ପାରିଶ୍ରମିକ ଦେବାରେ ଅସଙ୍ଗତି

ନିଜ ଦେଶରେ ଠିକ୍‌ ପାରିଶ୍ରମିକ ମିଳୁ ନଥିବାରୁ ଗରିବ ଦେଶର ଶ୍ରମିକମାନେ ଶରଣାର୍ଥୀ ଭାବେ ଅନ୍ୟ ଦେଶକୁ ପଳାଉଛନ୍ତି

ଶ୍ରମିକଙ୍କ ପାରିଶ୍ରମିକରେ ଅସମାନତା ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଚିନ୍ତାରେ ପକାଇଛି। ଆର୍ଥିକ ସମୃଦ୍ଧ ରାଷ୍ଟ୍ରଗୁଡ଼ିକ ଶ୍ରମିକଙ୍କୁ ଉଚ୍ଚ ପାରିଶ୍ରମିକ ଦେଉଛନ୍ତି। ଏଣୁ ଆଫ୍ରିକା ଓ ଏସିଆ ମହାଦେଶର ଅନୁନ୍ନତ ଦେଶଗୁଡ଼ିକର ଶ୍ରମିକମାନେ ବିକଶିତ ରାଷ୍ଟ୍ରଗୁଡ଼ିକୁ ପଳାୟନ କରିବାରେ ଲାଗିଛନ୍ତି। ଫଳରେ ଶ୍ରମିକ ଅଭାବରୁ ଅନୁନ୍ନତ ରାଷ୍ଟ୍ରଗୁଡ଼ିକର ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ କାର୍ଯ୍ୟରେ ବାଧା ଉପୁଜିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚୀନ୍‌ ଓ ଜାପାନ ସରକାର ନିଜ ଦେଶର ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଭାରତ​‌ରେ ଜନସଂଖ୍ୟା ବୃଦ୍ଧି ଶ୍ରମିକଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଏଠାରେ ସ୍ନାତକୋତ୍ତର ଯୁବକ ପିଅନ ଚାକିରି କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଜନସଂଖ୍ୟା ଅନୁଯାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନଥିବାରୁ ଆମ ଦେଶ ପାରିଶ୍ରମିକ ତାଲିକାରେ ନିମ୍ନରେ ଅଛି।

ଦେଶରେ ‘ସର୍ବନିମ୍ନ ପାରିଶ୍ରମିକ ଆଇନ-୧୯୪୮’ ଅନୁଯାୟୀ ଜଣେ ଶ୍ରମିକଙ୍କ ମଜୁରି ସ୍ଥିର ହୋଇଥାଏ। ଶ୍ରମ ବିଭାଗ ଯୁଗ୍ମ ତାଲିକାରେ ଅନ୍ତର୍ଭୁକ୍ତ ଥିବାରୁ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିଥା’ନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଅଞ୍ଚଳ ଓ ଦକ୍ଷତା (ଅଣ କୁଶଳୀ, କୁଶଳୀ, ଉଚ୍ଚ କୁଶଳୀ) ଅନୁଯାୟୀ ଶ୍ରମିକଙ୍କ ଦୈନିକ ପ୍ରାପ୍ୟ ସ୍ଥିର କରିଥାନ୍ତି। ବିଭିନ୍ନ ବର୍ଗର ଶ୍ରମିକଙ୍କ ମୂଳ ବେତନ (ବେସିକ୍‌ ପେ’) ଓ ଭେରିଏବଲ ଡିଏ (ଭିଡିଏ) ଅନୁଯାୟୀ କେନ୍ଦ୍ର ସରକାର ସେମାନଙ୍କ ବେତନ ସ୍ଥିର କରିଥା’ନ୍ତି। ସେହିପରି ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସମ୍ପୃକ୍ତ ଅଞ୍ଚଳର ଶ୍ରମିକଙ୍କ ପାଇଁ ଭିନ୍ନଭିନ୍ନ ସର୍ବନିମ୍ନ ବେତନ ସ୍ଥିର କରିଛନ୍ତି। ସମସ୍ତ ରାଜ୍ୟକୁ ବାଦ୍‌ ଦେଇ କେବଳ କେନ୍ଦ୍ର ସରକାରଙ୍କ ଶ୍ରମିକଙ୍କ ବେତନକୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ତୁଳନା କଲେ ଏଠାକାର ଶ୍ରମିକଙ୍କୁ ଅପେକ୍ଷାକୃତ କମ୍‌ ପାରିଶ୍ରମିକ ମିଳୁଥିବା ଜଣାପଡ଼େ।

ଆମ ଦେଶର ଜଣେ ଶ୍ରମିକ ଘଣ୍ଟାକୁ ସର୍ବୋଚ୍ଚ ପ୍ରାୟ ୯୬ ଟଙ୍କା ୪୧ପଇସା ଉପାର୍ଜନ କରୁଥିବା ବେଳେ ଅଷ୍ଟ୍ରେଲିଆର ଜଣେ ଶ୍ରମିକଙ୍କୁ ପାରିଶ୍ରମିକ ବାବଦରେ ଘଣ୍ଟାକୁ ୯୭୩ ଟଙ୍କା ୩୯ ପଇସା ମିଳିଥାଏ। ଶ୍ରମିକଙ୍କୁ ପାରିଶ୍ରମିକ ଦେବା କ୍ଷେତ୍ରରେ ଅ​‌େ​‌ଷ୍ଟ୍ରଲିଆ ହେଉଛି ବିଶ୍ବର ଅଗ୍ରଣୀ ରାଷ୍ଟ୍ର। ସେହିପରି ଭେନ୍‌ଜୁଏଲା, ଇରାନ୍‌ ଓ ପାକିସ୍ତାନ ପରି କେତେକ ରାଷ୍ଟ୍ର ସେମାନଙ୍କ ଶ୍ରମିକଙ୍କୁ କମ୍‌ ପାରିଶ୍ରମିକ ଦେଇଥା’ନ୍ତି। ଆମେରିକା କଥା ବିଚାରକୁ ନେଲେ ସେଠାରେ ରାସ୍ତା ସଫେଇ କରୁଥିବା କର୍ମଚାରୀ ଅଥବା ଜଣେ କୃଷିଜୀବୀ ସେ ଦେଶର ବ୍ୟାଙ୍କ ଅଧିକାରୀଙ୍କଠାରୁ ଅଧିକ ପାରିଶ୍ରମିକ ପାଇଥା’ନ୍ତି। ବିକଶିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଶ୍ରମିକଙ୍କ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଉଚ୍ଚ ପାରିଶ୍ରମିକ ଦେଉଥିବା ବେଳେ ବିକାଶଶୀଳ ରାଷ୍ଟ୍ର ଅପେକ୍ଷାକୃତ କମ୍‌ ପାରିଶ୍ରମିକ ପ୍ରଦାନ କରୁଛନ୍ତି।

ଶ୍ରମିକଙ୍କୁ ପାରିଶ୍ରମିକ ଦେବାରେ ଅସମତୁଲତା ଥିବାରୁ ଦରିଦ୍ର ରାଷ୍ଟ୍ରଗୁଡ଼ିକର ଶ୍ରମିକ ମୋଟା ଅର୍ଥ ଉପାର୍ଜନ ଆଶାରେ ଶରଣାର୍ଥୀ ଭାବେ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି। ଫଳରେ ସମ୍ପୃକ୍ତ ଦେଶଗୁଡ଼ିକରେ ଶ୍ରମବଳ ହ୍ରାସ ପାଇବାରେ ଲାଗିଛି ା ଅନ୍ୟପକ୍ଷରେ ବିଦେଶୀ ଶ୍ରମିକଙ୍କ ଶ୍ରମରେ ବିକଶିତ ରାଷ୍ଟ୍ରଗୁଡ଼ିକ ଯଥେଷ୍ଟ ପ୍ରଗତି କରିବାରେ ଲାଗିଛନ୍ତି।
୧୯୪୮ ପରଠାରୁ ଆମ ଦେଶରେ ବିଭିନ୍ନ ସମୟରେ ଶ୍ରମ ଆଇନରେ ସଂଶୋଧନ ଅଣାଯାଇଛି। ପୂର୍ବାପେକ୍ଷା ଏହାକୁ କଠୋର କରାଯାଇଛି। ସରକାର ସ୍ଥିର କରିଥିବା ପାରିଶ୍ରମିକଠାରୁ କୌଣସି ସଂସ୍ଥା ଯଦି କୌଣସି ଶ୍ରମିକଙ୍କୁ କମ୍‌ ପାରିଶ୍ରମିକ ଦେଉଥା’ନ୍ତି ତେବେ ସମ୍ପୃକ୍ତ ଶ୍ରମିକ ଏ ସଂକ୍ରାନ୍ତରେ ସ୍ଥାନୀୟ ଶ୍ରମ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରିପାରିବେ। ଜଣେ ବ୍ୟକ୍ତିଙ୍କ ୩ଟି ଦିଗକୁ ବିଚାର କରି ତାଙ୍କ ପାରିଶ୍ରମିକ ସଂଶୋଧନ କରାଯାଇଥାଏ। ବିଶେଷକରି ଖାଦ୍ୟ, ବସ୍ତ୍ର ଓ ବାସଗୃହକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ସମୟରେ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରିଥା’ନ୍ତି। ଏହା ବ୍ୟତୀତ କେତେକ କ୍ଷେତ୍ରରେ ସମ୍ପୃକ୍ତ ଶ୍ରମିକଙ୍କ ଭୌ​‌େ​‌ଗାଳିକ ଅବସ୍ଥିତିକୁ(ସେ ଯେଉଁ ଅଞ୍ଚଳରେ ବାସ କରୁଛନ୍ତି) ମଧ୍ୟ ବିଚାରକୁ ନିଆଯାଇଥାଏ। ଗତ କିଛି ବର୍ଷ ହେଲା ଦେଶର ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ତେବେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦେଶର ପ୍ରଗତିରେ ବାଧା ସୃଷ୍ଟି କରିଛି। ଯେଉଁ ଅନୁସାରେ ପ୍ରତିବର୍ଷ ନୂତନ ଶ୍ରମିକ ସୃଷ୍ଟି ହେଉଛନ୍ତି ସେହି ଅନୁଯାୟୀ ସେମାନଙ୍କୁ କାର୍ଯ୍ୟ ମିଳୁ ନାହିଁ। ଏବେ ଦେଶରେ ଅଣକୁଶଳୀ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକଙ୍କୁ ଦୈନିକ କାର୍ଯ୍ୟ ମିଳେ ନାହିଁ। ତେଣୁ ଦେଶରେ ମୋଟ ଘରୋଇ ଉତ୍ପାଦ ଓ ବ୍ୟକ୍ତିର ମୁଣ୍ଡପିଛା ଆୟ ବଢୁଥିଲେ ମଧ୍ୟ ସାମାନ୍ୟ ଶ୍ରମିକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ୁ ନାହିଁ। ଶ୍ରମ ଆଇନର ସଂଶୋଧନ ଜରୁରୀ ହୋଇ ପଡ଼ିଥିଲେ ହେଁ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ମନେହୁଏ।

Comments are closed.