ପ୍ରଦୂଷଣ ଜନିତ ମୃତ୍ୟୁରେ ବୃଦ୍ଧି

ବିଶ୍ବର ୧୦୦ଟି ଦୂଷିତ ସହର ମଧ୍ୟରେ ଚୀନ୍, ପାକିସ୍ତାନ ଓ ଭାରତର କେବଳ ୯୪ଟି ସହର ସ୍ଥାନ ପାଇବା ଅନେକଙ୍କୁ ଚକିତ କରିଛି

ଦେଶରେ କ୍ରମାଗତ ବୃଦ୍ଧି ପାଇ ଚାଲିଛି ବାୟୁ ପ୍ରଦୂଷଣ। ଏକାକୁ ରୋକା ନଗଲେ ଆଗାମୀ ଦିନଗୁଡ଼ିକ ମାନବ ଜୀବନ ପାଇଁ ଦୁର୍ବିସହ ହୋଇ ପଡ଼ିବ। ବିଷାକ୍ତ ପବନ କେବଳ ମନୁଷ୍ୟ ପାଇଁ ନୁହେଁ, ପରିବେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି। ସମଗ୍ର ବିଶ୍ବ ଜଳବାୟୁ ପରିବର୍ତ୍ତନ ଉପରେ ମନ୍ଥନ ଚଳାଇଛି। ଏପରି ସ୍ଥିତିରେ ଭାରତର ସାମ୍ପ୍ରତିକ ଜୀବନଜୀବିକା ଉପରେ ଆଲୋଚନା କରିବା ଜରୁରୀ। ‘ହେଲ୍ଥ ଇଫେକ୍ଟ ଇନ୍ଷ୍ଟିଚ୍ୟୁଟ୍’ ଅନୁଯାୟୀ କେବଳ ବର୍ଷ ୨୦୧୫ରେ ବାୟୁ ପ୍ରଦୂଷଣ ଯୋଗୁଁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କ ଅସମୟରେ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୯ରେ ସମୁଦାୟ ମୃତ୍ୟୁର ୧୮ ପ୍ରତିଶତ କେବଳ ବାୟୁ ପ୍ରଦୂଷଣ ଜନିତ ଥିଲା। କେବଳ ସେତିକି ନୁହେଁ; ବାୟୁ ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ବିଭିନ୍ନ କ୍ଷେତ୍ର ଉପରେ ପଡ଼ିଛି। କୃଷି ଓ ଶ୍ରମ ଉତ୍ପାଦ ଏଥିରେ ବିଶେଷଭାବେ ପ୍ରଭାବିତ ହୋଇଛି।

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦର ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୯ରେ ଦେଶରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ବାୟୁ ପ୍ରଦୂଷଣ ଯୋଗୁଁ ସମୟ ପୂର୍ବରୁ ଜନ୍ମ ହେଉଥିବା ୬୦ ପ୍ରତିଶତ ସନ୍ତାନଙ୍କ ମୃତ୍ୟୁ ଘଟିଥିଲା। ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ବାୟୁ ପ୍ରଦୂଷଣର କୁପ୍ରଭାବ ଅନୁଭୂତ ହୋଇଛି। ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୯ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୪ ପ୍ରତିଶତ କ୍ଷତି ସହିବାକୁ ପଡ଼ିଥିଲା। ଗତକିଛି ବର୍ଷ ହେଲା ସହରୀକରଣ, ବହୁଳ ସଂଖ୍ୟାରେ କାରଖାନା ସ୍ଥାପନ ଓ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ବାୟୁର ଗୁଣବତ୍ତାକୁ ଦୂଷିତ କରିବାର ମୁଖ୍ୟ କାରଣ ପାଲଟିଛି। ବର୍ଷ ୨୦୨୦ରେ ବିଶ୍ବରେ ସବୁଠାରୁ ଖରାପ ଗୁଣବତ୍ତା ବାୟୁ ଥିବା ଦେଶ ତାଲିକାରେ ଭାରତ ୩ୟ ସ୍ଥାନରେ ଥିଲା। କରୋନା ମହାମାରୀ ସମୟରେ ଜାରି କରାଯାଇଥିବା ତାଲାବନ୍ଦ ଫଳରେ କଳକାରଖାନାଗୁଡ଼ିକ ବନ୍ଦ ପଡ଼ିଥିଲା। ଏଥିଯୋଗୁଁ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା। ତେଣୁ ଆମକୁ ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବିଶ୍ବସ୍ତରର ନେତାମାନେ ଭାଷଣବାଜି ଛାଡ଼ି ପଦକ୍ଷେପ ନେବା ଜରୁରୀ।

ନିକଟରେ ବିଶ୍ବର ଶହେଟି ଦୂଷିତ ସହରର ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ଚୀନ୍, ଭାରତ ଓ ପାକିସ୍ତାନର କେବଳ ୯୪ଟି ନଗରୀ ସ୍ଥାନପାଇଛି। ଏସିଆ ମହାଦେଶକୁ ପ୍ରଦୂଷଣର କେନ୍ଦ୍ରବିନ୍ଦୁ କୁହାଯାଇପାରେ ା ପ୍ରଦୂଷଣକୁ ରୋକିବା ପାଇଁ ଭାରତ ସରକାର କେତେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ କେତେକ ସରକାରୀ ସଂସ୍ଥା କାମ କରୁଛନ୍ତି। ତେବେ ଏହି ସମସ୍ୟା ଏବେ ଏତେ ଜଟିଳ ରୂପ ଧାରଣ କରିଛି ଯେ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ହେଉ ନାହିଁ। ବାୟୁର ଗୁଣବତ୍ତାରେ ସୁଧାର ଆଣିବା ପାଇଁ ସରକାର ନୂତନ ମଡେଲ ପ୍ରସ୍ତୁତ କରିବା ଜରୁରୀ। ଜନସଂଖ୍ୟା ବହୁଳ ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି। ଏହାର ନିରାକରଣ ସରକାରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ସରକାରୀ ଓ ବେସରକାରୀ ତଥା ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ଏ ଦିଗରେ କାର୍ୟ୍ୟକରିବା ଆବଶ୍ୟକ। ଦେଶର ପ୍ରତିଟି ଜନସାଧାରଣ ଏ ଦିଗରେ ଯତ୍ନବାନ ହେଲେ ପ୍ରଦୂଷଣର ମାତ୍ରା ହ୍ରାସ ପାଇ ପାରିବ। ବର୍ଷ ୨୦୧୯ରେ ବାୟୁ ପ୍ରଦୂଷଣ ଜନିତ ମୃତକଙ୍କ ସଂଖ୍ୟା ଯେତେ ଥିଲା ସେହି ବର୍ଷ ସଡ଼କ ଦୁର୍ଘଟଣା, ଆତ୍ମହତ୍ୟା ଓ ଆତଙ୍କବାଦ ଜନିତ ମୃତ୍ୟୁକୁ ଏକତ୍ର ମିଶ୍ରଣ କଲେ ମଧ୍ୟ ସେହି ସଂଖ୍ୟା ଟପି ପାରି ନଥିଲା। ତେଣୁ ଆମ ନିକଟରେ କଠୋର ପଦକ୍ଷେପ ବିନା ଅନ୍ୟ କୌଣସି ବିକଳ୍ପ ନାହିଁ।

ଉତ୍ତର ଭାରତର ଅଧିକାଂଶ ରାଜ୍ୟ ବାୟୁ ପ୍ରଦୂଷଣ ଜାଲରେ ଛନ୍ଦି ହୋଇଛନ୍ତି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ବିହାର ଆଦି ରାଜ୍ୟ ସମେତ ଦେଶର ଏକ ସିଂହଭାଗ ଅଞ୍ଚଳ ବାୟୁ ପ୍ରଦୂଷଣଜନିତ ସମସ୍ୟା ଦେଇ ଗତି କରୁଛି। କେବଳ ବର୍ଷା ଋତୁକୁ ଛାଡ଼ି ଦେଲେ ଉତ୍ତର ଭାରତର ଜନସାଧାରଣ ଅନ୍ୟ ସମସ୍ତ ଋତୁରେ ବାୟୁ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାୟୁ ପ୍ରଦୂଷଣ ଯୋଗୁଁ ଆଜି ଦିଲ୍ଲୀରେ ତାଲାବନ୍ଦ ଘୋଷଣା କରାଯିବାକୁ ବିଚାର କରାଯାଉଛି ା ଆସନ୍ତା ବର୍ଷଗୁଡ଼ିକରେ ଅନ୍ୟ ସହର ପାଇଁ ଏହା ଲାଗୁ ହୋଇପାରେ। ଏହାକୁ ନ ରୋକିଲେ ଆସନ୍ତା କିଛି ଦଶନ୍ଧି ମଧ୍ୟରେ ଛୋଟଛୋଟ ସହରରେ ମଧ୍ୟ ତାଲାବନ୍ଦ ଘୋଷଣା କରାଯାଇ ପାରେ। ଗ୍ରାମ୍ୟ ଜୀବନକୁ ମଫସଲିର ଆଖ୍ୟା ଦେଇ ଯେଉଁମାନେ ଜମିବାଡ଼ି ବିକି ସପରିବାର ସହରରେ ବାସ କରୁଛନ୍ତି ସେମାନଙ୍କ ଚିନ୍ତା ବୃଦ୍ଧି ପାଇଛି। ସହରରେ ଅଟ୍ଟାଳିକା ନିର୍ମାଣ ପାଇଁ ବୃକ୍ଷକଟା ଚରମ ସୀମାରେ ପହଞ୍ଚିଛି। ଆମେ ଯଦି ଆଜିଠାରୁ ବ୍ୟାପକ ସଂଖ୍ୟାରେ ଚାରାେରାପଣ କରିବା ଆମର ଭବିଷ୍ୟ ବଂଶଧର ବାୟୁ ପ୍ରଦୂଷଣ ଜନିତ ସମସ୍ୟାରୁ କିଛି ମାତ୍ରାରେ ତ୍ରାହି ପାଇ ପାରନ୍ତେ। ପ୍ରକୃତି ସମସ୍ତଙ୍କର। ପ୍ରକୃତି ଉପରେ ଜାରି ରହିଥିବା ବ୍ୟଭିଚାରକୁ ରୋକା ନଗଲେ ମାନବ ସମାଜ ନିଶ୍ଚିହ୍ନ ହୋଇଯିବ। କେବଳ ସରକାର ନୁହେଁ; ପ୍ରକୃତିର ସୁରକ୍ଷା ଦାୟିତ୍ବ ବିଶ୍ବର ପ୍ରତିଟି ବ୍ୟକ୍ତିର। ଆମେ ଯଦି ପ୍ରକୃତିର ଯତ୍ନ ନ ନେବା ପ୍ରକୃତି ଆମର ମଧ୍ୟ ନେବ ନାହିଁ। ତେଣୁ ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁୁ ଆମେ ସଭିଏଁ ସଚେତନ ହେବା ଆବଶ୍ୟକ।

Comments are closed.