ପୁନଶ୍ଚ ମଣ୍ଡଳ-ମନ୍ଦିର

ନବେ ଦଶକରୁ ଉତ୍ତରପ୍ରଦେଶ ରାଜନୀତିକୁ ‘ମଣ୍ଡଳ’ ଓ ‘ମନ୍ଦିର’ ପ୍ରଭାବିତ କରିଆସିଥିବାବେଳେ ୨୦୨୨ ନିର୍ବାଚନ ମଧ୍ୟ ସେହି ଦିଗକୁ ଗତି କରୁଥିବା ଅନୁମେୟ

ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଗତ ଚାରିଦିନ ମଧ୍ୟରେ ଉତ୍ତରପ୍ରଦେଶର ଆଠ ଜଣ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ (ଯାହାଙ୍କ ମଧ୍ୟରେ ତିନିଜଣ ମନ୍ତ୍ରୀ ଅନ୍ତର୍ଭୁକ୍ତ) ଦଳରୁ ଇସ୍ତଫା ଦେବା ସେଠା ରାଜନୈତିକ ପାଣିପାଗକୁ ହଠାତ୍‌ ରୋଚକ କରିଦେଇଛି। ପଛୁଆ ବର୍ଗ ମତଦାତାଙ୍କ ନିକଟରେ ପ୍ରଭାବଶାଳୀ ଭାବମୂର୍ତ୍ତି ରହିଥିବା ସ୍ବାମୀପ୍ରସାଦ ମୌର୍ଯ୍ୟ ଓ ଧରମ ସିଂହ ସୈନିଙ୍କ ପରି ନେତା ବିଜେପି ଛାଡ଼ିବା ସେହି ଦଳପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତରେ ଆଗକୁ ଏପରି ‘ଆୟା ରାମ ଗୟା ରାମ’ ଦଳବଦଳ ପାଲା ସେଠାରେ ଆହୁରି ଦେଖିବାକୁ ମିଳିବ। ଯଦି ସେପରି ହୁଏ, ତେବେ ସମୀକରଣସବୁ ବଦଳିବା ନିଶ୍ଚିତ। ଏହା ଅବଶ୍ୟ ରାଜନୀତିରେ ନୂଆ କଥା ନୁହେଁ; କିନ୍ତୁ ବର୍ତ୍ତମାନ ସ୍ଥିତିରେ ଉତ୍ତର ପ୍ରଦେଶରେ ଏହି ଦଳବଦଳ ନୂତନ ସମୀକରଣଗୁଡ଼ିକୁ ଜନ୍ମ ଦେବା ସହ ‘ମଣ୍ଡଳ’ ଓ ‘ମନ୍ଦିର’ ରାଜନୀତିକୁ ଆଉ ଥରେ ସମ୍ମୁଖକୁ ଆଣିବାର ସମ୍ଭାବନା ସୃଷ୍ଟି କରିଛି; କାରଣ ଯେଉଁମାନେ ବିଜେପି ଛାଡ଼ୁଛନ୍ତି, ସେମାନେ ପ୍ରାୟ ସମାଜବାଦୀ ପାର୍ଟି (ଏସ୍‌ପି)ରେ ଯୋଗଦେଉଛନ୍ତି ବା ଆଗକୁ ଦେବାର ସମ୍ଭାବନା ମଧ୍ୟ ରହିଛି।

ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଧୀରେଧୀରେ ଜନସମର୍ଥନ ହରାଇଥିବାବେଳେ କେବଳ ଏସ୍‌ପି ହିଁ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେବ ବୋଲି କୁହାଯାଉଛି। ଆହୁରି ମଧ୍ୟ ଶ୍ରୀ ମୌର୍ଯ୍ୟ ଓ ସୈନି ଉଭୟ ଦଳିତ ଓ ପଛୁଆ ବର୍ଗ, କୃଷକ, ଶିକ୍ଷିତ ବେକାର, କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ବିଜେପି ସରକାର ଅବହେଳା କରିଥିବା ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ବିଜେପି ଯେତେବେଳେ ଉତ୍ତରପ୍ରଦେଶରେ ହିନ୍ଦୁତ୍ବ ରାଜନୀତିକୁ ଜୋର୍‌ ଦେଉଛି, ସେହି ସମୟରେ ଏମାନେ ଦଳିତ ଓ ପଛୁଆ ବର୍ଗ କଥା ଉଠାଇ ସମୀକରଣକୁ ମଣ୍ଡଳ ବନାମ ମନ୍ଦିର ରାଜନୀତି କରିବା ଚେଷ୍ଟାରେ ରହିଥିବା କୁହାଯାଇପାରେ। ଏପରି ସମୀକରଣ ଏସ୍‌ପିକୁ ନିଶ୍ଚୟ ସୁହାଇବ। ନବେ ଦଶକରୁ ମଣ୍ଡଳ ଓ ମନ୍ଦିର ଉତ୍ତରପ୍ରଦେଶ ରାଜନୀତିକୁ ସଂଜ୍ଞାୟିତ କରିଆସିଥିବାବେଳେ ୨୦୨୨ ନିର୍ବାଚନ ମଧ୍ୟ ସେହି ଗତିରେ ଯାଉଥିବା କୁହାଯାଇପାରେ।

ନବେ ଦଶକରୁ ମଣ୍ଡଳ ରାଜନୀତି ଜାତିଗତ ପରିଚିତି ଲଢ଼େଇକୁ ସମ୍ମୁଖକୁ ଆଣିଥିବାବେଳେ ରାଜନୈତିକ ଦଳଗୁଡ଼ିକ ଦଳିତ ଓ ପଛୁଆ ବର୍ଗର ଉତ୍‌ଥାନ କଥା କହି ଭୋଟ ମାଗିଛନ୍ତି। ସେହି ସମୟରେ ବିଜେପି ସେଠାକାର ହିନ୍ଦୁ ସମାଜର ସଂରକ୍ଷକ ବୋଲି ଦାବି କରିବା ସହ ସେମାନଙ୍କର ଭୋଟ ହାତେଇବାରେ ସଫଳ ହୋଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଅଜୟ ମୋହନ ବିଷ୍ଟ୍‌ ଓରଫ୍‌ ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିବା ପରଠାରୁ ହିନ୍ଦୁତ୍ବ ସହିତ ରାଷ୍ଟ୍ରବାଦ ଓ ବିକାଶକୁ ଯୋଡ଼ି ନିଜ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିପାରିଛନ୍ତି। କହିବା ବାହୁଲ୍ୟ ଯେ ତାଙ୍କର ଏହି କୌଶଳ ଦ୍ବାରା ମଣ୍ଡଳ ରାଜନୀତିର ହିତାଧିକାରୀ ଏସ୍‌ପି ଓ ବିଏସ୍‌ପି ବେଶ୍‌ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାର ଆଉ ଏକ କାରଣ ହେଲା, ବିଜେପି କେବଳ ହିନ୍ଦୁ ଭୋଟକୁ ନିଜର କରିନାହିଁ, ବରଂ ମଣ୍ଡଳ ରାଜନୀତିକୁ ହରାଇବା ପାଇଁ ନିଜେ ମଣ୍ଡଳର ମଧ୍ୟ ସାହାରା ନେଇଛି। ୨୦୧୪ ସାଧାରଣ ନିର୍ବାଚନରେ ତା’ର ବିଜୟର ଏହା ଅନ୍ୟତମ ପ୍ରମୁଖ କାରଣ ଥିଲା।

୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଏହି କୌଶଳ ଆପଣାଇ ସଫଳତା ହାସଲ କରିଥିଲା। ଉତ୍ତର ପ୍ରଦେଶର ଜନସାଧାରଣ ଜାତିଗତ ସମୀକରଣରେ କେତେ ବିଶ୍ବାସ କରନ୍ତି, ଏହା ତା’ର ପ୍ରମାଣ। ବିଜେପିର ଏହି କୌଶଳ କିନ୍ତୁ ଦେଶର ଅନ୍ୟ ରାଜ୍ୟର ନିର୍ବାଚନଗୁଡ଼ିକରେ କାମ କରିନଥିଲା। ଏହା ସ୍ବାଭାବିକ ଥିଲା; କାରଣ ଉତ୍ତରପ୍ରଦେଶ ବ୍ୟତୀତ ପ୍ରକୃତରେ ମନ୍ଦିର ରାଜନୀତି ଅନ୍ୟପାଇଁ ସେତେ ଆକର୍ଷଣୀୟ ନଥିଲା, ବରଂ ଜନସାଧାରଣଙ୍କ ପାଇଁ ବିକାଶ, ସାମାଜିକ ନ୍ୟାୟ ଆଦି ପ୍ରମୁଖ ପ୍ରସଙ୍ଗ ରହିଥିଲା। ଏବେ ବିଜେପିର ସାମାଜିକ ସମୀକରଣଗତ ପ୍ରତିଷ୍ଠାକୁ ପ୍ରତିହତ କରିବାପାଇଁ ଏସ୍‌ପି ଦଳିତ, ପଛୁଆ ବର୍ଗ (ଓବିସି)ଙ୍କୁ ନେଇ ଗଢ଼ିଉଠିଥିବା ବିଭିନ୍ନ ସଂଗଠନକୁ ଏକାଠି କରି ମେଣ୍ଟ ଗଢ଼ିବାରେ ଲାଗିଛି। ଏହା ତା’ର ନିର୍ବାଚନ ବିଜୟରେ କେତେ ସାହାଯ୍ୟ କରିବ, ତାହା ଭବିଷ୍ୟତ କହିବ; ତେବେ ଏହା ସତ୍ୟ ଯେ ବିଜେପିର ପ୍ରମୁଖ ନେତାଙ୍କୁ ଯଦି ଏସ୍‌ପି ନିଜ ସପକ୍ଷକୁ ଆଣିପାରିବ, ତେବେ ତାହା ବିଜେପି ପାଇଁ କ୍ଷତିକାରକ ହେବାର ସମ୍ଭାବନା ଅଧିକ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଜାଣନ୍ତି ଯେ ଏକାକୀ ବିଜେପିକୁ ପରାଜିତ କରିବା ଏକ କଠିନ କାର୍ଯ୍ୟ ହେବ; ତେଣୁ ସେ ବିଭିନ୍ନ ରାଜନୈତିକ ଦଳ ସମେତ ଛୋଟବଡ଼ ଜାତିବାଦୀ ସଂଗଠନଗୁଡ଼ିକର ମଧ୍ୟ ସମର୍ଥନ ମାଗୁଛନ୍ତି। ଆର୍‌ଏଲ୍‌ଡି ଭଳି ଜାଟ୍‌-କୈନ୍ଦ୍ରିକ ଦଳ ସହ ପୁଣି ଥରେ ମେଣ୍ଟ କରିଛନ୍ତି। ସେହିପରି କୁର୍ମି, ମୌର୍ଯ୍ୟ ଆଦିଙ୍କୁ ନିଜ ସପକ୍ଷକୁ ଆଣିବାପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏସବୁର ପ୍ରଭାବ ଚଳିତ ବିଧାନସଭା ନିର୍ବାଚନ ଉପରେ ନିଶ୍ଚୟ ଅନୁଭୂତ ହେବ। ତେବେ ବିଜେପି ମଧ୍ୟ ତା’ର କୌଶଳ ପ୍ରୟୋଗ ଏବଂ ସାଂଗଠନିକ କ୍ଷେତ୍ରରେ ପଛରେ ନାହିଁ। ଏହାର ପ୍ରଭାବ ମଣ୍ଡଳ-ମନ୍ଦିର ରାଜନୀତି ଭିତରେ କିଏ ଜିତାପଟ ହାସଲ କରୁଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।

Comments are closed.