ଦ୍ରାବିଡ଼ ରାଜନୀତିର ପିତାମହ

0

କରୁଣାନିଧିଙ୍କ ନିଧନରେ ଦ୍ରାବିଡ଼ ରାଜନୀତି ତାହାର ଶେଷ ପ୍ରତିମା ହରାଇଲା। ସତୁରିବର୍ଷର ଏକ ବିଚିତ୍ର ଘଟଣାବହୁଳ ରାଜନୈତିକ ଜୀବନର ଅଧିକାରୀ କରୁଣାନିଧି ଗୋଟିଏ କାଳଖଣ୍ଡର ଚରିତ୍ର ଓ ପ୍ରକୃତିର ପରିଭାଷା ନିର୍ଦ୍ଧାରଣ କରିବାରେ ସଫଳ ହୋଇଥିଲେ। ତାଙ୍କ ରାଜନୈତିକ ବିଚକ୍ଷଣତା, ଦ୍ରାବିଡ଼ୀୟ ବିଚାର ଓ ଆଦର୍ଶ ପ୍ରତି ସଂପୂର୍ଣ୍ଣ ଅଙ୍ଗୀକାର, ଲେଖକୀୟ କୌଶଳ, ବାକ୍‌ପଟୁତା ତଥା ସର୍ବୋପରି ତାଙ୍କ ଆକର୍ଷଣ ତାଙ୍କୁ ଦେଶର ଜଣେ ତୁଙ୍ଗନେତାରେ ପରିଣତ କରିଥିଲା। ସେ କେବଳ ନିର୍ବାଚନରେ ଅପରାଜେୟ ନଥିଲେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ବିଭିନ୍ନ ସମୟରେ ମୋଟ ୧୯ବର୍ଷ କାର୍ଯ୍ୟକରି ମଧ୍ୟ ଏକ ରେକର୍ଡ଼ ପ୍ରତିଷ୍ଠା କରିଯାଇଛନ୍ତି। ୧୯୬୯ରେ ଆନ୍ନା ଦୁରାଇଙ୍କ ମୃତ୍ୟୁପରେ ଡିଏମକେର ଅଧ୍ୟକ୍ଷପଦ ଗ୍ରହଣ କରିଥିବା କରୁଣା ୧୯୫୭ରୁ ପ୍ରତିଦ୍ବନ୍ଦ୍ବିତା କରିଥିବା କୌଣସି ନିର୍ବାଚନରେ ପରାଜିତ ନହେବା ତାଙ୍କ ଲୋକପ୍ରିୟତା ଏବଂ ସାଙ୍ଗଠନିକ ଦକ୍ଷତାର ପ୍ରମାଣ ବହନ କରେ।
ଦଳକୁ କଠିନ ସମୟରେ ଏକଜୁଟ କରି ରଖିବାସହ ଅନ୍ୟ ଦଳସହ ମେଣ୍ଟ ଗଠନ ଏବଂ କ୍ଷମତାରେ ଅଂଶୀଦାର ହେବାର ବିରଳ କଳା ତାଙ୍କ ପାଖରେ ଥିଲା। ସେ ବାସ୍ତବବାଦୀ ଥିଲେ ଏବଂ ବ୍ୟକ୍ତିଗତ ବନ୍ଧୁତା ଓ ରାଜନୈତିକ ପ୍ରତିଦ୍ବନ୍ଦ୍ବିତାକୁ ଭିନ୍ନଭିନ୍ନ ବିଚାରରେ ଦେଖୁଥିଲେ। ରାଜ୍ୟ ରାଜନୀତିରେ ତିଷ୍ଠିବାସହ ଜାତୀୟ ରାଜନୀତିରେ ନିଜର ପ୍ରଭାବ ଜାହିର ପାଇଁ ସମୟାନ୍ତରରେ କଂଗ୍ରେସ ଓ ବିଜେପିର ପକ୍ଷନେବାରେ ସେ କୌଣସି ରାଜନୈତିକ କୁଣ୍ଠା ଅନୁଭବ କରୁନଥିଲେ। କ୍ଷମତାପାଇଁ ରାଜନୈତିକ ବିବେକ ବାଧକ ହୋଇ ଛିଡ଼ା ହେଉ ଏହାକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନ’ହେବା ଥିଲା ତାଙ୍କ କ୍ଷମତାଲାଭର କୌଶଳ। ଇନ୍ଦିରାଙ୍କ ଜରୁରୀ ଅବସ୍ଥା ଜାରିକୁ ବିରୋଧ କରି ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ବରଖାସ୍ତ ହୋଇ କାରାଦଣ୍ଡ ଭୋଗିଥିବା କରୁଣା ପରବର୍ତ୍ତୀ କାଳରେ କଂଗ୍ରେସ ସହ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାରେ ଅଂଶୀଦାର ହେବାକୁ ଦ୍ବିଧାବୋଧ କରିନଥିଲେ। ଲମ୍ବା ରାଜନୈତିକ ଜୀବନ‌େ‌ର ଅନେକ ବିବାଦ ଓ ଅସୁବିଧାର ସମ୍ମୁଖୀନ ହୋଇଥିଲେ ହେଁ କୌଶଳ, ଅସୀମ ଧୈର୍ଯ୍ୟ ଓ ଲଢ଼ୁଆ ମନୋଭାବ ପ୍ରଦର୍ଶନ କରି ସେଥିରୁ ସେ ବର୍ତ୍ତିବାରେ ସଫଳ ହୋଇଥିଲେ। ତାଙ୍କ ନାସ୍ତିକତା ଓ ବ୍ରାହ୍ମଣ ବିରୋଧୀ ବିଚାରକୁ ଅନେକ ଗ୍ରହଣ କରିପାରୁନଥିଲେ। ଏହା ପ୍ରକାରାନ୍ତରେ ଜୟଲଳିତାଙ୍କ ଭଳି ଜଣେ ବ୍ରାହ୍ମଣ ନେତ୍ରୀଙ୍କୁ ଦ୍ରାବିଡ଼ ରାଜନୀତିରେ ଉତ୍‌ଥାନ ପାଇଁ ସୁଯୋଗ ଯୋଗାଇ କରୁଣାଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ତାଙ୍କ ନାସ୍ତିକତା ଭିତରେ ଦଳର ନିର୍ବାଚନ ଚିହ୍ନ ଉଦିତ ସୂର୍ଯ୍ୟ ଥିଲା ଏକ ରାଜନୈତିକ ଉପାସନା। ରାଜନୈତିକ ମନ୍ତ୍ରଥିଲା- ‘‘ରୁଦ୍ରାୟ ସ୍ବାହା, ଦ୍ରାବିଡ଼ାୟ ସ୍ବାହା’’।
ଆଞ୍ଚଳିକ ଅସ୍ମିତା ତାଙ୍କ ରାଜନୀତିର ମୂଳ ପୁଞ୍ଜିଥିଲା। ତା’ମଧ୍ୟରେ ସେ ତାମିଲ ଅଭିଜ୍ଞାନ ଓ ପରିଚୟକୁ ଯୋଡ଼ିଥିଲେ। ତାଙ୍କ ଜାତିବିରୋଧୀ ଦର୍ଶନରେ ବ୍ରାହ୍ମଣ୍ୟବାଦ ନିଶାଣରେ ରହି ତଥାକଥିତ ଶୋଷିତ, ବଞ୍ଚିତ ଓ ନିଷ୍ପେସିତଙ୍କୁ ଉତ୍‌ଥାନର ଏକ ନୂଆ ସନ୍ଦେଶ ଦେବାରେ ସଫଳ ହୋଇଥିଲା। ସାମାଜିକ ନ୍ୟାୟର ସେ ଥିଲେ ଦୃଢ଼ ପ୍ରବକ୍ତା। ବହୁକୁଟୁମ୍ବୀ କରୁଣା ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ପରିବାର, ବିରାଦରର ସ୍ବାର୍ଥ ମଧ୍ୟ ପରବର୍ତ୍ତୀକାଳରେ ଅଗ୍ରାଧିକାର ପାଇଥିଲା ଯାହା ରାଜନୀତିକୁ ପ୍ରଭାବିତ କରିବାସହ ତାଙ୍କ ପାଇଁ ସାମୟିକ ଅସୁବିଧାର କାରଣ ପାଲଟିଥିଲା। ପ୍ରତିଷ୍ଠିତ ରାଜନେତା ପିତାମହ ହେଲେ ପରିବାର ଦଳର କେନ୍ଦ୍ରସ୍ଥଳ ପାଲଟେ ଏବଂ କ୍ଷମତା ପାଇଁ କୁଟୁମ୍ବରେ ବିବାଦ ସୃଷ୍ଟି ହୁଏ। କରୁଣା ସେ ସ୍ଥିତିର ମଧ୍ୟ ସମ୍ମୁଖୀନ ହୋଇଛନ୍ତି ଏବଂ ସେ ଅଧ୍ୟାୟର ଏକପ୍ରକାର ତାଳିପକା ସମାଧାନ କରିଛନ୍ତି। ସେ ଥିଲେ ଦକ୍ଷିଣ ଭାରତର ସ୍ବର। ତାଙ୍କ ଅବର୍ତ୍ତମାନରେ ତାମିଲନାଡ଼ୁ ଓ ଦ୍ରାବିଡ଼ ରାଜନୀତିରେ ଯେଉଁ ଶୂନ୍ୟସ୍ଥାନ ପୂରଣ ହେଲା ତାହାକୁ ତାଙ୍କ ପୁଅ ତଥା ରାଜନୈତିକ ଉତ୍ତରାଧିକାରୀ ଷ୍ଟାଲିନ୍‌ ପୂରଣ କରିବାରେ କେତେ ସଫଳ ହେବେ ଏବଂ ପରିବାରର ଅନ୍ୟ ସଦସ୍ୟ ଏଥିରେ କେତେ ସହଯୋଗ କରିବେ ତାହା ଅନୁମାନ କରିବା ସହଜ ନୁହେଁ। ଜୟାଙ୍କ ପରେ ଏଆଇଡିଏମକେରେ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି, ଡିଏମକେ କ୍ଷେତ୍ରରେ ତାହାର ପୁନରାବୃତ୍ତି ଯେ ନ’ହେବ ସେ କଥା କିଏ କହିବ? ଫିଲ୍ମ ହେଉ ଅବା ରାଜନୀତି, ସେ ସବୁଥିରେ ଥିଲେ କାହାଣୀକାର ଏବଂ ତାଙ୍କ କାହାଣୀ ଥିଲା ଚମତ୍କାର। ସଂକ୍ଷେପରେ ସେ ଥିଲେ ତାମିଲ ରାଜନୀତିର ପିତାମହ। ତାମିଲ ରାଜନୈତିକ ରଙ୍ଗମଞ୍ଚରେ ଜଣେ ଧୂରୀଣ କଳାକାର ଭାବେ ସେ ନିଜକୁ ପ୍ରତିଷ୍ଠା କରିବାସହ ଜାତୀୟ ରାଜନୀତିରେ ମଧ୍ୟ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ। ଜ୍ୟୋତିବସୁ, ବିଜୁ ପଟ୍ଟନାୟକଙ୍କ ଭଳି ଉଭୟ ଆଞ୍ଚଳିକ ଓ ଜାତୀୟ ରାଜନୀତିରେ ନିଜକୁ ସେ ଅପରିହାର୍ଯ୍ୟ ଭାବେ ଗଢ଼ିତୋଳିବା ତାଙ୍କର ନେତୃତ୍ବର ପରାକାଷ୍ଠାକୁ ପ୍ରମାଣିତ କରେ। କରୁଣାଙ୍କ ବିୟୋଗ ତାମିଲ ରାଜନୀତିରେ ଏକ ନୂଆ ଯୁଗର ସୂଚନା ଦେଉଛି। ସମୟକ୍ରମେ ତାହାର ରୂପରେଖ ପ୍ରକାଶ ପାଇବ, ହେଲେ କରୁଣାନିଧିଙ୍କ ଭଳି ଯୋଗଜନ୍ମା, କରିତ୍‌କର୍ମା ନେତାଙ୍କର ଅଭାବ ଯେ ନିଶ୍ଚିତ ଅନୁଭୂତ ହେବ ଏହାକୁ ଅସ୍ବୀକାର କରାଯାଇ ନ’ପାରେ। ସେଠା ରାଜନୀତିର ନୂଆ ତାରକାମାନଙ୍କୁ କରୁଣାଙ୍କ ଭଳି ପୁରୁଣା ପିଢ଼ିର ନେତାଙ୍କ ୮୦ବର୍ଷର ଖ୍ୟାତି ଓ ପ୍ରତିଷ୍ଠାର ସମକକ୍ଷ ହେବାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

Comments
Loading...