେ ଓ ଦୁଇଜଣ ନିଜ ଇଚ୍ଛାରେ) ସେମାନେ ବର୍ତ୍ତମାନ ପସ୍ତଉଥିବେ। ଇମ୍ରାନଙ୍କ ପତ୍ନୀ ହୋଇଥିଲେ ଏ‌େ‌ବ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବୋଲି ଗର୍ବ ଅନୁଭବ କରିଥାନ୍ତେ। ଜଣେ ପୂର୍ବତନ ପତ୍ନୀ ଅଭିଯୋଗ କରିଛନ୍ତି ଇମ୍ରାନଙ୍କର ଭାରତରେ କେତେକ ଅବୈଧ ସନ୍ତାନ ଅଛନ୍ତି। ଯେଉଁଦିନ ଏ ବିଷୟରେ କିଛି ପ୍ରମାଣ ମିଳିବ, ଇମ୍ରାନଙ୍କର ପତନ ସେଇଦିନ ଆରମ୍ଭ ହେବ।
ତାଙ୍କର ତୃତୀୟ ମୁହଁ ହେଲା ରାଜନୀତି। ତାଙ୍କୁ କେହି ପ୍ରାଥମିକ ଅବସ୍ଥାରେ ଗୁରୁତ୍ବ ଦେଉନଥିଲେ। ଗଲାଥର ନିର୍ବାଚନରେ ବହୁମତରେ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସୈନ୍ୟ ବାହିନୀର ପକ୍ଷଛେଦନ କରିବାପାଇଁ ବସିଲେ। ଗଲା ୭୦ବର୍ଷ ​‌େ​‌ହଲା ସୈନ୍ୟ ବାହିନୀ ପ୍ରତ୍ୟକ୍ଷରେ ଶାସନ କରିଛି ଅନେକ ଥର ଏବଂ ସେଥି ମଧ୍ୟରୁ ୩ଥର ବେସାମରିକ ସରକାରଙ୍କୁ ତଡ଼ି। ୧୯୫୮ରେ ଆୟୁବ ଖଁା ତଡ଼ିଲେ ଇସକନ୍ଦର ମିର୍ଜାଙ୍କୁ, ୧୯୭୭ରେ ଜିଆ-ଉଲ-ହକ୍‌ ତଡ଼ିଲେ ଭୁଟ୍ଟୋଙ୍କୁ, ୧୯୯୯ରେ ମୁଶରଫ୍‌ ତଡ଼ିଲେ ନୱାଜ ସରିଫଙ୍କୁ। ନୱାଜ ସରିଫ୍‌ଙ୍କ ନାଁରେ ମୋକଦ୍ଦମା ମଧ୍ୟ କରାଗଲା ଓ ଅଧିକାଂଶ ସମୟରେ ସୈନ୍ୟବାହିନୀର ନିର୍ଦେଶମାନି ଚଳୁଥିବା ବିଚାର ବିଭାଗ ତାଙ୍କୁ କାରାଦଣ୍ଡ ଦେଇଦେଲା। ସେ ଜେଲ ଗଲେ, କିନ୍ତୁ ସାଉଦିଆରବ ଦେଶ ହସ୍ତକ୍ଷେପ କରି ତାଙ୍କୁ ରାଜନୈତିକ ଆଶ୍ରୟ ଦେଲା। ସେ ଇତି ମଧ୍ୟରେ ବିବୃତି ଦେଇଛନ୍ତି ଯେ ପାକିସ୍ତାନର ଆଇଏସଆଇ ଭାରତ ଓ ଆଫଗାନିସ୍ତାନକୁ ସନ୍ତ୍ରାସବାଦୀ ପଠାଉଛି ଏବଂ ୨୬ା୧୧ା୨୦୦୮ରେ ହୋଇଥିବା ମୁମ୍ବଇର ସମଗ୍ର ବିଶ୍ବରେ ଚହଳ ପକାଇଥିବା ସନ୍ତ୍ରାସବାଦ କାର୍ଯ୍ୟ ଆଇଏସ ଦ୍ବାରା କରାଯାଇଛି। ସୈନ୍ୟ ବିଭାଗ ଖୋଜିଲା ଏମିତି ଜଣେ ନେତା ଯାହାଙ୍କର ସୈନ୍ୟବାହିନୀ ବିରୋଧରେ କିଛି ଅଭିଯୋଗ ନଥିବ। ତାଲିକାରେ ନୱାଜ ସରିଫ ତ ଆସିବା କଥା ନୁହେଁ। ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ମାଆଙ୍କୁ ସୈନ୍ୟବାହିନୀଙ୍କ ପ୍ରରୋଚନାରେ ଆତଙ୍କବାଦୀମାନେ ମାରିଛନ୍ତି ବୋଲି ପାକିସ୍ତାନରେ ଅନେକ ଲୋକଙ୍କ ଧାରଣା। ପୁଣି ବିଲାୱଲଙ୍କ ଅଜା ଜୁଲଫିକର ଅଲି ଭୁଟ୍ଟୋଙ୍କୁ ବିଚାର ବିଭାଗ ଉପରେ ଚାପ ପକେଇ ସୈନ୍ୟ ବାହିନୀ ଫାଶୀ ଦଣ୍ଡ କରେଇଦେଲେ। ନୱାଜ ସରିଫଙ୍କୁ ଜେଲ ଦେବାପାଇଁ ସୈନ୍ୟବାହିନୀ କିଭଳି ଚେଷ୍ଟା କରୁଥିଲା ସେ କଥା ଜଣେ ବିଚାରପତି (ସିଦ୍ଦିକ) ଖୋଲାଖୋଲିଭାବେ କହିଛନ୍ତି। ଏବେ ତାଙ୍କ ନାଁରେ ମୋକଦ୍ଦମା ହେବ। ଯେହେତୁ ଦୁଇଟି ମୁଖ୍ୟଦଳର ନେତା ଅଭିଯୋଗମୁକ୍ତ ନୁହନ୍ତି ଓ ଇମ୍ରାନଙ୍କ ବିରୋଧରେ କୌଣସି ଅଭିଯୋଗ ନାହିିଁ, ବୈଦେଶିକ ନୀତି ନିର୍ଦ୍ଧାରଣ, ପ୍ରଶାସନିକ କୌଣସି ଜ୍ଞାନ ନାହିଁ, ତାଙ୍କୁ ସୈନ୍ୟବାହିନୀ ବାଛିଲା ବିପୁଳ ସମର୍ଥନ ଦେବାପାଇଁ। କେବଳ ସୈନ୍ୟ ବାହିନୀ ନୁହନ୍ତି ସନ୍ତ୍ରାସବାଦୀ ଗୋଷ୍ଠୀମାନେ ମଧ୍ୟ ସମର୍ଥନ ଦେଲେ। କାରଣ ଅନ୍ୟ ଦୁଇଜଣ ନେତା (ନୱାଜ ଓ ବିଲାୱଲ) ସନ୍ତ୍ରାସବାଦ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଅଥଚ ସନ୍ତ୍ରାସବାଦର ଏବେ ମୁଖ୍ୟ କର୍ଣ୍ଣଧାର ତାଲିବାନଙ୍କ ସହିତ ଇମ୍ରାନ୍‌ଙ୍କର ଘନିଷ୍ଠ ବନ୍ଧୁତା। ତେଣୁ ତାଙ୍କୁ କେହିକେହି ‘ତାଲିବାନ ଖାନ୍‌’ ବୋଲି କହନ୍ତି। ଗତ ନିର୍ବାଚନରେ ସୈନ୍ୟବାହିନୀ ତାଙ୍କୁ ଯେଭଳି ଖୋଲାଖୋଲି ଭାବରେ ସମର୍ଥନ କଲା ଅତିଶୀଘ୍ର ତାଙ୍କ ନାଁ ଫୌଜି ଖଁା ହେବାର ମଧ୍ୟ ସମ୍ଭାବନା ଅଛି। ସେ ପ୍ରଶାସନ, ବୈଦେଶିକ ନୀତି ଇତ୍ୟାଦିରେ ସେନାଧ୍ୟକ୍ଷଙ୍କ ଦ୍ବାରା ପରିଚାଳିତ ହେବେ ଓ ସୈନ୍ୟବାହିନୀର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଉଛି। ପାକିସ୍ତାନର ପ୍ରତିରକ୍ଷା ବଜେଟ୍‌ ହେଉଛି ପ୍ରାୟ ୩୦%। ୧୨%ଖର୍ଚ୍ଚ ହେଉଛି ବିଭିନ୍ନ ମନ୍ତ୍ରଣାଳୟ ପରିଚାଳନା କରିବାରେ। ପ୍ରତିରକ୍ଷା ପାଇଁ ଏତେ ଖର୍ଚ୍ଚ ହେବାର କାରଣ ହେଉଛି ଭାରତ ଏବଂ ଆଫଗାନିସ୍ତାନ। ୧୯୫୮ ଠାରୁ ୧୯୭୧ ପର୍ଯ୍ୟନ୍ତ ସୈନ୍ୟବାହିନୀ ପ୍ରଚାର କରିଚାଲିଥିଲା ଭାରତୀୟମାନେ ଭୀରୁ। ଜଣେ ପାକିସ୍ତାନୀ ସୈନ୍ୟ ଦଶଜଣ ଭାରତୀୟ ସୈନ୍ୟଙ୍କ ସଙ୍ଗେ ସମାନ ଓ ଭାରତ ଯଦି କାଶ୍ମୀରକୁ ହସ୍ତାନ୍ତର ନକରେ ଆମେ ଜିହାଦ (ଯୁଦ୍ଧ) କରି ୨୪ ଘଣ୍ଟା ମଧ୍ୟରେ ଲାଲ୍‌କିଲାରେ ବସି ଚାହା ପିଇବୁ। ଏଇଭଳି ଭାବରେ କୁହୁଡ଼ି ପହଁରୁଥିବା ଓ ସର୍ବସାଧାରଣଙ୍କୁ କୁହୁଡ଼ି ପହଁରାଉଥିବା ସୈନ୍ୟବାହିନୀ ୧୯୬୫ ମସିହାରେ ଭାରତ ଉପରେ ଆକ୍ରମଣ କଲେ ଓ ତାଙ୍କର ନାକ ଫାଟିଲା। ୧୯୭୧ ମସିହାରେ ଭାରତଠାରୁ ଦୟନୀୟ ଭାବେ ହାରିଲା ପାକିସ୍ତାନ, ଦୁଇଖଣ୍ଡ ହୋଇଗଲା ଓ ପାକିସ୍ତାନ ହାସ୍ୟର ପାତ୍ର ହେଲା। ୧୯୭୧ ମସିହାଠାରୁ ଆଜି ପର୍ଯ୍ୟନ୍ତ ଜନସାଧାରଣଙ୍କୁ କୁହାଯାଉଛି ଭାରତ ପାକିସ୍ତାନକୁ ଆକ୍ରମଣ କରିବ, ଖଣ୍ଡଖଣ୍ଡ କରିଦେବାପାଇଁ ଚେଷ୍ଟା କରିବ। ଭାରତ ଅନ୍ୟ ଦେଶମାନଙ୍କୁ ପାକିସ୍ତାନ ବିରୋଧରେ ମତଉଛି, ପାକିସ୍ତାନକୁ ପାଣି ନଛାଡ଼ି ଦୁର୍ଭିକ୍ଷ କରାଉଛି ଇତ୍ୟାଦି। ଇତି ମଧ୍ୟରେ ଜିଆ-ଉଲ- ହକ୍‌ ଆରମ୍ଭ କରିଥିବା ପାକିସ୍ତାନର ପାଠ୍ୟପୁସ୍ତକମାନଙ୍କରେ ଇତିହାସକୁ ଏଭଳି ବିକୃତ କରାଯାଉଛି ଯେ ସମସ୍ତ ଛାତ୍ରଛାତ୍ରୀଙ୍କର ବିଚିତ୍ର ଧାରଣା ସୃଷ୍ଟି ହୋଇଛି। ଆଉରଙ୍ଗଜେବ୍‌ ଜଣେ ଖୁବଭଲ ଶାସକ ଥିଲେ; ମହମ୍ମଦ ଘୋରୀ ଭାରତ ଆକ୍ରମଣ କଲା, କାରଣ ଭାରତରେ ବିଭିନ୍ନ ଜାତିମାନଙ୍କ ମଧ୍ୟରେ ସଂଘର୍ଷ ହେଉଥିଲା। କୋଟିକୋଟି ହିନ୍ଦୁଙ୍କୁ ମୁସଲମାନ କରାଗଲା, କାରଣ ବ୍ରାହ୍ମଣମାନେ ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ। ୧୯୬୫ ମସିହା ଯୁଦ୍ଧରେ ପାକିସ୍ତାନ ଜିତିଥିଲା ଓ ୧୯୭୧ ମସିହା ଯୁଦ୍ଧରେ ପାକିସ୍ତାନ ଜିତି ଆସୁଥିଲା, କିନ୍ତୁ ଭାରତର ହିନ୍ଦୁ ସରକାର ଷଡ଼ଯନ୍ତ୍ର କରି ହରେଇ ଦେଲେ ଇତ୍ୟାଦି।
ଏଇଭଳି ପରିବେଶକୁ ବିବେଚନା କରି ଇମ୍ରାନଙ୍କୁ ଶାସନ କରିବାକୁ ପଡ଼ିବ। ନିର୍ବାଚନ ସମୟରେ ସେ ବହୁବାର ଆମେରିକା ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି। ‘ଆଫଗାନିସ୍ତାନରେ ନିଜ ଆଡ଼ୁ ଆରମ୍ଭ କରିଥିବା ଲଢ଼େଇ ଆମେରିକା ନିଜେ କରୁ, ଆମେ ସେଥିରେ ପଶିବୁ ନାହିଁ। ନୱାଜ ସରିଫ ହେଉଛନ୍ତି ଦେଶଦ୍ରୋହୀ ଓ ନରେନ୍ଦ୍ର ମୋଦୀ ହେଉଛନ୍ତି ତାଙ୍କର ବଡ଼ ବନ୍ଧୁ। ଆମକୁ କାଶ୍ମୀର ଯେମିତି ହେଲେ ଫେରେଇ ଆଣିବାକୁ ପଡ଼ିବ।(ସତେଯେମିତି କାଶ୍ମୀର ପାକିସ୍ତାନର ଅଙ୍ଗଥିଲା)। ଚୀନ ଆମର ପ୍ରକୃତ ବନ୍ଧୁ, କିନ୍ତୁ ଆମେ ଅତ୍ୟଧିକ ନିର୍ଭର କରିବା ଉଚିତ ନୁହେଁ।’ ରାଜନୀତି ଏବଂ ବୈଦେଶିକ ନୀତିରେ ଦୁଇହାତରେ ୪ଟି ବଲ ଧରି ଖେଳିବା କେବଳ ବିସ୍‌ମାର୍କ କରି ପାରୁଥିଲେ। ଏବେ ଇମ୍ରାନ ଖାଁ କରିବା ପାଇଁ ଯାଉଛନ୍ତି। ତାଙ୍କର ମୋଦୀଙ୍କ ପ୍ରତି ଯାହା ମନ୍ତବ୍ୟ ତାହା ପେଟରୁ ଆସିଲା ନା ପାଟିରୁ ଆସିଲା ତାହା ଭବିଷ୍ୟତ କହିବ। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପରି ସେ ଯାହା କହନ୍ତି ତାକୁ ପୁଣି ଓଲଟାଇ ଦିଅନ୍ତି। ଏଭଳି ଏକ ଅବ୍ୟବସ୍ଥିତ ଚିତ୍ତଯୁକ୍ତ ବ୍ୟକ୍ତିଙ୍କ ସାଙ୍ଗେ କେମିତି କ’ଣ ବୁଝାମଣା ହେବ ତାହା ଚିନ୍ତା କରିବା କଷ୍ଟ।
ପାକିସ୍ତାନର ଆର୍ଥିକ ସ୍ଥିତି ତାଙ୍କ ଦେଶପାଇଁ ଉଦ୍‌ବେଗର ବିଷୟ। ବୈଦେଶିକ ପାଣ୍ଠି (ମାତ୍ର ୯ ବିଲିୟନ ଡଲାର) ଯେତିକି ଅଛି ସେଥିରେ ମାତ୍ର ଦୁଇମାସ ପାଇଁ ଆମଦାନୀ କରିହେବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିକୁ ଆମେରିକା କହିଦେଇଛି ପାକିସ୍ତାନକୁ ଋଣ ନ ଦେବାପାଇଁ। ୨୨ ବିଲିୟନ ଡଲାର ଦରକାର ପଡ଼ୁଥିବାବେଳେ ଚୀନ ମାତ୍ର ଦୁଇ ବିଲିୟନ ଡଲାର ଓ ସାଉଦିଆରବର ଏକ ବ୍ୟାଙ୍କ ପ୍ରାୟ ୩ ବିଲିୟନ ଡଲାର ଋଣ ଯାଚୁଛି। ଚୀନ ସାଙ୍ଗେ ଯେଉଁମାନେ ବନ୍ଧୁତା କରୁଛନ୍ତି ସେମାନେ ପରେ ଉପଲବ୍ଧି କରୁଛନ୍ତି ଦିନେ ନା ଦିନେ ‘ଭାଲୁଙ୍କ ସଙ୍ଗେ କଲେ ଭାବ, କେବଳ ଅାଞ୍ଚୁଡ଼ାଟି ଲାଭ’ ଦଶାହେଉଛି କିମ୍ବା ହେବ। ବଡ଼ ଉତ୍ସାହର ସହିତ ଶ୍ରୀଲଙ୍କାର ସରକାର ଚୀନଠାରୁ ଚଢ଼ାଦରରେ ଋଣ ନେଇଗଲେ। ଋଣ ନଶୁଝିବାରୁ ବନ୍ଦରଟିକୁ ୯୯ବର୍ଷ ପାଇଁ ଲିଜ୍‌ ଦେବାପାଇଁ ବାଧ୍ୟ ହେଲେ। ତାଜିକିସ୍ତାନ ସରକାର ଋଣନେଇ ନଶୁଝିବାରୁ ଚୀନ ଖଣ୍ଡେ ଜାଗା ନେଇଗଲା। ପାକିସ୍ତାନର ସେହି ଦଶା ହେବ।
ସନ୍ତ୍ରାସବାଦୀଙ୍କ ସଙ୍ଗେ ବନ୍ଧୁତା କରି ଇମ୍ରାନ୍‌ ମୁଦ ମରାଯାଇଥିବା ବୋତଲ ଖୋଲି ଜିନ୍‌(ରାକ୍ଷସ)କୁ ମୁକ୍ତ କରିଦେଲେ। ଜିନ୍‌ କେବେ ଚାହିଁବ ନାହିଁ ବୋତଲକୁ ଫେରିବା ପାଇଁ। ସନ୍ତ୍ରାସବାଦୀଙ୍କୁ ବନ୍ଦ କରିବାକୁ ହେଲେ ସୈନ୍ୟବାହିନୀର ସାହାଯ୍ୟ ଦରକାର ଓ ସୈନ୍ୟବାହିନୀ ସାହାଯ୍ୟ କରିବା ପରିବର୍ତ୍ତେ ବରଂ ତାଙ୍କୁ ପରିଚାଳିତ କରିବେ। ଭାରତ ପ୍ରତି ପ୍ରତିକୂଳ ମନୋଭାବ ରଖିଲେ ଭାରତର ଯେତିକି କ୍ଷତି ହେବ, ପାକିସ୍ତାନର ବେଶି କ୍ଷତି ହେବ। ଆମେରିକା ସାଙ୍ଗରେ ଶତ୍ରୁତା କଲେ ବ୍ୟବସାୟ କରିବା ଓ ଋଣ ମିଳିବାରେ ପ୍ରବଳ ଅସୁବିଧା ହେବ। ଇମ୍ରାନ ବଡ଼ ସଚ୍ଚୋଟ ବୋଲି ତାଙ୍କ ସମର୍ଥକମାନେ କହନ୍ତି। ସେ ତ କେବେ କ୍ଷମତାରେ ନଥିଲେ, ତେଣୁ ସଚ୍ଚୋଟତାର ପରୀକ୍ଷା କେମିତି ହେଲା? ସେ ଅନେକ ଦେଶର ରାଷ୍ଟ୍ରନାୟକ ଓ ନିଜ ଦେଶର ଅନେକ ବିଶିଷ୍ଟ ନେତାଙ୍କୁ ଅତୀତରେ ଟେକା ମାରିଛନ୍ତି, ଏବେ କାଚଘରେ ରହି ଟେକାମାଡ଼ ଖାଇବେ। ଦୁଇବର୍ଷ ତିଷ୍ଠି ରହିପାରିବେ କି ନାହିଁ ସନ୍ଦେହ।

Leave A Reply