ଚୀନର ଶ୍ରୀଲଙ୍କା ଶିକାର

ଚୀନ୍‌ଠାରୁ ଋଣ ନେବା ଓ ଶୁଝି ନପାରିବା ଶ୍ରୀଲଙ୍କାକୁ ମହଙ୍ଗା ପଡ଼ିଛି।
ଭେନେଜୁଏଲା ପରି ଏହି ଦେଶ ଏବେ ଦେବାଳିଆ ହେବା ଉପରେ।

ଋଣ ଦେଇ ଭାରତର ପଡୋଶୀ ଦେଶମାନଙ୍କୁ ହାତକୁ ନେବା ଚୀନ୍‌ର ବୈଦେଶିକ ନୀତି। ପାକିସ୍ତାନ ପରେ ଏହି ଋଣ ଜାଲରେ ଏବେ ଶ୍ରୀଲଙ୍କା ପଡ଼ି ଯାଇଛି। ପାକିସ୍ତାନରେ ଯେପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ; ଏବେ ଶ୍ରୀଲଙ୍କାର ପରିସ୍ଥିତି ସେହିପରି। ଏହି ଦେଶ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ଦେଶର ମୁଦ୍ରାସ୍ଫୀତି ହାର ରେକର୍ଡ ୧୧.୧ ପ୍ରତିଶତ ସ୍ତରରେ ପହଞ୍ଚିଛି। କେବଳ ସେତିକି ନୁହେଁ; ସେଠାକାର ଲୋକମାନେ ମହଙ୍ଗା ମାଡର ସମ୍ମୁଖୀନ ହେଉଛନ୍ତି। ଶ୍ରୀଲଙ୍କାର ‘ଆଡଭୋକାଟା ଇନ୍‌ଷ୍ଟିଚ୍ୟୁଟ’ ପକ୍ଷରୁ ମୁଦ୍ରାସ୍ଫୀତି ସଂକ୍ରାନ୍ତରେ ତଥ୍ୟ ପ୍ରକାଶ ପାଇଛି। ଗୋଟିଏ ମାସରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଥିବା ଏଥିରେ କୁହାଯାଇଛି । ଗତବର୍ଷ ଅଗଷ୍ଟ ୩୦ରେ ଦେଶରେ ଜାତୀୟ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ରୁପି (ଶ୍ରୀଲଙ୍କାର ମୁଦ୍ରା) ମୂଲ୍ୟରେ ତୀବ୍ର ହ୍ରାସ ପାଇବା ତଥା ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବା ପରେ ସେଠାକାର ସରକାର ଜାତୀୟ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଚୀନ୍ ସମେତ ଅନେକ ଦେଶରୁ ନିଆଯାଇଥିବା ଋଣ ପରିଶୋଧ କରିବାରେ ଶ୍ରୀଲଙ୍କା ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ଫଳରେ ଏବେ ସେଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।

‘ଆଡଭୋକାଟା ଇନ୍‌ଷ୍ଟିଚ୍ୟୁଟ’ ତରଫରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ବର୍ଷ ନଭେମ୍ବର ରୁ ଡିସେମ୍ବର ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ପଦାର୍ଥର ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଥିଲା। ଦେଶରେ ମାସକ ତଳେ ୧୦୦ ଗ୍ରାମ ଲଙ୍କାର ମୂଲ୍ୟ ୧୮ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୭୧ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ଏକ କିଲୋଗ୍ରାମ ଲଙ୍କାର ମୂଲ୍ୟ ୭୧୦ ଟଙ୍କାରେ ବିକ୍ରି ହେଉଛି। ଗୋଟିଏ ମାସରେ ଲଙ୍କାର ମୂଲ୍ୟ ୨୮୭ ପ୍ରତିଶତ ବୃଦ୍ଧି ପାଇଛି। ଲଙ୍କା ବ୍ୟତୀତ କଦଳୀ ଦର ୫୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ପିଆଜର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଆମଦାନୀ ଅଭାବରୁ ଲୋକମାନେ ଏଠାରେ କ୍ଷୀର ପାଉଡର ମଧ୍ୟ ପାଇପାରୁ ନାହାନ୍ତି। ଶ୍ରୀଲଙ୍କାରେ ପ୍ରାୟ ସମସ୍ତ ପରିବା ଦର ତିନି ଅଙ୍କ ଟପିଛି। ଏକ କିଲୋଗ୍ରାମ ଆଳୁ, ଟମାଟୋ, ଭେଣ୍ଡି, ଗାଜରର ମୂଲ୍ୟ ୨୦୦ ରୁପିରୁ ଊର୍ଦ୍ଧ୍ବରେ ରହିଛି। ଶିମ୍ବ କିଲୋ ୩୨୦, ବାଇଗଣ ୧୬୦ ଓ କୋବି ୨୪୦ ଟଙ୍କାରେ ବିକ୍ରି ହେଉଛି।

କଲମ୍ବୋ ଗେଜେଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ଦ୍ୱିଗୁଣ କ୍ଷତିର ସମ୍ମୁଖୀନ ହୋଇଛି। ଗୋଟିଏ ହେଉଛି ଆର୍ଥିକ କ୍ଷତି ଓ ଅନ୍ୟଟି ହେଉଛି ବ୍ୟାବସାୟିକ କ୍ଷତି। ୨୦୧୪ ମସିହାରୁ ଶ୍ରୀଲଙ୍କାରେ ବୈଦେଶିକ ଋଣର ଭାର ମଧ୍ୟ କ୍ରମାଗତ ବୃଦ୍ଧି ପାଉଛି। ଅନ୍ୟଦେଶ ତୁଳନାରେ ଚୀନ୍‌ଠାରୁ ଏହି ଦେଶ ଅଧିକ ଅର୍ଥ ଋଣ ନେଇଛି। ୨୦୧୯ ମସିହାରେ ଏହି ଋଣ ଦେଶର ଜିଡିପିର ୪୨.୬ ପ୍ରତିଶତରେ ପହଞ୍ଚିଛି। ପ୍ରାୟ ୨୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ଏକ ଅଦୃଶ୍ୟ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ନଭେମ୍ବର ଶେଷ ସୁଦ୍ଧା ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ୧.୬ ବିଲିୟନ ଡ଼ଲାରରେ ପହଞ୍ଚି ଥିଲା। ଶ୍ରୀଲଙ୍କାର ବିରୋଧୀଦଳର ନେତା ତଥା ଅର୍ଥନୀତିଜ୍ଞ ହର୍ଷ ଦା ସିଲଭା ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଥିବା ସ୍ବୀକାର କରିଛନ୍ତି। ଯଦି ଏପରି ଅବସ୍ଥା ଜାରି ରହେ, ତେବେ ଆମଦାନୀ ବନ୍ଦ ହୋଇଯିବ। ସୂଚନା ଓ ପ୍ରଯୁକ୍ତି ଶିଳ୍ପ ସମୂହ ବନ୍ଦ ହୋଇଯିବ ା ଗୁଗୁଲ, ଟୁଇଟର ଓ ୟୁଟ୍ୟୁବ୍‌ ପରି ସାମାଜିକ ଗଣମାଧ୍ୟମ ବନ୍ଦ ହେବା ଉପରେ। କାରଣ ଏମାନଙ୍କୁ ଦେୟ ଦେବା ସ୍ଥିତିରେ ଶ୍ରୀଲଙ୍କା ନାହିଁ। ୨୦୨୦ ମସିହା ସୁଦ୍ଧା ଶ୍ରୀଲଙ୍କାର ମୋଟ ଘରୋଇ ଉତ୍ପାଦ ୮.୦୭୦.୬୬ କୋଟି ଆମେରିକୀୟ ଡଲାର ଥିଲା। ପ୍ରତିବର୍ଷ ବଜେଟର ସିଂହଭାଗ ଅର୍ଥ ସୁଧ ଆକାରରେ ଚୀନ୍‌କୁ ଦିଆଯାଇଥାଏ। ଏଣୁ ଦେଶ ଚଳାଇବା ପାଇଁ ଯେତିକି ଅର୍ଥ ଆବଶ୍ୟକ ଶ୍ରୀଲଙ୍କା ନିକଟରେ ସେତିକି ନଥାଏ। ଫଳରେ ବର୍ଷସାରା ବିଭିନ୍ନ ଦେଶରୁ ଋଣ ନେଇ ଯେନତେନ ପ୍ରକାରେ ଚଳି ଯାଇଥାଏ।

ଭାରତକୁ ବିଶ୍ବାସରେ ନେଇ ନଥିବାରୁ ଶ୍ରୀଲଙ୍କା ଆଜି ଏହି ଅସୁବିଧା ଭୋଗୁଛି। ଚୀନ୍‌ଠାରୁ ଋଣ ନନେବା ଓ ଚୀନ୍‌ କମ୍ପାନୀକୁ ଦେଶରେ ନପୂରାଇବା ପାଇଁ ଭାରତ ଶ୍ରୀଲଙ୍କାକୁ ସତର୍କ କରାଇ ଦେଇଥିଲା। ତେବେ ଶ୍ରୀଲଙ୍କା ସରକାର ଭାରତର ସତର୍କ ବାଣୀକୁ ଖାତିର କରି ନଥିଲେ। ଏବେ ଦେଶରେ ଆର୍ଥିକ ଅନଟନ ପରିସ୍ଥିତି ସୃଷ୍ଟି ହେବା ପରେ ଶ୍ରୀଲଙ୍କାର ଚୀନ୍‌ ମୋହ ଭଙ୍ଗ ହୋଇଛି। ଏବେ ଏହି ଦେଶ ଭାରତର ଶରଣ ପଶିଛି। ଦେବାଳିଆରୁ ଊଦ୍ଧାର କରିବା ପାଇଁ ଭାରତ ସରକାର ଶ୍ରୀଲଙ୍କାରେ ପୁଞ୍ଜି ନିବେଶ କରିଛନ୍ତି। ଭାରତ ସହାୟତାରେ ଦେଶରେ ବିଳାସମୟ ରେଳ ସେବା ଆରମ୍ଭ ହୋଇଛି। ଏହି ସେବା ଦେଶର ଜାଫନାରୁ ରାଜଧାନୀ କଲମ୍ବୋ ପର୍ଯ୍ୟନ୍ତ ଉପଲବ୍ଧ। ଭାରତ ସରକାରଙ୍କ ସହାୟତା କିଞ୍ଚିତ୍‌ ବୋଝ ହ୍ରାସ କରିପାରିବ; ସମ୍ପୂର୍ଣ୍ଣ ନୁହେଁ। ଏହା ପୂର୍ବରୁ ପାକିସ୍ତାନ ମଧ୍ୟ ଚୀନ୍‌ ପ୍ରେମରେ ପଡ଼ି ନିଜର ଅର୍ଥନୀତିକୁ ଧ୍ବସ୍ତ କରିଛି। ପରିସ୍ଥିତି ଏପରି ହୋଇଛି ଇମ୍ରାନ ଖାଁ ସରକାର ଚୀନ୍‌କୁ ଗଧ ଓ ମଇଁଷି ବିକି ଋଣ ଶୁଝୁଛନ୍ତି। ପାକିସ୍ତାନରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶ ଛୁଆଁ। ପାକିସ୍ତାନକୁ ସାଉଦି ଆରବ ଓ ୟୁଏଇ ତଥା ଅନ୍ୟ ମୁସ୍‌ଲିମ୍‌ ରାଷ୍ଟ୍ରଗୁଡ଼ିକ ଆର୍ଥିକ ସହାୟତା ପ୍ରଦାନ କରୁଥିବାରୁ ଦେଶର ଅର୍ଥନୀତି ଏଯାଏ ତିଷ୍ଠି ରହିଛି। ଶ୍ରୀଲଙ୍କା ସରକାର ପାକିସ୍ତାନ ସମସ୍ୟାରୁ ହୃଦୟଙ୍ଗମ କରିପାରିଲେ ନାହିଁ। ଏବେ ପରିସ୍ଥିତି ନେଡ଼ିଗୁଡ଼ କହୁଣିକୁ ବୋହି ଯିବାରେ ବସିଛି। ଚୀନ୍‌ର ଅଯାଚିତ ଋଣକୁ ନେଇ ଶ୍ରୀଲଙ୍କା ଏବେ ସମସ୍ୟାରେ ଉବୁଟୁବୁ। ଏବେଠାରୁ ଦେଶ ଆର୍ଥିକ ପରିସ୍ଥିତି ନସୁଧୁରିଲେ ଆଗକୁ ପରିସ୍ଥିତି ଦୁର୍ବିସହ ହୋଇ ପଡ଼ିବ।

Comments are closed.