ରୋଗକୁ ରୋକ

ବିଶ୍ବର ପ୍ରତି ଶହେ ରୋଗୀଙ୍କ ମଧ୍ୟରେ ୨୦ ଜଣ ଭାରତୀୟ ଥିବା ଦେଶର ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ଦର୍ଶାଉଛି

ଆସନ୍ତା ୧୦ରୁ୧୧ ବର୍ଷ ମଧ୍ୟରେ ଭାରତ ଚୀନକୁ ପଛରେ ପକାଇ ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ପରିଣତ ହେବାକୁ ଯାଉଛି। ନିକଟରେ ଜାତିସଂଘ ପକ୍ଷରୁ ବିଶ୍ବରେ ଜନସଂଖ୍ୟା ବୃଦ୍ଧି ଉପରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୩୦-୩୧ ସୁଦ୍ଧା ଭାରତର ଜନସଂଖ୍ୟା ଚୀନକୁ ଅତିକ୍ରମ କରି ୧୪୫ରୁ୧୫୦ କୋଟି ମଧ୍ୟରେ ପହଞ୍ଚିଯିବ ବୋଲି ଆକଳନ କରାଯାଇଛି। ଏବେ ଭାରତର ଜନସଂଖ୍ୟା ପ୍ରାୟ ୧୩୧ କୋଟି ଓ ଚୀନର ୧୪୭ କୋଟି। ସମଗ୍ର ବିଶ୍ବର ଜନସଂଖ୍ୟା ଏବେ ସାଢେ ସାତ ଶହ କୋଟି। ୨୦୫୦ ବେଳକୁ ବିଶ୍ବର ଜନସଂଖ୍ୟା ପ୍ରାୟ ସାଢେ ନ’ ଶହ କୋଟିରେ ପହଞ୍ଚି ସାରିଥିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ସେହିପରି ବିଶ୍ବର ପ୍ରତି ଶହେ ରୋଗୀଙ୍କ ମଧ୍ୟରେ ୨୦ ଜଣ ଭାରତୀୟ ବୋଲି ଜଣାପଡ଼ିଛି।

ଜାତିସଂଘ ରିପୋର୍ଟ ଅନୁଯାୟୀ, ଭାରତରେ ୨୦୧୦ରୁ ୨୦୧୯ ମଧ୍ୟରେ ବର୍ଷକୁ ୧.୨ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଚୀନରେ ୦.୫ ପ୍ରତିଶତ ବୃଦ୍ଧି ପାଇଥିଲା। ଭାରତ​‌େ​‌ର ଜଣେ ବ୍ୟକ୍ତିର ହାରାହାରି ଆୟୁ ୬୯ ବର୍ଷ। ୧୯୬୯ ମସିହାରେ ଏହା ମାତ୍ର ୪୭ ବର୍ଷ ଥିଲା। ଏବେ ଜାପାନୀମାନଙ୍କ ହାରାହାରି ଆୟୁ ୮୪ ବର୍ଷ, ଯାହାକି ବିଶ୍ବରେ ସର୍ବାଧିକ। ବିଶ୍ବର ଅଧା ଜନସଂଖ୍ୟା ବୃଦ୍ଧି ପାଇଁ ୯ଟି ଦେଶ ଦାୟୀ। ଏମାନେ ହେଲେ-ଭାରତ, ନାଇଜେରିଆ, ପାକିସ୍ତାନ, କଙ୍ଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ଇଜିପ୍ଟ ଓ ଆମେରିକା। ଏହିସବୁ ଦେଶର ହାରାହାରି ଜନସଂଖ୍ୟା ବୃଦ୍ଧି ଚୀନଠାରୁ ଅଧିକ। କଠୋର ଆଇନ ବଳରେ ଗତ ଦୁଇ ଦଶନ୍ଧି ହେଲା ଜନସଂଖ୍ୟା ବୃଦ୍ଧିକୁ ରୋକିବାରେ ଚୀନ କିଛିମାତ୍ରାରେ ସଫଳ ହୋଇଛି।

ସ୍ବାଧୀନତା ସମୟରେ, ଅର୍ଥାତ୍ ୧୯୪୭ରେ ଦେଶର ଜନସଂଖ୍ୟା ୩୩ କୋଟି ଥିଲା। ଗତ ୭ ଦଶକ ମଧ୍ୟରେ ଦେଶର ଜନସଂଖ୍ୟା ୪ଗୁଣ ବୃଦ୍ଧି ଘଟିଛି। ଶିକ୍ଷାର ଅଭାବ, ପରିବାର ନିୟୋଜନ କାର୍ଯ୍ୟକ୍ରମର ବିଫଳତା, ଅନ୍ଧ ବିଶ୍ବାସ ଓ ସଚେତନତାର ଅଭାବ ଯୋଗୁଁ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଆମ ଦେଶରେ ସମସ୍ୟାର ଅଭାବ ନାହିଁ। ୧୦ ବର୍ଷ ପରେ ଭାରତ ଯେତେବେଳେ ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବ ସେତେବେଳେ ଆମର ସମସ୍ୟା ଦ୍ବିଗୁଣିତ ହୋଇଯାଇଥିବ। ସରକାର କହୁଛନ୍ତି ଦେଶ ବିକାଶମୁହାଁ। ବାସ୍ତବରେ ଆମେ ବିନାଶ ପଥରେ ଅଗ୍ରସର ହେଉଛୁ। ଏବେ ବି ଦେଶରେ ନିରକ୍ଷର, ଗରିବ ଓ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ଅନୁଯାୟୀ ଏପରି ସମସ୍ୟା ଆଗକୁ ଆହୁରି ଉତ୍କଟ ରୂପ ଧାରଣ କରିପାରେ। ପୃଥିବୀ ପୃଷ୍ଠର ମାତ୍ର ୨.୪ ପ୍ରତିଶତ ଅଞ୍ଚଳରେ ଭାରତ ଭୂଖଣ୍ଡ ଅବସ୍ଥିତ। ତେବେ ପୃଥିବୀ ଜନସଂଖ୍ୟାର ୧୮ପ୍ରତିଶତ ହେଉଛନ୍ତି ଭାରତୀୟ। ଅର୍ଥାତ୍ ବିଶ୍ବର ପ୍ରତି ଶହେ ଜଣଙ୍କ ମଧ୍ୟରେ ୧୮ ଜଣ ହେଉଛନ୍ତି ଭାରତୀୟ। ରୋଗ ଓ ସ୍ବାସ୍ଥ୍ୟାବସ୍ଥା ଦେଖିବାକୁ ଗଲେ ବିଶ୍ବର ପ୍ରତି ଶହେ ଜଣ ରୋଗୀଙ୍କ ମଧ୍ୟରେ ୨୦ ଜଣ ହେଉଛନ୍ତି ଭାରତର।

ଆଗାମୀ ବର୍ଷଗୁଡ଼ିକରେ ଦେଶର ଜନସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ ବୋଲି ୨୦୧୮-୨୦୧୯ ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ତେବେ ଏଥିପାଇଁ ସରକାର କି’ ପଦକ୍ଷେପ ନେବେ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି। ୦-୧୯ ବର୍ଷ ବୟସ୍କଙ୍କ ସଂଖ୍ୟା ଦେଶରେ ସର୍ବାଧିକ। କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରଜନନ ହାର ମୃତ୍ୟୁ ହାରଠାରୁ ଅଧିକ। ଅର୍ଥାତ୍ ଏହି ସବୁ ରାଜ୍ୟରେ ବାର୍ଷିକ ଯେତେ ସନ୍ତାନ ଜନ୍ମ ନେଉଛନ୍ତି ତା’ଠାରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ସେହିପରି ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ଜନସଂଖ୍ୟା ଘନତ୍ବ ଅଞ୍ଚଳରେ ବାର୍ଷିକ ଯେତେ ସଂଖ୍ୟକ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି, ତା’ଠାରୁ ଅଧିକ ସନ୍ତାନ ଜନ୍ମ ନେଉଛନ୍ତି।
ଚୀନ ପରି କମ୍ୟୁନିଷ୍ଟ ଆଦର୍ଶବାଦୀ ରାଷ୍ଟ୍ର ଦୁଇ ଦଶନ୍ଧି ମଧ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇ ପାରିଛି। ହେଲେ ଭାରତ କ୍ଷେତ୍ରରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ ହେଲା ବେଳକୁ ଜାତି, ଧର୍ମ ଓ ବଂଶ ପ୍ରସଙ୍ଗ ସାମ୍‌ନାକୁ ଆସିଯାଉଛି, ଫଳରେ ସରକାର ସ୍ଥାଣୁ ପାଲଟି ଯାଉଛନ୍ତି। ଦେଶର ଭବିଷ୍ୟତ ପିଢ଼ିଙ୍କ ପାଇଁ କ’ଣ କରିବାକୁ ହୁଏ ତାହା ଭାରତ ସରକାର ଚୀନ ଓ ଆମେରିକାଠାରୁ ଶିକ୍ଷାଲାଭ କରିବା ଉଚିତ୍। ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ନପାରିଲେ ବିଶ୍ବବାସୀ ଆମକୁ ସର୍ବାଧିକ ଜନବହୁଳ ରାଷ୍ଟ୍ର ତ କହିବେ, ଏହା ସହ ସର୍ବାଧିକ ଗରିବ, ବେକାର ଓ ନିରକ୍ଷର ଶବ୍ଦ ବି ଆମ ସହ ସ୍ବତଃ ଯୋଡ଼ା ହୋଇ ଯିବ।

Comments are closed.