ଏନଡିଏକୁ ବିଜେଡି ସମର୍ଥନ ଓ ଭବି​‌ଷ୍ୟତ ରାଜନୀତି

0

କିଶୋର ଦ୍ବିବେଦୀ

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଗୁରୁବାର ହୋଇଥିବା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମୋର୍ଚ୍ଚାର ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ବିଜୁ ଜନତା ଦଳ ସମର୍ଥନ କରିବା ବିଷୟ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚା ସୃଷ୍ଟି କରିବା ସ୍ବାଭାବିକ। ଶାସକ ଦଳ ଭାରତୀୟ ଜନତା ପାର୍ଟିର ସମର୍ଥନରେ ସଂଯୁକ୍ତ ଜନତା ଦଳର ସାଂସଦ ଶ୍ରୀ ସିଂହଙ୍କର ବିଜୟରେ ବିଜେଡିର ଭୂମିକା ଖୁବ୍‌ ମହତ୍ୱପୂର୍ଣ୍ଣ ଥିଲା। ରାଜ୍ୟସଭାରେ ଶାସକ ଏନଡିଏର ସଂଖ୍ୟାଗରିଷ୍ଠତା ନଥିବା କଥା ସମସ୍ତଙ୍କୁ ଜଣା। ଏହା ମୋଦୀ ସରକାରଙ୍କୁ ତିନି ତଲାକ, ମହିଳା ସଂରକ୍ଷଣ ଓ ଜିଏସଟି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ବିଲକୁ ସଂସଦର ମଞ୍ଜୁରୀ ହାସଲ କରିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥିଲା ଓ କେତେକ କ୍ଷେତ୍ରରେ ଅସଫଳତାର ସାମ୍ନା କରିବାକୁ ପଡ଼ିଥିଲା। ଏହି ପୃଷ୍ଠଭୂମିରେ ଗୃହରେ ଉପସ୍ଥିତ ସାଂସଦମାନଙ୍କର ସମୁଦାୟ ସଂଖ୍ୟା ୨୩୨ର ଅଧାଅଧି ଅର୍ଥାତ୍‌ ୧୧୬ ଅଙ୍କକୁ ପ୍ରାର୍ଥୀ ଶ୍ରୀ ସିଂହ ପାର କରିବାରେ ବିଜେଡିର ୯ ଜଣିଆ ସଦସ୍ୟ ଦଳ ବେଶ୍‌ ନିର୍ଣ୍ଣାୟକ ସହଯୋଗ ପ୍ରଦାନ କରିଥିବା ଜଣାଯାଉଛି । ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କର ଶେଷ ମୂହୁର୍ତ୍ତରେ ସମର୍ଥନ ଘୋଷଣା ହିଁ ଶ୍ରୀ ସିଂହଙ୍କୁ ଭାରିମତରେ ବିଜୟ ହାସଲ କରିବାର ବାଟ ଫିଟାଇବା ସାଙ୍ଗକୁ ୧୨୫ ଭଳି ଯାଦୁକରୀ ଅଙ୍କକୁ ମଧ୍ୟ ଅନାୟାସରେ ସ୍ପର୍ଶ କରିବାର ସୁଯୋଗ ଜୁଟାଇ ପାରିଥିଲା । ଶ୍ରୀ ସିଂହ ବିଜେଡିର ୯ ଜଣ ସାଂସଦଙ୍କ ସମେତ ମୋଟ ୧୨ ଜଣ ଓଡିଆ ସାଂସଦଙ୍କର ଭୋଟ୍‌ ହାସଲ କରିଥିବା ଦର୍ଶାଯାଉଛି। ଅନ୍ୟ ତିନିଜଣ ସାଂସଦ ହେଲେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରପତିଙ୍କ ଦ୍ୱାରା ଦୁଇ ମନୋନୀତ ସାଂସଦ ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂହ । ବିରୋଧୀ ପକ୍ଷର ପ୍ରାର୍ଥୀ କଂଗ୍ରେସ ଦଳର ବି. କେ. ହରିପ୍ରସାଦଙ୍କୁ ମିଳିଥିବା ୧୦୫ଟି ଭୋଟ୍‌ ମଧ୍ୟରେ ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କର ଭୋଟ୍‌ ସାମିଲ ଥିବା ଜଣାଯାଇଛି । ଶ୍ରୀ ସିଂହଙ୍କର ବିଜୟ ଦ୍ୱାରା ଦୀର୍ଘ ୪୦ ବର୍ଷ ଧରି କ୍ରମାଗତ କବ୍‌ଜା କରି ଆସିବା ପରେ ପ୍ରଥମଥର ପାଇଁ କଂଗ୍ରେସ ରାଜ୍ୟସଭାର ଉପାଧ୍ୟକ୍ଷ ଭଳି ସଂସଦୀୟ ଗଣତନ୍ତ୍ରର ଉଚ୍ଚ ଗରିମାମୟ ପଦକୁ ହାତଛଡା କରିଛି।
ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସମର୍ଥନ ନେଇ ତାଙ୍କର ନିଷ୍ପତ୍ତିକୁ ଝୁଲାଇ ରଖି ଉଭୟ ପକ୍ଷକୁ ବେଶ୍‌ ସଂଶୟ ଓ ସମ୍ଭାବନାର ଅଙ୍କକଷା ମୂହୁର୍ତ୍ତ ମଧ୍ୟରେ ରଖିବାକୁ ସକ୍ଷମ ହୋଇଥିଲେ। ଅତୀତରେ ରାଷ୍ଟ୍ରପତି ପ୍ରାର୍ଥୀ ପି. ଏ. ସାଂଗମାଙ୍କୁ ନବୀନଙ୍କର ଅନୁରୋଧ ସତ୍ତ୍ୱେ ଜେଡି(ୟୁ) ସମର୍ଥନ ଜ୍ଞାପନ କରି ନଥିବା ବିଷୟ ଉଲ୍ଲେଖ କରି ବିଜେଡି ଶ୍ରୀ ସିଂହଙ୍କୁ ଭୋଟ୍‌ ନ ଦେଇପାରେ ବୋଲି ପ୍ରଥମେ ଅନୁମାନ କରାଯାଉଥିଲା। ପରେପରେ ଦଳ ଏହାର ପୂର୍ବ ସ୍ଥିତିକୁ ଦୋହରାଇ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ଅବଲମ୍ବନ କରି ଭୋଟ୍‌ ଦାନରୁ ବିରତ ରହିପାରେ ବୋଲି ଶୁଣାଯାଉଥିଲା; କିନ୍ତୁ ସିଧାସଳଖ ଭାବେ ବିଜେଡି, ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଖୋଲାଖୋଲି ଭୋଟ୍‌ ପ୍ରଦାନ କରିବା ଘଟଣାକୁ ରାଜନୈତିକ ବିଶାରଦମାନେ ଜାତୀୟ ରାଜନୈତିକ ଦୃଶ୍ୟପଟର ଏକ ସୁଦୂରପ୍ରସାରୀ ମୋଡ ଭାବେ ବର୍ଣ୍ଣନା କରିଛନ୍ତି । ସେମାନଙ୍କ ମତରେ ୨୦୦୯ ମସିହାରେ ବିଜେଡି ଓ ବିଜେପିର ବୁଝାମଣା ଭାଙ୍ଗିଯିବା ପରେ ଉଭୟ ଦଳ ରାଜନୈତିକ ବାସ୍ତବିକତା ଓ ତାତ୍କାଳିକ ନ୍ୟାୟରେ ନିକଟତର ହେବା ଏକ ଉଲ୍ଲେଖନୀୟ ଘଟଣା। ପ୍ରଥମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିର୍ବାଚନରେ ବିଜେଡିର ସମର୍ଥନ, ଦ୍ୱିତୀୟରେ ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ଭେଙ୍କିୟା ନାଇଡୁଙ୍କୁ ବିଜେଡିର ଭୋଟ୍‌ ଦାନ ଓ ତୃତୀୟରେ ନିକଟରେ ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ କକ୍ଷ ତ୍ୟାଗ କରି ଦଳ ପରୋକ୍ଷ ଭାବରେ ମୋଦୀ ସରକାରଙ୍କୁ ନିରବ ସମର୍ଥନ ପ୍ରଦାନ କରିଥିବା ଆଦି ଘଟଣାବଳୀ ଗୁରୁତ୍ବ ରଖୁଛି। ଉଭୟ ଦଳ ମଧ୍ୟରେ କ୍ରମାଗତ ବୃଦ୍ଧି ପାଉଥିବା ଆତ୍ମୀୟତାର ପ୍ରଭାବ ଆଉମାତ୍ର ୭/୮ ମାସ ବାକି ରହିଥିବା ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନର ପ୍ରସ୍ତୁତି ଓ ରଣକୌଶଳ ଉପରେ ପଡିପାରେ।
ନିକଟରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ କେନ୍ଦ୍ରକରି ବିଜେପି ସଭାପତି ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂ ଓ ଦଳର ଅନ୍ୟାନ୍ୟ ତୁଙ୍ଗ ନେତୃବୃନ୍ଦଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଟେଲିଫୋନ୍‌ ଯୋଗେ ବାର୍ତ୍ତାଳାପ ଖୁବ୍‌ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିବା ଉଭୟ ଦଳୀୟ ସୂତ୍ରରୁ ଦର୍ଶାଯାଉଛି। ସେହିପରି ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶ୍ରୀ ପଟ୍ଟନାୟକଙ୍କ ସହିତ ମଧ୍ୟ ରାଜ୍ୟର କେତେକ ଗୁରୁତ୍ୱପୂର୍ଣ୍ଣ ଚାଲୁ ଉନ୍ନୟନ ପ୍ରକଳ୍ପକୁ କେନ୍ଦ୍ରକରି କ୍ରମାଗତ ଘନିଷ୍ଠ ଯୋଗସୂତ୍ର ରହିଆସିଥିବା ସରକାରୀ ଭାବେ ସୂଚାଯାଉଛି। ୨୦୧୯ ମସିହାର ସାଧାରଣ ନିର୍ବାଚନରେ ହିନ୍ଦୀ ହୃଦଭାଗରୁ ବିଜେପି ହରାଇବାକୁ ଯାଉଥିବା ଆସନ ସଂଖ୍ୟାକୁ ପୂର୍ବଭାରତରେ ଭରଣା କରିବାର ଯେଉଁ ‘ଇଷ୍ଟଲୁକ୍‌’ ନୀତି ଦଳ ଧାର୍ଯ୍ୟ କରିଛି, ସେହି ଅନୁଯାୟୀ ଓଡିଶାରେ ଶ୍ରୀ ପଟ୍ଟନାୟକ ଶାସକଦଳ ପାଇଁ ଖୁବ୍‌ ସହାୟକ ହେବେ ବୋଲି ବିଜେପିର ରଣନୀତିକାରମାନେ ଆଶା ପୋଷଣ କରୁଛନ୍ତି । ପୂର୍ବଭାରତରେ ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କର ବ୍ୟାପକ ଲୋକପ୍ରିୟତା ଏବେବି ଅତୁଟ ରହିଥିବା ଦଳ ଜାଣିଛି । ଏହି ଦୁଇ ନେତାନେତ୍ରୀଙ୍କ ମଧ୍ୟରୁ ଦ୍ରୁତ ପରିବର୍ତ୍ତନଶୀଳ ରାଜନୈତିକ ପରିସ୍ଥିତିରେ ନବୀନ, ବିଜେପି ପାଇଁ ଅଧିକ ସୁହାଇବେ ବୋଲି ମଧ୍ୟ ଧରାଯାଉଛି। ଉପରୋକ୍ତ ଚାରିଟି ଘଟଣାରେ ନବୀନଙ୍କ ତରଫରୁ ସମର୍ଥନର ପ୍ରତ୍ୟୁତ୍ତରରେ ବିଜେପି ନେତୃବୃନ୍ଦ ନବୀନଙ୍କ ବିରୋଧରେ ଶାଣିତ ସମାଲୋଚନାରୁ ନିବୃତ୍ତ ହୋଇଥିବା ଅନୁମେୟ। ଏପରିକି ପରିବର୍ତ୍ତିତ ରାଜନୈତିକ ପ୍ରେକ୍ଷାପଟରେ ଉଭୟ ଦଳ ପୂର୍ବ ମେଣ୍ଟକୁ ପୁଣି ପୁନର୍ଜୀବିତ କରିବା ବିଚିତ୍ର ନୁହେଁ।
ନୂଆଦିଲ୍ଲୀ

Leave A Reply