ଅଭେଦ୍ୟ କବଚ

ଚୀନ୍‌ ଓ ପାକିସ୍ତାନ ପରି ଦୁଇ ପଡ଼ୋଶୀଙ୍କ ପାଇଁ ଏସ-୪୦୦ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ ମାରକ ସାବ୍ୟସ୍ତ ହୋଇପାରେ

ଆମେରିକାକୁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଛି। ତେବେ ଭାରତରେ ନିର୍ମିତ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଏହି ଦେଶର ଚିନ୍ତା ବୃଦ୍ଧି କରିଛି। ଏବେ ରୁଷ୍ ନିର୍ମିତ କ୍ଷେପଣାସ୍ତ୍ର ବିଧ୍ବଂସ ପ୍ରଣାଳୀ ଏସ-୪୦୦ ଆମେରିକାର ସୁରକ୍ଷା ପ୍ରତି ଆହ୍ବାନ ସୃଷ୍ଟି କରିଛି। ରୁଷ୍‌ ଠାରୁ ଭାରତ ଏପରି କ୍ଷେପଣାସ୍ତ୍ର ପ୍ରଣାଳୀ ଆଣିବା ପାଇଁ ଚୁକ୍ତି କରିବା ପରେ ଆମେରିକା କ୍ରୋଧାନ୍ବିତ ହୋଇ ପଡ଼ିଛି। ବାସ୍ତବରେ ଏହି କ୍ଷେପଣାସ୍ତ୍ର ହେଉଛି ଏକ ପ୍ରକାର ଅଭେଦ୍ୟ କବଚ। ଶତ୍ରୁ ପକ୍ଷଠାରେ ଯେତେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଥାଉ ନା କାହିଁକି ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ଆକାଶରେ ସେସବୁକୁ ଧ୍ବଂସ କରିବାରେ ସକ୍ଷମ। ବିଶ୍ବରେ ଯେତେ ପ୍ରକାର ଲଢୁଆ ଓ ଗୁଇନ୍ଦା ବିମାନକୁ ଏହି କ୍ଷେପଣାସ୍ତ୍ର ଠାବ କରି ଅବିଳମ୍ବେ ଧ୍ବଂସ କରିପାରିବ। ଶତ୍ରୁ ପକ୍ଷର ସୀମା ମଧ୍ୟରେ ଏଗୁଡ଼ିକୁ ଧ୍ବଂସ କରିବାରେ ଏସ-୪୦୦ କ୍ଷେପଣାସ୍ତ୍ର ବିଧ୍ବଂସ ପ୍ରଣାଳୀ ସକ୍ଷମ। ବିଶ୍ବର ସବୁଠାରୁ ବିପଦପୂର୍ଣ୍ଣ କ୍ଷେପଣାସ୍ତ୍ର ବିଧ୍ବଂସ ପ୍ରଣାଳୀ ହେଉଛି ଏସ-୪୦୦।

ଏକାଥରକେ ପ୍ରାୟ ୩୬ ଟାରଗେଟକୁ ଧ୍ବଂସ କରିବାରେ ଏହା ସମର୍ଥ। ବହୁ ଦୂରରୁ ଏହା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ଯୁଦ୍ଧ ବିମାନକୁ ଠାବ କରିପାରେ। ଆଦେଶ ପାଇବା ମାତ୍ରେ ଆଖି ପିଛୁଳାରେ ସେସବୁକୁ ଧ୍ବଂସ କରିପାରେ। ଏହି ପ୍ରଣାଳୀର ୪ ପଟେ କ୍ଷେପଣାସ୍ତ୍ର ଖଞ୍ଜା ଯାଇଛି। ୪୦ରୁ ୪୦୦ କିମ.ି ଦୂର ମଧ୍ୟରେ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଧ୍ବଂସ କରିଦେଇ ପାରେ। ଯଦି ଏହି କ୍ଷେପଣାସ୍ତ୍ରକୁ ଦିଲ୍ଲୀରେ ନିୟୋଜିତ କରାଯାଏ ତେବେ ଏସ-୪୦୦ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଆଗ୍ରା ନିକଟରେ ଧ୍ବଂସ କରିପାରିବ। ଏଥିରେ ଖଞ୍ଜା ଯାଇଥିବା ଦୂରଗାମୀ କ୍ଷେପଣାସ୍ତ୍ର ୪ ଶହ କି.ମି ଓ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ୨୫୦ କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ। ୩ୟ କ୍ଷେପଣାସ୍ତ୍ରଟି ମଧ୍ୟମ ସ୍ବଳ୍ପ ଦୂରଗାମୀ; ଯାହାକି ୧୨୦ କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ। ୪ର୍ଥ କ୍ଷେପଣାସ୍ତ୍ରଟି ସ୍ବଳ୍ପ ଦୂରଗାମୀ। ଏହା ୪୦ କି.ମି ପର୍ଯ୍ୟନ୍ତ ମଧ୍ୟରେ ଥିବା ଶତ୍ରୁ ପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ବଂସ କରିବାରେ ସକ୍ଷମ। ଏସ-୪୦୦ରେ ସର୍ବାଧୁନିକ ତଥା ଉନ୍ନତ ରାଡାର ଖଞ୍ଜା ଯାଇଛି। ୬୦୦ କିମି ଦୂରତା ମଧ୍ୟରେ ୩ଶହ ଟାର୍ଗେଟକୁ ଠାବ କରି ମାତ୍ର କିଛି ମିନିଟ ମଧ୍ୟରେ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଏହା ଧ୍ବଂସ କରିପାରେ। ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ। ମାତ୍ର ୫ ମିନିଟ୍‌ ମଧ୍ୟରେ ଶତ୍ରୁପକ୍ଷକୁ ଜବାବ୍‌ ଦେବା ପାଇଁ ଏହା ପ୍ରସ୍ତୁତ ହୋଇଥାଏ। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ମିଳିବା ଦ୍ବାରା ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି।

ସର୍ବାଧୁନିକ ୫ମ ପିଢିର ଲଢୁଆ ବିମାନକୁ ଧ୍ବଂସ କରିପାରୁଥିବା ଏସ-୪୦୦ ଶତ୍ରୁ ପକ୍ଷ ପାଇଁ ସବୁଠାରୁ ବିପଦପୂର୍ଣ୍ଣ କହିଲେ ଭୁଲ ହେବ ନାହିଁ। ଆମେରିକାର ସବୁଠାରୁ ଉନ୍ନତ ଏଫ-୩୫ ଯୁଦ୍ଧ ବିମାନକୁ ଧ୍ବଂସ କରିବାରେ ଏହା ସମର୍ଥ। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ସର୍ବାଧୁନିକ କ୍ଷେପଣାସ୍ତ୍ର ବିଧ୍ବଂସ ପ୍ରଣାଳୀ ହେଉଛି ଏସ-୪୦୦। ଯଦି ଭାରତ ଏହାକୁ କାଶ୍ମୀରର ନିୟନ୍ତ୍ରଣ ରେଖାଠାରେ ନିୟୋଜିତ କରେ ତେବେ ପାକିସ୍ତାନର କୌଣସି ଯୁଦ୍ଧ ବିମାନ ଭାରତ ଉପରେ ଆକ୍ରମଣ କରିପାରିବ ନାହିଁ। ପାକିସ୍ତାନର କୌଣସି କ୍ଷେପଣାସ୍ତ୍ର ବା ଯୁଦ୍ଧ ବିମାନ ଭାରତୀୟ ସୀମା ପ୍ରବେଶ ପୂର୍ବରୁ ସେଗୁଡ଼ିକୁ ଏସ-୪୦୦ ଧ୍ବଂସ କରିଦେବ। ଯଦି ପାକିସ୍ତାନର ଯୁଦ୍ଧ ବିମାନ ଆକ୍ରମଣ କରେ ତେବେ ଏସ-୪୦୦ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ ଏକା ଥରକେ ସେ ଦେଶର ୩୨ଟି ଯୁଦ୍ଧ ବିମାନକୁ ଧ୍ବଂସ କରିବାରେ ସମର୍ଥ। ଚୀନ୍‌ ଓ ପାକିସ୍ତାନ ପରି ଦୁଇ ଶତ୍ରୁ ରାଷ୍ଟ୍ର ପାଇଁ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଘାତକ ସଦୃଶ। ଭାରତ ରୁଷ୍‌ଠାରୁ ଏସ-୪୦୦ କିଣୁ ବୋଲି ଆମେରିକା ଚାହୁଁ ନାହିଁ। ୨୦୧୭ରେ ଆମେରିକା ଦ୍ବାରା ପ୍ରଣୀତ ଏକ ଆଇନ ଅନୁଯାୟୀ ଯଦି କୌଣସି ଦେଶ ରୁଷ୍‌ଠାରୁ ଯୁଦ୍ଧ ସାମଗ୍ରୀ କିଣେ ତେବେ ସମ୍ପୃକ୍ତ ଦେଶ ଉପରେ ଆମେରିକା ସରକାର କଟକଣା ଜାରି କରିପାରିବେ। ପ୍ରଶ୍ନ ଉଠୁଛି ଆମେରିକା କ’ଣ ଭାରତ ଉପରେ ଏପରି କଟକଣା ଜାରି କରିବ ?

ଭାରତ ୪୦ ହଜାର କୋଟି ଟଙ୍କାରେ ମୋଟ ୫ଟି ଏସ-୪୦୦ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ କିଣିବା ପାଇଁ ରୁଷ୍‌ ସହ ଚୁକ୍ତି କରିଛି। ପାକିସ୍ତାନ ଓ ଚୀନ୍‌ର ଯେକୌଣସି ପ୍ରକାର ଔଦ୍ଧତ୍ୟକୁ ରୋକିବା ପାଇଁ ଦେଶର ପଶ୍ଚିମ ଭାଗରେ ଏସ-୪୦୦ ମୁତୟନ କରାଯାଇପାରେ। ପାକିସ୍ତାନ ନିକଟରେ ଏସ-୪୦୦ ନଥିଲେ ହେଁ ଚୀନ୍‌ ନିକଟରେ ୬ଟି ଏସ-୪୦୦ ଅଛି। ଏହା ଭାରତ ପାଇଁ ଚିନ୍ତାର ବିଷୟ। ତିବ୍‌ବତ ଓ ଅରୁଣାଚଳ ପ୍ରଦେଶ ସୀମାରେ ଚୀନ୍‌ ଗୋଟିଏ ଲେଖାଏଁ ଏସ-୪୦୦ କ୍ଷେପଣାସ୍ତ୍ର ମୁତୟନ କରିଛି। ଯଦିଓ ଚୀନ୍‌ ଆମଠାରୁ ଆଗରେ ଅଛି ତେବେ ଭୟରୁ ତ୍ରାହି ପାଇ ପାରି ନାହିଁ। ୨୦୧୮ରେ ଚୀନ୍‌ ପ୍ରଥମ ଥର ପାଇଁ ଏସ-୪୦୦ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ ରୁଷ୍‌ଠାରୁ କିଣିଥିଲା। ଏହାକୁ କିଣିବା ପାଇଁ ସେହି ବର୍ଷଠାରୁ ଭାରତ ଉଦ୍ୟମ ଆରମ୍ଭ କରିଥିଲା।

୨୦୧୮ରେ ଚୀନ୍‌ ରୁଷ୍‌ଠାରୁ ଏସ-୪୦୦ କିଣିବା ପରେ ଆମେରିକା ଚୀନ୍‌ ଉପରେ କଟକଣା ଜାରି କରିଥିଲା। ଚୀନ୍‌ ବ୍ୟତୀତ ତୁର୍କୀ ମଧ୍ୟ ରୁଷ୍‌ଠାରୁ ଏସ-୪୦୦ କିଣିଛି। ଏହି ଦେଶ ଉପରେ ମଧ୍ୟ ଆମେରିକା କଟକଣା ଜାରି କରିଛି। ହୁଏତ କିଛି ଦିନ ପରେ ଆମେରିକା ଭାରତ ଉପରେ ଏପରି କଟକଣା ଲାଗୁ କରିପାରେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ସମୟରେ ଏକ ଆଇନ ଗୃହୀତ ହୋଇଥିଲା। ଯେଉଁ ଦେଶଗୁଡ଼ିକ ପୂର୍ବରୁ ରୁଷ୍‌ ସହିତ ଯୁଦ୍ଧାସ୍ତ୍ର କିଣିବା ପାଇଁ ଚୁକ୍ତି କରିଛନ୍ତି ସେମାନଙ୍କ ଉପରେ କଟକଣା ଜାରି କରାଯାଇ ପାରିବ ନାହିଁ। ତେଣୁ ଭାରତକୁ ଏଥିରୁ ଫାଇଦା ମିଳିପାରେ। ୬୦ ଦଶକକୁ ରୁଷ୍‌ ଭାରତକୁ ଯୁଦ୍ଧାସ୍ତ୍ର ବିକ୍ରି କରି ଆସୁଛି। ଭାରତ ସମୁଦାୟ ଯୁଦ୍ଧାସ୍ତ୍ରର ୬୮ ପ୍ରତିଶତ କେବଳ ରୁଷ୍‌ଠାରୁ କିଣିଥାଏ। ଆମେରିକାର କଟକଣାକୁ ହେୟଜ୍ଞାନ କରି ଭାରତ ରୁଷ୍‌ଠାରୁ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିଛି। ଦେଶର ସୁରକ୍ଷା ସହିତ କୌଣସି କ୍ଷେତ୍ରରେ ସାଲିସ୍‌ କରାଯାଇ ପାରିବ ନାହିଁ ବୋଲି ଭାରତ କହିଛି। ଆକାଶ ମାର୍ଗକୁ ଅଭେଦ୍ୟ ଦୁର୍ଗରେ ପରିବର୍ତ୍ତନ କରିବା ପାଇଁ ଭାରତର ଏହି ପ୍ରୟାସ ଆଗାମୀ ଦିନରେ ସଫଳ ହୋଇ ପାରେ।

Comments are closed.