ସମ୍ବିଧାନ ଓ ମୌଳିକ କର୍ତ୍ତବ୍ୟ

0

ଗୋଧନେଶ୍ବର ହୋତା

କର୍ତ୍ତବ୍ୟପାଳନ ପାଇଁ ଯୁଦ୍ଧ କ୍ଷେତ୍ରରେ ସୈନିକ ଶତୃପକ୍ଷର ଅଜଣା ଅଶୁଣା ସୈନ୍ୟଙ୍କୁ ମାରୁଛନ୍ତି ଓ ନିଜେ ମରି ସହିଦ ହେଉଛନ୍ତି। ବିଚାରପତି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କଲାବେଳେ ତାଙ୍କ ଅନ୍ତରାତ୍ମା ଆନ୍ଦୋଳିତ ହେଲେ ମଧ୍ୟ ମୃତ୍ୟୁଦଣ୍ଡ ଆଦେଶ ଦିଅନ୍ତି ଓ ତାହାହିଁ ତାଙ୍କ କର୍ତ୍ତବ୍ୟର ନିଦର୍ଶନ। ସନ୍ତାନସନ୍ତତିମାନଙ୍କୁ ସମାଜରେ ମଣିଷ ପରି ମଣିଷଟିଏ କରି ଗଢ଼ିତୋଳିବା ପାଇଁ ପିତାମାତାଙ୍କ ଅହରହ ପରିଶ୍ରମ, ତ୍ୟାଗ ଓ ତପସ୍ୟା ହିଁ ତ ତାଙ୍କ କର୍ତ୍ତବ୍ୟ। ଧରାପୃଷ୍ଠରେ ସମସ୍ତେ କେବଳ କିଛି ଲିଖିତ ଓ କିିଛି ଅଲିଖିତ କର୍ତ୍ତବ୍ୟରେ ହିଁ ବନ୍ଧା। ଯଦି ମଣିଷ ମାତ୍ରକେ କର୍ମ କରିବାକୁ ବାଧ୍ୟ, ତା’ହେଲେ ପ୍ରତ୍ୟେକ ବ୍ୟକ୍ତି କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ ପ୍ରତି ସଚେତନ ହୋଇ କର୍ମ କରିବା ଏକାନ୍ତ ବାଞ୍ଛନୀୟ, କାରଣ ଯେଉଁ ସବୁ କର୍ମ ଦ୍ବାରା ନିଜର, ପରିବାରର, ସମାଜର, ରାଷ୍ଟ୍ରର ତଥା ସର୍ବୋପରି ଜଗତର ମଙ୍ଗଳ ସାଧିତ ହେବାର ସମ୍ଭାବନା ରହିଛି ସେଗୁଡ଼ିକ ହିଁ କରଣୀୟ, ଅର୍ଥାତ କର୍ତ୍ତବ୍ୟ, ଅନ୍ୟସବୁ କର୍ମ ଅନୁଚିତ, ଅକରଣୀୟ ବା ଅକର୍ତ୍ତବ୍ୟ।
ଏହି ଦୃଷ୍ଟିରୁ ବିଚାର କଲେ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ଭିନ୍ନଭିନ୍ନ ପରିସ୍ଥିତିରେ ତଥା ଭିନ୍ନଭିନ୍ନ ସମୟରେ ଭିନ୍ନଭିନ୍ନ ହୋଇପାରେ। ଯଥା- ନିଜପାଇଁ କର୍ତ୍ତବ୍ୟ, ପାରିବାରିକ କର୍ତ୍ତବ୍ୟ, ସାମାଜିକ କର୍ତ୍ତବ୍ୟ, ରାଷ୍ଟ୍ରୀୟ କର୍ତ୍ତବ୍ୟ, ଧାର୍ମିକ କର୍ତ୍ତବ୍ୟ ଇତ୍ୟାଦି। ବିଭିନ୍ନ ପ୍ରକାର କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ୁଥିବାରୁ ଅନେକ ସମୟରେ କର୍ତ୍ତବ୍ୟଗୁଡ଼ିକ ମଧ୍ୟରେ ସଂଘର୍ଷ ଉତ୍ପନ୍ନ ହେବା ମଧ୍ୟ ସ୍ବାଭାବିକ। ଏପରି ସ୍ଥଳେ ବ୍ୟକ୍ତିଟି ସ୍ବତଃସ୍ଫୂର୍ତ୍ତ ଭାବେ ଆପଣାର ବୃଦ୍ଧିର ପ୍ରୟୋଗ କରି ଶ୍ରେୟସ୍କର କର୍ମଟି ବାଛିନେବା ଉଚିତ୍‌। ଏହାର ଅଭାବରେ ବ୍ୟକ୍ତିଠାରୁ ଊର୍ଦ୍ଧ୍ବରେ ଥିବା କୌଣସି ବ୍ୟକ୍ତି, ସଂସ୍ଥା, ସଂଗଠନ ବା ସରକାର ଏକ ନିର୍ଦିଷ୍ଟ କର୍ତ୍ତବ୍ୟପାଳନ କରିବା ନିମନ୍ତେ ବ୍ୟକ୍ତିକୁ ପ୍ରଚୋଦିତ କିମ୍ବା ବାଧ୍ୟ କରିପାରନ୍ତି। ଏହି ପରିପ୍ରେକ୍ଷୀରେ ପରିବାରର ହିତ ପାଇଁ ଜଣକ ପ୍ରତି, ସମାଜର ହିତପାଇଁ ପରିବାର ପ୍ରତି, ଦେଶର ହିତ ପାଇଁ ସମାଜ ପ୍ରତି ଏବଂ ବିଶ୍ବର କଲ୍ୟାଣ ନିମନ୍ତେ ଦେଶ ପ୍ରତି କର୍ତ୍ତବ୍ୟ ଗୌଣ ବୋଲି ବିଚାର କରାଯିବ। ବୋଧହୁଏ ଏହାକୁ ହୃଦୟଙ୍ଗମ କରି ପରବର୍ତ୍ତୀ କାଳରେ ମୌଳିକ କର୍ତ୍ତବ୍ୟ ସମୂହକୁ ଭାରତୀୟ ସମ୍ବିଧାନରେ ସନ୍ନିବେଶିତ କରାଯାଇଛି।
ସମ୍ବିଧାନର ଭାଗ iv-କର ଅନୁଚ୍ଛେଦ ୫୧-‘କ’ରେ ଭାରତର ନାଗରିକମାନଙ୍କ ଉପରେ​ କେତୋଟି ମୌଳିକ କର୍ତ୍ତବ୍ୟ ଅର୍ପଣ କରାଯାଇଛି। ପ୍ରକାଶଥାଉକି ମୌଳିକ କର୍ତ୍ତବ୍ୟ ଭାଗଟି, ଅର୍ଥାତ୍‌ ଅନୁଚ୍ଛେଦ ୫୧-କ ଟି ସ୍ମରଣ ସିଂ କମିଟିଙ୍କ ସୁପାରିସ୍‌ କ୍ରମେ ୧୯୭୬ ମସିହାରେ ସମ୍ବିଧାନର ୪୨ତମ ସଂଶୋଧନ ବଳରେ ପ୍ରଥମେ ୧୦ଟି ପରବର୍ତ୍ତୀ ଅବସ୍ଥାରେ ୨୦୦୨ ମସିହାରେ ଆଉ ଗୋଟିଏର ଏପରି ସର୍ବମୋଟ ୧୧ଗୋଟି ମୌଳିକ କର୍ତ୍ତବ୍ୟ ଅନ୍ତର୍ଭୁକ୍ତ ହୋଇଛି।
ସମ୍ବିଧାନରେ ଯେଉଁ ଏଗାରଟି ମୌଳିକ କର୍ତ୍ତବ୍ୟ ବିହିତ ହୋଇଛି ସେଗୁଡ଼ିକ ହେଲା ସମ୍ବିଧାନର ଅନୁପାଳନ କରିବା ଓ ତାହାର ଆଦର୍ଶ, ଅନୁଷ୍ଠାନ, ଜାତୀୟପତାକା ଓ ଜାତୀୟ ସଂଗୀତର ଆଦର କରିବା, ସ୍ବାଧୀନତା ହାସଲ ପାଇଁ ଆମର ରାଷ୍ଟ୍ରୀୟ ଆନ୍ଦୋଳନ ପାଇଁ ଅନୁପ୍ରାଣିତ କରିଥିବା ସେହି ଉଚ୍ଚ ଆଦର୍ଶକୁ ମନ ଓ ହୃଦୟରେ ପୋଷଣ କରିବା ଓ ତାହାର ପାଳନ କରିବା, ଭାରତର ସାର୍ବଭୌମତା, ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା, ଦେଶର ରକ୍ଷାକରିବା ଓ ଯଦି ଆହ୍ବାନ ଦିଆଯାଏ ତେବେ ଦେଶର ସେବାରେ ନିଜକୁ ଉତ୍ସର୍ଗ କରିବା, ଭାରତର ଲୋକମାନଙ୍କ ମଧ୍ୟରେ ସଦ୍‌ଭାବନା ଓ ସମାନ ଭ୍ରାତୃଭାବର ଭାବନା ପ୍ରୋତ୍ସାହିତ କରି ଧର୍ମ, ଭାଷା ଓ ଆଞ୍ଚଳିକ ବା ଗୋଷ୍ଠୀଗତ ଭେଦଭାବର ଊର୍ଦ୍ଧ୍ବରେ ରଖିବା ଓ ଏପରି କୌଣସି ପ୍ରଥା ବା ଗୋଷ୍ଠୀଗତ ଭେଦଭାବର ଚଳଣିକୁ ପରିତ୍ୟାଗ କରିବା ଯାହା ନାରୀମାନଙ୍କ ଆତ୍ମସମ୍ମାନର ବିରୁଦ୍ଧାଚରଣ କରୁଥିବ, ଆମର ସାମାଜିକ ସଂସ୍କୃତି ଓ ସଂସ୍କାରର ଗୌରବମୟ ପରମ୍ପରାର ମହତ୍ତ୍ବ ବୁଝିବା ଓ ତାହାର ଅନୁରକ୍ଷଣ କରିବା ଓ ବଜାୟ ରଖିବା; ଜଙ୍ଗଲ, ଝରଣା, ନଦୀ ଓ ବନ୍ୟପ୍ରାଣୀଙ୍କ ସମେତ ଆମର ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବା ଓ ବିକଶିତ କରିବା ସଙ୍ଗେସଙ୍ଗେ ‘ଜୀବେଦୟା’ ମନୋଭାବ ପୋଷଣ କରିବା, ବୈଜ୍ଞାନିକ ଦୃଷ୍ଟିକୋଣ, ମାନବବାଦ, ଜିଜ୍ଞାସା ଓ ସଂସ୍କାର ଭାବନାର ବିକାଶ କରିବା, ଜନସାଧାରଣ ସମ୍ପତ୍ତିର ସୁରକ୍ଷା କରିବା ଓ ହିଂସାଠାରୁ ଦୂରରେ ରହିବା, ବ୍ୟକ୍ତିଗତ ଓ ସାମୂହିକ କାର୍ଯ୍ୟକଳାପର ସମସ୍ତ କ୍ଷେତ୍ରରେ ଉତ୍କୃଷ୍ଟ ପଥରେ ଆଗେଇଯିବା ପାଇଁ ସବୁପ୍ରକାରର ପ୍ରଚେଷ୍ଟା କରିବା ଯାହା ଫଳରେ ଦେଶ ନିରବଚ୍ଛିନ୍ନ ଭାବେ ଆଗେଇଯିବା ପାଇଁ ଅବିରତ ଉଦ୍ୟମ ଓ ଲକ୍ଷ୍ୟ ସାଧନର ନୂଆନୂଆ କୀର୍ତ୍ତିମାନ ହାସଲ କରିପାରିବ ଓ ପିତାମାତା ବା ଯଥାସ୍ଥିତି ନାବାଳକର ତତ୍ତ୍ବାବଧାରକ, ଛଅବର୍ଷରୁ ଚଉଦବର୍ଷର ଶିଶୁମାନଙ୍କୁ ଉପଯୁକ୍ତ ଶିକ୍ଷାପ୍ରଦାନର ସୁଯୋଗ ଯୋଗାଇଦେବା ଇତ୍ୟାଦି।
ତେବେ ଏଠି ପ୍ରଶ୍ନ ଉଠେ ସମ୍ବିଧାନପ୍ରଣେତାମାନେ କାହିଁକି ମୂଳରୁ ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କଲେ ସିନା ମୌଳିକ କର୍ତ୍ତବ୍ୟ ବିଷୟରେ ଚିନ୍ତାକଲେ ନାହିଁ ଓ କେଉଁ କାରଣରୁ ସମ୍ବିଧାନ ପ୍ରଣୀତ ହେବାର ୨୬ବର୍ଷ ପରେ ମୌଳିକ କର୍ତ୍ତବ୍ୟ ସମ୍ବିଧାନରେ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ଅନୁଭୂତ ହେଲା। ଏହାର ସମ୍ଭାବ୍ୟ କାରଣ ହୁଏତ ଏହା ହୋଇପାରେ ଯେ ସଭ୍ୟ ସମାଜରେ ଦାୟିତ୍ବସମ୍ପନ୍ନ ବ୍ୟକ୍ତିଙ୍କୁ କୌଣସି କର୍ତ୍ତବ୍ୟ ପାଳନ କରିବାକୁ କୁହାଯାଇନଥାଏ। କାରଣ ସେମାନେ ସେମାନଙ୍କ ନିଜନିଜ କର୍ତ୍ତବ୍ୟ ପ୍ରତି ସର୍ବଦା ସଚେତନ ଓ ତେଣୁ ଦାୟିତ୍ବସମ୍ପନ୍ନ ଭାରତର ନାଗରିକମାନଙ୍କୁ କୌଣସି ମୌଳିକ କର୍ତ୍ତବ୍ୟ ମୂଳରୁ ସମ୍ବିଧାନରେ ଅର୍ପଣ କରାଯାଇନଥିଲା ଓ ଆଶା କରାଯାଉଥିଲା ଯେ ସେମାନେ ସ୍ବତଃପ୍ରବୃତ୍ତ ଭାବେ ଦେଶ ପାଇଁ ଆପଣାର କର୍ତ୍ତବ୍ୟମାନ ସମ୍ପାଦନ କରିବେ; କିନ୍ତୁ ବାସ୍ତବରେ ଲୋକେ ସେମାନଙ୍କ ମୌଳିକ ଅଧିକାର ଜାହିର କରିବାରେ ଯେତିକି ଆଗ୍ରହ ପ୍ରକାଶ କଲେ ତଦନୁସାରେ ମୌଳିକ କର୍ତ୍ତବ୍ୟ ପ୍ରତି ଉଦାସୀନ ରହିଲେ। ଫଳରେ ସମ୍ବିଧାନରେ ମୌଳିକ କର୍ତ୍ତବ୍ୟ ଭାଗ ଯୋଡ଼ାଯାଇ ଏକ ଗଣତାନ୍ତ୍ରିକ ସନ୍ତୁଳନ ରକ୍ଷା କରାଗଲା। କର୍ତ୍ତବ୍ୟ ବଦଳେ ଅଧିକାରର ପ୍ରାକ୍‌ ସର୍ତ୍ତର ଭିତ୍ତିପ୍ରସ୍ତର ସ୍ଥାପିତ ହେଲା।
ଏତଦ୍‌ଭିନ୍ନ ଆଉ ଯେଉଁସବୁ ଅନ୍ୟାନ୍ୟ ନିର୍ଦିଷ୍ଟ କାରଣ ରହିଛି ତାହା ହେଲା ଏହି କର୍ତ୍ତବ୍ୟଗୁଡ଼ିକ ନାଗରିକମାନଙ୍କୁ ସର୍ବଦା ମନେ ପକାଇଦେବ ଯେ ଯେପରି ସେମାନଙ୍କର କେତେକ ମୌଳିକ ଅଧିକାର ରହିଛି ସେହିପରି ସେମାନଙ୍କ କିଛି ମୌଳିକ କର୍ତ୍ତବ୍ୟ ମଧ୍ୟ ରହିଛି। ଜାତୀୟ ପତାକା ପୋଡ଼ିଦେବା, ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଆଦି ପରି ଦେଶ ବିରୋଧୀ ଓ ସମାଜ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଏହା ଏକ ଚେତାବନୀ ଭାବେ କାର୍ଯ୍ୟ କରିବ। ତା’ ବାହାରେ ଏହି କର୍ତ୍ତବ୍ୟଗୁଡ଼ିକ ନାଗରିକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସଙ୍ଗେସଙ୍ଗେ ସେମାନଙ୍କ ମଧ୍ୟରେ ଶୃଙ୍ଖଳା ଭାବ ଓ ପରସ୍ପର ମଧ୍ୟରେ ଶାନ୍ତି, ମୈତ୍ରୀ ସ୍ଥାପନ ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ପ୍ରୋତ୍ସାହିତ କରିବ। ଜାତୀୟ ବିକାଶର ଲକ୍ଷ୍ୟ ଦିଗରେ ନାଗରିକମାନେ କେବଳ ନିରବଦ୍ରଷ୍ଟା ନ ହୋଇ ଲକ୍ଷ୍ୟ ହାସଲ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ସକ୍ରିୟ ଅଂଶଗ୍ରହଣର ଏକ ଭାବ ସୃଷ୍ଟି କରିବ। ନାଗରିକମାନେ ଅନୁଭବ କରିବେ ଯେ ଦେଶର ବିକାଶରେ ସେମାନଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଅତୀତରେ ଦେଶ ଚଳାଇବା କାର୍ଯ୍ୟ କେବଳ ଅମଲାତନ୍ତ୍ରର ଦାୟିତ୍ବରେ ଥିଲା ଓ ସାଧାରଣ ଲୋକେ ଦେଶର ପ୍ରଶାସନରେ ଯେ ଭାଗୀଦାର ଏ ପ୍ରକାର ମନୋଭାବ ସୃଷ୍ଟି ହୋଇପାରୁନଥିଲା ଓ ଫଳ ସ୍ବରୂପ ସରକାର ତଥା ପ୍ରଶାସନ ବିରୋଧରେ ଲୋକେ ସେମାନଙ୍କ ଅସନ୍ତୋଷ ଓ ରୋଷ ପ୍ରଦର୍ଶନ ପାଇଁ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହିତ ଦେଶର ଭବିଷ୍ୟତ ବିଷୟରେ ନୈରାଶ୍ୟ ଭାବ ପୋଷଣ କରୁଥିଲେ। ମୌଳିକ କର୍ତ୍ତବ୍ୟ ସାଧାରଣତଃ ଦୁଇ ପ୍ରକାରର। ପ୍ରଥମଟି ହେଲା ନୈତିକ କର୍ତ୍ତବ୍ୟ ଓ ଦ୍ବିତୀୟଟି ହେଲା ଉତ୍ତମ ନାଗରିକଙ୍କ କର୍ତ୍ତବ୍ୟ।
ଉଲ୍ଲେଖଯୋଗ୍ୟ ଯେ ଏହି ମୌଳିକ କର୍ତ୍ତବ୍ୟଗୁଡ଼ିକ ଯଦି କେହି ସମ୍ପାଦନ ନ କରନ୍ତି ତେବେ ଅନ୍ୟ କୌଣସି ଆଇନରେ ଯଦି ଉଲ୍ଲଙ୍ଘନଜନିତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ନଥାଏ ତେବେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ, ଅର୍ଥାତ୍‌ ଏହି କର୍ତ୍ତବ୍ୟଗୁଡ଼ିକର କୌଣସି ସାମ୍ବିଧାନିକ ବାଧ୍ୟବାଧକତା ନାହିଁ। ଏହା ନ୍ୟାୟାଳୟରେ ପ୍ରବର୍ତ୍ତନଶୀଳ ନୁହେଁ। ଏହା କେବଳ ଭାରତୀୟ ନାଗରିକମାନଙ୍କୁ ଦେଶ ଓ ଜାତିର ବିକାଶ ଧାରାରେ ସାମିଲ ହୋଇ ଦେଶକୁ ଆଗେଇ ନେବାପାଇଁ ଏକ ନୈତିକ ଆହ୍ବାନ। ଏହି କର୍ତ୍ତବ୍ୟଗୁଡ଼ିକ କେବଳ ମାତ୍ର ନାଗରିକମାନଙ୍କୁ ହିତୋପଦେଶ ଭାବେ ମଧ୍ୟ ଅର୍ଥ କରାଯିବ ନାହିଁ। ନାଗରିକମାନେ ସମ୍ବିଧାନର ଏହି ମୌଳିକ କର୍ତ୍ତବ୍ୟଗୁଡ଼ିକୁ ପାଳନ କରିବାକୁ ନୈତିକ ରୂପେ ଓ ଔଚିତ୍ୟ ଦୃଷ୍ଟିରୁ ବାଧ୍ୟ। ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟଗୁଡ଼ିକୁ ରୂପାୟିତ କରିବାପାଇଁ ନ୍ୟାୟାଳୟ ଅନ୍ୟାନ୍ୟ ସୁସଂଗତ ଆଇନର ବ୍ୟବସ୍ଥାଗୁଡ଼ିକୁ ବିଚାରର ପରିସର ମଧ୍ୟକୁ ଆଣିପାରିବେ। ମୌଳିକ କତ୍ତର୍ବ୍ୟକୁ ସମ୍ବିଧାନରେ ଭର୍ତ୍ତି କରିବାର ଆଉ ଏକ ଉଦ୍ଦେଶ୍ୟ ହେଲା ଏହା ଫଳରେ ବ୍ୟକ୍ତି ବିଶେଷଙ୍କ ସାମାଜିକ ସ୍ବାଧୀନତା ଓ ସାମାଜିକ ଦାୟିତ୍ବ ମଧ୍ୟରେ ଏକ ଉତ୍ତମ ସମନ୍ବୟ ଓ ସନ୍ତୁଳନ ରକ୍ଷା କରାଯାଇ ପାରିବ; କାରଣ ଅଧିକାର ଓ କର୍ତ୍ତବ୍ୟ ଉଭୟ ଅବିଚ୍ଛେଦ୍ୟ ଓ ଅଙ୍ଗାଙ୍ଗୀଭାବେ ବନ୍ଧା।
ଭାରତ ଏକ ଭିନ୍ନତାରେ ଏକତାର ଦେଶ। ବିଭିନ୍ନ ଜାତି, ଧର୍ମ, ଭାଷା, ଗୋଷ୍ଠୀ ଓ ବର୍ଣ୍ଣର ଲୋକେ ଶହଶହ ବର୍ଷଧରି ବସବାସ କରୁଥିବା ଏକ ପବିତ୍ର ଭୂଖଣ୍ଡ। ଏପରି ଏକ ବିଶାଳ ଦେଶରେ ଲୋକମାନଙ୍କୁ ଏକତ୍ରିତ ଓ ଅଖଣ୍ଡିତ କରି ରଖିବା ଓ ସେମାନେ ଯେପରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବେ ତାହା ସୁନିଶ୍ଚିତ କରିବା ଏକ ଦୁରୂହ ବ୍ୟାପାର। ତେବେ ଭାରତୀୟଙ୍କ ସବୁଠାରୁ ବଡ଼ ଦୁର୍ବଳତା ହେଲା ଭାରତର ପବିତ୍ର ଭୂମି, ଭାରତୀୟ ଜୀବନ ଶୈଳୀ ଓ ଭ୍ରାତୃଭାବ। ସାଧାରଣ ସମୟରେ ଯେତେ ମତଭେଦ ଥିଲେ ସୁଦ୍ଧା ଦେଶ ପ୍ରତି ଆପଦ ବିପଦବେଳେ ଏଠାକାର ବାସିନ୍ଦା ସେମାନଙ୍କ ମେଳି ଓ ଭାଇଚାରାର ପରାକାଷ୍ଠା ପ୍ରଦର୍ଶନର ତୁଳନା ନାହିଁ। ଏହାହିଁ ତ ଆମର ଐତିହ୍ୟ ଓ ବୈଶିଷ୍ଟ୍ୟ। ଏଥିପାଇଁ କବି ପ୍ରଦୀପଙ୍କ ଭାଷାରେ- ଏହା ସୁନାପକ୍ଷୀମାନଙ୍କ ବସାର ଦେଶ।

Leave A Reply