ବିତ୍ତଶାଳୀଙ୍କ ବିବେକ

ସରକାର ଦେଶର ବିତ୍ତଶାଳୀଙ୍କଠାରୁ ସମ୍ପତ୍ତି କର ଆଦାୟ କରିବାର ସମୟ ଆସିଛି

ବିଶ୍ବ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌)ର ଡାଭୋସ ଆଭାସି ବୈଠକ ଅବସରରେ ‘ଅକ୍ସଫାମ୍‌’ ପକ୍ଷରୁ ‘ଅସମାନତା ହତ୍ୟା କରେ’ ଶୀର୍ଷକ ଏକ ଅତି ଗୁରୁତ୍ବପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ବର କେତେକ ଦେଶର ବିତ୍ତଶାଳୀମାନେ ସେମାନଙ୍କଠାରୁ ଅଧିକ ଟିକସ ଆଦାୟ କରାଯିବା ଉଚିତ ବୋଲି ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି। ଏପରି ଏକ ବିବେକୀ ପ୍ରସ୍ତାବ ଦେଇଥିବା ବିତ୍ତଶାଳୀଙ୍କ ମଧ୍ୟରେ ଆମେରିକା, କାନାଡା, ଜର୍ମାନୀ, ବ୍ରିଟେନ, ଡେନମାର୍କ, ନରୱେ, ଅଷ୍ଟ୍ରିଆ, ହଲାଣ୍ଡ ଏବଂ ଇରାନର ଅର୍ବୁଦପତିଗଣ ରହିଥିବା ଜଣାଯାଇଛି। ତେବେ ଧନୀ-ଗରିବ ତାରତମ୍ୟ କ୍ଷେତ୍ରରେ ସବା ଉପରେ ସ୍ଥାନ ପାଇଥିବା ଏବଂ ପ୍ରତିବର୍ଷ ଅର୍ବୁଦପତିଙ୍କ ସଂଖ୍ୟା ବଢ଼ୁଥିବା ଭାରତର ବିତ୍ତଶାଳୀମାନେ ଏହି ପତ୍ରରେ ନିଜର ସ୍ବୀକାରୋକ୍ତି ଦେଇଥିବା ଖବର ପ୍ରକାଶ ପାଇନାହିଁ।

କେତେଜଣ ଅର୍ବୁଦପତିଙ୍କୁ ଛାଡ଼ିଦେଲେ ଭାରତର ବିତ୍ତଶାଳୀମାନେ ମୁଖ୍ୟତଃ ସମ୍ପତ୍ତି ଠୁଳ କରିବାରେ ହିଁ ବ୍ୟସ୍ତ ଥାଆନ୍ତି ଏବଂ ଖୁବ୍‌ କମ୍‌ ଧନିକ ବ୍ୟକ୍ତି ସାମାଜିକ କାର୍ଯ୍ୟରେ ସେମାନଙ୍କ ସମ୍ପତ୍ତିକୁ ବିନିଯୋଗ କରିଆସୁଥିବା ଦେଖାଯାଏ। ଏହି ଦୃଷ୍ଟିରୁ ବିଦେଶର ବିତ୍ତଶାଳୀମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ। ସେ ଯାହାହେଉ, ଉପରୋକ୍ତ ବିତ୍ତଶାଳୀ ଲୋକେ ସିଧାସଳଖ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଚଳିତ ଟିକସ ବ୍ୟବସ୍ଥା ଆଦୌ ନ୍ୟାୟସଙ୍ଗତ ନୁହେଁ; ତେଣୁ ସେମାନଙ୍କ ଉପରେ ଅଧିକ ଟିକସ ଲଗାଯିବା ଦରକାର। ସେମାନେ କେତେ ସମ୍ପତ୍ତିର ମାଲିକଙ୍କ ଉପରେ କେତେ ଟିକସ ଲଗାଯିବା ଉଚିତ, ତାହା ମଧ୍ୟ ଦର୍ଶାଇଛନ୍ତି। ସେମାନଙ୍କ ମତରେ, ୫ ନିୟୁତ ଡଲାର ସମ୍ପତ୍ତିର ମାଲିକଙ୍କ ଉପରେ ୨ ଶତାଂଶ, ୫୦ ନିୟୁତ ଡଲାରରୁ ଅଧିକ ସମ୍ପତ୍ତିର ମାଲିକଙ୍କ ଉପରେ ୩ ଶତାଂଶ ଓ ୧୦୦ କୋଟି ଡଲାରରୁ ଊର୍ଦ୍ଧ୍ବ ସମ୍ପତ୍ତିର ମାଲିକଙ୍କ ଉପରେ ୫ ଶତାଂଶ ସମ୍ପତ୍ତି କର ଲାଗୁ କରାଯାଉ। ଯଦି ବିଶ୍ବର ଏହି ଅର୍ବୁଦପତିଙ୍କ ଉପରେ ୧୦ ଶତାଂଶ ଲେଭି ସହ କ୍ରମବର୍ଦ୍ଧିଷ୍ଣୁ ଟିକସ ଲାଗୁ କରାଯିବ, ତେବେ ବର୍ଷକୁ ପ୍ରାୟ ୩.୬୨ କୋଟି ଡଲାର ସଂଗ୍ରହ କରାଯାଇପାରିବ।

କୋଭିଡ-୧୯ ବୈଶ୍ବିକ ମହାମାରୀ ଗରିବ ଲୋକଙ୍କୁ ଆହୁରି ଅଧିକ ଗରିବ କରିଦେଇଥିବାବେଳେ ଧନିକଙ୍କୁ, ବିଶେଷତଃ ଅର୍ବୁଦପତିଙ୍କୁ ଆହୁରି ଧନବାନ କରିଛି। ତେଣୁ ବିଶ୍ବରେ ଧନୀ-ଗରିବଙ୍କ ମଧ୍ୟରେ ଥିବା ଅସମାନତା ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି। ଭାରତରେ ଏହାର ମାତ୍ରା ଅତିଶୟ ଚିନ୍ତାଜନକ। ରିପୋର୍ଟ ଅନୁଯାୟୀ, ମହାମାରୀର ଦ୍ବିତୀୟ ବର୍ଷ ୨୦୨୧ରେ ୮୪ ଶତାଂଶ ଭାରତୀୟଙ୍କ ଆୟ ହ୍ରାସ ପାଇଥିବାବେଳେ ଏହି ସମୟରେ ଭାରତରେ ଅର୍ବୁଦପତିଙ୍କ ସଂଖ୍ୟା ୧୦୨ରୁ ୧୪୨ରେ ପହଞ୍ଚିଛି। ନିମ୍ନରେ ଥିବା ୫୫ କୋଟି ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ଦେଶର ୯୮ ଜଣ ବିତ୍ତଶାଳୀ ଭାରତୀୟଙ୍କ ପାଖରେ ତା’ଠାରୁ ବେଶି ସମ୍ପତ୍ତି ଅଛି। ଶ୍ରେଷ୍ଠ ୧୦ ଶତାଂଶ ଧନୀଙ୍କ ନିକଟରେ ଦେଶର ୫୭ ଶତାଂଶ ସମ୍ପତ୍ତି ରହିଥିବାବେଳେ ନିମ୍ନରେ ରହିଥିବା ଲୋକଙ୍କ ପାଖରେ ମାତ୍ର ୧୩ ଶତାଂଶ ରହିଛି। ଏ ଅସମାନତାର ଖାଇ କେତେ ବୃହତ୍‌, ତାହା କଳ୍ପନା କରିହେଉ ନାହିଁ। ଅକ୍ସଫାମ୍‌ ପ୍ରତିବର୍ଷ ଅସମାନତା ରିପୋର୍ଟ ପ୍ରକାଶ କରିଆସୁଥିବାବେଳେ ଏହାର ତଥ୍ୟ ବିଶ୍ବସନୀୟ ମନେହୁଏ, କାରଣ ବିଶ୍ବବ୍ୟାଙ୍କର ତଥ୍ୟ ମଧ୍ୟ ଏହାରି ଅନୁରୂପ। ତେବେ ସରକାର ଧନିକ-ଗରିବ ମଧ୍ୟରେ ବଢ଼ୁଥିବା ଅସମାନତା ଦୂର କରିବାପାଇଁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ୁନାହିଁ; ବରଂ ବିତ୍ତଶାଳୀଙ୍କ ଉପରୁ ଟିକସ ଛାଡ଼ କରି ଦେଶର ରାଜକୋଷକୁ ଅଧିକ ଦୁର୍ବଳ କରିଆସୁଛନ୍ତି।

‘ଅକ୍ସଫାମ୍‌’ ରିପୋର୍ଟ ପ୍ରକାଶ ପାଇବା ପରେ ବିତ୍ତଶାଳୀଙ୍କ ଉପରେ ସମ୍ପତ୍ତି କର ଲାଗୁ କରିବା ନେଇ ବିଭିନ୍ନ ଦେଶରେ ପୁନର୍ବାର ବିଚାରାଲୋଚନା ଆରମ୍ଭ ହୋଇଛି। ସାମାଜିକ-ଅର୍ଥନୈତିକ ସମାନତା ଆଣିବା ଏବଂ ଆର୍ଥିକ ଗତିଶୀଳତା ବଜାୟ ରଖିବା ନିମନ୍ତେ ଏକ ପ୍ରଗତିଶୀଳ ଟିକସ ବ୍ୟବସ୍ଥାର ଆବଶ୍ୟକତାକୁ ଅସ୍ବୀକାର କରିହେବ ନାହିଁ। କୌଣସି ନିର୍ଦିଷ୍ଟ ବ୍ୟକ୍ତିବିଶେଷ କ୍ରମାଗତ ସମ୍ପତ୍ତି ଆହରଣ କରି ବିତ୍ତଶାଳୀ ହେଲେ ସେ ଅନ୍ୟମାନଙ୍କଠାରୁ ଅଧିକ ଟିକସ ଦେବାକୁ ଯୋଗ୍ୟ ହୁଏ; ତେଣୁ ତା’ଠାରୁ ଅଧିକ ଟିକସ ଆଦାୟ ଅସାମ୍ବିଧାନିକ ନୁହେଁ; ବରଂ ସେହି ଟିକସରେ ସର୍ବସାଧାରଣ ମଙ୍ଗଳ ପାଇଁ ବିଭିନ୍ନ କାର୍ଯ୍ୟ ତୁଲାଇହେବ। ସର୍ବୋପରି ସମ୍ବିଧାନର ସମାନତାର ଲକ୍ଷ୍ୟକୁ ଏହି ଉପାୟରେ ହାସଲ କରିବାପାଇଁ ସରକାର ପଦକ୍ଷେପମାନ ଗ୍ରହଣ କରିପାରିବେ। ଏକ ହିସାବ ଅନୁଯାୟୀ, ଭାରତର ଶୀର୍ଷ ବିତ୍ତଶାଳୀଙ୍କଠାରୁ ସରକାର ଯଦି ବାର୍ଷିକ ୧% ସମ୍ପତ୍ତି ଟିକସ ଆଦାୟ କରନ୍ତି, ତେବେ ସେହି ଅର୍ଥରେ ଆୟୁଷ୍ମାନ ଭାରତ ଭଳି ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ସମଗ୍ର ଦେଶରେ ସାତ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିହେବ।

ଦେଶରେ ଅନାହାର ମୃତ୍ୟୁ ହୋଇନାହିଁ ବୋଲି ସରକାର ଖୁସି ହେଲେ ଚଳିବ ନାହିଁ, ବରଂ ଦେଶର ସମସ୍ତ ନାଗରିକଙ୍କ ନିକଟରେ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ସମେତ ସାମାଜିକ ସୁରକ୍ଷା ରହିଛି ନା ନାହିଁ, ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ହେବା ଉଚିତ। ଅନ୍ୟପକ୍ଷରେ, ଭାରତ ସରକାର ଦେଶର ବିତ୍ତଶାଳୀଙ୍କୁ ଅଧିକ ବିତ୍ତଶାଳୀ କରିବାର ଯୋଜନା ନ କରି ସେମାନଙ୍କ ଉପରେ ସମ୍ପତ୍ତି କର ଲଗାଇବାର ସମୟ ଆସିଛି। ଦେଖାଯାଉ, ଅନ୍ୟ ଦେଶର ଅର୍ବୁଦପତିଙ୍କ ପରି ଭାରତୀୟ ବିତ୍ତଶାଳୀଙ୍କ ବିବେକ କେବେ ଜାଗ୍ରତ ହେଉଛି ଏବଂ ସେମାନେ ବି ନିଜ ଉପରେ ଟିକସ ଲଗାଇବାର ପ୍ରସ୍ତାବ ଦେଉଛନ୍ତି!

Comments are closed.