କୃଷକଙ୍କ ସଙ୍କଟ

ଦେଶର ପ୍ରତ୍ୟେକ କୃଷକଙ୍କ କ୍ଷେତରେ ଗାଡ଼ିଆ ଖୋଳାଯାଇ ବର୍ଷାଜଳ ସଂରକ୍ଷିତ ରଖାଯିବ। ପରବର୍ତ୍ତୀ ସମୟରେ ଚାଷୀର କ୍ଷେତକୁ ଏହି ବର୍ଷାଜଳ ଯୋଗାଇ ଦିଆଯିବ। ଏପରି ଏକ ଯୋଜନା କେନ୍ଦ୍ର ସରକାର ପ୍ରଣୟନ କରିଥିଲେ ହେଁ ଏବେ ଏହା ସ୍ଥାଣୁ ପାଲଟି ଯାଇଛି।

କ୍ଷେତ ପାଇଁ କ୍ଷେତରୁ ହିଁ ପାଣି ଆସିବା ଆବଶ୍ୟକ-ଦେଶରେ ଏପରି ନୀତି ପ୍ରଣୟନ ହେବା ଆବଶ୍ୟକ। ‘କେଚ୍‌ ଦ ରେନ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ପ୍ରତ୍ୟେକ ଜିଲାରେ ବର୍ଷାଜଳ ସଂରକ୍ଷଣ କେନ୍ଦ୍ର ଖୋଲାଯିବାକୁ ସ୍ଥିର ହୋଇଥିଲା। ତେବେ କେତେକ ରାଜ୍ୟ ସରକାରଙ୍କ ସ୍ଥାଣୁତା ଯୋଗୁଁ ଏହି କାର୍ଯ୍ୟକ୍ରମ ଆଗେଇ ପାରୁ ନାହିଁ। ୬୦ ଦଶକରେ ଜଳାଭାବରୁ ଦେଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ୧୯୬୫-୬୬ରେ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନ୍‌ ଦେଶରେ ସବୁଜ କ୍ରାନ୍ତି ଆହ୍ବାନ ଦେଇଥିଲେ। ସେ ସମୟର ନିରକ୍ଷର କୃଷକ ନୂଆ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇ ସରକାରଙ୍କୁ ସହଯୋଗ କରିଥିଲେ। ଚାହୁଁଚାହୁଁ ଦେଶରେ ଶସ୍ୟ ଭଣ୍ଡାର ପୂରି ଉଠିଥିଲା। ପରବର୍ତ୍ତୀ ସମୟରେ ଅଧିକ ଉତ୍ପାଦନ ପାଇଁ ଚାଷୀ କ୍ଷେତରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରିବାରେ ଲାଗିଲା। ଆଜି ପରିସ୍ଥିତି ଏପରି ହୋଇଛି ଯେ କ୍ଷେତରେ ରାସାୟନିକ ସାର ଓ କୀଟନାଶକ କେତେ ମାତ୍ରାରେ ପ୍ରୟୋଗ ହେବ ତାହା କୃଷି ବିଜ୍ଞାନୀ ସ୍ଥିର କରୁଛନ୍ତି।

ଏହାର ପ୍ରୟୋଗ ରୋକିବାକୁ କୃଷକଙ୍କୁ ସେମାନେ ସଚେତନ କରାଉଛନ୍ତି। ଆଜିର ସବୁଠାରୁ ବଡ଼ ପ୍ରଶ୍ନ ହେଲା-ରାସାୟନିକ ସାର ଓ କୀଟନାଶକ କ୍ଷେତରେ ପ୍ରୟୋଗ ନକରିବାକୁ କୃଷକଙ୍କୁ ବୁଝାଯିବ କିପରି ? ବୈଷୟିକ ଜ୍ଞାନ ଅଭାବରୁ କୃଷକମାନେ ଭାବୁଛନ୍ତି ରାସାୟନିକ ସାର, କୀଟନାଶକ ଓ ଅତ୍ୟଧିକ ପାଣି ପ୍ରୟୋଗ କଲେ ଚାଷ ଭଲ ହେବ। ରାସାୟନିକ ସାର ଅଧିକ ପ୍ରୟୋଗ କଲେ କ୍ଷେତ କୃଷି ଉପଯୋଗୀ ରହିବ ନାହିଁ ବୋଲି ସେମାନେ ଭାବୁ ନାହାନ୍ତି। କ୍ଷେତର ଜଳ ବିଷାକ୍ତ ହୋଇ ଯାଉଛି। ଏସବୁର ପ୍ରୟୋଗ ହେତୁ ପଞ୍ଜାବର କୃଷକମାନେ କର୍କଟ ଓ ଶ୍ବାସ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅବଶ୍ୟ ବିକଶିତ ଦେଶଗୁଡ଼ିକ ତୁଳନାରେ ଭାରତରେ ରାସାୟନିକ ସାର କମ୍‌ ମାତ୍ରାରେ ବ୍ୟବହାର ହୋଇଥାଏ। ତେବେ ଜମିର ମାଟି ଓ କୃଷକଙ୍କ ପାଇଁ ଏହା ବିପଦପୂର୍ଣ୍ଣ।

ଦେଶରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ହେବ। ଏମାନଙ୍କ ପାଇଁ ରାସାୟନିକ ସାର ଲାଭପ୍ରଦ ନୁହେଁ। ଫସଲ ଅବଶେଷକୁ କ୍ଷେତରେ ପୋତି ଖତ ମାଧ୍ୟମରେ ରାସାୟନିକ ସାରକୁ ଅପସାରଣ କରିହେବ। ତେବେ ଉତ୍ତର ଭାରତର କୃଷକମାନେ ଏହି ଅବଶେଷକୁ କ୍ଷେତରେ ଜାଳି ନଷ୍ଟ କରୁଛନ୍ତି। ଦେଶରେ ଫସଲ ଅବଶେଷ ପ୍ରତି ବର୍ଷ ପ୍ରାୟ ୬୫ କୋଟି ଟନ ବାହାରି ଥାଏ। ତେବେ କୃଷକ ଏସବୁକୁ ମାଟିରେ ମିଶାଇ ପାରେ ନାହିଁ। ବଜାରରେ ସହଜରେ ଉପଲବ୍ଧ ରାସାୟନିକ ସାର କ୍ଷେତରେ ପ୍ରୟୋଗ କରିଥାଏ। ଏହା ବ୍ୟତୀତ କୃଷକ ନିକଟରେ ବଡ଼ ଯାନ୍ତ୍ରିକ ସାଧନ ନାହିଁ। ନୂଆ ଫସଲ ପାଇଁ ସ୍ବଳ୍ପ ଅବଧି ମୌସୁମି ଉପରେ ନିର୍ଭର କରିବାକୁ ପଡ଼ିଥାଏ।

ଏହାର ଏକମାତ୍ର ସମାଧାନ ହେଉଛି ଫସଲ ଅବଶେଷକୁ ମାଟିରେ ମିଶାଉଥିବା ଯନ୍ତ୍ରାଂଶ ସୁଲଭ ମୂଲ୍ୟରେ ସରକାର କୃଷକମାନଙ୍କୁ ଯୋଗାଇ ଦେବା ଆବଶ୍ୟକ। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ସାର ଉପରେ ୧.୪ ଲକ୍ଷ କୋଟି ଟଙ୍କା ରିଆତି ପ୍ରଦାନ କରିଛନ୍ତି। ଏସବୁ ସତ୍ତ୍ବେ ମଧ୍ୟ କୃଷି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ମାତ୍ର ୧୮ ପ୍ରତିଶତ ରହିଛି। ଚାଷ ଛାଡ଼ି ଅନ୍ୟ ରୋଜଗାର ପାଇଁ କୃଷକମାନେ ଗାଁରୁ ସହରକୁ ପଳାୟନ କରୁଛନ୍ତି। ଦେଶର କୃଷକଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ନୁହେଁ। ଋଣରେ ଡୁବିଥିବା କୃଷକ ନିଜର ଭାବୀ ପିଢିକୁ ବଂଶର ଦାୟାଦ ସ୍ବରୂପ ଏହି ଋଣ ଟେକି ଦେଇ ଯାଉଛି। ସରକାରୀ ଯୋଜନା ହିଁ ବାଟବଣା ବୋଲି ଏଥିରୁ ବୁଝାପଡ଼ୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରିଆତି ଓ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ ) ସମାଲୋଚନା କରିଛି। କୃଷି ଉତ୍ପାଦ ମୂଲ୍ୟ ଉପରେ ଦଶ ପ୍ରତିଶତରୁ ଊର୍ଦ୍ଧ୍ବ ରିଆତି ଦେବା ଉପରେ ଡବ୍ଲ୍ୟୁଟିଓ କଟକଣା ଜାରି କରିଛି। ଯଦି କୌଣସି ଦେଶ ନିଜର କୃଷକଙ୍କୁ ଧାର୍ଯ୍ୟ ରିଆତିଠାରୁ ଅଧିକ ଦେଇଥାଏ ଉକ୍ତ ଦେଶର ରପ୍ତାନି ଉପରେ ଡବ୍ଲ୍ୟୁଟିଓ ପ୍ରତିବନ୍ଧକ ଲଗାଇଥାଏ। ଭାରତରେ ଆଖୁ ଚାଷୀଙ୍କୁ ମିଳୁଥିବା ରିଆତି ଉପରେ ବ୍ରାଜିଲ, ଅଷ୍ଟ୍ରେଲିଆ ଓ ଗୁଏଟମାଲା ପରି ଦେଶ ଆପତ୍ତି ଉଠାଇଥିଲେ। ୨୦୨୩ ସୁଦ୍ଧା ଆଖୁ ଚାଷୀଙ୍କୁ ଦିଆଯାଉଥିବା ରିଆତି ବନ୍ଦ କରିବାକୁ ହେବ ବୋଲି ଡବ୍ଲ୍ୟୁଟିଓ ଭାରତ ସରକାରଙ୍କୁ କହିଛି। ଆଗାମୀ ଦିନରେ ଏପରି କଟକଣା ଧାନ ଓ ଗହମ ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିବ।

ଏବେ ଦେଶରେ ପ୍ରତି କ୍ଷେତରେ ଗୋଟିଏ ଗାଡ଼ିଆ ଯୋଜନା ଲାଗୁ କରିବାକୁ ହେବ। ଏଠାରେ ସଂରକ୍ଷିତ ବର୍ଷାଜଳ କୃଷି ପାଇଁ ବ୍ୟବହାର କରିପାରିବ। କେତେକ ରାଜ୍ୟରେ କ୍ଷେତ-ଗାଡ଼ିଆ ଯୋଜନା ଜାରି ରହିଛି। ତେବେ ଏହାକୁ ମନରେଗା ସହିତ ଯୋଡ଼ା ଯାଇଛି। ଏଥିରେ ଦୁର୍ନୀତି ହେଉଥିବା ମଧ୍ୟ ଜଣାପଡ଼ିଛି। ମନରେଗାରେ ଯାନ୍ତ୍ରିକ କାର୍ଯ୍ୟ କରିବାକୁ ମନା ହୋଇଥିବାବେଳେ ବୁଲଡୋଜର ଓ ଟ୍ରାକ୍ଟର ଲଗାଇ ଗାଡ଼ିଆ ଖୋଳା ଯାଉଛି। ପ୍ରାକୃତିକ ଉପାୟରେ କିପରି ଚାଷ କରାଯିବ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ କରିବା ଆବଶ୍ୟକ। ଏହା ବ୍ୟତୀତ ଜୈବିକ ପଦ୍ଧତିରେ କୃଷି ସଂକ୍ରାନ୍ତରେ କୃଷକମାନଙ୍କୁ ସଚେତନ କରାଯିବା ଆବଶ୍ୟକ। ଅବଶ୍ୟ ପୂର୍ବାପେକ୍ଷା ଚାଷୀମାନେ ଏବେ ଜୈବିକ କୃଷି ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଉଥିବା ଅନୁଦାନ ରାଶି ଯେପରି ଦୁରୁପଯୋଗ ନହୁଏ ସେଥିପ୍ରତି ସରକାରଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ। କୃଷି ଓ କୃଷକ ହିଁ ଦେଶର ମୂଳପିଣ୍ଡ। ଏହାର ଗୁରୁତ୍ବକୁ ଉପଲବ୍ଧି କରି ଦେଶର ସରକାର କୃଷକଙ୍କୁ ସବୁ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ଆବଶ୍ୟକ।

Comments are closed.