ଗୋଟିଏ ଭାଡ଼ିର ପାରା

ରାଜନୀତିରୁ ଆପରାଧିକ ତତ୍ତ୍ବଙ୍କୁ ହଟାଇବାକୁ ହେଲେ ବିଧାନପାଳିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା, ସମସ୍ତଙ୍କୁ ଆନ୍ତରିକ ପ୍ରଚେଷ୍ଟା କରିବାକୁ ହେବ

ସାମ୍ବିଧାନିକ ବ୍ୟବସ୍ଥାର ପ୍ରମୁଖ ତିନି ଅଙ୍ଗ ବିଧାନପାଳିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ସମସ୍ତେ ରାଜନୀତିରୁ ଅପରାଧୀ ତତ୍ତ୍ବ ହଟୁ ବୋଲି ଚାହାନ୍ତି; କିନ୍ତୁ ବାସ୍ତବ ପଦକ୍ଷେପ ନେବାକୁ କେହି ଏ ପର୍ଯ୍ୟନ୍ତ ଆନ୍ତରିକ ଭାବେ ଚେଷ୍ଟା କରୁଥିବା ଦେଖାଯାଇ ନାହିଁ। ନ୍ୟାୟପାଳିକା ଆପରାଧିକ ମୋକଦ୍ଦମା ରହିଥିବା ନେତାଙ୍କୁ ନିର୍ବାଚନରେ ଲଢ଼ିବାକୁ ସବୁଦିନ ପାଇଁ ବାରଣ କରିବାକୁ କହୁଥିବାବେଳେ କାର୍ଯ୍ୟପାଳିକା ସେ ଦିଗରେ କୌଣସି ପଦକ୍ଷେପ ନେବାକୁ ଆଗ୍ରହୀ ନୁହେଁ। ଫଳସ୍ବରୂପ ଏ ପର୍ଯ୍ୟନ୍ତ ଦେଶର ରାଜନୀତିରେ ଅପରାଧୀକରଣ ବଢ଼ିଚାଲିଛି କହିଲେ ଅତିଶୟୋକ୍ତି ହେବ ନାହିଁ। ଗଣତନ୍ତ୍ରର ସବୁ ସ୍ତମ୍ଭ ଯଦି ଏ ବିଷୟକୁ ନେଇ ଚିନ୍ତା କରନ୍ତେ ଏବଂ ଅପରାଧୀ ତତ୍ତ୍ବଙ୍କୁ ରାଜନୀତିରୁ ହଟାଇବାକୁ ଚାହାନ୍ତେ, ତେବେ ଏହା କେବେଠୁ ସଫଳ ହୋଇସାରନ୍ତାଣି; ମାତ୍ର ତାହା ହେଉନାହିଁ।

ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ଏ ପ୍ରସଙ୍ଗ ଉଠାଇଥିଲେ ଏବଂ ସରକାରଙ୍କୁ ଏ ସମ୍ପର୍କିତ ଆଇନରେ ସଂଶୋଧନ ଆଣିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି; କିନ୍ତୁ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ନିର୍ଦିଷ୍ଟ ଉତ୍ତର ଦିଆଯାଇ ନାହିଁ। ଏହା ଅବଶ୍ୟ ନୂଆ କଥା ନୁହେଁ। ସରକାର ଏ ସମ୍ପର୍କରେ ଜନସମକ୍ଷରେ ଯେତିକି ଦେଖାଇ ହୁଅନ୍ତି, କାର୍ଯ୍ୟରେ କେବେ ତାହା ପରିଣତ କରନ୍ତି ନାହିଁ। ରାଜନୈତିକ ଦଳ ଅପରାଧୀଙ୍କୁ ରାଜନୀତିରେ ପୂରାଇ ଦେବେ ନାହିଁ ବୋଲି କହିବୁଲୁଥିଲେ ହେଁ ନିର୍ବାଚନବେଳେ ସେମାନଙ୍କ ହାତରେ ନିର୍ବାଚନ ଲଢ଼ିବାପାଇଁ ଟିକଟ୍‌ ଧରାଇ ଦିଅନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗଟିକୁ ଠିକ୍‌ ଏହିପରି ସମୟରେ ଉଠାଇଛନ୍ତି, ଯେତେବେଳେ କି ଦେଶର କେତେକ ଗୁରୁତ୍ବପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଖୁବ୍‌ ଆଲୋଚନା ହେଉଛି। ବିଶେଷକରି ଉତ୍ତର ପ୍ରଦେଶ ଏହି ପ୍ରସଙ୍ଗରେ ସବୁବେଳେ ଦୃଷ୍ଟି ଆକର୍ଷଣ କରିଆସିଛି; କାରଣ ସେଠାରେ ବର୍ତ୍ତମାନର ଓ ପୂର୍ବତନ ସାଂସଦ/ବିଧାୟକଙ୍କ ବିରୋଧରେ ସର୍ବାଧିକ ଆପରାଧିକ ମାମଲା ରହିଛି।

ଏକ ତଥ୍ୟ ଅନୁଯାୟୀ, ୬୩ଟି ସ୍ବତନ୍ତ୍ର ଅଦାଲତ ଦ୍ବାରା ୧୩୦୦ରୁ ଅଧିକ ମାମଲାର ଶୁଣାଣି କରାଯାଇଛି ଏବଂ ବହୁ ମାମଲା ବର୍ଷବର୍ଷ ଧରି ଶୁଣାଣି ହୋଇପାରୁ ନାହିଁ। ପ୍ରତିବର୍ଷ ଆପରାଧିକ ମାମଲା ଥିବା ସାଂସଦ/ବିଧାୟକଙ୍କ ତାଲିକା ପ୍ରକାଶ କରୁଥିବା ‘ଆସୋସିଏସନ ଫର୍‌ ଡେମୋକ୍ରେଟିକ୍‌ ରାଇଟ୍ସ’ର ତଥ୍ୟ ଅନୁସାରେ ଦେଶର ୩୬୩ ଜଣ ସାଂସଦ ନିଜ ନାଁରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ଅନେକଙ୍କ ମାମଲା ପାଞ୍ଚରୁ ସାତବର୍ଷ ପର୍ଯ୍ୟନ୍ତ ଶୁଣାଣି ନହୋଇ ପଡ଼ିରହିଛି। ୧୨ରୁ ଅଧିକ ସାଂସଦଙ୍କ ମାମଲାରେ ରୁଜୁ ହୋଇଥିବା ୪୩ଟି ଓ ୧୦୦ ବିଧାୟକଙ୍କ ନାମରେ ରୁଜୁ ୩୧୫ଟି ମାମଲା ୧୦ ବର୍ଷରୁ ଊର୍ଦ୍ଧ୍ବକାଳ ଗଡ଼ୁଥିବା ଏହି ସଂସ୍ଥାର ଅନୁଧ୍ୟାନରୁ ପ୍ରକାଶ। ସେହିପର ଏଭଳି ୧୭୦ଟି ମାମଲା ରହିଛି, ଯେଉଁଥିରେ ଦୋଷୀସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି; କିନ୍ତୁ ଏସବୁ ମାମଲାର ଶୁଣାଣି ହେଉନାହିଁ। ଫଳରେ ଅପରାଧୀମାନେ ଆରାମରେ ରାଜନେତା ସାଜି, ଏପରି କି ମନ୍ତ୍ରିପଦ ପାଇ ସବୁ କ୍ଷମତା ଓ ସୁଖସୁବିଧା ହାସଲ କରିପାରୁଛନ୍ତି।

ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଅପରାଧରେ ଦୋଷୀ ସାବ୍ୟସ୍ତ ସାଂସଦ/ବିଧାୟକଙ୍କୁ ଜେଲ୍‌ରୁ ମୁକୁଳିବା ପରଠାରୁ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ କରାଯିବ ବୋଲି ଏକ ଯୁଗାନ୍ତକାରୀ ରାୟରେ ନିର୍ଦେଶ ଦେଇଥିଲେ। ତେବେ ହଜାରହଜାର ଆପରାଧିକ ମାମଲା ରହିଥିବା ଶତାଧିକ ସାଂସଦ/ବିଧାୟକଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କେବଳ ୧୧ ଜଣଙ୍କୁ ହିଁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ଏଥିରୁ ସ୍ପଷ୍ଟ ଯେ ଆମ ମନ୍ଥର ନ୍ୟାୟ ବ୍ୟବସ୍ଥା ମଧ୍ୟ ରାଜନୀତିରେ ଅପରାଧୀକରଣ ବୃଦ୍ଧି ପାଇଁ ପରୋକ୍ଷ ରୂପେ ଦାୟୀ। ଯଦି ସବୁ ମାମଲାର ବିଚାର ଠିକ୍ ସମୟରେ ହୁଅନ୍ତା ଓ ଅପରାଧୀ ନେତାମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହୁଅନ୍ତେ, ତେବେ ଆପେଆପେ ନିର୍ବାଚନ-ଅଯୋଗ୍ୟ ନେତାଙ୍କ ସଂଖ୍ୟା ବଢ଼ନ୍ତା ଓ ତାହା ହେଲେ ରାଜନୀତିରୁ ଅପରାଧୀ ମଧ୍ୟ କ୍ରମଶଃ ହଟିଯାଆନ୍ତେ; ମାତ୍ର ତାହା ହୋଇପାରୁ ନାହିଁ। ସେପଟେ ମାମଲା ନ୍ୟାୟାଳୟରେ ବର୍ଷବର୍ଷ ଧରି ଗଡ଼ିଚାଲୁଛି ଏବଂ ଏ ପଟେ ଅପରାଧୀ-ନେତା ନିର୍ବାଚନ ଜିତି କ୍ଷମତାସୀନ ହୋଇପାରୁଛି। କ୍ଷମତାରେ ଥିବାବେଳେ ସେ ନ୍ୟାୟବ୍ୟବସ୍ଥାକୁ ବିଭିନ୍ନ ଉପାୟରେ ନିଜର ସ୍ବାର୍ଥ ପାଇଁ ଅପବ୍ୟବହାର ଯେ କରୁନଥିବ, ସେହି ଆଶଙ୍କା ମଧ୍ୟ ଅମୂଳକ ନୁହେଁ।

ଏ ନେଇ ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପ୍ରଶ୍ନ ଉଠାଇ କହିଥିଲେ ଯେ ଜଣକ ନାଁରେ ଯଦି ଆପରାଧିକ ମାମଲା ରୁଜୁ ହୋଇଛି, ତା’ର ସଦସ୍ୟତାକୁ ସଂସଦ/ବିଧାନସଭାରୁ ପ୍ରତ୍ୟାହାର କରିନିଆଯିବା ଉଚିତ ହେବ କି? ତେବେ ପାଞ୍ଚଜଣିଆ ପୀଠ ଏହି ପର୍ଯ୍ୟାୟରେ ସଦସ୍ୟତାକୁ ରଦ୍ଦ କରାଯାଇପାରିବ ନାହିଁ ବୋଲି ରାୟ ଦେବା ସହ ସରକାରଙ୍କୁ ଏପରି ଏକ ଆଇନ ଆଣିବାକୁ କହିଥିଲେ। ସରକାର ଏହା କରିବାକୁ ଚାହିଁବେ କି? ଏହା ଏକ ବଡ଼ ପ୍ରଶ୍ନ; କାରଣ ସରକାରରେ ଥିବା ଅନେକ ନେତାମନ୍ତ୍ରୀ ସେହି ଗୋଟିଏ ଭାଡ଼ିର ପାରା। ଆଉ ମଧ୍ୟ କେବଳ କେତେକଙ୍କୁ ଅଯୋଗ୍ୟ ଘୋଷଣା କରିଦେଲେ ରାଜନୀତିର ଅପରାଧୀକରଣ ବନ୍ଦ ହେବନାହିଁ। ଏ କ୍ଷେତ୍ରରେ ନ୍ୟାୟପାଳିକାର ପ୍ରମୁଖ ଦାୟିତ୍ବ ରହିଛି। ଯଦି ଠିକ୍‌ ସମୟରେ ଏପରି ମାମଲାର ବିଚାର ଶେଷ ହେବ ଓ ଦୋଷୀକୁ ଦଣ୍ଡିତ କରାଯିବ, ତେବେ ସ୍ବତଃ ଏ ସମସ୍ୟାର ସମାଧାନ ହୋଇପାରିବ। ଯେଉଁ ରାଜନୈତିକ ଦଳ ଆପରାଧିକ ମାମଲା ଥିବା ନେତାଙ୍କୁ ନିର୍ବାଚନରେ ଛିଡ଼ା କରାଉଛନ୍ତି, ସେମାନଙ୍କର ପଞ୍ଜୀକରଣ ରଦ୍ଦ ହେବା ଆବଶ୍ୟକ; କିନ୍ତୁ ବିଲେଇ ତ ନିଜ ବେକରେ ଘଣ୍ଟି ବାନ୍ଧିବ ନାହିଁ; ସେହି ଦାୟିତ୍ବ ଆଉ କାହାକୁ ନେବାକୁ ହେବ।

Comments are closed.