ଅନାଗ୍ରହୀ ଅନୁଗ୍ରହ

ମହାମାରୀ ମୃତକଙ୍କର ପରିବାରକୁ ସାହାଯ୍ୟ ସହାୟତା ଓ ଅନୁଗ୍ରହ ରାଶି ପ୍ରଦାନରେ ରାଜ୍ୟ ସରକାରଗୁଡ଼ିକର ଉଦାସୀନତା ନେଇ ନ୍ୟାୟାଳୟଙ୍କ ଚିନ୍ତା ଯଥାର୍ଥ

ଗତ ଦୁଇବର୍ଷରୁ ଊର୍ଦ୍ଧ୍ବକାଳ ଧରି ଭାରତ ସମେତ ସମଗ୍ର ପୃଥିବୀ କରୋନା ମହାମାରୀ କବଳରେ ରହିଆସିଛି। ଏହା ମଣିଷକୁ କ୍ରମାଗତ ଏପରି ଏକ ସ୍ବାସ୍ଥ୍ୟ ସଙ୍କଟ ଭିତରକୁ ଠେଲିଦେଇଛି, ଯେଉଁଥିରୁ ଶତଚେଷ୍ଟା ସତ୍ତ୍ବେ ମଧ୍ୟ ଉଧୁରିବା ଏ ପର୍ଯ୍ୟନ୍ତ ସମ୍ଭବ ହେଉ ନାହିଁ। କରୋନା ଭୂତାଣୁ ବାରମ୍ବାର ତା’ର ରୂପ ପରିବର୍ତ୍ତନ କରି ବ୍ୟାପିଚାଲିଛି। ଦେଶରେ ଏବେ ତୃତୀୟ ଲହର ଜାରି ରହିଥିବାବେଳେ ଆଗକୁ ଆଉ ଲହର ଆସିବ କି ନାହିଁ, ସେ ନେଇ କେହି ନିଶ୍ଚିତ ନୁହନ୍ତି। ଏପରି ଅବସ୍ଥାରେ ଲୋକେ ନିଜର ପ୍ରିୟଜନଙ୍କୁ ହରାଇ ମ୍ରିୟମାଣ। ଦ୍ବିତୀୟ ଲହର ସମୟରେ ଦେଶରେ ଗୋଟିଏଗୋଟିଏ ପରିବାରର ଦୁଇ ଚାରିଜଣ ସଦସ୍ୟଙ୍କର ଘାତକ ମହାମାରୀରେ ପ୍ରାଣ ଯାଇଥିବା ଭଳି ମର୍ମାନ୍ତିକ ଘଟନା ଦେଖିବାକୁ ମିଳିଥିଲା। ହଜାରହଜାର ଶିଶୁ ଅନାଥ ହୋଇଗଲେ। ଏକମାତ୍ର ଉପାର୍ଜନକାରୀ ବ୍ୟକ୍ତିଙ୍କ ମୃତ୍ୟୁ ହେବାପରେ ବହୁ ପରିବାର ଅକସ୍ମାତ୍‌ ଅସହାୟ ହୋଇପଡ଼ିଲେ। ଏପରି ଅବସ୍ଥାରେ ସରକାରୀ ସାହାଯ୍ୟ ସହାୟତା ହିଁ ସେମାନଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଥିଲା। ତେବେ ସରକାର ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ବା ସାହାଯ୍ୟ ସହାୟତା ଆଦି ନେଇ ନୀତି ତିଆରି ନ କରିବାରୁ ଶେଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଅଦାଲତ ସରକାରଙ୍କ ଉଦାସୀନ ମନୋଭାବକୁ ଗ୍ରହଣ କରିପାରିନଥିଲେ। ରାଜ୍ୟ ସରକାରଗୁଡ଼ିକର ମନୋଭାବ ମଧ୍ୟ ତଦ୍ରୂପ। କରୋନା ସଂକ୍ରମଣକୁ ସରକାରଙ୍କ ଦ୍ବାରା ମହାମାରୀ ଘୋଷଣା କରାଯାଇଥିବାବେଳେ ସେଥିରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଯଥାସମ୍ଭବ ସାହାଯ୍ୟ ସହାୟତା ଓ କ୍ଷତିପୂରଣ ରାଶି ଯୋଗାଇଦେବା ସରକାରଙ୍କ କର୍ତ୍ତବ୍ୟ ଥିଲା; କିନ୍ତୁ ରାଜ୍ୟ ସରକାରଗୁଡ଼ିକ ଏ ଦିଗରେ ଅବହେଳା କରିଥିବା ସର୍ବୋଚ୍ଚ ନ୍ୟାୟାଳୟ ଅନୁଭବ କରିଛନ୍ତି। ସେହି କାରଣରୁ ଗତ ସପ୍ତାହରେ ନିରାଶା ପ୍ରକଟ କରିବା ସହ ଅନେକ ରାଜ୍ୟ ସରକାରଙ୍କୁ କଠୋର ନିର୍ଦେଶ ଦେଇଛନ୍ତି।

ଏବେ ଏକ ତଥ୍ୟ ଲୋକଲୋଚନକୁ ଆସିଛି ଯେ କେତେକ ରାଜ୍ୟ ସରକାର ମହାମାରୀରେ ମୃତ୍ୟୁ ସଂଖ୍ୟା ଯେତିକି ଦର୍ଶାଉଛନ୍ତି, ତା’ଠାରୁ ବହୁତ ଅଧିକ କ୍ଷତିପୂରଣ ରାଶି ପାଇବାକୁ ଆବେଦନ ପତ୍ର ମିଳିଛି। ସେହିପରି କେତେକ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବାବେଳେ ଆବେଦନ ପତ୍ର କମ୍ ଆସିଛି। ଏହା ମହାମାରୀଜନିତ ମୃତ୍ୟୁର ପ୍ରକୃତ ପରିସଂଖ୍ୟାନ ଉପରେ ପ୍ରଶ୍ନବାଚୀ ଓ ଦ୍ବନ୍ଦ୍ବ ସୃଷ୍ଟି କରିବା ସ୍ବାଭାବିକ। କେରଳ ଓ ବିହାର ଭଳି କେତେକ ରାଜ୍ୟ ସରକାରଙ୍କୁ ନ୍ୟାୟାଳୟ ଭର୍ତ୍ସନା କରି କହିଛନ୍ତି ଯେ ଯୋଗ୍ୟ ଲୋକଙ୍କୁ ଅନୁଗ୍ରହ ରାଶି ଦିଆଯିବା ଉଚିତ ଏବଂ କେବଳ ବୈଷୟିକ କାରଣରୁ କ୍ଷତିପୂରଣ ପାଇଁ କରାଯାଇଥିବା ଦାବିକୁ ଖାରଜ କରିଦିଆଯିବା ଅନୁଚିତ। ଏପରିକି ଅଦାଲତ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ତାଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ କାହିଁକି ବୋଲି ପଚାରିଛନ୍ତି।

ବିହାର ସରକାରଙ୍କ ମୁଖ୍ୟ ସଚିବଙ୍କଠାରୁ ଅଦାଲତ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ଯେ ତାଙ୍କ ରାଜ୍ୟରେ ଅନୁଗ୍ରହ ରାଶି ବିତରଣ କାହିଁକି କମ୍‌ ହୋଇଛି। ବିହାର ପକ୍ଷରୁ ଉପସ୍ଥାପନ କରାଯାଇଥିବା କୋଭିଡ୍‌ ମୃତ୍ୟୁ ତଥ୍ୟକୁ ଅଦାଲତ ଗ୍ରହଣ କରିନାହାନ୍ତି ଓ ତାହା ବାସ୍ତବ ତଥ୍ୟ ନୁହେଁ ବୋଲି କହିବା ସହ ବିହାର ସରକାରଙ୍କ ଓକିଲଙ୍କୁ କହିଛନ୍ତି ଯେ ସେହି ରାଜ୍ୟରେ କେବଳ ୧୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଉପରେ ତାଙ୍କର ବିଶ୍ବାସ ନାହିଁ। ଅଦାଲତ ହୃଦ୍‌ବୋଧ କରିଛନ୍ତି ଯେ ସରକାର ଦେଇଥିବା ତଥ୍ୟ ଓ ଲୋକଙ୍କ କ୍ଷତିପୂରଣ ଆବେଦନ ସଂଖ୍ୟା ମଧ୍ୟରେ ଆଦୌ ତାଳମେଳ ନାହିଁ। କେରଳ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ କରୋନା ମୃତ୍ୟୁ ସଂଖ୍ୟା ବହୁତ ଅଧିକ ହୋଇଥିବା ସତ୍ତ୍ବେ ସେସବୁ ରାଜ୍ୟରେ ଅନୁଗ୍ରହ ରାଶି ପାଇଁ ଆବେଦନ କମ୍‌ ପରିମାଣରେ ଆସିଥିବା ଦେଖାଯାଇଛି। ସରକାର ଏପରି ବ୍ୟବସ୍ଥା କାହିଁକି କଲେ ନାହିଁ, ଯେଉଁଥିରେ ଏକ ସରଳ ପ୍ରକ୍ରିୟା ଜରିଆରେ ମୃତକଙ୍କ ପରିବାରକୁ ଅନୁଗ୍ରହ ରାଶି ପ୍ରଦାନ କରାଯାଇ ପାରିଥାନ୍ତା? ଅଦାଲତ ଏହି କାରଣରୁ ଅନୁଗ୍ରହ ରାଶି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କୁ ମହାମାରୀରେ ମୃତକଙ୍କ ପରିବାରର ସଦସ୍ୟଙ୍କ ସହିତ ଯୋଗାଯୋଗ କରିବା ଏବଂ ସେମାନଙ୍କ ଦାବିର ପଞ୍ଜୀକରଣ ଓ ବିତରଣ ୨୦୦୧ ମସିହା ଗୁଜରାଟରେ ଆସିଥିବା ଭୂମିକମ୍ପ ପୀଡ଼ିତଙ୍କ କ୍ଷତିପୂରଣ ପ୍ରକ୍ରିୟା ଭଳି ପ୍ରକ୍ରିୟା ଆପଣାଇବାକୁ ପରାମର୍ଶ ଦେଇଛନ୍ତି।

ସାମୂହିକ ସଙ୍କଟ ସମୟରେ ପୀଡ଼ିତମାନଙ୍କୁ ସାହାଯ୍ୟ ସହାୟତା ଯୋଗାଇଦେବା ଗଣତାନ୍ତ୍ରିକ ସରକାରଗୁଡ଼ିକର ନୈତିକ ଓ ସାମ୍ବିଧାନିକ କର୍ତ୍ତବ୍ୟ, ଯାହାପ୍ରତି ସେମାନେ ଅନେକ ସମୟରେ ଉଦାସୀନତା ପ୍ରଦର୍ଶନ କରିଆସୁଥିବା ପରିତାପର ବିଷୟ। ସମ୍ଭବତଃ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ହୃଦ୍‌ବୋଧ କରି ସରକାରଙ୍କୁ ଏକ ପ୍ରକାର ଆଇନା ଦେଖାଇବା ସହ କରୋନା ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମ୍ବେଦନଶୀଳ ଭାବ ପ୍ରକଟ କରିଛନ୍ତି। ଏହି ଅବସରରେ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ସର୍ବଦା ଡିଣ୍ଡିମ ପିଟୁଥିବା ସରକାରଗୁଡ଼ିକୁ ତାଙ୍କର ପ୍ରକୃତ ଭୂମିକା ସମ୍ପର୍କରେ ମଧ୍ୟ ଚେତାଇ ଦେଇଛନ୍ତି, ଯାହାକୁ କେନ୍ଦ୍ର ଓ ରାଜ୍ୟ ସରକାର ସାଧ୍ୟମତେ ଅବିଳମ୍ବେ ପାଳନ କରିବେ ବୋଲି ଆଶା।

Comments are closed.